ଲେଖା: ନିରଞ୍ଜନ ସାହୁ
ଶ୍ରଦ୍ଧେୟ ବାଜି !
ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ ଦଣ୍ଡବତ ପ୍ରଣାମର ବହୁ ଉର୍ଦ୍ଧ୍ଵରେ ! ସଂଗ୍ରାମୀ ଅଭିବାଦନ ଜଣାଉଛି। ଏ ଅଭିବାଦନ କେବଳ ମୋ’ର ନୁହେଁ, ସମଗ୍ର ଭାରତବର୍ଷର ! ତମେ ଯେ ଏ ଦେଶର ସର୍ବକନିଷ୍ଠ ଶହୀଦ !
ବାଜି,
ତମକୁ ଆଜି ସଂଗ୍ରାମୀ ଅଭିବାଦନ ଜଣାଇବା ବେଳେ କାହିଁକି କେଜାଣି ଅନ୍ତରାତ୍ମା ବିଳପି ଉଠୁଚି, ଲୋତକପୂର୍ଣ୍ଣ ହୋଇଯାଉଛି ଚକ୍ଷୁଦ୍ଵୟ!
ମନ କିନ୍ତୁ ବିଦ୍ରୋହ କରୁଚି ଶଠତା, ନୃଶଂସତା ବିରୁଦ୍ଧରେ। ଅପର ପକ୍ଷରେ ଆଶା ଜମାଟ ବାନ୍ଧୁଚି ଭବିଷ୍ୟତର କୌଣସି ନା କୌଣସି ଅଦୃଷ୍ଟ ସଂଗ୍ରାମ ପାଇଁ।
୮୨ ବର୍ଷ ପୂରିଗଲା ! ଇତିହାସ,କବିର ଲେଖନୀ, ଅଗଣିତ ବ୍ୟକ୍ତି ବିଶେଷଙ୍କ ଶ୍ରଦ୍ଧାଞ୍ଜଳୀର ଭାବୋଛ୍ଵାସ ଆହୁରି ରୁଦ୍ଧିମନ୍ତ ହୋଇ ଉଠୁଚି। ଅତୀତର ୮୨ ବର୍ଷ ତଳର ସେହି ଦିନ — ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ . .
ଢେଙ୍କାନାଳ ରାଜ୍ୟର ଭୁବନ ଗ୍ରାମରେ ଅକ୍ଟୋବର ୧୦ ତାରିଖ ରାତ୍ରିର ମଧ୍ୟଭାଗ। ପ୍ରଜାମଣ୍ଡଳ କର୍ମୀଙ୍କୁ ସଂହାର ପରେ ବ୍ରିଟିଶ ଫଉଜ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ନୀଳକଣ୍ଠପୁର ଘାଟରେ ଉପସ୍ଥିତ। ରାତ୍ରିର ଶେଷ ପ୍ରହରରେ ଶାରଦୀୟ ଜ୍ୟୋସ୍ନା ଟିକେ ଟିକେ ମଳିନ ପଡି ଆସୁଥିଲା। ଭୋର୍ ଚାରିଟା ସମୟ। ଭୁବନ ଗ୍ରାମର ନରସଂହାର ବାର୍ତ୍ତା ବ୍ୟାପି ଯାଉଥାଏ ଗୋଟିଏ ଗାଁରୁ ଆଉଗୋଟିଏ ଗାଁକୁ। ନୀଳକଣ୍ଠପୁର ଘାଟ ହିଁ ଏକମାତ୍ର ଭରସା, ଢେଙ୍କାନାଳ ସହରକୁ ଯିବା ପାଇଁ।
ବ୍ରିଟିଶ ଫଉଜ ଉପସ୍ଥିତ ହୁଅନ୍ତେ, ଅଡ଼ି ବସିଲେ ଗ୍ରାମବାସୀ ଓ ପ୍ରଜାମଣ୍ଡଳ କର୍ମୀ। ଶାନ୍ତିପୂର୍ଣ୍ଣ ପ୍ରତିରୋଧ। ପରିବେଶ ଶାନ୍ତ, ବ୍ରାହ୍ମଣୀର କୁଳୁକୁଳୁ ନାଦକୁ ବାଦ ଦେଲେ ସର୍ବତ୍ର ନୀରବତାର ରାଜୁତି। ଘଟାଇଥିବା ହୀନକାର୍ଯ୍ୟରେ ଭୟାତୁର ପୋଲିସ ଫଉଜ ! ତଥାପି ଜୀବନ ବଞ୍ଚାଇବା ପାଇଁ କମ୍ପିତ ଗଳାରେ ଡଙ୍ଗାରେ ପାର କରିଦେବା ପାଇଁ ମାଜିଷ୍ଟ୍ରେଟ ବିନୟ ଘୋଷଙ୍କ ହୁକୁମ। ଭୁବନ ନାରକୀୟ ଗୁଳିକାଣ୍ଡର ରକ୍ତମୁଖା ପୋଲିସର ଆଦେଶ, ଶାରଦୀୟ ପ୍ରଭାତର ମନ୍ଦ ମନ୍ଦ ସମୀରଣରେ ଉଭେଇ ଗଲା। ପ୍ରଜାମଣ୍ଡଳର ଜିଦ୍, “ଡଙ୍ଗାରେ ପାର କରାଯିବ ନାହିଁ”।
ଡଙ୍ଗାର ମଙ୍ଗ ଉପରେ ବାର ବରଷର ବାଳୁତ ! ଦୀପ୍ତିମୟ ମୁଖମଣ୍ଡଳ, ତେଜୋଦୀପ୍ତ ଆଭା ମଣ୍ଡିତ ଶରୀର, ସିନ୍ଦୁରା ଫାଟି ଆସୁଥିବା ସମୟର ବର୍ଣ୍ଣଛିଟାରେ ଆହୁରି କମନୀୟ। ମନରେ ଅଭୂତପୂର୍ବ ସାହସ, ଅଫୁରନ୍ତ ଦେଶ(ଗାଁ)ପ୍ରେମ ! ଫଉଜଙ୍କ ଆଦେଶର ପ୍ରତିଧ୍ଵନି ତୋଳିଲା କୋମଳ କଣ୍ଠ – “ଡଙ୍ଗା ଫିଟାଇବି ନାହିଁ କି ଯିବାକୁ ଦେବି ନାହିଁ।” ଏଥିଲା ଶେଷ ବାକ୍ୟ !
ତାପରେ ସବୁ ଶେଷ। ବନ୍ଧୁକ ଗୁଳିର ଆଵାଜରେ ପକ୍ଷୀମାନଙ୍କର କାକଳି ହଠାତ୍ ବନ୍ଦ ହୋଇଗଲା, ସ୍ଥିର ଯେମିତି ହୋଇଗଲା ବ୍ରାହ୍ମଣୀର କୂଳୁକୂଳୁ ନାଦ, ଆକାଶରେ ଯେମିତି ଉଇଁ ଆସିଲା ଖଣ୍ଡେ ଦୁଇ ଖଣ୍ଡି ମେଘର ବାଦଲ। ପ୍ରଜାମଣ୍ଡଳ, ଉପସ୍ଥିତ ଗ୍ରାମବାସୀ ସ୍ତବ୍ଧ।
ଛଅଟି କୋକେଇ ! ଛଅଟି ଶରୀର ! ନଦୀକୂଳରେ ପାଞ୍ଚ, ଡଙ୍ଗା ଉପରେ ଏକ !
ଶ୍ରଦ୍ଧେୟ ବାଜି !
ମନେ ଅଛି ? ତମେ ଥିଲ ସେଦିନ ଡଙ୍ଗାର ମଙ୍ଗ ଉପରେ ଛିଡ଼ା ହୋଇଥିବା ବାଳୁତ, ସେ ସମୟର ନାୟକ ! ନା, ଶତାବ୍ଦୀର ଶ୍ରେଷ୍ଠ ନାୟକ ! ଶତାବ୍ଦୀର ଶ୍ରେଷ୍ଠ ଫୁଲ ମୁକୁଳିତ ମୃତ୍ୟୁହୀନ ପ୍ରାଣ !
ବାଜି ରାଉତ !
ଏବଂ ସେଦିନର ପଟୁଆର . . !
ନୀଳକଣ୍ଠପୁର ଘାଟ ଲୋକାରଣ୍ୟ। ବୁକୁଫଟା କ୍ରନ୍ଦନ। ଅସହ୍ୟ ବେଦନା ମଧ୍ୟରେ ପୁଞ୍ଜିଭୂତ କୋହ, କ୍ରନ୍ଦନ ! ବେଳେ ବେଳେ ଅନ୍ତର ମଧ୍ୟରେ ପ୍ରତିବାଦର ସ୍ଫୁଲିଙ୍ଗ, ପ୍ରତିଶୋଧର ବହ୍ନି। ପ୍ରତିବାଦର ସ୍ବର ଧିମେଇ ଯାଇ କ୍ରନ୍ଦନ ହୋଇଉଠିଲା ଆହୁରି ତୀବ୍ର, ଆହୁରି ଉଚ୍ଚ।
ହୁରୁଷି, ଦୀନବନ୍ଧୁ, ନଟ, ଫଗୁଣ, ଲକ୍ଷ୍ମଣ ଶୋଇ ଯାଇଛନ୍ତି ଚିରନିଦ୍ରାରେ, ଘେରି ରହିଛନ୍ତି ଆତ୍ମୀୟ। ଫୁଲଟିଏ ପ୍ରସ୍ଫୁଟିତ ହେବା ପୂର୍ବରୁ ନିସ୍ତେଜ ହୋଇ ପଡ଼ିଛି ମା’ ରାଣିଆ ଦେଇଙ୍କ କୋଳରେ, ଚିରନିଦ୍ରିତ ବାଜି ରାଉତ।
କିଏ କହେ ସେ ଚିରନିଦ୍ରିତ ? ସେ ଯେ ହଜାର ହଜାର ପ୍ରଜାମଣ୍ଡଳ କର୍ମୀଙ୍କୁ ନିଦରୁ ଉଠେଇଦେଇଥିବା ବୀର ବାଳକ !
ହଠାତ୍ ବିଷଣ୍ଣ, ଲୋତକାପ୍ଲୁତ ନୟନରେ ପହଞ୍ଚିଲେ କଂଗ୍ରେସ ନେତା ବଳଦେବ ଲାଲା, କୃଷକ ନେତା ଫନୀ ପାଲ୍ ଓ ତାଙ୍କ ସହ ତିନୋଟି ଡଙ୍ଗା, ତିନି ଜଣ ନାବିକ। ଛଅଟି କୋକେଇକୁ ଡଙ୍ଗାରେ ରଖି ପଟୁଆର ଚାଲିଲା ଜେନାପୁର ରେଳ ଷ୍ଟେସନ ଅଭିମୁଖେ।
ଲୁହ ଏବଂ କୋହରେ ଫୁଲି ଉଠିଚି ବ୍ରାହ୍ମଣୀ। ଧୀର ମନ୍ଥର ଗତିରେ ତିନୋଟି ଡଙ୍ଗା ଚାଲିଥାଏ ନଦୀର କୂଳେ କୂଳେ।
କିନ୍ତୁ ଏ କ’ଣ ? ନୀଳକଣ୍ଠପୁର ଘାଟ ଡେଇଁବା ପରେ କଁପାଳ, କୁମୁଡି, ବଞ୍ଜା, ମଙ୍ଗରାଜପୁର, ପଙ୍କପାଳ ଘାଟଗୁଡ଼ିକ ଲୋକାରଣ୍ୟ ! ଡଙ୍ଗା ଘାଟଛନ୍ଦା ମାନଙ୍କରେ ପହଞ୍ଚିବା କ୍ଷଣି ମା’ମାନଙ୍କ କ୍ରନ୍ଦନ ସହ ହୁଳହୁଳି, ପୁରୁଷମାନଙ୍କ ହରିବୋଲ ଧ୍ଵନି ପ୍ରକମ୍ପିତ କରୁଛି ସମଗ୍ର ଅଞ୍ଚଳକୁ।
ଶୁଭ କାର୍ଯ୍ୟରେ ସିନା ହୁଳହୁଳି, ହରିବୋଲର ମନ୍ଦ୍ର ଝଙ୍କାର ! କିନ୍ତୁ ଏମାନଙ୍କୁ ଅଟକାଇବ ବା କିଏ ? ଏ ଯାତ୍ରା ଯେ ଶୁଭଯାତ୍ରା, ମହାନାୟକର ଯାତ୍ରା ! ତେଣୁ ବନ୍ଦାପନା, ହୁଳହୁଳି, ହରିବୋଲର ଧ୍ଵନି ମଧ୍ୟରେ ଯାତ୍ରା ସିନା କରିବେ ମହାନାୟକ !
ଜେନାପୁର ରେଳ ଷ୍ଟେସନରେ ପହଞ୍ଚିଲେ ଛ’ଟି କୋକେଇ ସହ କିଛି ଗ୍ରାମବାସୀ ଓ ପ୍ରଜାମଣ୍ଡଳ କର୍ମୀ। ଏଇଠୁ ବିଦାୟ ନେବେ ମହାନାୟକର ଶେଷ ଦର୍ଶନ ସାରି।
ଅପେକ୍ଷା କରିଥିଲେ ସତ୍ୟାଗ୍ରହୀ ବୈଷ୍ଣବ ପଟ୍ଟନାୟକ ଓ ମେଡିକାଲ ଛାତ୍ର ରବି ଘୋଷ !ଏଇଠୁ ରେଳ ଯାତ୍ରା ରାଜଧାନୀ କଟକକୁ !
କଟକରେ ପହଞ୍ଚିଲା ସେଇ ଛଅଟି କୋକେଇ। ବ୍ୟବଛେଦ ହେଲା। ଛଅଟି ଶଗଡ଼ ଗାଡ଼ିର ପଟୁଆର ଆରମ୍ଭ ହେଲା ଖାନନଗର ଶ୍ମଶାନ ଅଭିମୁଖେ।
ଏ କି ବିରୋଧାଭାସ, ବାଜି !
ଶଗଡ଼ ଯେ ବଳଦ ବିହୀନ !
ଆଉ ! ମଣିଷ ବରିନେଇଛି ବଳଦର କାମ !
ଶ୍ରଦ୍ଧେୟ ବାଜି !
ଏ କଥା କହିବାକୁ ହେଲା ବୋଲି କହୁଛି !
ତମ ଶଗଡ଼ର ଚାଳକ (ହାତରେ ଟାଣୁଥିବା) ମଣିଷମାନେ କିଏ ଜାଣିଚ ? ସେମାନଙ୍କ ମଧ୍ୟରେ ଆଗରେ ଥିଲେ ପରା ନବ ଉତ୍କଳର ମହାନ ପ୍ରତିଭାଗଣ ! ବିପ୍ଳବର ବହ୍ନିଶିଖା ସଚ୍ଚି ରାଉତରାୟ, ବିପ୍ଳବୀ କବି ଅନନ୍ତ ପଟ୍ଟନାୟକ, ସମାଜ ସେବୀ ବିଶ୍ଵନାଥ ପଶାୟତ, ଗୋବିନ୍ଦ ମହାନ୍ତି, ମୋତିଲାଲ ତ୍ରିପାଠୀ ଏବଂ ମେଡିକାଲ ଛାତ୍ରସଂସଦ ସଭାପତି ରବି ଘୋଷ – ଏଇମାନେ ତ ତମର ଚାଳକ ! ଏବଂ ତମ ଶଗଡ଼ର ପଶ୍ଚାତରେ – ଉତ୍କଳ ଖଣ୍ଡର ନମସ୍ୟ, ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ନବକୃଷ୍ଣ ଚୌଧୁରୀ, ପଣ୍ଡିତ ପ୍ରାଣକୃଷ୍ଣ ପଢିଆରୀ, ବିପ୍ଳବୀ ଭଗବତୀ ପାଣିଗ୍ରାହୀ, ସୁରେନ୍ଦ୍ର ନାଥ ଦ୍ଵିବେଦୀ, ସାରଙ୍ଗଧର ଦାସ, ବୈଷ୍ଣବ ପଟ୍ଟନାୟକ, ଗୌରାଙ୍ଗ ଚରଣ ଦାସ !
ଲୋକେ କହନ୍ତି “ଜାତିସ୍ମର, କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଶବ ଶୋଭାଯାତ୍ରା ପରେ ଏତେ ବଡ଼ ଶବ ଶୋଭାଯାତ୍ରା କଟକରେ ହୋଇ ନ ଥିଲା।”
ଛଅଟି କୋକେଇ ପହଞ୍ଚି ଗଲା ଖାନନଗର ଶ୍ମଶାନରେ। ଗୋଟିଏ ଚିତାରେ ଶୁଆଇ ମୁଖାଗ୍ନି ଦିଆଗଲା।
ତମରି ସେଇ ଜୁଇ ପାଖରେ ବସି ରହି ଲୋତକଭରା ନୟନରେ ଶ୍ରଦ୍ଧାଞ୍ଜଳୀ ଦେଲେ ସଚ୍ଚି ରାଉତରାୟ —
“ନୁହେଁ ବନ୍ଧୁ, ନୁହେଁ ଏହା ଚିତା
ଏ ଦେଶ ତିମିର ତଳେ
ଏ ଅଲିଭା ମୁକତି ସଳିତା।
ନୁହେଁ ଏହା ଜଳିଯିବା ପାଇଁ
ଏହାର ଜନମ ଏଥି,ଜାଳି ପୋଡ଼ି
ଦେବାକୁ ଧସାଇ।
ଏ ଶିଖା ଦେଇଛି ଆଜି
ଇତିହାସେ ହାତ ଟେକି ଦାନ
ଶତାବ୍ଦୀର ଶ୍ରେଷ୍ଠ ଫୁଲ
ମୁକୁଳିତ ମୃତ୍ୟୁହୀନ ପ୍ରାଣ।।….
ଆଉ କିଛି ଦିନ ପରେ, ତମରି ଦଶାହ ମଧ୍ୟରେ ଅନ୍ୟତମ ପ୍ରଖ୍ୟାତ କବି କାଳିନ୍ଦୀ ଚରଣ ପାଣିଗ୍ରାହୀ ଗାଇ ଉଠିଲେ —
“ଝାଳ ଦେଇ ତୁ’ରେ ଗଢିଲୁ ରାଇଜ ରଜା
ଲହୁ ଢାଳି ଆଜି ହତିଆର ତୋ’ର ପଜା
ବେଳ ଏହି ବେଳ ଏହି
ଗଢ଼ିଥିଲୁ ଯାକୁ ତଡିବୁ ତାହାକୁ
ନ ଶୁଅରେ ଆଉ ଚେଇଁ।
କୋଣାରକ ଠାରୁ ଗଢିଲୁ ଦେଉଳ ବଡ଼
ନ ମାନିଲୁ ରାଜା ଗୁଳି ବନ୍ଧୁକ ଝଡ଼
ଏଡ଼େ ଅବିନୀତ ଟୋକା
ଢେଙ୍କାନାଳର କଙ୍କାଳ ଟାଣି ବଜାଇଲୁ
ଜୟ ଡକ୍କା।
ବଜାଇଲୁ ତୁ ତ ଦୁନିଆ ଉପରେ ବାଜା
ଛାତିକୁ ଫୁଲାଇ ‘ନାହିଁ ରାଜା ! ନାହିଁ ରାଜା।’
କାହିଁ ଶିଖିଲୁ ଏ କଥା
କହ କହ ବାଜି କାହା ଲାଗି ଆଜି
ବଳିଦେଲୁ ନିଜ ମଥା।”
ଏତିକିରେ ରହିଗଲାନି ଶ୍ରଦ୍ଧେୟ ! ତମର ମୃତ୍ୟୁ ପରେ ପ୍ରତିବାଦ ସଭା ହେଲା କଟକ ଟାଉନହଲ୍ ପଡ଼ିଆରେ, ଅକ୍ଟୋବର ୧୩ ତାରିଖ ଦିନ। ସେହିଦିନ ଢେଙ୍କାନାଳର ପ୍ରତାପୀ, ନରସଂହାରର ସୂତ୍ରଧାର ରାଜା ଶଙ୍କର ପ୍ରସାଦ ଭୟରେ ଓଡ଼ିଶା ଛାଡ଼ି ପଳାଇ ଗଲେ କଲିକତା ବ୍ରିଟିଶ ଫଉଜଙ୍କ ଗହଣରେ। କେତେ ଭୟାତୁର ସତେ ! ସଭା ଚାଲିଥିବା ବେଳେ ସେଠାରେ ଏହି ଖବର ପ୍ରଚାରିତ ହୋଇଗଲା। ପୂଜ୍ୟ ନବକୃଷ୍ଣ ଚୌଧୁରୀ ଉତକ୍ଷିପ୍ତ ହୋଇ କୋହ ଜର୍ଜରିତ କଣ୍ଠରେ ଭାଷଣ ଦେଲେ — “ରାଜା ଫାଷ୍ଟକ୍ଲାସ କମ୍ପାଟମେଣ୍ଟରେ ଦରଜା ଭିତରୁ ବନ୍ଦ କରି ମନେ କରୁଛି, ସେ ଏଥର ନିରାପଦ। ଅନ୍ତତଃ ପାଖ ଡବାରେ ବନ୍ଧୁକଧାରୀ ପୋଲିସ ଫଉଜ ଅଛନ୍ତି। କିନ୍ତୁ ସେ ଜାଣେନା, କମ୍ପାଟମେଣ୍ଟ ଭିତରେ ଅଛି ଭୂତ। ଶହୀଦ ବାଜି ରାଉତର ଭୂତ। ଭୂତ ଚିତ୍କାର କରୁଛି, ‘ତୁ ଆମର ଘାତକ, ତୁ ଆମର ହତ୍ୟାକାରୀ – ଏଥର ତୋର ମୁକ୍ତି ନାହିଁ, ଏଥର ପରିତ୍ରାଣ ନାହିଁ।’ ଭୟ ଆତଙ୍କରେ ରାଜା ଆଖି ବନ୍ଦ କରି ଦେଉଛି। କିନ୍ତୁ ନିଦ୍ରା କାହିଁ ? ଆଖି ଖୋଲିଲା ମାତ୍ରେ ଦେଖୁଛି, କେବଳ କଙ୍କାଳ, ତାଣ୍ଡବ ନୃତ୍ୟରତ ଛ’ଟା ମଣିଷର କଙ୍କାଳ। ବାଜି, ହୁରୁଷି, ରଘୁ, ଗୁରି, ନଟ ଓ ଲକ୍ଷ୍ମଣଙ୍କ କଙ୍କାଳର ବିକଟ ଅଟ୍ଟହାସ୍ୟରେ କମ୍ପାଟମେଣ୍ଟ ଫାଟି ପଡୁଛି” ଇତ୍ୟାଦି ଇତ୍ୟାଦି।
ଶ୍ରଦ୍ଧେୟ ବାଜି !
ସେଦିନ ନିର୍ବାପିତ ହୋଇଗଲା ଖାନନଗର ଶ୍ମଶାନରେ ଜୁଇ।
ତମର ମର ଶରୀର ବିଦାୟ ନେଇଗଲା ଏ ମାଟିର ବକ୍ଷୁ ! କେହି କେହି କହନ୍ତି ଦୀପ ଲିଭିଗଲା। ମୁଁ କିନ୍ତୁ କହେ, “କେଉଁ ଜହ୍ଲାଦ ମାରିପାରେ ତାକୁ ?”– ସେ ଯେ, ‘ଶତାବ୍ଦୀର ଶ୍ରେଷ୍ଠ ଫୁଲ ମୁକୁଳିତ ମୃତ୍ୟୁହୀନ ପ୍ରାଣ !’
ସଂଗ୍ରାମୀ ଅଭିବାଦନ ଗ୍ରହଣ କରିବା ହୁଅନ୍ତୁ, ବାଜି !
Images: Dhenkanal Khati, Bhubaneswar Buzz and other Social Media
chha ti kokei
© Niranjan Sahu
~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…