ସୌରଭିତ ସୃଷ୍ଟି: ଡ. ମାୟାଧର ମାନସିଂହ

ମହାନ କବି ଡ. ମାୟାଧର ମାନସିଂହଙ୍କ ଅମଳିନ କବିତା କୋଣାର୍କ I

~ କୋଣାର୍କ ~

ହେ କୋଣାର୍କ ବିଗତ ଯୌବନା
ମୌନ-ଦୁଃଖେ ସୈକତ ଶୟନା
ତୋର ଏହି ଜୀର୍ଣ୍ଣ ଦେହେ ଅଦ୍ୟାପି ଗୋ ବିମୁଗ୍‌ଧ ନୟନେ
ଚାହେଁ ବିଶ୍ୱ, କରୁଣାରେ ତେଜି ଅଶ୍ରୁ ତୋ ଦୁଃଖ-ଶୟନେ
ଜଗତର ଶିଳ୍ପୀ-କବି ରୂପ-ରାଗ ଦେଖି ତୋହଠାରେ
ଆଶ୍ଳେଷ ଇଚ୍ଛଇ ତୋର ବୃଦ୍ଧ ଦେହେ, ଶୋଭା ପିପାସାରେ
ଅଙ୍ଗେ ଅଙ୍ଗେ ଚୁମ୍ବିବାକୁ ନିରବଧି କରଇ ଭାବନା
ତୋହରେ ଗୋ ଗତ-ଯଉବନା । ୧ ।

 

ଅନିନ୍ଦିତ ହେ ବେଳା-ଶୋଭନେ,
ଯେବେ ତୁମ୍ଭେ ଉଠିଲ ଗଗନେ
ଭେଦିଣ ସହସା ନଦୀ-ନୀଳ-ବେଣୀ ସ୍ୱର୍ଣ୍ଣ-ସଇକତ
କ୍ଷୀରୋଦ ପ୍ରଶାନ୍ତ ଗର୍ଭୁଁ ବିଶ୍ୱରାମା ବିଷ୍ଣୁ-ପତ୍ନୀବତ
ଅତର୍କିତ ଫିଟିଥିବ ଏ ଦେଶର ଅୟୁତ ଲୋଚନ
କୋଟି ହସ୍ତ ବଦ୍ଧ ହୋଇ କରିଥିବ ତୁମରି ବନ୍ଦନ-
“ଜୟ ସ୍ୱର୍ଗନିବାସିନୀ ଅବତୀର୍ଣ୍ଣା ମର୍ତ୍ତ୍ୟ ବିଭୂଷଣେ
ରୁକ୍ଷ ବିଶ୍ୱେ ଶୋଭା ବିତରଣେ” । ୨ ।

 

ବାରଶତ କବି କଳ୍ପନାରେ
ଜଗତର ବୁଦ୍ଧି ଅଜଣାରେ
ଅଜ୍ଞାତ ରହସ୍ୟମୟ ଶଇଶବ ଯାପିତ ତୋହରି
ସେ ଦିନ ଚକିତ ଦୃଷ୍ଟି ବିଶ୍ୱର ଗୋ ପଡ଼ିଲା ତୋ’ପରି
ଯୌବନ-ଲାବଣ୍ୟ-ଲୀଳା ଖେଳୁଅଛି ଅଙ୍ଗେ ଅଙ୍ଗେ ତବ
ଫୁଟି ଉଠେ ଦେହେ ଦେହେ ସୁଲଳିତ ଅଙ୍ଗ-ସଉଷ୍ଠବ
ମନ୍ତ୍ର ଶିଖି ଆସିଥିଲ ମନ-ଜୟେ ମନର ସେ ପାରେ
ବାରଶତ କବି କଳ୍ପନାରେ । ୩ ।

 

ସହସା ହୋଇଲା ବିମଳିନ
ନଭେ ନଭେ ହୋଇଲା ବିଲୀନ
ଅଗଣିତ ତାରକାର ଦିବ୍ୟଜ୍ୟୋତି ରଜତଧବଳ,
ଲାଜେ ଲାଜେ ବ୍ୟୋମପଟେ ଲୁଚିଗଲେ ଶୀତାଂଶୁ ଶୀତଳ,
ଦୂର ନଗମାଳା ହେଲେ ଭକ୍ତି-ଭୟେ ଚକିତ-ପୁଲକ
ପଦ-ଚୁମ୍ବୀ ମହାସିନ୍ଧୁ ଗାଏ ସ୍ତବ, ଲହରୀ-ଅଳକ-
“ହେ ଚାରୁଭୈରବ କୀର୍ତ୍ତି ମନୁଷ୍ୟର, ମଣ୍ଡ ମୋ ପୁଳିନ
ଧନ୍ୟ ହୁଏଁ ତୋହରେ ସେବିଣ” । ୪ ।

 

 

ପୌର୍ଣ୍ଣମାସୀ ଶୁଭ୍ର ହାସ୍ୟତଳେ
ଧବଳିତ ସମୁଦ୍ର-ଲହରେ
ତାଳେ ତାଳେ ଲାସ୍ୟେ ମାତି ଜଳଦେବୀ ଗାଇଲେ ତୋ କଥା
ଓଷଧୀଶ ଜ୍ୟୋତ୍ସ୍ନାପୁରେ ସିକ୍ତ କଲେ ତୋ ତରୁଣ ମଥା,
ତୋର ମୌନ କଟାକ୍ଷରେ ବ୍ୟୋମଚାରୀ ମାର୍ଗେ ହୋଇ ମୂଢ଼
ଅବତରି, କର୍ଣ୍ଣେ କର୍ଣ୍ଣେ କହିଗଲେ ବାରତା ନିଗୂଢ଼
ଅପସରୀ ବନ୍ଦିଲେ ତୋତେ ସ୍ୱର୍ଗୁଁ ଆସି କୌମୁଦୀ କଲ୍ଲୋଳେ
ପାରିଜାତ ପୁଷ୍ପ ଉପହାରେ | ୫ |

 

ଜୀବନର ଯେତେ ଲୀଳା ଖେଳା
ଅଙ୍ଗେ ତୁହି ଧରିଲୁ ଛବିଳା,
ଶିଖିଲା ତୋହଠୁଁ ରାଜା ଶତ୍ରୁ ମୁଖେ ଯୁଦ୍ଧ ଅଭିଯାନ
ପାତ୍ର ମନ୍ତ୍ରୀ ରାଜା ପାଶେ କରିବାର ଯୁକ୍ତ ମନ୍ତ୍ରଦାନ
ପ୍ରେମିକ ପ୍ରେମିକା ଆସି ତୋହଠାରୁ ଶିଖିଲେ ଆଶ୍ଳେଷ
ବୀର ପୁଣି ଯୁଦ୍ଧଭୂମେ ଅରି ସହ କୌଶଳ ବିଶେଷ,
ବେତ୍ରହସ୍ତ ଅବଧାନେ ଚାଟଶାଳେ ଶାସିବାର ପିଲା
ହେ ପାଷାଣି ! ତୋ ଠାରୁ ଶିଖିଲା ! । ୬ ।

 

ବିଶ୍ୱେ ଯେତେ ବିକାଶ ରୂପର
ଯେତେ ରୂପ-ବିଳାସ ଚିତ୍ତର
ପ୍ରକୃତିର ଅଙ୍ଗେ ଅଙ୍ଗେ ସୁଷମାର ଯେତେକ ପ୍ରକଟ
ମାନବର ମନେ ମନେ ସୁଷମାର ଯେତେକ ସଂଘଟ
ତୋତେ ହିଁ ପାଷାଣ କବି, ଅତି ସ୍ନେହେ ନିବେଦିଲେ ବସି
ଅନନ୍ତ କବିତାଧାରା ନିହିଲେ ସେ ତୋ ଦେହ ପରଶି
ପ୍ରସ୍ତରେ ପ୍ରସ୍ତରେ ତୋର ସୁନିହିତ କବିତା-ସଂହାର
ହେ ପାଷାଣ-କବିତା-ଝଙ୍କାର ! | ୭ ।

 

ସଉଧ କୁଟୀର ଶତ ଶତ
ଉପହାର ପୁଷ୍ପହାରବତ
ତୋତେ ଘେରି ତୁଙ୍ଗ ଶିର ସର୍ବେ ଗର୍ବେ ଟେକିଲେ କ୍ଷଣକେ
ବିଶାଳ ନଗରୀ, ସିନ୍ଧୁ-ଭାଲଟୀକା ହସିଲା ପୁଲକେ
ଦିଗ୍‌ ବିଦିଗୁଁ, ସିନ୍ଧୁ ଡେଇଁ ଭକ୍ତି ଭରେ ନୁଆଁଇଣ ପାଲ
ଆସିଲେ ବହିତ୍ରପନ୍ତି ପୂଜି ତୋତେ ଉଡ଼ାଇ ଚିରାଳ
ଆନୀତ ମାଣିକ୍ୟ ରତ୍ନେ ତୋର ଅଙ୍କ ହେଲା ଆଲୋକିତ,
କକ୍ଷ ତୋର ଜ୍ୟୋତିରେ ଚକିତ । ୮ ।

 

ରାଜା ତେଜି ପ୍ରାସାଦ-ବିଭବ
ତୂଳୀ-ତଳ୍ପ ସୁଖ-ଅନୁଭବ
ଜାନୁ ପାତି ତୋର ମୁଖେ ଚାହିଁ ଚାହିଁ କଟାଇଲେ ଦିନ,
ସନ୍ନ୍ୟାସୀ ତୋ ପଦତଳେ ତପ କରି ତନୁ କଲେ କ୍ଷୀଣ,
ଦେଶୁ ଦେଶୁ ସମାଗତା ନାରୀ ପଦ-କିଙ୍କିଣୀ-କମ୍ପନେ
କଲେ ମୁଖରିତ ଦିନେ ବକ୍ଷ ତୋର, ଲାକ୍ଷାରସ ବର୍ଣ୍ଣେ
ରଞ୍ଜିଲେ ମଧୂରେ କରି ଭୂମି ତୋର ଶୋଭାର ଉତ୍ସବ
ଲଜ୍ଜା ଦେଇ ପୁଷ୍ପ ବଇଭବ । ୯ ।

 

କ୍ରୁଦ୍ଧ ହେଲା କୀର୍ତ୍ତି-କୀଟ କାଳ,
କ୍ରମେ ହେଲା ପ୍ରକୃତି କରାଳ,
ଗଉରବେ-ଅସହିଷ୍ଣୁ ବୁଲାଇଲେ ନୟନ ରକ୍ତିମ
ସୁକୋମଳ ଗ୍ରୀବା ତୋର ତ୍ରସ୍ତ ଭୟେ ହୋଇଲା ବଙ୍କିମ
ଯାଦୁକରୀ ହାସ୍ୟ ତୋର ସେ ନିଷ୍ଠୁରେ କରୁଣାର କଣ
ନ ପାରିଲା ଉପୁଜାଇ; ଚୂର୍ଣ୍ଣ କଲେ କ୍ରୁର-ପ୍ରହରଣ
ବିଶ୍ୱ ଦେଖେ ଆଜି ମାତ୍ର ସେ ଶୋଭାର ଖଣ୍ଡିତ କଙ୍କାଳ
ଲାବଣ୍ୟର ନଷ୍ଟ ଅସ୍ଥିମାଳ । ୧୦ ।

 

ତେବେ ହେଁ ସେ ଅସ୍ଥି ଭେଦି ଆଜି
ତରୁଣର ଜ୍ୟୋତି ପଡେ ଭାଜି,
ପକ୍ୱକେଶେ ଜୀର୍ଣ୍ଣବେଶେ ତେବେ ହେ ଗୋ ଯୌବନର ବିଭା
ଫୁଟିଉଠେ, ସାୟନ୍ତନ-ଘନ ପରେ ଅସ୍ତରାଗ କିବା
ବିମୁଗ୍‌ଧ ସଂସାରେ ତୋର ପାଦତଳେ ଅଦ୍ୟାପି ସୁନ୍ଦରି ?
ସମ ଦୁଃଖେ କାନ୍ଦିଥାଏ, ବ୍ୟାକୁଳିତ, ଆପଣାର ପରି
ଆୟୁଷ-କଲ୍ୟାଣ ପାଇଁ ଲଭେ ବିଶ୍ୱ ସୁ-ଆଶିଷରାଜି
ତେବେ ହେଁ ତୋ’ ଅସ୍ଥିରାଜି ଆଜି । ୧୧ ।

ଉପସ୍ଥାପନା: ଅମୃତେଶ ଖଟୁଆ Amritesh Khatua

Konark Dr. Mayadhar Mansingh

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago