ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~
ଲେଖା: ନିରଞ୍ଜନ ସାହୁ
ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ ସେ ଦୁର୍ବାସା । ନ୍ୟାୟ ଓ ଶାନ୍ତି ପାଇଁ ସେ ଯୋଗେଶ୍ୱର କୃଷ୍ଣ, ଖଟିଖିଆ, କୃଷକ ପାଇଁ ସେ ଲେନିନ୍, ସ୍ଵାଧୀନତା ପାଇଁ ସେ ଗାନ୍ଧୀବାଦୀ ! ସେ ଗୌରାଙ୍ଗ ଦାସ, ଅତି ଶ୍ରଦ୍ଧାରେ, ସମ୍ମାନରେ ଲୋକ ମୁଖରେ ସେ ହାତଖଣ୍ଡି ଗୌରାଙ୍ଗ ଦାସ
ସେ ଗୌରାଙ୍ଗ ଦାସ, ଓଡ଼ିଶାରେ ସ୍ଵାଧୀନତା ସଂଗ୍ରାମ, ଅସହଯୋଗ ଆନ୍ଦୋଳନ, କୃଷକ ଓ ପ୍ରଜାମଣ୍ଡଳ ଆନ୍ଦୋଳନ, ସତ୍ୟାଗ୍ରହ ଆଦି ମଧ୍ୟରେ ମୁଣ୍ଡ ଟେକି ଉଠିଥିବା ଜଣେ ସଂଗ୍ରାମୀର ଜୀବନ ବୃତ୍ତାନ୍ତ ହିଁ ଗୌରାଙ୍ଗ ଦାସ । ଆମେ ପାଶୋରି ଦେଇଛନ୍ତି ତାଙ୍କୁ, କିନ୍ତୁ ଇତିହାସ ପୃଷ୍ଠାରେ ଜଣେ କିମ୍ବଦନ୍ତୀ ଭାବେ ପ୍ରତିଭାତ ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ !
ଛାତ୍ରାବସ୍ଥାରେ ଶୁଣିଥିଲି ହାତଖଣ୍ଡି ଗୌରାଙ୍ଗ ଚରଣ ଦାସଙ୍କ ନାଁ, ମାତ୍ର ଅଧିକ ଜାଣିବାକୁ ପ୍ରୟାସ କରିନଥିଲି କାରଣ ମୋ ବୟସ ୧୨/୧୩ ବେଳକୁ ବୋଧହୁଏ ହଜମ କରିପାରିନଥା’ନ୍ତି ଏ ସବୁ। କେବଳ ଏତିକି ମନେ ଅଛି, ଆମ ଗାଁ ନିକଟସ୍ଥ ଜେନାପୁରମଧୁପୁରଗଡ଼ର ଏକ ବିସ୍ତୀର୍ଣ୍ଣ ପଡ଼ିଆକୁ ଦେଖେଇ ମୋ ବାପା କହିଥିଲେ, “ଏଇ ପଡ଼ିଆରେ କୃଷକ ଆନ୍ଦୋଳନ ସଂଘଟିତ ହୋଇଥିଲା ଯହିଁ ଗୋଟିଏ ହାତ ଛୋଟ ଥିବା କୃଷକ ନେତା ଅଗ୍ନିବର୍ଷୀ ଭାଷଣ ଦେଇ ଚାଷୀ ମୂଲିଆମାନଙ୍କୁ ଏକଜୁଟ କରିଥିଲେ ଓ ଫଳରେ ମଧୁପୁର ରାଜା ନିଜର ଭୁଲ ସ୍ୱୀକାର କରି କୃଷକମାନଙ୍କ ଦାବୀ ମାନି ନେଇଥିଲେ। ସେହି ନେତାଙ୍କ ନାଁ ଥିଲା ଗୌରାଙ୍ଗ ଦାସ, ଯାହାଙ୍କୁ ଦେଖିବାକୁ ଆମେ, ଆମ ଗାଁ ଓ ଆଖପାଖ ଗାଁ ଲୋକେ ଆସିଥିଲୁ” । ସେହି ସ୍ମୃତି ମୋର ଉଜ୍ଜୀବିତ ହେଲା ଏହି କେତେ ମାସ ପୂର୍ବରୁ ମଧୁପୁର ରାଜବାଟୀକୁ ଗୋଟିଏ ବ୍ୟକ୍ତିଗତ କାମରେ ଯାଇଥିବା ବେଳେ। ରାଜବାଟୀ ସମ୍ମୁଖରେ ଥିବା ସେହି ଐତିହାସିକ ବିଶାଳ ପଡ଼ିଆରେ କିଛି ସମୟ ଚାଲିବା ବେଳେ “ଗୌରାଙ୍ଗ ଦାସ, ଏକ ଅଜ୍ଞାତ ଅଧ୍ୟାୟ” ମନେକରି ମୋ ଘର ଅଭିମୁଖେ ପ୍ରସ୍ଥାନ କଲି ।
ଅଜ୍ଞାତ ଅଧ୍ୟାୟରୁ ଜ୍ଞାତ ଆଡ଼କୁ:
ଜଗତସିଂହପୁର ଜିଲ୍ଲାର ବାଗଲପୁର (ଅବିଭକ୍ତ କଟକ), ଯେଉଁ ଗାଁକୁ ଆଖ୍ୟାୟିତ କରାଯାଏ ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ଗୋଟିଏ ଏନ୍ତୁଡ଼ିଶାଳ। ସେହି ଗାଁରେ ଜନ୍ମ ଗୌରାଙ୍ଗ ଦାସଙ୍କର ୧୮୯୯ ମସିହା ଜାନୁଆରୀ ମାସ ୨୬ ତାରିଖ ଦିନ ପିତା ପଙ୍କଜ ଚରଣ ଦାସ ଓ ମାତା ସାବିତ୍ରୀ ଦେବୀଙ୍କ ଔରସରୁ। ସ୍ୱଚ୍ଛଳ ବର୍ଗର ପରିବାର ନୁହେଁ, ସାଧାରଣ କୃଷକ ପରିବାର ଗୋଟିଏ। ପାଠ ପଢା ଚାଟଶାଳୀରୁ ଆରମ୍ଭ, ଅଷ୍ଟମରେ ଶେଷ। ବାପାଙ୍କ ସ୍ଵର୍ଗାରୋହଣ ହେତୁ, ଘର ଚଳାଇବା ନିମନ୍ତେ ସୁଦୂର ଗାଙ୍ଗପୁର (ସୁନ୍ଦରଗଡ଼ ଜିଲ୍ଲା) ଯାଇ ଜଙ୍ଗଲ ବିଭାଗରେ କାର୍ଯ୍ୟରତ। ସରକାରୀ କାର୍ଯ୍ୟରେ ଗୋଲାମୀ କରିବା ଗୋଟିଏ ସ୍ୱାଧୀନଚେତା ନିର୍ଭୀକ ବ୍ୟକ୍ତି ପକ୍ଷରେ କେତେ ବା ସମ୍ଭବ ! ଆଖି ଆଗରେ ଜଳଜଳ ଦିଶୁଥିଲା ଗାଁ ଆଉ ବିଧବା ମା’ର ଚିତ୍ର, ଆହୁରି ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଥିଲା ଦେଶର ହୃତଗୌରବ ଓ ଭବିଷ୍ୟତରେ ସ୍ଵାଧୀନତା ସମ୍ଭାବନାର ଛାୟାଚିତ୍ର ! ଆଉ ଗାଙ୍ଗପୁରରେ ରହିବାର ଆବଶ୍ୟକତା କଣ ? ଲେଉଟାଣି ବେଳ ଉପଗତ ଏବେ। ତେଣୁ କିଛି ମାସ ପରେ ଲେଉଟିଲେ ଗାଆଁର ପ୍ରିୟ ମଣିଷ ଗୌରୀ ଭାଇ ! ବିବାହ ବନ୍ଧନରେ ବାନ୍ଧି ହେଲେ ଦୂତିକା ଦେବୀଙ୍କ ସହ ୨୨ ବର୍ଷ ବୟସରେ। ସ୍ଵାଧୀନତା ପାଇଁ କିମ୍ବା କୌଣସି ରଚନାତ୍ମକ କାର୍ଯ୍ୟ କରିବା ପ୍ରତି ଗୋଟାଏ ସମର୍ପିତ ମଣିଷ ଗୃହ ସଂସାର କଲେ ହେଁ ସମାଜ ତା ସମ୍ମୁଖରେ ଦୃଶ୍ୟମାନ ହୁଏ। ଗାଁ ଯୁବକମାନଙ୍କୁ ଏକଜୁଟ କରି ସେ ଗଢ଼ିଲେ ଯୁବକ ସଂଘ, ଘର ଚଳାଇବା ପାଇଁ ଚାଷ କାମ ମଧ୍ୟ ଆଦରିନେଲେ; ତା ସହ ଦେଶ କାମ ପାଇଁ ଅଣ୍ଟା ଭିଡ଼ିଲେ। ସଂସାରୀ ହୋଇ ମଧ୍ୟ ଗୃହତ୍ୟାଗୀ ଯୁବକ #ଗୌରାଙ୍ଗ ଦାସ !
କାଠଯୋଡ଼ି ବାଲିରେ ଗାନ୍ଧୀଙ୍କ ସଭା:
୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖ। କଟକ ଠାରେ କାଠଯୋଡ଼ି ନଦୀ ବାଲି ଉପରେ ହଜାର ହଜାର ଲୋକ ଓ ନେତା ମହାତ୍ମାଗାନ୍ଧୀଙ୍କ ଭାଷଣ ଏକ ମନ ଓ ଲୟରେ ଶୁଣୁଥାନ୍ତି। ବାଗଲପୁର ଗାଆଁରୁ ଦଳେ ଯୁବକ ପହଞ୍ଚି ଥାଆନ୍ତି ସେହି ସଭାରେ ଗାନ୍ଧୀଙ୍କୁ ଦେଖିବା ଓ ତାଙ୍କ କଥା ଶୁଣିବାକୁ। ନେତୃତ୍ବ ନେଇଛନ୍ତି ୨୨ ବର୍ଷୀୟ ଯୁବକ ଗୌରାଙ୍ଗ ଦାସ। ଅସହଯୋଗ ଆନ୍ଦୋଳନ ପାଇଁ ଓହ୍ଲାଇ ଆସିବାକୁ ଆହ୍ୱାନ ଦେଉଥାନ୍ତି ଗାନ୍ଧୀ ମହାତ୍ମା। ସବୁ କିଛି ବୁଝିଗଲେ ଗୌରାଙ୍ଗ। ଭାବାନ୍ତର ସୃଷ୍ଟି ହେଲା ମନରେ। ସେଇଠି ଶପଥ କଲେ, “ସ୍ଵରାଜ୍ୟ ପାଇଁ ଲଢ଼ିବି। ସ୍ଵାଧୀନ ଭାରତ ଦେଖିବି”। ଗାଁକୁ ଫେରି ଆସି ଅନ୍ୟମାନଙ୍କୁ ଶୁଣାଇଲେ ଗାନ୍ଧୀଙ୍କ ବାର୍ତ୍ତା, ଅସହଯୋଗ ଆନ୍ଦୋଳନର ମହତ୍ତ୍ଵ। ଏକଜୁଟ୍ କରିବାକୁ ଲାଗିପଡ଼ିଲେ ଆଖପାଖ ଅଞ୍ଚଳର ଯୁବକ ମାନଙ୍କୁ । କଂଗ୍ରେସର କର୍ମୀ ମାନଙ୍କ ସହ ଆଲୋଚନା କରି ଯୋଗସୂତ୍ର ସ୍ଥାପନ କଲେ। ଆରମ୍ଭରୁ ନିଜକୁ ବାନର ସେନା ମନେକରି ସ୍ଵରାଜ୍ୟ ପାଇଁ କାମ କରି ଚାଲିଲେ ।
ଅନନ୍ୟ ଶିକ୍ଷା ଓ ତାଲିମ କେନ୍ଦ୍ର ଅଳକାଶ୍ରମ:
ଯୁବକ ଗୌରାଙ୍ଗ ବାବୁ ଅତି ନିଷ୍ଠାର ସହ ସେ ଅଞ୍ଚଳର ଯୁବକ ମାନଙ୍କୁ ଗାନ୍ଧୀ କଥା, ଅସହଯୋଗ ଆନ୍ଦୋଳନର ମହତ୍ତ୍ଵ, ପରାଧିନ ରହିବାର ଯନ୍ତ୍ରଣା ବେଶ୍ ଭଲ ଭାବରେ ବୁଝାଇ ସଙ୍ଗଠନକୁ ମଜବୁତ କରିବା ପାଇଁ ଆଗେଇ ଚାଲିଲେ। ପ୍ରଥମ ଧାଡ଼ିର ବିପ୍ଲବୀ ଓ ସଂଗ୍ରାମୀ ମାନଙ୍କର ଦୃଷ୍ଟି ଭାଜନ ହେଲେ। ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ପ୍ରାଣକୃଷ୍ଣ ପଢିଆରୀ ପ୍ରମୁଖ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ସହ ଘନିଷ୍ଠତା ତାଙ୍କୁ ଆଗେଇ ନେଲା। ଫଳତଃ ଅଳକାଶ୍ରମରେ ଯୋଗ ଦେଲେ ଗୌରାଙ୍ଗ ଦାସ। ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ସହିତ କାମ କରିବାକୁ ସୁଯୋଗ ମିଳିଲା, ପ୍ରେରଣା ମିଳିଲା। ବେଶ୍ ପ୍ରଭାବିତ ହୋଇ କାର୍ଯ୍ୟ ଚାଲୁ ରଖିଲେ। ଅଳକାଶ୍ରମ ହୋଇ ଉଠିଲା ତାଙ୍କ ସଂଗ୍ରାମୀ ଜୀବନର ଏକ ସ୍ବତନ୍ତ୍ର ଅଧ୍ୟାୟ। ଆଉ ପଛକୁ ଫେରି ନାହାନ୍ତି ଗୌରାଙ୍ଗ ଚରଣ ଦାସ ।
୧୯୩୦ ଲବଣ ସତ୍ୟାଗ୍ରହ ଓ କାରାବରଣ:
ସର୍ବ ଭାରତୀୟ ସ୍ତରରେ ସାବରମତୀ ଆଶ୍ରମରୁ ଆରମ୍ଭ ହେଲା ଲୁଣମରା ଅଭିଯାନ। ଓଡ଼ିଶାରେ ଲବଣ ସତ୍ୟାଗ୍ରହ ଦାୟିତ୍ଵ ନେଲେ ଗୋପବନ୍ଧୁ ଚୌଧୁରୀ। କଟକ ବାଖରାବାଦ ସ୍ଥିତ ଚୌଧୁରୀ ଭବନରୁ ଆରମ୍ଭ ହୋଇଥିଲା ୧୯୩୦ ମସିହା ଅପ୍ରେଲ ୬ ତାରିଖ ଦିନ ସତ୍ୟାଗ୍ରହୀ ମାନଙ୍କ ପଦଯାତ୍ରା। ଆଚାର୍ଯ୍ୟ ହରିହର ଓ ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ୱରେ ଆଗେଇ ଚାଲିଲେ ୨୦ ଜଣ ସତ୍ୟାଗ୍ରହୀ। କଟକ ଜିଲ୍ଲାରୁ ସାତଜଣ, ପୁରୀ, ସମ୍ବଲପୁର ଓ ବାଲେଶ୍ଵର ଜିଲ୍ଲାରୁ ତିନି ଜଣ ଲେଖାଏଁ, ଅନୁଗୁଳ ଓ ଚୌଦ୍ଵାରରୁ ଜଣେ ଲେଖାଏଁ ଏବଂ ଗ୍ରାମାଞ୍ଚଳରୁ ଦୁଇ ଜଣ। ସେହି କୋଡ଼ିଏ ଜଣିଆ ଦଳରେ ଥାଆନ୍ତି ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଓରଫ୍ ଗୌରୀ ଭାଇ। ଇଞ୍ଚୁଡ଼ିରେ ପହଞ୍ଚିବା ପରେ ଆରମ୍ଭ ହେଲା ଲୁଣମରା, ସମସ୍ଵରରେ ଜାତୀୟକବି ବୀରକିଶୋର ଦାସଙ୍କ ରଚିତ କବିତା:
ଆସରେ ଆଜି ଆସ
ଦରିଆ ଦଖଲ କରିଯିବ କିଏ ଆସ
ଏ ଶାସନ ଆଜି କରି ଖଣ୍ଡ ଖଣ୍ଡ
ପ୍ରଜା ହାତେ ଦେଇଯିବା ରାଜଦଣ୍ଡ।
ଗିରଫ ହେଲେ ସତ୍ୟାଗ୍ରହୀମାନେ ମହାବିଷୁବ ସଂକ୍ରାନ୍ତି ଅପ୍ରେଲ ୧୩ ତାରିଖ ଦିନ । ସ୍ଥାନାନ୍ତରିତ ହେଲେ କଟକ ଜେଲ୍। ଗୋଟିଏ ବର୍ଷର କାରାଦଣ୍ଡ ପରେ ୧୯୩୧ ମସିହାରେ ମୁକୁଳିଲେ କଟକ ଜେଲ୍ରୁ । ସେତେବେଳକୁ ଅସହଯୋଗ ଆନ୍ଦୋଳନ ଜୋର ଧରିଥାଏ । ଏହି ଆନ୍ଦୋଳନରୁ କ୍ଷାନ୍ତ ହୋଇପାରେ କି ସଂଗ୍ରାମୀ ଜଣେ ? କଟକ, ଜଗତସିଂହପୁର, ଯାଜପୁର ଅଞ୍ଚଳରେ ବିଭିନ୍ନ ସଭାସମିତି କରି ସ୍ଵାଧୀନତାର ବାର୍ତ୍ତା ପହଞ୍ଚାଇବାକୁ ଆଗକୁ ଚାଲିଲେ । ତେଣୁ ପୁଣି ଥରେ ଗିରଫ ହେଲେ ୧୯୩୨ ମସିହାରେ। ଛ’ ମାସ ପରେ ଲେଉଟିଲେ ଜେଲ୍ ମଧ୍ୟରୁ, ମନୋନିବେଶ କଲେ ଦେଶ ସ୍ବାଧୀନତା, ଅସ୍ପୃଶ୍ୟତା ନିବାରଣ ଓ କୃଷକ ସଂଗଠନ ଆଦି କାର୍ଯ୍ୟକ୍ରମରେ ।
ଅସ୍ପୃଶ୍ୟତା ନିବାରଣର ପ୍ରମୁଖ କାଣ୍ଡାରୀ:
ଜାତିପ୍ରଥା, ସବର୍ଣ୍ଣ ଓ ଅସବର୍ଣ୍ଣ ଆଦି ସମାଜ ମଧ୍ୟରେ ଗୋଟିଏ ପ୍ରମୁଖ ସ୍ଥାନ ନେଇଥାଏ ସେତେବେଳକୁ। ଏହାର ନିରାକରଣ ନହେଲେ ସ୍ଵାଧୀନତା ସଂଗ୍ରାମ ପୂର୍ଣ୍ଣ ହୋଇ ପାରିବ ନାହିଁ, ଏହି କଥା ଗାନ୍ଧୀ ମହାତ୍ମା ସର୍ବଦା କହି ଆସୁଛନ୍ତି। ଏଥିରେ ସମ୍ପୂର୍ଣ୍ଣ ଏକମତ ଥିଲେ କଂଗ୍ରେସ କର୍ମୀମାନେ। ଜେଲରୁ ମୁକ୍ତ ହେବା ପରେ ସଂଗଠନକୁ ସୁଦୃଢ କରିବା ପାଇଁ ଲକ୍ଷ୍ୟ ଥିଲା, ତାହାର ଗୋଟିଏ ପାହାଚ ଥିଲା ଏହା ଉପରେ ସ୍ଵରୋତ୍ତଳନ। ତେଣୁ ଅତି ଦୃଢ଼ତାର ସହ ପ୍ରଥମ କରି ବାଗଲପୁର ଗାଆଁରୁ ଆରମ୍ଭ କଲେ ଏହି କାର୍ଯ୍ୟକ୍ରମ। ଗାଁର ଦଧିବାମନ ଜୀଉଙ୍କ ମନ୍ଦିର ଭିତରକୁ ପ୍ରବେଶ କରେଇ ଦେଲେ ହରିଜନ ମାନଙ୍କୁ। ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ ବେଗରେ ବ୍ୟାପି ଗଲା ଏହି ଖବର। ବଡ଼ ବଡ଼ କଂଗ୍ରେସ ନେତାମାନେ ମଧ୍ୟ ହତ ଚକିତ ହୋଇ ପଡ଼ିଲେ ଏହି ଐତିହାସିକ ସଂସ୍କାର କଥା ଶୁଣି, ସଭିଙ୍କ ପ୍ରଶଂସାର ପାତ୍ର ହୋଇଗଲେ ଆମ ଗୌରୀ ଭାଇ।
କୃଷକ ସଂଗଠନ ଓ ଆନ୍ଦୋଳନ:
ଜମିଦାରୀ, ମକଦ୍ଦମ ଓ ସାଆନ୍ତିଆ ଛାଞ୍ଚରେ ଆମର ସମାଜ କାହିଁ କେତେ କାଳରୁ ! କୃଷକ ଜମିଦାରୀ ତାଡ଼ନାରେ କ୍ଷତାକ୍ତ। ତାଙ୍କ କଥା ବୁଝୁଛି ବା କିଏ ? ମାଳତୀ ଚୌଧୁରୀ ଓ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ୱରେ ଗଠିତ ହେଲା କୃଷକ ସଂଘ କୃଷକମାନଙ୍କ ସର୍ବବିଧ ଉନ୍ନତି ପାଇଁ। ଗୌରାଙ୍ଗ ଦାସ ହେଲେ ଅଗ୍ରଦୂତ। ପତ୍ରିକା ଗୋଟିଏ ପ୍ରକାଶ ପାଇଲା ସାରଥୀ ନାଁରେ। ମାଳତୀ ଦେବୀ ତାଙ୍କ ସୁନା ଅଳଙ୍କାର ବିକ୍ରି କରି ପାଣ୍ଠି ଗଠନ କଲେ। ସ୍ତ୍ରୀଙ୍କର ଏକମାତ୍ର ସୁନା ଆଭୂଷଣ କାନଫୁଲ ଧରି ପହଞ୍ଚିଲେ ଗୌରାଙ୍ଗ ବାବୁ କୃଷକ ସଂଘକୁ ଦାନ କରିବା ପାଇଁ । ତାଙ୍କ ଅବସ୍ଥା ସମସ୍ତେ ଜାଣନ୍ତି, ତେଣୁ ରୋକଠୋକ ମନା କରିଦେଲେ କର୍ମୀମାନେ ଏଭଳି କାର୍ଯ୍ୟ କରିବାକୁ । ଫେରିଗଲେ ଗୌରୀ ଭାଇ, ଧନରେ ସିନା ହାରିଗଲେ; କିନ୍ତୁ ମନରେ ? ପୂର୍ଣ୍ଣ ସମୟ ଦେଇ ଆରମ୍ଭ କଲେ ସଂଗଠନ ଓ ଆନ୍ଦୋଳନ କାର୍ଯ୍ୟ । ଗାଁ କୁ ଗାଁ ବୁଲିଲେ, ସାଥିରେ ମାଳତୀ ଚୌଧୁରୀ। ତାଙ୍କ ଭାଷଣ ମାଧ୍ୟମରେ ରୁଣ୍ଡ କଲେ ହଜାର ହଜାର କୃଷକ ଓ ଖଟିଖିଆ। ଆନ୍ଦୋଳନ ତେଜିଲା । ମାଳତୀ ଚୌଧୁରୀଙ୍କ ଭାଷାରେ: “ଆମର ପ୍ରିୟ ଗୌରୀ ଭାଇ ଥିଲେ ଏକ ନିଆଁହୁଳା। ସେ ଯେତେବେଳେ ବାଆଁ ହାତକୁ ଡାହାଣ ହାତ ସାନ ପାପୁଲିରେ ବାଡ଼େଇ ବାଡ଼େଇ ଉତ୍ତେଜିତ ହୋଇ ଭାଷଣ ଦେଉଥିବେ ବଡ଼ ବଡ଼ ଶିକ୍ଷିତ ଲୋକେ ଆଖି ଫାଡ଼ିଦେଇ ଶୁଣୁଥିଲେ। ସେ ସବୁ ଅଙ୍ଗେ ନିଭାଇଥିବା ଗଭୀର ଅନ୍ତର ଭିତରୁ ବାହାରି ଆସୁଥିବା ଅନୁଭୂତି ପୂର୍ଣ୍ଣ ବାକ୍ୟମାନ। ନ ଶୁଣିବା କାର୍ଯ୍ୟ ବ୍ୟସ୍ତ ଲୋକେ ଦଣ୍ଡେ ଠିଆ ହୋଇ ଯାଉଥିଲେ ସେ ଅଗ୍ନି ଉଦ୍ଗାର ବାକ୍ୟ ଶୁଣିବା ପାଇଁ”
ପ୍ରଥମ କୃଷକ ସମ୍ମିଳନୀ:
ଧନ୍ୟ ସେହି ବାଗଲପୁର ଗାଁ, ଯେଉଁ ଗାଁରୁ ୧୮ ଜଣ ଯୁବକ ଯୋଗ ଦେଇଥିଲେ ସ୍ଵାଧୀନତା ସଂଗ୍ରାମରେ। ନେତୃତ୍ଵ ଥିଲା ଗୌରାଙ୍ଗ ଦାସଙ୍କର। ସେଇଠି ତାଙ୍କ ଆକ୍ରାନ୍ତ ପରିଶ୍ରମ ଓ ଦୃଢ ମନୋବଳ ହେତୁ ଅନୁଷ୍ଠିତ ହେଲା କଟକ ଜିଲ୍ଲାର ପ୍ରଥମ କୃଷକ ସମ୍ମିଳନୀ ୧୯୩୪ ମସିହାରେ। ଏହି ଅଧିବେଶନରେ ବିଭିନ୍ନ କୃଷକ ସମସ୍ୟା ସହ ଗୌରାଙ୍ଗ ବାବୁଙ୍କ ପରାମର୍ଶ ଥିଲା: “ଜମିଦାର, ମଠ ମହନ୍ତ ଓ ସାଆନ୍ତ ଗୋଷ୍ଠୀଙ୍କୁ ଦେଖିଲେ କେହି ଲମ୍ବ ହୋଇ ସାଷ୍ଟାଙ୍ଗ ପ୍ରଣିପାତ କରିବେ ନାହିଁ। ପ୍ରତିବଦଳରେ ଅଣ୍ଟା ସିଧା କରି ଛିଡ଼ା ହୋଇ କେବଳ ନମସ୍କାର କରିବେ” । ଏହା ଫଳରେ ସମାଜରେ ପ୍ରଚଳିତ ଯୁଗଯୁଗର ସାମନ୍ତବାଦୀ ଢାଞ୍ଚା ଉପରେ ଏକ ଶକ୍ତ ଧକ୍କା ବାଜିଥିଲା।
ଏହି ସମ୍ମିଳନୀର ସଫଳତା ତାଙ୍କୁ ଜଣେ ଅଦ୍ୱିତୀୟ କୃଷକ ନେତା ଭାବରେ ଉଭା କରେଇ ଦେଲା। ଏହାପରେ କଟକ ଠାରେ କୃଷକ ସମ୍ମିଳନୀ, ଗଞ୍ଜାମର କୋଦଳା ଓ ଅବିଭକ୍ତ କଟକ ଜିଲ୍ଲାର ଜେନାପୁର, ମଧୁପୁର, ସୁକିନ୍ଦା, ବଳରାମପୁର, ଚଉଷଠିପଡ଼ା ଜମିଦାର ମାନଙ୍କ କୃଷକ ଶୋଷଣ ନୀତି ବିରୁଦ୍ଧରେ ଆନ୍ଦୋଳନର ସୂତ୍ରପାତ ହେଲା ଗୌରାଙ୍ଗ ଦାସଙ୍କ ନେତୃତ୍ୱରେ। କୃଷକମାନଙ୍କ ଦାବୀକୁ ଜମିଦାର ମାନଙ୍କ ନିକଟରେ ଉପସ୍ଥାପିତ କରି ସେମାନଙ୍କୁ ହକ୍ ଦିଆଇଥିଲେ ଗୌରାଙ୍ଗ ବାବୁ। ଆଜି ମଧ୍ୟ ମଧୁପୁର ଗଡ଼ ଅଞ୍ଚଳର ବୟସ୍କ ଲୋକମାନେ ତାଙ୍କ ନାଁ ଶୁଣିଲେ ହାତଟେକି ଜୁହାର ହୁଅନ୍ତି (ମୁଁ ପ୍ରତ୍ୟକ୍ଷଦର୍ଶୀ) !
ଯୋଗ୍ୟଂ ଯୋଗ୍ୟେନ ଯୋଜୟତେ:
ଓଡ଼ିଶାର ଯୋଗ୍ୟତମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ଯୋଗ୍ୟତମ ବିପ୍ଳବିଣୀ ମାଳତୀ ଚୌଧୁରୀ, ଯୋଗ୍ୟତମ ସାମ୍ୟବାଦୀ ଚିନ୍ତାଧାରାର ମଣିଷ ବିପ୍ଳବୀ ଭଗବତୀ ଚରଣ ପାଣିଗ୍ରାହୀ ତାଙ୍କୁ ଆଦରି ନେଇଥିଲେ ଓ ସମ୍ମାନ ଦେଉଥିଲେ । ସେ ଥିଲେ ଏମାନଙ୍କ ପ୍ରିୟତମ ମଣିଷ। ତେଣୁ ଅନେକ ସଭାସମିତିରେ ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ ଓ ଭଗବତୀ ପାଣିଗ୍ରାହୀଙ୍କ ସହ ତାଙ୍କୁ ଦେଖିବାକୁ ମିଳୁଥିଲା । ତାଙ୍କ ଭାଷଣ ଥିଲା ସ୍ଫୁଲିଙ୍ଗ ସମ ଓ ସାଧାରଣ ଜନତାଙ୍କୁ ଚେତେଇବାର ଅସ୍ତ୍ର ସଦୃଶ। ସମ୍ମାନୀୟା ମାଳତୀ ଚୌଧୁରୀ କହନ୍ତି, “ଆମ ଗୌରୀ ଭାଇଙ୍କ ଆଗମନରେ ଜନସାଧାରଣଙ୍କ ଭାଷା ଥିଲା ହାତଖଣ୍ଡି ଗୌରାଙ୍ଗ ଆଇଲାରେ। ଲୋକେ ତାଙ୍କୁ ଦେଖି ଓ ଶୁଣିବାକୁ ତାଳି ମାରନ୍ତି । ଏପଟେ ଜମିଦାର ମାନେ ଘରେ ବସି ଦାନ୍ତ କଡମଡ କରୁଥିଲେ। ଅଥଚ ତାଙ୍କ ବୀରତ୍ୱର ଦିଗ, ଲୋକ ମାନଙ୍କ ଅନବଦ୍ୟ ଶ୍ରଦ୍ଧାର ପରଶ ଲଭି ହାତଖଣ୍ଡି ଗୌରାଙ୍ଗ ବିଶେଷଣଟି ଶୋଭନୀୟ ହୋଇ ପଡ଼ିଥିଲା । ଏହି ହାତଖଣ୍ଡି ଗୌରାଙ୍ଗର ପରିଚୟ ତାଙ୍କର ଥିଲା ଆଙ୍ଗିକ ଓ ଆତ୍ମିକ ଦିବ୍ୟ ଶକ୍ତି; ଦିବ୍ୟାସ୍ତ୍ର”
ରାଜନୀତି, ଏକ ଉଚ୍ଚତର ହୃଦୟ ବୃତ୍ତି:
ଜନ ହିତାର୍ଥେ ହିଁ ରାଜନୀତି । ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ ବିଶ୍ୱାସ କରୁଥିଲେ ହୃଦୟ ବୃତ୍ତି ଓ ସ୍ଵଚ୍ଛନ୍ଦ ରାଜନୀତି। ସେହି ରାସ୍ତାର ପଥିକ ଥିଲେ ଗୌରାଙ୍ଗ ଦାସ। କୃଷକ ସଂଘ ଗଠନ ପରେ ୧୯୩୩ ମସିହା ଫେବୃଆରୀ ମାସରେ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ୱରେ ଓଡ଼ିଶାର ସମାଜବାଦୀ ମାନେ ଯଥା: ଗୌରଚନ୍ଦ୍ର ଦାସ, ଗୌରାଙ୍ଗ ଦାସ, ସୁରେନ୍ଦ୍ରନାଥ ଦ୍ଵିବେଦୀ ଆଦି ଉତ୍କଳ କଂଗ୍ରେସ ସାମ୍ୟବାଦୀ ସଂଘ ଗଠନ କରିଥିଲେ। ୧୯୩୪ ମସିହାରେ ସର୍ବ ଭାରତୀୟ ସ୍ତରରେ ଗଠିତ କଂଗ୍ରେସ ସମାଜବାଦୀ ଦଳରେ ସାମିଲ ହୋଇଗଲା ଓଡ଼ିଶାର ଏହି ଦଳ । ତେଣୁ ଗୌରାଙ୍ଗ ବାବୁ ଏହି ଦଳରେ ସଦସ୍ୟ ରହିଲେ ଯାହା କୃଷକ ଓ ଜନସାଧାରଣଙ୍କ ସ୍ବାର୍ଥ ପାଇଁ ଥିଲା ସମର୍ପିତ। ଏହି କଂଗ୍ରେସ ସମାଜବାଦୀ ଦଳର ଚାପ ହେତୁ ବିଶ୍ଵନାଥ ଦାସଙ୍କ କଂଗ୍ରେସ ମନ୍ତ୍ରୀମଣ୍ଡଳ ଦୁଇଟି ଆଇନ ପ୍ରଣୟନ ପାଇଁ ବାଧ୍ୟ ହେଲେ ଯଥା: Orissa Tenancy Ammendment Act ଓ Orissa Money Lenders Act ।
ନିଃସ୍ଵାର୍ଥପର ରାଜନୈତିକ ନେତା ସର୍ବଦା ପ୍ରିୟଭାଜନ ସଭିଙ୍କର । ସମାଜ ହିତରେ ସହୃଦୟତା ରଖୁଥିବା ମଣିଷ ବିପ୍ଳବୀ ଗୌରାଙ୍ଗ ବାବୁ। ଲୋକଙ୍କ ଭଲ ପାଇବା ହେତୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହେବା କମ୍ ଗୌରବର ବିଷୟ ନୁହେଁ ! ଏହା ହିଁ ଘଟିଲା ତାଙ୍କ ଜୀବନରେ ୧୯୪୬ ମସିହାରେ ଯେତେବେଳେ ସେ ବିଧାନସଭାକୁ ନିର୍ବାଚିତ ହେଲେ କୌଣସି ପ୍ରତିଦ୍ବନ୍ଦୀ ନଥାଇ ! ଏହା ପରେ ୧୯୬୧ରୁ ୧୯୬୭ ପର୍ଯ୍ୟନ୍ତ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିନା ପ୍ରତିଦ୍ବନ୍ଦିତାରେ।
ପିତା ଓ ପୁତ୍ର:
ବାପା ଆଦର୍ଶ ମଣିଷ, ସଂଗ୍ରାମୀ, ନିଃସ୍ଵାର୍ଥପର ଓ ଦେଶ ମାଟି ପାଇଁ ସମର୍ପିତ। ଏକମାତ୍ର ପୁତ୍ର ଶଶୀଭୂଷଣ ସେଥିରୁ ବାଦ୍ ଯିବେ କିପରି ? ପିଲାଦିନରୁ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ଶଶୀଭୂଷଣ ହୋଇଗଲେ ସ୍ଵାଧୀନତା ସଂଗ୍ରାମୀ, ଜେଲ୍ ଗଲେ, ଲୋକ ମାନଙ୍କ ଉପକାର ପାଇଁ ନିଜକୁ ଉତ୍ସର୍ଗ କରିଦେଲେ। ଓଡ଼ିଶାରେ ଚୌଧୁରୀ ପରିବାର (ଗୋପବନ୍ଧୁ ଚୌଧୁରୀ)କୁ ବାଦ ଦେଲେ ଏପରି ପରିବାର ବିରଳ ।
କର୍ମମୟ ଜୀବନର ଯବନିକା ପଡ଼ି ଆସୁଥିଲା। ୧୯୭୨ ମସିହା ଫେବୃଆରୀ ୧୯ ତାରିଖରେ ବାହୁଡ଼ି ଗଲେ ଗୌରାଙ୍ଗ ଚରଣ ଦାସ। ତାଙ୍କ ଜୀବନ, କର୍ମ ଅତି ବିସ୍ତୃତ; ହେଲେ ଆମର ଏହି କ୍ଷୁଦ୍ର ଉପସ୍ଥାପନା ମାଧ୍ୟମରେ ତାଙ୍କ ଉଦ୍ଦେଶ୍ୟରେ ଦଣ୍ଡବତ ପ୍ରଣାମ ଜଣାଉଛୁ ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୨୦୧୫ ମସିହା ଡିସେମ୍ବର ୩୦ ତାରିଖରେ ଐତିହାସିକ କଲଣ ଗ୍ରାମରେ ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ ଦ୍ୱାରା ଏହି ପୂଜ୍ୟ ମହାପୁରୁଷଙ୍କ ନାମରେ କୃଷକନେତା ଗୌରାଙ୍ଗ ଦାସ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି
କୃତଜ୍ଞତା: ପ୍ରଫେସର ମନୋରଂଜନ ଦାସ, ବିଦ୍ୟାଧର ସାହୁ (କଲଣ)ଙ୍କ ସୂଚନା; ମଧୁପୁର ଗଡ଼ ଇତିହାସ (ରବି ଶତପଥି); ଓଡ଼ିଶାରେ ସ୍ଵାଧୀନତା ସଂଗ୍ରାମ ଉପରେ ଆଧାରିତ କିଛି ପ୍ରବନ୍ଧ; ଶଶୀଭୂଷଣ ଦାସଙ୍କ ଉପରେ ଆଧାରିତ ଶ୍ରୀ ସୁବାସ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରବନ୍ଧ );
ଚିତ୍ର: ଅନ୍ତର୍ଜାଲ
Hatakhandi Gouranga Das Gouranga Charan Das
Gouranga Das Memorial Award Antaranga Kalinga Foundation
© Niranjan Sahu
Spread the love
Antaranga Kalinga

Share
Published by
Antaranga Kalinga

Recent Posts

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago

ବସନ୍ତରାସ

ଉପସ୍ଥାପନା: ନିରଞ୍ଜନ ସାହୁ ଋତୁରାଜ ବସନ୍ତଙ୍କ ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି। କୃଷ୍ଣଙ୍କର ଘନସାନିଧ୍ୟ ଲାଭ କରିବା…

4 weeks ago