ଲେଖା: ଅମ୍ବିକା ପଟ୍ଟନାୟକ
~ କବିସୂର୍ଯ୍ୟ ବଳଦେବ ରଥ ରାୟଗୁରୁ ମହାପାତ୍ର ~
1. ସରସ ଶ୍ରୀହର୍ଷାଦି ମହାକବି ମାନେ
ବିହରିଲେ ମହୋନ୍ନତ କବନ ବିମାନେ,
ସେ ବିମାନେ ତେଜି ସେ ବିମାନ ଅନାତପ
କଲି ଚନ୍ଦ୍ରକଳା ଗ୍ରନ୍ଥାରମ୍ଭ ସଙ୍କଳପ
(ନମ୍ରତା ଓ ଶାଳୀନତାର ପରିଚୟ)
2. ରଞ୍ଜି ନାୟକ ରଙ୍ଗେ ଚୋପଦାର
ଖଞ୍ଜିଲେ ହେଲେ ଚାବୁକ ସବାର,
ଖିଲାଇଲେ ହେଲେ ନାନା ମସଲା,
ତୁରଗ ହୁଏ କି ରାସଭ ପିଲା..
ଜଗତେ କେବଳ
ଜନେ ହସିବେ ଏହି ତହୁଁ ଫଳ l
3. କବି ହୋଇଗଲେ ସମସ୍ତ ଲୋକେ
ରବି ହେଲେ ଜ୍ୟୋତିରିଙ୍ଗଣ ପୋକେ,
ହବି ହୋଇଗଲେ ପୁଳିନ୍ଦ ପେଜ,
ପବି ହୋଇଗଲେ ମୃଣାଳ ବୃଜ,
ଅଵିଵେକୀ ଦେବେ,
ନୂତନ ସୃଷ୍ଟିକି କଲେ କି ଏଵେ?
(ତୀବ୍ର ଓ ସାର୍ଥକ ବ୍ୟଙ୍ଗ ବାଣ )
4. ଗଲାଣି ତ ଗଲା କଥାରେ ସଙ୍ଗାତ
ଗଲାଣି ତ ଗଲା କଥା,
ଗୁପତେ ସିନା ମୁଁ ତୋତେ ପଚାରିଲି
ବଳି ପଡିବାରୁ ବ୍ୟଥା ରେ ସଙ୍ଗାତ, ଗଲାଣି ତ..
(ପ୍ରସିଦ୍ଧତମ “କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ”)
5. ବାଧିଲା ଜାଣି କର କ୍ଷମା ନୋହିଲେ
ରମାରମଣ ଦଣ୍ଡେ ଦିଅ ଟାଳି,
ତୁମ୍ଭଙ୍କୁ ଜଗନ୍ନାଥ ଆଜ ମୋ ମନୋରଥ
ଭରତି କରି ଦେବି ଗାଳି.. ହେ
(ଶ୍ରୀଜଗନ୍ନାଥଙ୍କୁ ବ୍ୟାଜନିନ୍ଦା)
6. ପଙ୍କରୁହା ଦୃଶା ମୋର ଅଙ୍କେ ବସ ଆସିରେ
ଗୁମାନ ନ କର ତୁ ମାନ ମୋର ଗିର,
ପ୍ରେମାନନ୍ଦେ ଆସ ବାରେ ମନ୍ଦେ ମନ୍ଦେ ହସି ରେ..
(ସରଳ ତରଳ ସାଙ୍ଗୀତିକତା)
କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶବ୍ଦ ଓ ଅଳଙ୍କାର ସମ୍ରାଟ ଥିଲେ, ତାଙ୍କ ଅଧିକାଂଶ ରଚନା କବିକୁ ଛ ମାସ ଜ୍ଞାନୀକୁ ବର୍ଷେ, ନଡ଼ିଆ ପରି ଶକ୍ତ ବାହାର ଖୋଳପା ଭାଙ୍ଗି ମଧୁରତା ଆସ୍ଵାଦନ କରିବାକୁ ହୁଏ l କିନ୍ତୁ କବିସୂର୍ଯ୍ୟ ବଳଦେବ ରଥ ରାୟଗୁରୁ ମହାପାତ୍ରଙ୍କ ଅଧିକାଂଶ ରଚନା ରସଗୋଲା ପରି କୋମଳ ଏବଂ ରସପୂର୍ଣ୍ଣ l
1789 ମସିହା ପବିତ୍ର ଶ୍ରୀପଞ୍ଚମୀ ତିଥିରେ ବଡ଼ଖେମୁଣ୍ଡି ରାଜଧାନୀ ବିଜେନଗ୍ର ଗଡ଼ରେ (ବର୍ତମାନ ସେ ଅଞ୍ଚଳ ଘୋଡ଼ାହାଡ଼ ଜଳ ଭଣ୍ଡାର ମଧ୍ୟରେ ନିମଜ୍ଜିତ) ବଳଦେବ ରଥଙ୍କ ଜନ୍ନ l ପିତା “କବିରାଜ ବ୍ରହ୍ମା” ଉପାଧି ପ୍ରାପ୍ତ ବିଶିଷ୍ଟ ସଭା ପଣ୍ଡିତ, “ସଜ୍ଜନନନ୍ଦ ଚମ୍ପୂ”“ରାମ ଚମ୍ପୂ” ରଚୟିତା ଶ୍ରୀ ଉଜ୍ୱଳ ରଥ l ବାଲ୍ୟକାଳରୁ ମାତୃବିୟୋଗ ହେତୁ ମାତାମହ ଆଠଗଡ଼ ନିବାସୀ ପ୍ରସିଦ୍ଧ ତାନ୍ତ୍ରିକ ତ୍ରିପୁରାରୀ ହୋତାଙ୍କ ଦ୍ଵାରା ଲାଳିତପାଳିତ, ସଂସ୍କୃତ, ଅଭିଧାନ, ଅମରକୋଷ ଧର୍ମଗ୍ରନ୍ଥ ପଠନ l
(ଘୋଡ଼ାହାଡ଼ ଜଳଭଣ୍ଡାରରେ ନିମଜ୍ଜିତ ବିଜୟନଗର ଗଡ଼ର ଭଗ୍ନାବଶେଷ)
(Image Courtesy: Dr. Ananta Ram Kar Koundinya)
ଅଠର ବର୍ଷରେ ଜଳନ୍ତର ରାଜା ରାମଚନ୍ଦ୍ର ଛୋଟରାୟଙ୍କ ଦେବାନ l ସୁସଂସ୍କୃତ ରାଜାଙ୍କ ଅନୁରୋଧରେ କାବ୍ୟ ଜଗତରେ ପ୍ରବେଶ ଓ ଅସମ୍ପୂର୍ଣ୍ଣ “ଚନ୍ଦ୍ରକଳା” କାବ୍ୟ ରଚନା l ଗୁଣମୁଗ୍ଧ ରାଜା “କବିସୂର୍ଯ୍ୟ” ଉପାଧି ଦେଇଥିଲେ l
ନିଜର ପ୍ରଶାସନିକ ଦକ୍ଷତା ବଳରେ ଜଳନ୍ତର, ଆଠଗଡରେ ଦେବାନ, ମହୁରୀର ମ୍ୟାନେଜର ଓ ପାରଳାଖେମୁଣ୍ଡି ଯୁବରାଜଙ୍କ ଅଭିଭାବକ ପଦବୀ ଅଳଙ୍କୃତ କରିଥିଲେ l ତେବେ ପାରଳାଖେମୁଣ୍ଡି ରହଣି ସୁଖକର ହୋଇ ନ ଥିଲା l ସେ ସମୟରେ ପାରଳାଖେମୁଣ୍ଡିରେ ପ୍ରଜା ବିଦ୍ରୋହ ଲାଗି ରହିଥିଲା ଏଣୁ ପ୍ରଜାମାନେ ଇଂରେଜ ସ୍ଥାପିତ ଅଭିଭାବକଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ ଓ ଇଂରେଜମାନେ ମଧ୍ୟ ବଳଦେବଙ୍କୁ ବିଦ୍ରୋହ ସମର୍ଥକ ଭାବୁଥିଲେ ସାହିତ୍ୟ ଜଗତରେ କବିସୂର୍ଯ୍ୟ ବଳଦେବ ରଥ ଏକ ବିସ୍ମୟକର ପ୍ରତିଭା ଥିଲେ l ରୀତିଯୁଗର ଶେଷକାଳ ଓ ଆଧୁନିକ ଯୁଗର ପ୍ରାକକାଳ ରେ ସେ ଏକ ସ୍ପର୍ଦ୍ଧିତ ସମନ୍ୱୟକାରୀ ଯୁଗସ୍ରଷ୍ଟା l ତଦଭବ, ତତ୍ସମ, ଦେଶୀୟ ଓ ବୈଦେଶିକ ଶବ୍ଦ ସବୁର ଅପୂର୍ବ ବିନ୍ଧାଣି ଏଇ କବିସୂର୍ଯ୍ୟଙ୍କ ଏକ ରଚନା:
ଯାଅ ଯାଅ ଶଠ ଶ୍ୟାମ ମୋତେ ସମଝାନା ଆଉ,
ଏ ଚାଟୁ ବିନତି ମୋର କହିବାର ଥାଉ,
ଯା ରସେ ହୋଇଛୁ ଭୋଳ, ବେଗେ ତା ପାଶକୁ ଚଳ
ବୃଥାରେ ଏଣେ ଶୁଖିଲା ସୁହାଗ ଦେଖାଉ,
ଗଉରୀ ତୀର୍ଥରେ ବାଳୀ ଆରାଧନା କରି କାଳୀ
ଭଲ ପାଇଲାଟି ତୋତେ ହେ ମୁରଲୀ ଗାଉ,
ଶ୍ରୀ ପ୍ରତାପରୁଦ୍ର ଦେବ ଭଣେ କହିଲେ କି ହେବ
ଯାର ବୀଟ ଭୃଙ୍ଗ ମତି ଛାଡ଼ ଯିବ କାହୁଁ l
ପୁରୀର ପ୍ରଥମ ଗଜପତି ମୁକୁନ୍ଦଦେବ 1815ରେ ପୁନଶ୍ଚ “କବିସୂର୍ଯ୍ୟ ରୟଗୁରୁ ମହାପାତ୍ର” ଉପାଧି ଓ ଏକ ସନନ୍ଦ ଦେଇ ଶ୍ରୀଜଗନ୍ନାଥ ମନ୍ଦିରରେ କବିସୂର୍ଯ୍ୟଙ୍କ ପାଇଁ କିଛି ବିଶେଷ ଅଧିକାରର ବ୍ୟବସ୍ଥା କରିଥିଲେ l
କବିସୂର୍ଯ୍ୟଙ୍କର ଚନ୍ଦ୍ରକଳା, କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ, ରତ୍ନାକର ଚମ୍ପୂପ୍ରମୋଦୟ ଚମ୍ପୂ ବ୍ୟତୀତ ପ୍ରାୟ 450 ଚଉପଦୀ, ନ’ଟି ଚଉତିଶା, ପନ୍ଦର ଗୋଟି ଛାନ୍ଦ, ତିନି ଗୋଟି ମନାସ ଓ ଅସଂଖ୍ୟ ଭଜନ ଓ ଜଣାଣ ରହିଛି l “ଜଗତେ କେବଳ” ଓ “କାହାକୁ କହିବା ପରି ବ୍ୟଙ୍ଗ ଗୀତିକା ଅଛି l “ହାସ୍ୟ କଲ୍ଲୋଳ” ପରି ଗଦ୍ୟ କାବ୍ୟ ଅଛି l ପ୍ରବାଦ ଅଛି ଆଠଗଡ଼ ରାଜା ପୃଷ୍ଠ ବ୍ରଣରେ କଷ୍ଟ ପାଉଥିବା ବେଳେ “ହାସ୍ୟ କଲ୍ଲୋଳ” ଶୁଣି ପ୍ରଚଣ୍ଡ ଭାବେ ହସିଥିଲେ, ପରିଣାମ ସ୍ୱରୂପ ପୃଷ୍ଠ ବ୍ରଣ ଫାଟି ଯାଇଥିଲା l କବିସୂର୍ଯ୍ୟ ବଳଦେବ ରଥ ମଧ୍ୟ “ଢୁମ୍ପା” ବାଦ୍ୟ ଓ ସଙ୍ଗୀତର ଜନକ ଥିଲେ l
ସାଧାରଣତଃ ଦେବୀ ସରସ୍ବତୀ ସାଧକଗଣ ଦେବୀ ଲଷ୍ମୀଙ୍କ କୃପାରୁ ବଞ୍ଚିତ ଥାଆନ୍ତି l କିନ୍ତୁ କବିସୂର୍ଯ୍ୟଙ୍କ ଉପରେ ଦେବୀ ସରସ୍ବତୀ ଓ ଦେବୀ ଲଷ୍ମୀ, ଦୁଇଜଣଙ୍କ ଅହେତୁକ କୃପା ଥିଲା l ସେ ପ୍ରଚୁର ଭୁସମ୍ପତ୍ତି ଓ ଅମାପ ଅର୍ଥର ଅଧିକାରୀ ଥିଲେ l ଆନୁମାନିକ 1845 ମସିହାରେ କବିଙ୍କ ପରଲୋକ ହୋଇଥିଲା l
ଚିତ୍ର କୃତଜ୍ଞତା: କବିସୂର୍ଯ୍ୟ – ଶ୍ରୀ ନିରଞ୍ଜନ ସାହୁ
ଘୋଡ଼ାହାଡ଼ ଜଳଭଣ୍ଡାର – ଇଣ୍ଟରନେଟ
#ପୂଜ୍ୟପୂଜା Kabisurjya Baladeba Ratha
Ambika Patnaik
Spread the love
admin

View Comments

  • ଏତେ ସୁନ୍ଦର ତତ୍ତ୍ଵ ଓ ତଥ୍ୟ ଭିତ୍ତିକ ଆଲୋଚନା ଯାହା କେବଳ ପଢ଼ିଲେ ପାଠକଙ୍କୁ ଜଣା ପଡ଼ିବ । ଧନ୍ୟବାଦ ସହ 🌹

  • ସୁନ୍ଦର ଉପସ୍ଥାପନା ଆମ ମାଟିର ମହାପୁରୁଷଙ୍କୁ ନେଇ 🙏

  • ରୀତିଯୁଗୀୟ କବିମାନଙ୍କ ମଧ୍ୟରେ କବିସୂର୍ଯ୍ୟ ବଳଦେବ ରଥ ପ୍ରକୃତରେ ଜଣେ ସାଙ୍ଗୀତିକ ସ୍ରଷ୍ଟା । ଏକଦା ତୈଲିଙ୍ଗୀ ସଙ୍ଗୀତର ବିସ୍ତାର ଓ ଓଡ଼ିଶୀ ସଙ୍ଗୀତର ଅନାଦୃତିର ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜର ବିଲକ୍ଷଣ ବଳରେ ଓଡ଼ିଶୀ ଛାନ୍ଦ, ଚମ୍ପୂ, ଚଉପଦୀ ପ୍ରଭୃତିକୁ ନୂଆ ପରିଚୟ ଦେଇ ଢୁମ୍ପା ଭଳି ଲୋକସଙ୍ଗୀତର ପ୍ରସାରରେ ଯିଏ ନାନା ଢୁମ୍ପା ରଚନା ସ୍ବକୀୟ ପ୍ରତିଭାରୁ ସୃଷ୍ଟି କରି ଯାଇଛନ୍ତି, ବାସ୍ତବରେ ଏଠି କବିବର ରାଧାନାଥ ରାୟଙ୍କ ପଦ କତିପୟ ଯଥାର୍ଥ ପୁନରୁଦ୍ଧାର କରାଯାଇପାରେ, "ତୁମ୍ଭ ମାଟି ଦେହ ଗ୍ରାସିଛି ଶ୍ମଶାନ, ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ ।"

  • ରୀତିଯୁଗୀୟ କବିମାନଙ୍କ ମଧ୍ୟରେ କବିସୂର୍ଯ୍ୟ ବଳଦେବ ରଥ ପ୍ରକୃତରେ ଜଣେ ସାଙ୍ଗୀତିକ ସ୍ରଷ୍ଟା । ଏକଦା ତୈଲିଙ୍ଗୀ ସଙ୍ଗୀତର ବିସ୍ତାର ଓ ଓଡ଼ିଶୀ ସଙ୍ଗୀତର ଅନାଦୃତିର ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜର ବିଲକ୍ଷଣ ବଳରେ ଓଡ଼ିଶୀ ଛାନ୍ଦ, ଚମ୍ପୂ, ଚଉପଦୀ ପ୍ରଭୃତିକୁ ନୂଆ ପରିଚୟ ଦେଇ ଢୁମ୍ପା ଭଳି ଲୋକସଙ୍ଗୀତର ପ୍ରସାରରେ ଯିଏ ନାନା ଢୁମ୍ପା ରଚନା ସ୍ବକୀୟ ପ୍ରତିଭାରୁ ସୃଷ୍ଟି କରି ଯାଇଛନ୍ତି, ବାସ୍ତବରେ ଏଠି କବିବର ରାଧାନାଥ ରାୟଙ୍କ ପଦ କତିପୟ ଯଥାର୍ଥ ପୁନରୁଦ୍ଧାର କରାଯାଇପାରେ, "ତୁମ୍ଭ ମାଟି ଦେହ ଗ୍ରାସିଛି ଶ୍ମଶାନ, ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ ।"

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago