ଲେଖା: ଶିବାଶିଷ ମହାପାତ୍ର
ଏକ ସାଧାରଣ ମଣିଷ ନିଜର ସାଧନା ତଥା କର୍ଯ ଯୋଗୁଁ ଆଜି ହୋଇପାରିଛନ୍ତି ଏକ ଅସାଧାରଣ ବ୍ୟକ୍ତିତ୍ଵ । ଆଜି ସାନ୍ତାଳୀ ସମ୍ପ୍ରଦାୟର ଲୋକେ ତାଙ୍କୁ ପୂଜା କରନ୍ତି ତଥା ସମ୍ପ୍ରଦାୟର ଲୋକଙ୍କ ଆଦର୍ଶ ଭାବରେ ପରିଚିତ । ଗୁରୁପୁର୍ଣିମା ଦିନ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିକଟସ୍ଥ କପିବୁରୁ ଅଞ୍ଚଳ ଲୋକାରଣ୍ୟ ହୋଇଉଠେ ଗୁରୁଙ୍କ ପୂଜା ପାଇଁ । ସେଇ ଗୁରୁ ଯାହାଙ୍କ ଯୋଗୁଁ ଆଜି ସମ୍ଭବ ହୋଇଛି ସାନ୍ତାଳୀ ଭାଷାର ଲିପି ।
ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ ହେଉଛନ୍ତି ସାନ୍ତାଳୀ ଲିପିର ସ୍ରଷ୍ଟା । ଏହି ଲିପିକୁ ᱚᱞ ᱪᱮᱠᱮ(Ol Chiki) ବୋଲି କହିଥାନ୍ତି । କାହିଁ କେଉଁ କାଳରୁ ଚାଲି ଆସିଥିଲା ସାନ୍ତାଳୀ ଭାଷା ହେଲେ ନଥିଲା ଏହାର ଲିପି । ଏହି ଲିପି କେବଳ ଓଡ଼ିଶା କି ଭାରତରେ ନୁହଁ ତଥା ବାଂଲାଦେଶ ଏବଂ ନେପାଳରେ ମଧ୍ୟ ସାନ୍ତାଳୀ ସମ୍ପ୍ରଦାୟର ଲୋକମାନେ ବ୍ୟବହାର କରିଥାନ୍ତି । ଏହି ଲିପିର ସୃଷ୍ଟି ଆଜି ଏହି ସମ୍ପ୍ରଦାୟର ସାଂସ୍କୃତିକ ଏକତାକୁ ବଜାୟ ରଖିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ମେ ମାସ ୫ ତାରିଖ ୧୯୦୫ ମସିହା ବୈଶାଖ ମାସ ପୁର୍ଣିମା ଦିନ ମୟୁରଭଞ୍ଜ ଜିଲ୍ଲାର ଦାଣ୍ଡାବୁସ ଗାଁର ଗାଁ ମୁଖିଆ ଶ୍ରୀ ନନ୍ଦଲାଲ ମୁର୍ମୁ ଏବଂ ସ୍ତ୍ରୀ ଶ୍ରୀମତୀ ସଲୋମି ଟୁଡୁଙ୍କ ଘରେ ତୃତୀୟ ସନ୍ତାନ ଭାବରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ କାକା ଥିଲେ ମୟୁରଭଞ୍ଜ ରାଜା ଶ୍ରୀ ପ୍ରତାପଚନ୍ଦ୍ର ଭଞ୍ଜଦେଓଙ୍କ ରାଜଦରବାରର ଜଣେ ମୁନସୀ । ସାନ୍ତାଳୀ ସମ୍ପ୍ରଦାୟ ଅନୁସାରେ ଏହି ନବଜନ୍ମିତ ଶିଶୁର ନାମ ତାଙ୍କ ଅଜାଙ୍କ ନାମ “ଛୁନୁ” ନାମରେ ନାମିତ କରିଥିଲେ । ପରେ ପରେ ଏହି ବାଳକ ରଘୁନାଥ ନାମରେ ପରିଚିତ ହେଲେ । ନିଜ ଗାଁ ରୁ ୩ କିଲୋମିଟର ଦୂର ଗମ୍ଭାରିଆ ପ୍ରାଥମିକ ବିଦ୍ୟାଳୟରେ ସାତ ବର୍ଷ ବୟସରେ ସେ ପାଠ ପଢ଼ିବାକୁ ଯାଇଥିଲେ ୧୯୧୨ ମସିହାରେ । ସେଇଠି ଓଡ଼ିଆ ଏବଂ ଇଂରାଜୀ ଭାଷାରେ ବିଦ୍ୟାଦାନର ପ୍ରକ୍ରିୟା ତାଙ୍କ ମନରେ ଗଭୀର ରେଖାପାତ କରିଥିଲା କାରଣ ବିଦ୍ୟାଳୟର ଅଧିକାଂଶ ଛାତ୍ର ଛାତ୍ରୀ ଥିଲେ ସାନ୍ତାଳୀ । ସେଇ ଗୋଟାଏ ପ୍ରଶ୍ନ ସାନ୍ତାଳୀ ଭାଷାରେ ପାଠପଢ଼ା କାହିଁକି ହେଉ ନାହିଁ ? ତାଙ୍କ ମନକୁ ଆନ୍ଦୋଳିତ କରୁଥିଲା ।
ନିଜ ଗ୍ରାମରୁ ୭ କିଲୋମିଟର ଦୂର ବାହାଳଦା ପ୍ରାଥମିକ ବିଦ୍ୟାଳୟ ରେ ୧୯୧୪ ମସିହାରେ ନାମ ଲେଖାଇଲେ । ଘରଠାରୁ ବିଦ୍ୟାଳୟ ଦୂରରେ ଥିବାରୁ ବିଦ୍ୟାଳୟ ନିକଟରେ ବାଲାଡୁଙ୍ଗୁରି ଠାରେ ସଂପର୍କୀୟଙ୍କ ଜମିରେ ଏକ ଚାଳ ଘର ବନାଇ ସାଙ୍ଗଙ୍କ ସହିତ ରହିବାକୁ ଲାଗିଲେ । ପିଲାଦିନରୁ ମାଟିରେ ଖେଳୁ ଖେଳୁ ସାନ୍ତାଳୀ ଲିପିର ଜବନିକା ପଡ଼ିଥିଲା । ପରେ ପରେ ବାରିପଦାକୁ ସେ ଉଚ୍ଚଶିକ୍ଷା ପାଇଁ ଗଲେ କିନ୍ତୁ ସେଠାରେ ମନ ଲାଗୁନଥିଲା କାରଣ ଥିଲା ସାନ୍ତାଳୀ ଭାଷାର ବ୍ୟବହାର ନ ଥିଲା । ଛୁଟି ସମୟରେ ନିଜ ଗାଁ ପାଖ କପିବୁରୁ ଜଙ୍ଗଲରେ ଏକାନ୍ତ ଭାବରେ ରହୁଥିଲେ ଏବଂ କିଛି ଭାବୁଥିଲେ ।
ଏହା କୁହାଯାଏ ଏହା କପିବୁରୁ ଜଙ୍ଗଲରେ ୧୯୨୫ ମସିହାରେ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ ଏହି ଲିପିର ଆବିଷ୍କାର କରିଥିଲେ । ଆଗରୁ ପ୍ରିଣ୍ଟିଂର ସୁବିଧା ନଥିବା ଯୋଗୁଁ ରୁଟି ବେଲା ବାଡ଼ିରେ ଅକ୍ଷର ଛେଦ କରି ତାହା ଉପରେ କାଳି ମଡ଼ାଇ ସାଦା କାଗଜରେ ତାର ଲେପ କରି ଲୋକଙ୍କୁ ବୁଝାଇବା ସହ ଅନୁରୋଧ କରୁଥିଲେ ନିଜ ଭାଷା ପାଇଁ । ୧୯୨୮ ମସିହାରେ ପାଟନା ବିଶ୍ବବିଦ୍ୟାଳୟରୁ ପାସ କଲା ପରେ ଯାମଯୋଡା ଗ୍ରାମର ଲୋହା ବାସକେଙ୍କୁ ବିବାହ କରିଥିଲେ । ପରେ ବାରିପଦା ପାଓ୍ବାର ହାଉସ୍ ରେ ପ୍ରଶିକ୍ଷଣ ପାଇଁ ନିଯୁକ୍ତି ପାଇଥିଲେ । ବାରିପଦା ରେ ନିଜ ଘର ବନେଇବା ସହ ଅଧିକ ଜ୍ଞାନ ପାଇଁ ମୟୁରଭଞ୍ଜର ଦିଓ୍ବାନ ଶ୍ରୀ ପି କେ ସେନ୍ ତାଙ୍କୁ କଲିକତା ପଠାଇଥିଲେ ଟ୍ରେନିଂ ପାଇଁ । ୧୯୩୩ ମସିହାରେ ବଡାମତୋଳିଆ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ । ପରେ ପରେ ସେ ଗମ୍ଭାରିଆ, ବାହାଳଦା ଏବଂ ରାଇରଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ ଏବଂ ଏଥିଯୋଗୁଁ ଲୋକଙ୍କ ଭିତରେ ପଣ୍ଡିତ ଭାବରେ ପରିଚିତ ହେଲେ ।
୧୯୪୨ ମସିହାରେ ସ୍ବଦେଶୀ ଆନ୍ଦୋଳନ ସମୟରେ ଶ୍ରୀ ମୁର୍ମୁ ଏହି Ol Chiki ଲିପିର ପ୍ରଚାର କଲେ ଏବଂ ଜଣେ ସତ୍ୟାଗ୍ରହୀ ଭାବରେ ପରିଚିତ ହେଲେ । ଏହି ସମୟରେ ସେ ଅନେକ ଗାଁ ସବୁ ବୁଲାବୁଲି କରି ପୋଡ଼ା ଇଟା ଉପରେ ନିଜ ଭାଷା ଲେଖି ଲୋକ ମାନଙ୍କ ମଧ୍ୟରେ ନିଜ ଭାଷା ବିଷୟରେ ଆଲୋଚନା କରୁଥିଲେ । ଭାରତ ସ୍ବାଧୀନ ହେବାପରେ ସବୁ ଦେଶୀୟ ରାଜ୍ୟ ମାନେ ଭାରତ ସରକାରଙ୍କ ସହ ମିଶିବାକୁ ଲାଗିଲେ । ଏହି ସମୟରେ ଝାରଖଣ୍ଡ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଁ ଆନ୍ଦୋଳନ ଆରମ୍ଭ ହେଲା ଏବଂ ପଣ୍ଡିତ ରଘୁନାଥ ମୁର୍ମୁ ଏହି ଆନ୍ଦୋଳନକୁ ସହମତି ତଥା ସହଯୋଗ କରିଥିଲେ । ଏହି ସମୟରେ ପୋଲିସ ଆନ୍ଦୋଳନକାରୀ ଙ୍କ ସାମ୍ନା ହୋଇଥିଲା । ପୋଲିସ ଗୁଳି ଚଳାଇବାକୁ ବାଧ୍ୟ ସୋଇଥିଲା ଜାନୁଆରୀ ମାସ ୧ ତାରିଖ ୧୯୪୮ ମସିହାରେ ଖରସୁଆଁ ଠାରେ ଏବଂ ୬ ଫେବୃଆରୀ ୧୯୪୯ ରେ ମୟୁରଭଞ୍ଜ ଜିଲ୍ଲାର ଗୁଣ୍ଡୁରିଆ ଠାରେ । ଏହା ପରେ ପୋଲିସ ଶ୍ରୀ ମୁର୍ମୁଙ୍କୁ ଗିରଫ କରିବା ପାଇଁ ଆଦେଶ ଜାରି କରିଥିଲେ । ଏହା ପରେ ସେ କରମଡିହିକୁ ଚାଲି ଆସିଥିଲେ । ସେଠାରେ ରହି ଜାମସେଦପୁର ଟାଟା କମ୍ପାନୀରେ କିଛି ଦିନ କାମ କରି ଛାଡ଼ି ଦେଇଥିଲେ । ସାଙ୍ଗ ଶ୍ରୀ ସାଧୁ ମୁର୍ମୁଙ୍କ ସହ ଗାଁ ଗାଁ ବୁଲି ନିଜ କଥା ତଥା ଲିପି କଥା ଗାଁ ଲୋକଙ୍କୁ ବୁଝାଉଥିଲେ । ଘର କାନ୍ଥରେ ଅକ୍ଷରସବୁ ଚିତ୍ର କରି ଏଇ ଭାଷା ତଥା ଲିପିର ଯୋଦ୍ଧା ସାଜିଥିଲେ ।
୧୯୫୬ ମସିହାରେ ସର୍ବଭାରତୀୟ ସରନା ମହାସଭା ହୋଇଥିଲା ଜାମସେଦପୁର ନିକଟସ୍ଥ କରମଡିହି ଗ୍ରାମରେ । ଏହିଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ “ଗୁରୁ ଗୋମକେ” (ଗୁରୁ ମୁଖ୍ୟ) ଉପାଧି ପ୍ରଦାନ କରିଥିଲେ ମାରାମ୍ ଗୋମକେ (ଜାତି ମୁଖ୍ୟ) ଜୟପାଲ ସିଂହ । ଜଣେ ସଂପର୍କୀୟ ଭାଇ ଏହି ସମୟରେ ଏକ ପ୍ରିଣ୍ଟିଂ ଯନ୍ତ୍ର କିଣିଥିଲେ । କଲିକତାରୁ ଓଲ୍ ଚିକି ଲିପିର ଢ଼ଳାଇ ଆଣି ଏହି ଲିପିରେ ଲେଖା ସବୁ ବାହାର କଲେ । ୧୯୩୬ ମସିହାରେ “ବିଦୁ ଚନ୍ଦନ” ପୁସ୍ତକ ନିଜ ଲିପିରେ ପ୍ରକାଶ କଲେ ଏବଂ ଆଜିର ସମୟରେ “ଜ୍ଞାନର ଭଗବାନ” ବୋଲି କୁହାଯାଏ । ଆଜି ମଧ୍ୟ ପଶ୍ଚିମ ବଙ୍ଗର ଝାରଗ୍ରାମ ପାଖରେ ଜୁଆଲ ଓ ଭାଙ୍ଗା ନଦୀ କୂଳରେ ଏହି ଠାକୁର ସହ ପଣ୍ଡିତ ଏବଂ ତାଙ୍କ ପତ୍ନୀଙ୍କୁ ପୂଜା କରାଯାଏ । ୧୫୦ ରୁ ଉର୍ଦ୍ଧ୍ବ ପୁସ୍ତକ ପଣ୍ଡିତ ମୁର୍ମୁଙ୍କ ସାନ୍ତାଳୀ ଓଲ୍ ଚିକି ଭାଷାରେ ଲିଖିତ । ଏ ମଧ୍ୟରୁ ଅନେକ ଳବିତା, ନାଟକ, କାହାଣୀ ଭାବରେ ରହିଛି ।
ତାଙ୍କର ଏହି ଅଧ୍ୟବସାୟ ତଥା କଠିନ ପରିଶ୍ରମ ଫଳରେ ସାନ୍ତାଳୀ ଭାଷା ପାଇଲା ନିଜର ଲିପି । ଏଥିପାଇଁ ଅନେକ ସ୍ଥାନରେ ପଣ୍ଡିତ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ତଥା ବଙ୍ଗଳା ସରକାର ତାଙ୍କୁ ଦେଇଛନ୍ତି ଏକ ତାମ୍ରଫଳକ । ରାଞ୍ଚି ବିଶ୍ବବିଦ୍ୟାଳୟ ସମ୍ମାନୀତ କରିଛି ସାହିତ୍ୟ ଜଗତରେ ଡକ୍ଟରେଟ୍ ଉପାଧିରେ । ବିଶିଷ୍ଟ ସାହିତ୍ୟିକ ଶ୍ରୀ ମାର୍ଟିନ ଓରାମ ତାଙ୍କୁ ଧର୍ମଗୁରୁ ଭାବେ ସମ୍ମୋଧନ କରିଥିଲେ । ବାରିପଦା ସ୍ଥିତ ଭେଷଜ ମହାବିଦ୍ୟାଳୟ ନାମକରଣ ହୋଇଛି ତାଙ୍କରି ନାମ ଅନୁସାରେ । ଏହା ବାଦ ସବୁଠାରୁ ବଡ଼ ଉପାଧି ହେଲା ଲୋକେ ତାଙ୍କୁ ଭଲ ପାଆନ୍ତି, ଶ୍ରଦ୍ଧା କରନ୍ତି ଏଇ ଭାଷା ତଥା ଜାତିକୁ ତାଙ୍କର ଅନନ୍ୟ ଅବଦାନ ।
ସମାଜକୁ ଆଗକୁ ବଢ଼ାଇବାରେ ଭାଷା ଏବଂ ଲିପିର ଏକ ବିଶେଷ ଭୂମିକା ରହିଛି ଏ କଥା ପଣ୍ଡିତ ମୁର୍ମୁ ଚେତାଇ ଦେଇଥିଲେ । ସମ୍ବିଧାନର ଅଷ୍ଟମ ସୂଚୀରେ ଏଇ ସାନ୍ତାଳୀ ଭାଷା ୨୨ ଡ଼ିସେମ୍ବର ୨୦୦୩ରେ ସାମିଲ ହୋଇଥିଲା । ସର୍ବଭାରତୀୟ ସାନ୍ତାଳୀ ଶିକ୍ଷା ସଂସ୍ଥା ଦ୍ୱାରା ପ୍ରାଥମିକ ଠାରୁ ମହାବିଦ୍ୟାଳୟ ମଧ୍ୟରେ ଏହି ଭାଷାରେ ପରୀକ୍ଷା କରାଯାଏ ଏବଂ ପାଖାପାଖି ୧୦,୦୦୦ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଭାଗ ନିଅନ୍ତି ।
ଫେବୃଆରୀ ମାସ ୨ ତାରିଖ ୧୯୮୨ ମସିହା ମାଘ ପୂର୍ଣ୍ଣିମା ଦିନ ଏହି ସାନ୍ତାଳୀ ସମ୍ପ୍ରଦାୟର ଲୋକେ ହରାଇଥିଲେ ନିଜର ଲିପିର ଆବିଷ୍କାରକ, ଧର୍ମଗୁରୁ, ସମାଜର ମୁଖିଆ ତଥା ନିଜ ସଂସ୍କୃତି ପରମ୍ପରା ଓ ଐତିହ୍ୟକୁ ବଜାୟ ରଖିବାକୁ ଶତଚେଷ୍ଟିତ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ । ଆଜି ମଧ୍ୟ କାପିବୁରୁ ଠାରେ ଥିବା ତାଙ୍କ ସ୍ମାରକୀ ଯୋଗାଇଥାଏ ଲୋକଙ୍କୁ ଆତ୍ମବିଶ୍ବାସ ତଥା ଆଗକୁ ବଢ଼ିବାର ଆଶା । ଗୁରୁ ଗୋମକେ ଚାଲିଗଲେ ସତ କିନ୍ତୁ ଛାଡ଼ିଗଲେ ତାଙ୍କ ପାଣ୍ଡିତ୍ୟ ଏବଂ ଗାରିମା ।