ଲେଖା: ଦେଵ ତ୍ରିପାଠୀ
“ଛି ଛି ମଦ ପିଇବି ନାହିଁ ଲୋ କଳାପାଣି ପରି ଦିଶେ,
ସେଇ କଳାପାଣି ପେଟରେ ପଡ଼ିଲେ ଚଉଦ ଭୂବନ ଦିଶେ”
ଏପରି ସୁଲଳିତ ଓ ବୋଧଗମ୍ୟ ପଦାବଳୀକୁ ନାଟକୀୟ ଅଭିନୟ ମାଧ୍ୟମରେ ସମାଜରେ ନିଶାନିବାରଣ ତଥା ଛୁଆଁଅଛୁଆଁ ଭଳି ସାମାଜିକ କୁସଂସ୍କାର, ଇଂରେଜ ଶାସନର ଅତ୍ୟାଚାର, ମାଦକ ବର୍ଜନ, ଓଡ଼ିଆଙ୍କ କୁଲିଗିରି ଆଦିର ସମାଲୋଚନା; ସମାଜରେ ନିଷ୍ପେସିତ ଗରିବ ଲୋକମାନଙ୍କ ଦୁଃଖ-ଦୁର୍ଦ୍ଦଶା, ଚାଳିଚଳଣି ଆଦି ଉପସ୍ଥାପନା ଦ୍ଵାରା ତତ୍କାଳୀନ ଓଡ଼ିଶାରେ ସାଂସ୍କୃତିକ ଜାଗରଣ ସୃଷ୍ଟି କରିବା ସହିତ ଓଡ଼ିଆ ସାହିତ୍ୟ ଜଗତରେ ସ୍ବତନ୍ତ୍ର ସ୍ଥାନ ଓ ପରିଚୟ ସୃଷ୍ଟି କରିପାରିଛନ୍ତି ସେ ହେଉଛନ୍ତି ‘ଜନମାନସର କବି’, ‘ଆଶୁକବି’, ‘ବିଦଗ୍ଧକବି’, ‘ଗଣକବି’ ବୈଷ୍ଣବ ପାଣି ।
ବହୁମୁଖୀ ପ୍ରତିଭାର ଅଧିକାରୀ ବୈଷ୍ଣବ ପାଣି ପାଲାଗାୟକ ଭାବରେ ରାମାୟଣ, ମହାଭାରତ, ସାରଳା ମହାଭାରତ, ଭାଗବତ, ନୃସିଂହ ପୁରାଣ, ଦାଣ୍ଡି ରାମାୟଣ ଓ ବିଲଙ୍କା ରାମାୟଣ ଆଦି ଅଧ୍ୟୟନ କରି ସେଥିରୁ ଉପାଖ୍ୟାନମାନ ଆହରଣ କରିଥିଲେ। ଏହା ତାଙ୍କ ନାଟକ ରଚନାରେ ପରିଲକ୍ଷିତ । ପାଲାକାର ଜୀବନରୁ ତାଙ୍କର ଆଶୁ କବିତା ଲିଖନ ଆରମ୍ଭ ହୋଇଥିଲା । ତାଙ୍କର ଗୀତାଭିନୟ ପ୍ରହସନ ଗୁଡ଼ିକରେ ସଂଯୋଜିତ ସଙ୍ଗୀତଗୁଡ଼ିକ ପାଇଁ ସେ ଗଣକବି ଭାବରେ ଜଣାଶୁଣା । ଏଥିରେ ଗଣଜୀବନର ଭାଷା, ସୁଖ ଦୁଃଖ, ପଲ୍ଲୀ ପ୍ରାଣତା ଓ ବାସ୍ତବ ଜୀବନର ଚିତ୍ର ପରିଲକ୍ଷିତ ।
‘ଶକୁନ୍ତଳା’ ଓ ‘ଛାନ୍ଦ କିଶୋରୀ ବିଳାପ’ ତାଙ୍କର ଦୁଇଟି ଗାଥାକାବ୍ୟ । ଏଥିରେ ବିଦଗ୍ଧ କାବ୍ୟିକତା ଦେଖିବାକୁ ମିଳିଥାଏ ।
ମହାକବି କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍ ଓ ସ୍ଵଭାବକବି ଗଙ୍ଗାଧରଙ୍କ ‘ପ୍ରଣୟ ବଲ୍ଲରୀ’ କାବ୍ୟ ଅନୁସରଣ କରି ବୈଷ୍ଣବ ପାଣି ରଚନା କରିଛନ୍ତି ‘ଶକୁନ୍ତଳା’ କାବ୍ୟ । ‘ଛାନ୍ଦ କିଶୋରୀ ବିଳାପ’ ଗଣକବିଙ୍କ ମର୍ମସ୍ପର୍ଶୀ ରଚନା । ବିଭିନ୍ନ ରାଗରାଗୀଣି ସମ୍ବଳିତ ଛନ୍ଦ ଏହି କାବ୍ୟର ଗୀତିଧର୍ମ କାବ୍ୟିକତାର ସ୍ଵରୂପ ବହନ କରିଛି । ଚଉତିଶା, ଚଉପଦୀ, ଭଜନ, ଜଣାଣ, ମାହାତ୍ମ୍ୟ, ମାଳିକା, ଶୋକଗୀତି, କୀର୍ତ୍ତନ ଆଦି ବିବିଧ କବିତା ରଚନା କରି ସେ ଓଡ଼ିଆ ପଦ୍ୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି ।
ବୈଷ୍ଣବ ପାଣି ଜଣେ ସଫଳ ଗୀତିକବି, ସ୍ଵତଃସ୍ପ୍ବର୍ତ୍ତ ତାଙ୍କର କବିତ୍ଵ । ଅନ୍ତରର ଭାବହିଁ ତାଙ୍କ କବିତାର ଭାବବିନ୍ଦୁ । ଗଣକବି ବୈଷ୍ଣବ ପାଣି ମଧ୍ୟଯୁଗୀୟ କବିମାନଙ୍କର ପରି ଚଉତିଶା ରଚନା କରିଛନ୍ତି । ଦୀନକୃଷ୍ଣ ଦାସଙ୍କ ‘ଆର୍ତ୍ତତ୍ରାଣ ଚଉତିଶା’ ପରି ଗଣକବି ‘ନୀଳାଚଳ ଚଉତିଶା’ ରଚନା କରିଛନ୍ତି ଯାହା ଖୁବ୍ ହୃଦ୍ୟଗ୍ରାହୀ ଓ ଭକ୍ତିଭାବପୂର୍ଣ୍ଣ । ଏତଦ୍ ବ୍ୟତୀତ ତାଙ୍କର ‘ସାରଳା ଦେବୀ ଜଣାଣ’, ‘ଚଉତିଶା’, ‘ଓଲଟ ଚଉତିଶା’, ‘ରାଧାକୃଷ୍ଣ ଚଉତିଶା’, ‘ମଙ୍ଗଳା ଚଉତିଶା’ ଆଦି ଲୋକପ୍ରିୟ । ତାଙ୍କର ଭଜନ ଓ ଜଣାଣ ଭିତରୁ କବିଙ୍କର ଭକ୍ତିଭାବର ମାର୍ମିକ ପରିଚୟ ମିଳେ । ସେ ମଧ୍ୟ ରଚନା କରିଛନ୍ତି ଅନେକ ପ୍ରେମ ଗୀତିକବିତା ।
ଗଣକବି ମଧ୍ୟ ଅନେକ ଗୁଡ଼ିଏ ଶୋକ ଗୀତି କବିତାର ସ୍ରଷ୍ଟା । ତାଙ୍କ ଶୋକ ଗୀତିକବିତା ମଧ୍ୟରେ ‘ଉତ୍କଳମଣି ଗୋପବନ୍ଧୁ ଶୋକ’, ‘ପଞ୍ଜାବ କେଶରୀ ବିୟୋଗ’ ଅନ୍ୟତମ । ‘ସ୍ଵରାଜ୍ୟ ପ୍ରଶଂସା’, ‘ସତ୍ୟାଗ୍ରହୀ’, ‘ଜାତୀୟ ଗୀତିକା’, ବାପୁଜୀ ଓ ଉତ୍କଳକୁ ନେଇ ସେ ବହୁ ଜାତୀୟବାଦୀ ଗୀତିକବିତା ରଚନା କରିଛନ୍ତି ।
ଗଣକବିଙ୍କ ସୃଷ୍ଟି ସାମାଜିକ ସଚେତନତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଜାତୀୟଭାବ ଉଦ୍ରେକ କରିବାରେ ସହାୟକ ହୋଇଥିଲା । କଥାକାର ଭାବରେ ବୈଷ୍ଣବ ପାଣି ଆଦ୍ୟ ଓଁକାର ତୋଳିଛନ୍ତି ତାଙ୍କର ପ୍ରଥମ ସୃଷ୍ଟି ‘ଦୁଃଖିନୀ ଗୋବର ଗୋଟେଇ’ ଉପନ୍ୟାସ ମାଧ୍ୟମରେ । ଜାତି, ଜାତକ ଓ ଯୌତୁକ ବିହୀନ ସମାଜର ଏକ ଅସମାହିତ ପ୍ରଶ୍ନକୁ ସଜୀବ ଓ ସରଳ ପ୍ରଣାଳୀରେ ସମାଧାନ କରିବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ଅସୀକୁ ମସୀର ସମ୍ମାନ ଦେଇ ତାଙ୍କ ସୃଷ୍ଟିରୁ ନିର୍ଗତ ହୋଇଛି ‘ଭି.ପି. ବର‘ ଉପନ୍ୟାସ । ଏହା ଏକ ବ୍ୟଙ୍ଗ ଧର୍ମୀ ଉପନ୍ୟାସ ଭାବରେ ସ୍ଵକୀୟତା ପ୍ରତିପାଦନ କରେ । ତାଙ୍କର ‘ସଚିତ୍ର ସ୍ଵାମୀସ୍ତ୍ରୀ‘ ଓ ‘ଉତ୍କଳ ଗୃହଲକ୍ଷ୍ମୀ’ ପ୍ରମୁଖ ଉପନ୍ୟାସ ନାରୀସମାଜ ପାଇଁ ଏକ ଦର୍ପଣଶିଳା । ତାଙ୍କର ଗଦ୍ୟ ରଚନାରେ ପ୍ରାଣବନ୍ତ ବର୍ଣ୍ଣନାଶୈଳୀ ଯେପରି ପରିଚ୍ଛନ୍ନ ସେପରି ମର୍ମସ୍ପର୍ଶୀ ।
କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୋଠପଦା ଗ୍ରାମରେ ଆଜିର ବୈଶାଖ ଅମାବାସ୍ୟା ତିଥିରେ ମହାପ୍ରୟାଣ ଲଭିଥିବା ଏହି ମହାନ ମାନବବାଦୀ ସ୍ରଷ୍ଟାଙ୍କ ଚରଣରେ ଅନ୍ତରଙ୍ଗ କଳିଙ୍ଗ ଭକ୍ତିପୂତ ନମନ ।