~ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ~
ଲେଖା: ଅମୃତେଶ ଖଟୁଆ
ଉତ୍କଳୀୟ ମାଟିର ଜଣେ ଉଦଯୋଗଶୀଳ ନିରାସକ୍ତ ଜାତୀୟ ଜୀବନରେ ଜଣେ ଅଗ୍ରଗାମୀ କର୍ମୀପୁରୁଷ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ପୁତ୍ର ଥିଲେ ଆବାଲ୍ଯ ବୀରସୁଲଭ ଦୁଃସାହସିକ ଏବଂ ନିର୍ଭୀକ ଜନନେତୃକାର। ପୁଲିସ୍ ଲାଠି ଖାଇଥିଲେ, ଉଡାଜାହାଜ ଉଡାଇବା ପାଇଁ ପଣ କରିଥିଲେ। ପିତାଙ୍କ ସ୍ପର୍ଶରେ ସେ ପାଇଥିଲେ ଜୀବନରେ ବ୍ୟାପକତାର ସ୍ପର୍ଶ। ପିତା କହୁଥିଲେ ପୁତ୍ରଙ୍କୁ – “ଦେଖ ବିଜୁ, ଭୟାତୁର ନିକଟରେ ଯେଉଁ ଜୀବନ ଏକ ବିଭୀଷିକା, ସାହସୀ ନିମିତ୍ତ ସେହି ଜୀବନ ଏକ ସୌନ୍ଦର୍ଯ୍ୟ-ସୌରଭ-ଭରା ସଜଫୁଟା ଫୁଲ !”
ପିତାଙ୍କର ଏହି ବାକ୍ୟରେ ପୁତ୍ରପ୍ରାଣରେ ଅଗ୍ନିସ୍ଫୁଲିଙ୍ଗ ସମ ଉତ୍ଥଳି ଏହି ଅଗ୍ନିସ୍ଫୁଲିଙ୍ଗ ସମଗ୍ର ଓଡ଼ିଆ ସମେତ ବିଶ୍ଵ ଆକାଶରେ ଏକ ଅମ୍ଳାନ ଲୋହିତ ସୂର୍ଯ୍ୟ ହୋଇ ଉଦୟ ହେଲେ! ସେ ଗାନ୍ଧୀଙ୍କୁ ଭେଟିବା ପାଇଁ ଗଲେ ସ୍ଵରାଜ ଆଶ୍ରମ ! ଶୁଣିଛନ୍ତି ସେ ବାଲ୍ଯକାଳରୁ ସାବରମତୀର ଏହି ସନ୍ଥଙ୍କ ମର୍ମବାଣୀ, ଏଣୁ ଚପଳମନା ଧାଇଁ ଗଲେ ସ୍ଵରାଜ ଆଶ୍ରମକୁ ମାତ୍ର ପୋଲିସ୍ ତାଡନା ସେଠାରେ ତାଙ୍କ ଭିତରର ଦୃପ୍ତ-ଜୈତ୍ର-ମଙ୍ଗଳର ଅନୁରଞ୍ଚନକୁ ଆହୁରି ନିନାଦିତ କରିଦିଏ !
ଥରେ ପାରଳାଖେମୁଣ୍ଡି ଓ ମଞ୍ଜୁଷାରେ ଦେୱାନ ଥିଲାବେଳେ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ପ୍ରଚାର କରୁଥାଆନ୍ତି। କଟକରୁ ଖବର ପାଇଲେ ଯେ ପ୍ରତ୍ୟହ ବିଜୟାନନ୍ଦ ସିନ୍ଦୁକ ଭାଙ୍ଗି ଟଙ୍କା ନେଇଯାଉଛି। ମହାରାଜା କୃଷ୍ଣଚନ୍ଦ୍ର ଗଜପତି ବିଜୟାନନ୍ଦଙ୍କ ସାହସରେ ପ୍ରଲୁବ୍ଧ ହୋଇ ତାଙ୍କୁ ଲଣ୍ଡନରେ ଅଟୋମୋବାଇଲ୍ ଇଞ୍ଜିନିୟରିଂ ପଢାଇବା ପାଇଁ ପରାମର୍ଶ କରିଥିଲେ। ଫଳରେ, ସେ ଅଟୋମୋବାଇଲ୍ ଇଞ୍ଜିନିୟରିଂ ସହ ବିମାନ ଚାଳନାରେ ତାଲିମ ଗ୍ରହଣ କରି କୃତବିଦ୍ଯ ପାଇଲଟ୍ ହୋଇଥିଲେ। ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ – ପୁତ୍ର ବିଜୁ ପଟ୍ଟନାୟକ !
ଗଣକବି ବୈଷ୍ଣବ ପାଣି ସେଥିପାଇଁ ନିଜ “ରାମ ବନବାସ” ଗୀତିନାଟ୍ଯରେ ବର୍ଣ୍ଣିଛନ୍ତି –
“ଶିକ୍ଷା କର ପିତୃଭକ୍ତି ଦୀକ୍ଷା କର ଏହି ନୀତି
ଭିକ୍ଷା କର ପଛେ ସତ୍ୟ ବାଟ ନ ଛାଡ,
ଭାଇ ଭାଇରେ ସ୍ନେହ କେମନ୍ତ ଦେଖିଲ କହ
ବୃଥା ଅହଙ୍କାରେ ନରେ ଆଉ ନ ପଡ଼।”
ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ପିତା ଜଗନ୍ନାଥ ପଟ୍ଟନାୟକଙ୍କ ଔରସରେ ଜନ୍ମ ନେଇଥିଲେ ୧୮୭୫ ମସିହା ଜୁଲାଇ ୧ ତାରିଖରେ। ଗଞ୍ଜାମ ଅନ୍ତର୍ଗତ ରସୁଲକୋଣ୍ଡା ବା ବର୍ତ୍ତମାନର ଭଞ୍ଜନଗରର ନୂଆଗାଁ ଠାରେ ତାଙ୍କ ଜନ୍ମ। ଗ୍ରାମ୍ଯ ବିଦ୍ୟାଳୟରେ ଶିକ୍ଷାରମ୍ଭ କରି ୧୮୯୬ ମସିହାରେ ମାନ୍ଦ୍ରାଜ୍ ଖ୍ରୀଷ୍ଟିଆନ କଲେଜରୁ ବି.ଏ. ଡିଗ୍ରୀ ଉତ୍ତୀର୍ଣ୍ଣ କରିଥିଲେ ଲକ୍ଷ୍ମୀନାରାୟଣ ପଟ୍ଟନାୟକ।
ଏକ ଅପ୍ରତ୍ୟାଶିତ ବିପର୍ଯ୍ୟୟ ହେତୁ ତେଲୁଗୁ-ପ୍ରଭାବିତ ଗଞ୍ଜାମରୁ ସେ ତତ୍କାଳୀନ ମଧ୍ଯପ୍ରଦେଶାନ୍ତର୍ଗତ ସମ୍ଵଲପୁର ଜିଲ୍ଲାର ବରଗଡ଼ରେ କିରାଣୀ ହୋଇ ରହିଲେ । ଏହା ପରେ ୧୯୦୪ ମସିହାରେ ତତ୍କାଳୀନ ବଙ୍ଗ ସରକାରଙ୍କ ଅଧୀନରେ ମୁନସିଫ୍ ନ୍ୟାୟାଳୟରେ ସହକାରୀ ରେଜିଷ୍ଟ୍ରାର ଭାବେ ନିଯୁକ୍ତି ପାଇଥିଲେ।
ଅତ୍ୟନ୍ତ ଦକ୍ଷତା ଓ ଖ୍ୟାତି ସହ କାର୍ଯ୍ଯ ଫଳସ୍ୱରୂପ ପଦୋନ୍ନୀତ ହୋଇ ସବ୍ ଜଜ୍ ହୋଇ କାର୍ଯ୍ଯକାଳ ଅତିବାହିତ କରିଥିଲେ। ଏହା ପରେ ୧୯୩୦ ମସିହାରେ ସେ ନିଜ କାର୍ଯ୍ୟରୁ ଅବସର ଗ୍ରହଣ କରନ୍ତି। ସେତେବେଳେ, ସେ ଯାଜପୁରରେ ବାର୍ ଲାଇବ୍ରେରୀ, ପୁରୀରେ କୁଷ୍ଠାଶ୍ରମ ଓ ଜଗନ୍ନାଥ କ୍ଳବ୍ ତଥା ରାମଚଣ୍ଡୀ ସାହିରେ ନିମ୍ନ ପ୍ରାଥମିକ ବାଳିକା ବିଦ୍ୟାଳୟ ସ୍ଥାପନ କରିଥିଲେ। ଯାହାକି ବର୍ତ୍ତମାନ କଲେଜରେ ପରିଣତ ହୋଇସାରିଛି। ଆଉ, ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଥିଲା ଯେ ସବଜଜ୍ ହେବାରେ ଲକ୍ଷ୍ମୀନାରାୟଣ ଥିଲେ ଦ୍ଵିତୀୟ ଓଡ଼ିଆ (ପ୍ରଥମ – ଗଗନ ବିହାରୀ ଚୌଧୁରୀ)।
ଏଥି ସହ ୧୯୨୫ ମସିହାରେ ଓଡ଼ିଆ ସାହିତ୍ୟର ବିକାଶ ଓ ପ୍ରସାର ନିମିତ୍ତ ‘ଓଡ଼ିଆ ସାହିତ୍ୟ ପ୍ରଚାର ସଂଘ’ ପ୍ରତିଷ୍ଠା କରିଛନ୍ତି। ଅନୁନ୍ନତ ମାତୃଭାଷା ଓଡିଆଭାଷାକୁ ଆହୁରି ସମୁନ୍ନତି ପ୍ରଦାୟକ କରିବା ପାଇଁ ରେଭେନ୍ସା କଲେଜର ତତ୍କାଳୀନ ଅଧ୍ୟାପକମାନଙ୍କୁ ନେଇ ପ୍ରଥମତଃ ଏହାର ଉଦୟଲଗ୍ନ ହୁଏ। ଏହି ସଂଘ ପକ୍ଷରୁ ଚାଳିଶରୁ ଊର୍ଦ୍ଧ୍ଵ ପୁସ୍ତକଖଣ୍ଡ ପ୍ରକାଶ କରିଦେଇଥିଲା। ମାତ୍ର, ତାଙ୍କର ଜ୍ଞାନକୋଷ କରିବାର ଯେଉଁ ପ୍ରାଥମିକ ଲକ୍ଷ୍ୟ ଥିଲା, ତାହା ତାଙ୍କ ଦେହାବସାନ ପରେ ବିଲୀନ ହୋଇଯାଇଥିଲା।
ତାଙ୍କ ଦ୍ଵାରା ପ୍ରଥମ ଜ୍ଞାନକୋଷ ପରିକଳ୍ପନା ହୋଇପାରିଥିଲା। ଏହା ପରେ ସେ କଟକ ବ୍ୟାଙ୍କ, ଓଡ଼ିଶା କେମିକାଲ୍ସ ଇତ୍ୟାଦିର ପ୍ରତିଷ୍ଠା କରେଇଥିଲେ। ୧୯୨୬ ସାଲରେ ଦିବ୍ୟସିଂହ ପାଣିଗ୍ରାହୀଙ୍କ ‘ମହାରାଜା ଶ୍ରୀରାମଚନ୍ଦ୍ର’, ୧୯୨୭ ସାଲରେ ବନମାଳୀ ପଣ୍ଡାଙ୍କ ‘ଦୟାନନ୍ଦ’, ଜଗବନ୍ଧୁ ସିଂହଙ୍କ ‘ବୁକାର ୱାସିଂଟନ୍’, ପଦ୍ମଚରଣ ପଟ୍ଟନାୟକଙ୍କ ‘ମାର୍ଟିନ୍ ଲୁଥର’, ଜନାଥନ୍ ମହାନ୍ତିଙ୍କ ‘ନୈବେଦ୍ୟ’, ‘ୱାଜିନି’ ପରି ଅନେକ ଜୀବନୀ ଗ୍ରନ୍ଥ ପ୍ରକାଶ କରେଇ ଥିଲେ।
ଏଥି ସହ ଯୁବ ପ୍ରତିଭାମାନଙ୍କ ସୃଜନ କର୍ମ ପ୍ରକାଶ କରେଇବା ସହ ମୋଟ ତେରଖଣ୍ଡ ପୁସ୍ତକ ଦ୍ଵାରା ସେ ପୂଜ୍ୟପୂଜାର ଏକ ପରମ୍ପରା ଆରମ୍ଭ କରିପାରିଥିଲେ। ଦେଶମିଶ୍ରଣ ଆନ୍ଦୋଳନରେ ନିଜେ ଉତ୍ସର୍ଗୀକୃତ ହେବା ସହ ଅନେକ ଯୁବକଙ୍କୁ ସେ ପ୍ରେରଣା ଦେଇଥିଲେ, ଯାହାର ଏକ ଦୃଷ୍ଟାନ୍ତ ହେଉଛନ୍ତି ବରଗଡ଼ର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଭାଗୀରଥି ପଟ୍ଟନାୟକ ଏବଂ ତାଙ୍କ ସ୍ତ୍ରୀ। ସେତେବେଳେ, ଲକ୍ଷ୍ମୀନାରାୟଣଙ୍କ ପ୍ରକାଶନ ଉଦ୍ୟମ ଯୋଗୁଁ ସେତେବେଳେ ଅନେକ ତାଙ୍କ ସମକାଳୀନ ପ୍ରକାଶକମାନେ ଓଡିଶାରେ ମୁଦ୍ରଣଶିଳ୍ପକୁ ପ୍ରୋତ୍ସାହନ ଦେଇଥିଲେ, ଉଦାହରଣସ୍ଵରୂପ କଟକ ଆଲମଚାନ୍ଦ ବଜାର ଜନ୍ମିତ ଭାଗୀରଥି ଷାଠିଆ ମଧ୍ୟ ଥିଲେ ସମକାଳୀନ ପ୍ରକାଶକ ଓ ଜଣେ ଶିଳ୍ପ କଳାନିପୁଣ ଜାତୀୟତାବାଦୀ ସହଯୋଗୀ। ସେତେବେଳେ ଲିଥୋଗ୍ରାଫ୍ ପ୍ରେସ ଦ୍ଵାରା ଛାପାକାର୍ଯ୍ୟ ହେଉଥିଲା। ସେତୀ ଛାପିବା ଥିଲା ଅତ୍ୟନ୍ତ କାଠିକର କାର୍ଯ୍ୟ। ମାତ୍ର, ଓଡ଼ିଶାର ପ୍ରଥମ ଦୈନିକ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ର ପ୍ରକାଶପର୍ବ ସହ ‘ସଚିତ୍ର ରାମାୟଣ’ ଏବଂ ଦୀନକୃଷ୍ଣ ଦାସଙ୍କ ‘ରାଧାକୃଷ୍ଣ ଚଉତିଶା’ ପ୍ରକାଶିତ ହୋଇ ପାରିଥିଲା।
ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଆପ୍ରାଣ ସଂସ୍କାରକ ତଥା ଯୌବନାବସ୍ଥାରେ ବାଗ୍ମୀ ବିଶ୍ଵନାଥ କରଙ୍କ ପ୍ରେରଣାରେ ସେ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ। ସେତେବେଳେ, ଏହି ପ୍ରକାରର ସାମାଜିକ ଜୀବନ ଯୋଗୁଁ ପାରିବାରିକ ଜୀବନରେ ମଧ୍ୟ ଓଡିଆତ୍ଵ ଲୋପ ପାଇଯାଉଥିଲା ବୋଲି କେତେକ ଅଭିଯୋଗ କରୁଥିଲେ, ମାତ୍ର, ଲକ୍ଷ୍ମୀନାରାୟଣଙ୍କ ଦୃଢ ବ୍ୟକ୍ତିତ୍ଵ କାରଣରୁ ଏହି ମନୋମାଳିନ୍ୟ ଖଣ୍ଡିତ ହୁଏ। ନିଜ ପିଲାମାନଙ୍କୁ ସମସ୍ତ ସୁବିଧା ଦେବା ସହ ସଠିକ୍ ଶୃଙ୍ଖଳାରେ ସେମାନଙ୍କ ଲାଳନ ପାଳନ କରୁଥିଲେ।
ପ୍ରତିବେଶୀ ରାଜ୍ୟମାନଙ୍କରେ ଶିଳ୍ପକୁଳର ବିକାଶ ଉପଲକ୍ଷ୍ୟରେ ଓଡିଶାରେ ସେ ସେତେବେଳେ ଏକାଧିକ ବ୍ୟାଙ୍କ ସହ “ଓଡିଶା-କେମିକାଲ୍” ନାମକ ଏକ ଉଦ୍ୟୋଗ ପ୍ରତିଷ୍ଠାନର ଗଠନ କରିଥିଲେ। ତରୁଣ ଓଡ଼ିଆଙ୍କୁ ଶିଳ୍ପାୟନର ସମୁନ୍ନତି ଦିଗରେ ଯଥାର୍ଥ ସମଭାବାପନ୍ନ କରାଇବା ନିମିତ୍ତ ସେ ବେଙ୍ଗଲ୍ କେମିକାଲ୍ସ ରେ ଶିକ୍ଷାର୍ଥୀ ରଖିବାର ନିବେଦନ କରିବାରୁ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ କହିଲେ , “ଓଡ଼ିଆମାନଙ୍କ ମୁଣ୍ଡରେ କିଛି ପଶିବ ନାହିଁ।”
ଏହି ଅବାଞ୍ଛନୀୟ ମନ୍ତବ୍ୟ ତାଙ୍କ ମଧ୍ୟରେ ଏହି “ଓଡିଶା – କେମିକାଲ୍” ସ୍ଥାପନାର ଚିନ୍ତା ଉଦ୍ରେକ କରାଏ। ଯେଉଁଥିରେ ସେ ନିଜର ସମସ୍ତ ସଞ୍ଚିତ ଧନ ସହ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିକୁ ବିନିଯୋଗ କରି ଏହାକୁ ଗଢିଥିଲେ। ଏହାର ଆନୁମାନିକ ମୂଲ୍ୟ ସେ ସମୟରେ ଥିଲା ୫୦,୦୦୦ ହଜାର ଟଙ୍କା ! ସେତେବେଳେ, ଲକ୍ଷ୍ମୀନାରାୟଣ ୬୦ ବର୍ଷର ସ୍ଥବିରଦେହୀ । ସେତେବେଳେ ଅକାତରେ (ମଧୁବାବୁଙ୍କ ପରି) ରାଜ୍ୟ ପାଇଁ ଧନ ସମର୍ପି ଦେଲେ। ଫଳରେ, “ଓଡିଶା କେମିକାଲ୍ସ” ଦେବାଳିଆ ହୁଏ ଓ ବନ୍ଦ ହେଲା।
ଆଉ ସବୁଠାରୁ ଉଲ୍ଲେଖନୀୟ କଥା ଥିଲା, ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ପାଇଁ ଅନ୍ନଦାଶଙ୍କର ରାୟ ବିଲାତ ଗସ୍ତରେ ଯାଇ ଆଇ.ସି.ଏସ୍ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ ପୂର୍ବକ ଆଇ.ସି.ଏସ୍ ହେବାରେ ସେ ଥିଲେ ପ୍ରଥମ ଓଡ଼ିଆ । ଯଦି ଉକ୍ତ ତେଲୁଗୁ ଯୁବକଙ୍କ ଚକ୍ରାନ୍ତ ପାଇଁ ସେଦିନ ଫାନ୍ଦରେ ପଡିନଥାନ୍ତେ, ଆଜି ସେ ଆଇସିଏସ୍ ହେବାରେ ପ୍ରଥମ ଓଡ଼ିଆ ହେବାର ସୌଭାଗ୍ୟ ଓ ଗୌରବ ଅର୍ଜନ କରିପାରିଥାଆନ୍ତେ ! ଜାତୀୟ ସ୍ଵାଭିମାନକୁ ପ୍ରତ୍ୟହ ଅଭିଯାନମୂଳକ ସେ ଜାଗ୍ରତ ରଖି ରଖି ଆସିଥିଲେ।
ଜଣେ ସୁଦକ୍ଷ ସରକାରୀ କର୍ମଚାରୀ ହେବା ସହ ଜାତୀୟତାବାଦୀ ସଂସ୍କାରକ ହେବାରେ ତାଙ୍କର ଏକ ବିରଳ ଦୃଷ୍ଟାନ୍ତ ଥିଲା। ଓଡ଼ିଆ ଜାତିକୁ ଆତ୍ମତିତିକ୍ଷାର ଅନ୍ୟତମ ଆଦର୍ଶ ଛାଡି ଯାଇଥିବା ଏହି ବଦାନ୍ୟ ମହାମହିମ ୧୯୪୧ ମସିହା ଫେବୃଆରୀ ୧୨ ତାରିଖରେ କଟକଠାରେ ଇହଲୀଳା ସମ୍ଵରଣ କରିଛନ୍ତି। ଓଡ଼ିଆ ଜୀବନ ଓ ଓଡ଼ିଆ ଜାତି ପାଇଁ ନିଜର ସର୍ବସ୍ଵ ସାମର୍ଥ୍ୟକୁ ଟେକି ଦେଇଥିବା ଏହି ବରେଣ୍ୟ ମହାମହିମଙ୍କୁ ଆମ୍ଭର ସଭକ୍ତି ପାଥେୟ କାମନାପୂର୍ବକ ଶ୍ରଦ୍ଧାଞ୍ଜଳି।
Lakshminarayan Patnaik
Amritesh Khatua
Spread the love
admin

Recent Posts

ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର

~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ…

1 day ago

ଚଢେୟା ନାଟ

~ ଚଢେୟା ନାଟ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ…

2 days ago

ଲଙ୍କାପୋଡ଼ି ଯାତ୍ରା

~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ…

3 days ago

ଉତ୍କଳ ସାହିତ୍ୟ ସମାଜ

~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ…

3 days ago

ହୋଲି

~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି…

3 days ago

କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା

~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ…

6 days ago