ବାସୁଦେବ ସୁଢଳଦେବ

ଲେଖା: ନିରଞ୍ଜନ ସାହୁ

ସାର୍ ବାସୁଦେବ ସୁଢଳଦେବ ! ପବିତ୍ରକୀର୍ତ୍ତି ଶ୍ରୀଯୁକ୍ତ ବାମଣ୍ଡାଧିପ ବାସୁଦେବ ସୁଢଳଦେବ ମହୋଦୟ ଶ୍ରୀ କରକମଳେଷୁ ସବିନୟ ନିବେଦନମିଦଂ !

ଶ୍ରୀମନ୍ ମହାରାଜ !
ପରସ୍ପର ବିରୋଧୀ ଶ୍ରୀ, ସରସ୍ଵତୀ ଏବଂ ବିନୟ ଆପଣଙ୍କଠାରେ ଏକତ୍ରାବସ୍ଥିତ ହୋଇ ପରସ୍ପରର ଶୋଭା ବୃଦ୍ଧି କରୁଅଛନ୍ତି, ଏହା ସମସ୍ତେ ଏକବାକ୍ୟରେ ସ୍ଵୀକାର କରନ୍ତି। ବିଶେଷତଃ ଅଳଙ୍କାର ବୋଧୋଦୟ ଗ୍ରନ୍ଥ ପ୍ରଣୟନ ଦ୍ଵାରା ଉତ୍କଳ ସାହିତ୍ୟ ଚର୍ଚ୍ଚାର ମାର୍ଗ ପ୍ରଶସ୍ତ କରି ସେହି ସାହିତ୍ୟର ଗତିକୁ ସୁରୁଚିସମ୍ମତ ପଦବୀରେ ପ୍ରବର୍ତ୍ତିତ କରାଇବା ସକାଶେ ଆପଣ ସମଧିକ ପ୍ରୟାସ ସ୍ଵୀକାର କରିଅଛନ୍ତି। ଏହି କ୍ଷୁଦ୍ର ପଦ୍ୟଗ୍ରନ୍ଥ ଯତସାମାନ୍ୟ ହେଲେହେଁ ଅଳଙ୍କାରବୋଧୋଦୟ ପ୍ରଣେତାଙ୍କ ଚକ୍ଷୁରେ ଏହା ନିତାନ୍ତ ଉପକ୍ଷେଣୀୟ ହେବ ନାହିଁ, ଏହି ଆଶାରେ ମୁଁ ଏହା ଛାମୁରେ ଅର୍ପଣ କରିବାକୁ ସାହସୀ ହେଲି।
ବଶମ୍ବଦ ରାଧାନାଥ ରାୟ
(ଏହା ଥିଲା ସାର୍ ବାସୁଦେବ ସୁଢଳଦେବ ମହୋଦୟଙ୍କ ପାଇଁ କବିବରଙ୍କ ଏକ ପୁସ୍ତକ ସମର୍ପଣର କଥା।

୧୮୫୦ ମସିହା ମଇ ମାସ ଷୋହଳ ତାରିଖ ଦିନ ଜନ୍ମଗ୍ରହଣ କରିଥିବା ବାସୁଦେବ ସୁଢଳଦେବ ଓଡ଼ିଶାର ତଥା ଭାରତବର୍ଷର ଜଣେ ଜଣାଶୁଣା ଆଦର୍ଶ ରାଜନ୍ । ସର୍ବୋତମୁଖୀ ଯୋଗ୍ୟତାର ଅଧିକାରୀ ବାସୁଦେବ ସୁଢଳଦେବ ଗାର୍ହସ୍ଥ ଜୀବନରେ ଆଦର୍ଶ ଗୃହସ୍ଥ, ରାଜାମାନଙ୍କ ମଧ୍ୟରେ ଆଦର୍ଶ ଶାସକ, ପଣ୍ଡିତମାନଙ୍କ ମଧ୍ୟରେ ଆଦର୍ଶ ପଣ୍ଡିତ, ଶିକାରୀ ମାନଙ୍କ ମଧ୍ୟରେ ଆଦର୍ଶ ଶିକାରୀ, ଲେଖକମାନଙ୍କ ମଧ୍ୟରେ ଆଦର୍ଶ ଲେଖକ, କୃଷକମାନଙ୍କ ମଧ୍ୟରେ ଆଦର୍ଶ କୃଷକ, ମାଳୀମାନଙ୍କ ମଧ୍ୟରେ ଆଦର୍ଶ ମାଳୀ, ବଣିକମାନଙ୍କ ମଧ୍ୟରେ ଆଦର୍ଶ ବଣିକ

କବିବର ରାଧାନାଥ ରାୟଙ୍କ ଭାଷାରେ –

ପାହିଲାଣି ଘୋର ତାମସୀ ଯାମିନୀ
ଫୁଟିବ ଉତ୍କଳ ଭାଷା କମଳିନୀ
ଏ ଘୋର ଯାମିନୀ ଅବଶାନ ଶଂସୀ
କାବ୍ୟତାରା ରୂପେ ବୀର ଗଙ୍ଗବଂଶୀ ।

ଉଦିଲେ ପ୍ରଥମେ ବାମଣ୍ଡା ରାଜନ
ବାସୁଦେବ ବିଶ୍ଵ କଲ୍ୟାଣ ଭାଜନ
ରଖିଲେ ସୁନାମ ଯେହୁ କାଳେ କାଳେ
ଗୁଣ ଯନ୍ତ୍ରେ ଖୋଳି ଯଶୋଗିରି ଭାଲେ ।

ତମଃ ପଳାଉଛି ହୋଇ ତରତର
ପ୍ରଚୀନଭଃ ନବ ବିଭାରେ ଭାସ୍ଵର।

(ରାଜନ୍ ! ଆପଣଙ୍କର ଗୁଣାବଳୀ ସମ୍ପର୍କରେ ଉପସ୍ଥାପନା ପାଇଁ ଯେତେ ଚେଷ୍ଟା କଲେ ବି ତାହା ଆମର ଅପଚେଷ୍ଟା ହୋଇଯାଉନାହିଁ ତ ? ପ୍ରକୃତରେ ଆପଣଙ୍କୁ ସଠିକ୍ ମୂଲ୍ୟାୟନ କରିବା କଷ୍ଟସାଧ୍ୟ । ଏହି କ୍ରମରେ ଆଉ ଦୁଇ ଧାଡ଼ି ଲେଖିବା ପାଇଁ ଚେଷ୍ଟା କରିଛୁ।)

“ବାସୁଦେବ ସୁଢଳଦେବ କେବଳ ବିଧିର ନୃପତି ନଥିଲେ, ସେ ନିସର୍ଗର ନୃପତି। ରାଜୋଚିତ ଗୁଣ ଥାଉ ବା ନଥାଉ, କେବଳ ମାତ୍ର ଜନ୍ମ ହେବାର କଷ୍ଟ ସ୍ଵୀକାର କରିଥିବା ଦାବିରୁ ଅଧିକାଂଶ ରାଜା ରାଜା ହୁଅନ୍ତି। ରାଜତନ୍ତ୍ର ଦେଶମାନଙ୍କରେ ପିତାର ପୁତ୍ର ହେବା ସିଂହାସନ ସକାଶେ ଯଥେଷ୍ଟ ଗୁଣବତ୍ତା ବୋଲି ସର୍ବତ୍ର ପରିଗୃହୀତ। ବାସୁଦେବ ମଧ୍ୟ ଏହିପରି ଭାଗ୍ୟଧର ହୋଇ ଜନ୍ମଗ୍ରହଣ କରିଥିଲେ ସତ୍ୟ, ମାତ୍ର ସେ ଯେ ପୂର୍ଣ୍ଣ ମାତ୍ରାରେ ଏହି ସୈାଭାଗ୍ୟର ଉପଯୁକ୍ତ ଥିଲେ, ତାଙ୍କର ଅମୂଲ୍ୟ ଜୀବନ ସେଥିର ଅଭ୍ରାନ୍ତ ସମର୍ଥନ ଅଟେ। ସିଂହାସନ ଲାଭ ଦ୍ଵାରା ଯେଉଁ ସାଧନନିଚୟ ତାହାଙ୍କର ହସ୍ତଗତ ହୋଇଥିଲା, ତାହାଙ୍କର ସାଧନା ମଧ୍ୟ ସେହିପରି ଥିଲା ଏବଂ ସିଦ୍ଧି ମଧ୍ୟ ସାଧନାର ଅନୁରୂପ ହୋଇଥିଲା।

ପୁରାଣରେ ଆମେମାନେ ସହସ୍ରବାହୁ ଅର୍ଜୁନଙ୍କ କଥା ପଢିଅଛୁ। ବାସୁଦେବଙ୍କ କାର୍ଯ୍ୟ ଦେଖିଲେ କିଏ ନ କହିବ ଯେ, ସେ ଦ୍ଵିବାହୁ ହୋଇ ସହସ୍ରବାହୁ ଥିଲେ। ତାହାଙ୍କ ପରି ନବଯୁଗପ୍ରବର୍ତ୍ତକ ରାଜା ଶତାବ୍ଦୀରେ ଜଣେ ଅବତୀର୍ଣ୍ଣ ହୁଅନ୍ତି କି ନାହିଁ, ସନ୍ଦେହ। ବାସୁଦେବ ପ୍ରାକୃତ ପୁରୁଷ ନୁହଁନ୍ତି, ପୁରୁଷାବତାର। ତାହାଙ୍କର ବିଶାଳ ବ୍ୟକ୍ତିତ୍ଵ ତାହାଙ୍କ ରାଜପଦକୁ ଘୋଡ଼ାଇ ପକାଇଥିଲା। ସିଂହାସନ ଦ୍ଵାରା ତାହାଙ୍କର ଗୌରବ ବୃଦ୍ଧି ହୋଇନାହିଁ, ବରଂ ତାହାଙ୍କ ଅଧିଷ୍ଠାନ ଦ୍ଵାରା ସିଂହାସନ ଗୌରବାନ୍ଵିତ ହୋଇଥିଲା। ପୁରୁଷସିଂହ ବାସୁଦେବ ସିଂହାସନ ପ୍ରକୃତ ପ୍ରସ୍ତାବରେ ସିଂହାସନ ପଦବାଚ୍ୟ ହୋଇଥିଲା। ବାସୁଦେବ ସିଂହାସନରେ ବସିଥିଲେ ବୋଲି ଯେ ସିଂହାସନରେ ବସିବେ ସେ ବାସୁଦେବଙ୍କ ପରି ହେବେ, ଏପରି ଆଶା କରିବା ସଙ୍ଗତ ନୁହେଁ। ଗୁଣଗ୍ରାହୀ ଗବର୍ଣମେଣ୍ଟ ବାସୁଦେବଙ୍କୁ ଉଚ୍ଚ ଉପାଧିରେ ଭୂଷିତ କରି ତାହାଙ୍କର ଏବଂ ଉପାଧିର  ଗୌରବ ଯୁଗପତ୍ ବର୍ଦ୍ଧିତ କରାଇଥିଲେ ।”
(ରାଧାନାଥ ରାୟ)

ରାଜନ୍ !
ଆପଣଙ୍କ ଜୀବନରେ ଘଟିଥିବା ପ୍ରତ୍ୟକ୍ଷଦର୍ଶୀ (ରାଧାନାଥ ରାୟ) ଘଟଣା ସମ୍ପର୍କରେ ଏକ ସୁନ୍ଦର ଉପସ୍ଥାପନା। ଏହା ସାମାନ୍ୟ, କିନ୍ତୁ ଅସାମାନ୍ୟ ଉତ୍କଳ ଖଣ୍ଡର ତତ୍କାଳୀନ ରାଜା, ମହାରାଜା, ସରକାର ତଥା ଜନସାଧାରଣଙ୍କ ପାଇଁ।

୧୮୮୬ ମସିହାର କଥା। କବିବର ଆପଣଙ୍କ ଅନୁରୋଧ କ୍ରମେ ବାମଣ୍ଡା ରାଜ୍ୟକୁ ଯାଇଥାନ୍ତି ଭ୍ରମଣ ଉଦ୍ଦେଶ୍ୟରେ (ଅବଶ୍ୟ ଆପଣ ନିଜେ ଆସି ବହୁ ଦୂରରୁ ପାଛୋଟି ନେଇଥିଲେ କବିବରଙ୍କୁ) “ପ୍ରାୟ ଅର୍ଦ୍ଧ ଘଣ୍ଟାକାଳ ଆମ୍ଭେମାନେ ଏହି ଦୃଶ୍ୟ ଦେଖି (ପ୍ରଧାନପାଟ ଜଳପ୍ରପାତ) ବସାକୁ ଫେରି ଆସିଲୁ। ମାର୍ଗରେ ଆସୁଆସୁ ରୌଦ୍ର ପ୍ରଖର ହେଲାରୁ ମୁଁ ଛତା ବ୍ୟବହାର କରିବାକୁ ବାଧ୍ୟ ହେଲି। ମହାରାଜାଙ୍କ ଛତା ଧରିବା ପାଇଁ ତାହାଙ୍କର ଅନୁଚରମାନଙ୍କୁ କହିଲି। ମହାରାଜ ସ୍ଵହସ୍ତରେ ଛତା ଧରିଲେ। ମୁଁ ଭାବିଲି ଯେ, କେବଳ ଭଦ୍ରତାର ଆତିଶଯ୍ୟରୁ ଏପରି କରୁଅଛନ୍ତି। ଏହା ଭାବି ମୁଁ କହିଲି, “ମହାରାଜ ! ଆପଣଙ୍କର ଯେପରି ଅଭ୍ୟାସ ଅଛି ସେହିପରି କରିବା ହେଉନ୍ତୁ।” ମହାରାଜ କହିଲେ, “ମୁଁ ତ ସେହିତା କରୁଛି। କେହି ଧରିଲେ ସୁଖ ଲାଗେ ନାହିଁ।” ଏ ଗୋଟିଏ ସାମାନ୍ୟ ଘଟଣା ସତ୍ୟ, ମାତ୍ର ଏହିପରି ସାମାନ୍ୟ ସାମାନ୍ୟ କଥାରୁ ଲୋକର ପ୍ରକୃତି ଚିହ୍ନା ପଡ଼ିଥାଏ।

ରାଜନ୍ !
ଆପଣ ଗୁଣୀ, ଗୁଣଗ୍ରାହୀ, ତୋଷାମଦିଆ ପାଇଁ ଆପଣଙ୍କ ପାଖରେ ସ୍ଥାନ ନାହିଁ।
“ଧିକ୍ ତୋଷାମଦୀ        ଧିକ ଧିକ ତୋର
         ଘୃଣିତ ହୀନ ଜୀବନ,
ଧିକ ତୋ ଜୀବିକା         ଧିକ ଧିକ ସେହି
        ଜୀବିକା – ଜନିତ ଧନ ।୧ ।

ସତ୍ୟବାଦୀ ହୋଇ         କ୍ଷଣେ ବଞ୍ଚିଥିଲେ
        ଯୁଗେ ବଞ୍ଚିଥିବା ପରି,
ତୋଷାମଦୀ ହୋଇ       ଅମର ହେଲେ ହେଁ
        ମରିଯିବା ସଙ୍ଗେ ସରି ।୨।

ଲାଗୁଅଛି ସ୍ଵାଦୁ           ଖୋସାମଦୀ ବାଣୀ
         ସଜ ସରପୁଳି ପରା,
ସାବଧାନ ସେହି         ପୁଳିରେ ହୋଇଛି
         କପଟ – ଜହର ଭରା ।୩ ।

କହୁଅଛ ସ୍ତବେ          ଛାମୁ କାର୍ଯ୍ୟ ଲାଗି
         ସମର୍ପି ପାରଇ ପ୍ରାଣ,
ନିଜ କାର୍ଯ୍ୟ ହେତୁ       ସମୟ ଆସିଲେ
         ନାଶିପାରେ   ତୁମ୍ଭ ପ୍ରାଣ ।୪ ।

ତୁମ୍ଭ ବିପକ୍ଷଙ୍କ         ନିନ୍ଦା କଥା କହି
         ମୋଦ ଜନ୍ମାଏ ଯେ ମନେ,
ଜାଣିଥାଅ ସେହି       ନିଶ୍ଚୟଟି ସେହି
          ନିନ୍ଦୁକବୃନ୍ଦରୁ ଜଣେ ।୫ ।

(କବିବର ରାଧାନାଥ ଏହି କବିତାଟି ଲେଖି ମହାରାଜଙ୍କୁ ଅର୍ପଣ କରିଥିଲେ, ଯାହା ମହାରାଜଙ୍କୁ ଅତ୍ୟନ୍ତ ପ୍ରୀତ କରିଥିଲା, କାରଣ ରାଜନ୍ ତୋଷାମଦୀର ଘୋର ବିରୋଧୀ ଥିଲେ। ଅତଃ ବାମଣ୍ଡା ରାଜପରିଷଦରେ ତୋଷାମଦିଆର ପ୍ରବେଶ ନଥିଲା ।

ସମଗ୍ର ଓଡ଼ିଶାର ଜନସାଧାରଣଙ୍କ ନମସ୍ୟ ବାସୁଦେବ ସୁଢଳଦେବ ଆଦର୍ଶ ରାଜନ୍। ସାହିତ୍ୟଠାରୁ ଆରମ୍ଭ କରି ପ୍ରଜାହିତରେ ସମର୍ପିତ ଆତ୍ମାଙ୍କୁ ସମଗ୍ର ଓଡ଼ିଶାର ଜନସାଧାରଣଙ୍କ ସହ ‘ଅନ୍ତରଙ୍ଗ କଳିଙ୍ଗ‘ ଶତ ପ୍ରଣାମ କରୁଛି ।

Basudev Sudhaldev Basudeba Sudhaladeba
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago