~ ମୋହନଦାସ ରତିକାନ୍ତ ରାଓ ~
ଲେଖା: ଅମୃତେଶ ଖଟୁଆ
ଅଜସ୍ର କଳା, ସାହିତ୍ୟ, ସଂସ୍କୃତି, ଭାସ୍କର୍ଯ୍ୟ ସହ ଅନନ୍ତ ଐତିହ୍ୟର ପଟ୍ଟଭୂମି ଉପରେ ଅବତିଷ୍ଠିଥିବା ଓଡ଼ିଆ ସଂସ୍କୃତି ମହାଭାରତୀୟତାର ଏକ ଅଭିନ୍ନ ପ୍ରବାହିତ ସ୍ରୋତ। ଐତିହ୍ୟଦୀପ୍ତ ଓଡ଼ିଆ ମାଟିରେ ଯେଉଁ ଯୋଗଜନ୍ମା ମନୀଷୀମାନଙ୍କ ଆବିର୍ଭାବ, ତାହା ଏ ଜାତିର ତ୍ରିଦିବଲୋକକୁ ଋଦ୍ଧିମନ୍ତ କରିଆସିଛି। ହେଲେ ଏହି ମାନଙ୍କ ଭିତରେ ଲୁକ୍କାୟିତ ରହିଯାଇଛି ଏହି ମହାନ ପ୍ରତିଭାଙ୍କ ଗାଥା । ମୋହନଦାସ ରତିକାନ୍ତ ରାଓ
ଓଡ଼ିଆ ଭାଷାସାହିତ୍ୟର ଭକ୍ତକବି ଭାବେ ସୁପରିଚିତ ମଧୁସୂଦନ ରାଓଙ୍କ ଅଣନାତି ହେଉଛନ୍ତି ଏମାର୍ କେଆର୍ ବା ମୋହନଦାସ ରତିକାନ୍ତ ରାଓ। ପୁରୀ କୁଣ୍ଢେଇବେଣ୍ଟ ସାହି ଜେନାମଠ ଲେନରେ ରହୁଛନ୍ତି ଏହି ପ୍ରଥିତଯଶା ବ୍ୟଙ୍ଗ ସାହିତ୍ୟିକ। ୯୦ ବର୍ଷରେ ପଦାର୍ପଣ କରି ମଧ୍ୟ ଆଜି ପର୍ଯ୍ୟନ୍ତ ବିନା ଚଷମା ସାହାଯ୍ୟରେ ପଢାପଢି ବେଶ୍ ଚଞ୍ଚଳ କରିଥାଆନ୍ତି। ଯୁବସୁଲଭ ଚେତନାରେ ଓଡ଼ିଆ ସାହିତ୍ୟ ପାଇଁ ଅନେକ ସ୍ଵପ୍ନ ଦେଖିଛନ୍ତି ଏମାର୍ କେଆର୍। ତାଙ୍କ ଜନ୍ମ କଟକ ସହରରେ ୧୨ ଜୁଲାଇ ୧୯୩୦ ମସିହାରେ। ପିତା ଲକ୍ଷ୍ମୀକାନ୍ତ ରାଓ ଓ ମାତା ଲକ୍ଷ୍ମୀ । ଫତୁରାନନ୍ଦଙ୍କୁ ଦ୍ରୋଣଗୁରୁ ଭାବେ ଗ୍ରହଣ କରି ତାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଓଡ଼ିଆ ସାହିତ୍ୟରେ ହାସ୍ୟରସକୁ କବିତା, ଗଳ୍ପ ଓ ଆଲୋଚନା ମାଧ୍ୟମରେ ଭେଟିଦେବାକୁ ଦିନେ ସଂକଳ୍ପ କରିଥିଲେ।
ପ୍ରଥମେ ଆଠମଲ୍ଲିକ ରାଜାଙ୍କ ଅଧୀନରେ ବୃତ୍ତିଗତ ଜୀବନର ଅୟମାରମ୍ଭ କରନ୍ତି ମୋହନଦାସ ରତିକାନ୍ତ ରାଓ । ନିଜର ଶେଷ ପୁସ୍ତକ “ଆଠମଲ୍ଲିକ ଡାଏରୀ” ରେ ନିଜ ଜୀବନର ପ୍ରତିଟି ଧାରାକୁ ବଖାଣ କରିଛନ୍ତି। ପିଲାଦିନରେ ସେ କିପରି କ୍ରୀଡାକୌତୁକ କରୁଥିଲେ, ସଇଁତିରିଶ ବର୍ଷ କେମିତି ଚାକିରି ଜୀବନ ସହ ଅଭିନୟାଦିରେ ଅତିବାହିତ ହୁଏ, ବାପା ମା’ଙ୍କର ପ୍ରେରଣାପ୍ରଦ ଲେଖାକୁ ସେ ସ୍ଥାନୀତ କରିଛନ୍ତି। ତାଙ୍କ ରଚିତ କବିତା, ଉପନ୍ୟାସ ଓ ଆଲୋଚନା ସବୁ ହାସ୍ୟରସ ପ୍ରଦାନ କରେ ଆଉ ତା ଭିତରେ ନିହିତ ଥାଏ ଜୀବନର ବ୍ୟର୍ଥତା ଭିତରେ ସହୃଦୟତା। କାନ୍ତକବିଙ୍କ “କଣାମାମୁଁ” ଉପନ୍ୟାସର ଉତ୍ତରାର୍ଦ୍ଧ ରଚନା କରିଥିଲେ, ଆଉ ସେଥିରେ ଉଲ୍ଲେଖ କରନ୍ତି –
“ଭଲ ଭଲ ଉପନ୍ୟାସ ଗୁଡିକ ଏକାଧିକବାର ପଢିବା ମୋର ଗୋଟାଏ ନିଶା। ସେ ଦୃଷ୍ଟିରୁ କାନ୍ତକବିଙ୍କ କଣାମାମୁଁ ଅନେକ ଥର ପଢିଥିଲି। ……… …. ତେଣୁ ମୋର ତେୟାଳିଶି ବର୍ଷ ହେଲା ବେଳେ ମୋର ପ୍ରଥମ ହାସ୍ୟଗଳ୍ପ ‘ଘରୁଆ ସାହିତ୍ୟ’ ପ୍ରକାଶିତ ହୋଇଥିଲା। ଭାବିଲି, ହଁଅ ― ଫକୀରମୋହନ ପୁଣି ପରିଣତ ବୟସରେ ହିଁ ଗଳ୍ପ ଉପନ୍ୟାସ ଲେଖିବା ଆରମ୍ଭ କରିଥିଲେ।
କାନ୍ତକବିଙ୍କ ଗ୍ରନ୍ଥାବଳୀର ତେର ପୃଷ୍ଠାରେ ଆତ୍ମଜୀବନୀରୁ କଣାମାମୁଁ ଉତ୍ତରାର୍ଦ୍ଧର ଦିଗଦର୍ଶନ ପାଇଲି। ନିର୍ଦ୍ଦେଶିତ ପଥରେ ରେଳଗାଡିଟା ଚଳାଇ ନେବାରେ ଚାଲିକରି ବାହାଦୂରୀ କିଛି ନଥାଏ ― ସେପରି ମୋର ନିଜର କିଛି ବାହାଦୂରୀ ନାହିଁ….”
ଫତୁରାନନ୍ଦଙ୍କ ବିଷୟରେ ଏମାର୍ କେଆର୍ ଭାରି ଭାବୁକ ଆଉ ସମାନୁରୂପ, ଓଡ଼ିଆ ସାହିତ୍ୟରେ ହାସ୍ୟରସକୁ ଯଥୋଚିତ ମର୍ଯ୍ୟାଦା ଦିଆ ନ ଯିବାରୁ ସେ ମ୍ରିୟମାଣ ମଧ୍ୟ। ତାଙ୍କ ଭାଷାରେ ଗଳ୍ପ, ହେଉ କି କବିତା କିମ୍ବା ଚମ୍ପୂ, ବିନା ହାସ୍ୟରସରେ ତାହା ରସାଳ ହୁଏନାହିଁ। ପାଠକଙ୍କୁ ବାନ୍ଧି ରଖେ ହାସ୍ୟରସ। ଯେଉଁ ସାହିତ୍ୟରେ ହାସ୍ୟରସର କବି ଭାବେ ଯଦୁମଣି ସର୍ବାଗ୍ରେ ଗ୍ରହଣୀୟ, ସେହି ଭାଷାରେ ବ୍ୟଙ୍ଗ କବିମାନେ ଅଲୋଡ଼ା। ‘ଢ଼ୋଲ’, ‘ଏକଦମ୍ ଘରୁଆ’ ଗଳ୍ପ ଲେଖି ସାରି ୨୦୦୩ରେ ପ୍ରକାଶ ପାଏ ‘ମନ୍ମୟ’, ଯେଉଁଥିରେ ମାନସସ୍ପର୍ଶୀ ଭାବନା ସବୁ ସ୍ଥାନୀତ ହୁଏ। ବ୍ୟଙ୍ଗ କାବ୍ୟ ରସାଳରେ ହାସ୍ୟରସର ସେ ଯେଉଁ ସାମାଜିକ ବାର୍ତ୍ତା ଦେଇଛନ୍ତି ତାହା ସର୍ବଦା ସ୍ମରଣୀୟ। ମହାନଦୀର ଉତ୍ପତ୍ତିସ୍ଥଳ ମଧ୍ୟପ୍ରଦେଶର ବସ୍ତରଠାରୁ ଓଡ଼ିଶାର ପାରାଦୀପ ମୁହାଣ ପର୍ଯ୍ୟନ୍ତ ନଦୀ ଉପତ୍ୟକାର ଐତିହ୍ୟପୂର୍ଣ୍ଣ ବିବରଣୀ ସ୍ଥାନ ପାଇଛି ତାଙ୍କ ‘ମହାନଦୀ’ କବିତାରେ।
ବର୍ତ୍ତମାନର ଓଡ଼ିଆ ସାହିତ୍ୟରେ ଅଧ୍ୟୟନ-ମନସ୍କତାର ଅଭାବ ପରିଲକ୍ଷିତ ହେବା ଦେଖି ସେ କ୍ଷୋଭ ପ୍ରକାଶ କରିଅଛନ୍ତି। ଫଳରେ ଓଡ଼ିଆ ସାହିତ୍ୟ ବାଟବଣା। ଓଡ଼ିଆ ସାହିତ୍ୟର ୨୪ଟି ବିଭାଗକୁ ସଙ୍କୁଚିତ କରାଯାଇ କବିତା, ଗଳ୍ପ, ଉପନ୍ୟାସ ଭଳି ଦୁଇ ତିନିଟି ବିଭାଗରେ ସୀମିତ ନ ରହି ସାଧାରଣ ପାଠକଙ୍କ ଛୁଇଁଲା ଭଳି ଲେଖା ଲେଖାଯିବା ଦରକାର ବୋଲି କହିଛନ୍ତି। ଆଉ ଶେଷରେ ଏକ ସାକ୍ଷାତକାରରେ ଓଡ଼ିଆ ସାହିତ୍ୟ ଏକାଡେମୀ ବ୍ୟଙ୍ଗସାହିତ୍ଯକୁ ଏଯାଏ ସମ୍ମାନ ଓ ସ୍ଵୀକୃତି ନ ଦେଇଥିବାରୁ ମଧ୍ୟ ସେ ଦୁଃଖିତ ଓ ମ୍ରିୟମାଣ।
ମୂଳ ତଥ୍ୟ :ଧରିତ୍ରୀ
ତଥ୍ୟସୂତ୍ର : କଣାମାମୁଁ (ଉତ୍ତରାର୍ଦ୍ଧ)
Mohandas Ratikanta Rao Amritesh Khatua
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago