ଲେଖା: ନିରଞ୍ଜନ ସାହୁ
ଯଶସ୍ଵୀ ଓ ସଫଳ ସ୍ରଷ୍ଟା ପଦ୍ମଭୂଷଣ ଡ. କାଳିନ୍ଦୀଚରଣ ପାଣିଗ୍ରାହୀ । ପ୍ରଥମ ବିଶ୍ୱଯୁଦ୍ଧ (୧୯୧୪-୧୮) ଓ ଦ୍ଵିତୀୟ ବିଶ୍ଵଯୁଦ୍ଧ (୧୯୩୯-୪୫)ର ମଧ୍ୟବର୍ତ୍ତୀ କାଳ । ଅତି ନିର୍ଦ୍ଦୟ ଭାବରେ ପୃଥିବୀକୁ କ୍ଷତବିକ୍ଷତ କରିଥିଲା ଏହି ଦୁଇ ମହାଯୁଦ୍ଧ। ଫଳତଃ ସମଗ୍ର ବିଶ୍ଵ ସମୁଦାୟରେ ମୁକ୍ତି ପାଇଁ ଆତୁରତା ଓ ଶାନ୍ତି ଲାଗି ପ୍ରକାଶିତ ହୋଇଥିଲା ଅତି ବ୍ୟାକୁଳତା । ମହାସମରର ବିପର୍ଯ୍ୟୟ ସାହିତ୍ୟ ଜଗତରେ ମଧ୍ୟ ବିପ୍ଳବର ସୂତ୍ରପାତ କରିଥିଲା । ଦେଶପ୍ରୀତିର ଉଦାତ୍ତ ସ୍ଵର ଶୁଣିବାକୁ ମିଳୁଥିବା ବେଳେ ଆନ୍ତର୍ଜାତିକ ସ୍ତରରେ ଶୋଷିତ, ପରାଧୀନ ଜାତି ମାନଙ୍କ ନିକଟରେ ଜାତୀୟ ଚେତନାର ଉଦ୍ଦ୍ରେକ ହେଲା । ସାମ୍ୟ, ମୈତ୍ରୀ, ସ୍ଵାଧୀନତାର ଜୟଶଂଖ ନିନାଦିତ ହୋଇ ଉଠିଲା । ଭାରତବର୍ଷ ବା ଏଥିରୁ ବାଦ୍ ପଡନ୍ତା କେମିତି ? ଅତଏବ ଭାରତୀୟ ସାହିତ୍ୟରେ ନୂତନ ସମ୍ଭାବନା, ନୂତନ ଜୀବନ, ନୂତନ ଚେତନା ଓ ଅଭୂତପୂର୍ବ ପ୍ରଗତିର ସୂଚନା କ୍ରମଶଃ ଉଜ୍ଜିବିତ ହେଉଥିଲା । ନୂତନ ଶୈଳୀରେ ସାହିତ୍ୟ ସର୍ଜନା ପାଇଁ ଆଗେଇ ଆସିଲେ ତରୁଣ ଗୋଷ୍ଠୀ ।
ସମଧର୍ମୀ ସମକାଳୀନ ପ୍ରାନ୍ତୀୟ ତରୁଣ ସାହିତ୍ୟିକ ଗଣ ଅଣ୍ଟା ଭିଡ଼ିଲେ ନୂତନ ଶୈଳୀରେ ସାହିତ୍ୟ ସୃଷ୍ଟି କରିବା ପାଇଁ । ହିନ୍ଦୀ ସାହିତ୍ୟରେ ‘ଛାୟାବାଦୀ ଗୋଷ୍ଠୀ’, ବଙ୍ଗଳା ସାହିତ୍ୟରେ ‘କଲ୍ଲୋଳ ଗୋଷ୍ଠୀ’, ମରାଠୀ ସାହିତ୍ୟରେ ‘ରବି କିରଣ ମଣ୍ଡଳ’ ଓ ଆମ ସାହିତ୍ୟରେ ‘ସବୁଜ ଗୋଷ୍ଠୀ‘ ନାମରେ ସଂଘବଦ୍ଧ ହେଲେ ତରୁଣ ସାହିତ୍ୟିକଗଣ ।
୧୯୨୧ ମସିହାର କଥା । କଟକ ରେଭେନ୍ସା କଲେଜରେ ଗୋଟିଏ ଆଇ.ଏ. ଶ୍ରେଣୀରେ ପାଞ୍ଚଜଣ ଛାତ୍ର ପଢୁଥିଲେ ଇଂରେଜ କବି William Cowperଙ୍କ ପତ୍ରାବଳୀ। ସେଥିରେ ଗୋଟିଏ ଅଧ୍ୟାୟ ଥିଲା Non-Sense Club, ଏହି ପଞ୍ଚସଖାଙ୍କ ମନକୁ ପାଇଲା ଏହି ନାଁ ଟି । ତେଣୁ ଗଠିତ ହେଲା Non – Sense Club । ସେଦିନର ଏହି ପଞ୍ଚସଖା ଥିଲେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ, କାଳିନ୍ଦୀଚରଣ ପାଣିଗ୍ରାହୀ, ଶରତ ଚନ୍ଦ୍ର ମୁଖାର୍ଜୀ ଓ ହରିହର ମହାପାତ୍ର । ଏହାର ସ୍ଵଳ୍ପକାଳୀନ ବ୍ୟାପ୍ତିକୁ ଅଧିକାଂଶ ସାହିତ୍ୟ ସମାଲୋଚକ ନାମିତ କରିଛନ୍ତି ସବୁଜ ଯୁଗ ନାମରେ । ଏହି ସବୁଜ ଗୋଷ୍ଠୀ ମଧ୍ୟରେ ଆଦ୍ୟରେ ଥିଲେ କାଳିନ୍ଦୀଚରଣ ପାଣିଗ୍ରାହୀ । ସେ ମଧ୍ୟ ଥିଲେ ବୟୋଜ୍ୟେଷ୍ଠ ।
ଶ୍ରୀ କାଳିନ୍ଦୀଚରଣ ପାଣିଗ୍ରାହୀ ପୁରୀ ଜିଲ୍ଲାର ବିଶ୍ଵନାଥପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ୧୯୦୧ ମସିହା ଜୁଲାଇ ମାସ ଦୁଇ ତାରିଖରେ । ନବେ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା ୧୯୯୧ ମସିହାର ମେ ମାସ ୧୫ ତାରିଖରେ । ସେ ଏକାଧାରରେ ଜଣେ କବି, ଗାଳ୍ପିକ, ପ୍ରାବନ୍ଧିକ, ନାଟ୍ୟକାର, ଔପନ୍ୟାସିକ ଏବଂ ବିଭିନ୍ନ ଶ୍ରେଣୀ ପାଇଁ ପାଠ୍ୟପୁସ୍ତକ ରଚୟିତା ।
Non-Sense Club ସ୍ଥାପନ ସହ ଛାତ୍ରଦର୍ପଣ, ଶକ୍ତିସାଧନ, ଅବକାଶ ଆଦି ପତ୍ରିକାରେ ବିଭିନ୍ନ ଲେଖା ତାଙ୍କ ତରୁଣ ବୟସରୁ ପ୍ରତିଭାର ପରିଚୟ ପ୍ରଦାନ କରିଥିଲା ସେ ସମୟର ଜନମାନସରେ। ପ୍ରଥମେ ଯୌବନ ଓ ସ୍ଵପ୍ନକୁ ନେଇ କବିତା ଲେଖୁଥିଲେ ହେଁ ପରବର୍ତ୍ତୀ କାଳରେ ତାଙ୍କର ସାହିତ୍ୟିକ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଥିଲା । ସ୍ବପ୍ନିଳ ସୃଷ୍ଟି ବିଭବ ପରିହାର କରି ତାଙ୍କର ଲେଖା ଗୁଡିକ ହୋଇଥିଲା ସମୟକ୍ରମେ ଜୀବନଧର୍ମୀ ଓ ସମ୍ବେଦନଶୀଳତାର ବାହକ । ତାଙ୍କର କବିତା ଗ୍ରନ୍ଥ ମାନଙ୍କ ମଧ୍ୟରେ ଯାଦୁଘର, ପୁରୀ ମନ୍ଦିର, ମହାଦୀପ, ଆଗାମୀ, କ୍ଷଣିକ ସତ୍ୟ, ମୋ କବିତା, ଛୁରୀଟିଏ ଲୋଡ଼ା ଇତ୍ୟାଦିରେ ମାନବବାଦୀ ଦୃଷ୍ଟିକୋଣର ଯଥାର୍ଥ ପରିପ୍ରକାଶ ଘଟିଛି ।
ଉପନ୍ୟାସ ସମୂହରେ ସେ ଜଣେ ଯଶସ୍ଵୀ ଓ ସଫଳ ସ୍ରଷ୍ଟା ଭାବେ ପରିଚିତ ଓ ସ୍ମରଣୀୟ । ତାଙ୍କର ସର୍ବଶ୍ରେଷ୍ଠ ଉପନ୍ୟାସ ମାଟିର ମଣିଷ ଯେତିକି ପାଠକୀୟ ଶ୍ରଦ୍ଧା ଲାଭ କରିଛି ତାହା କଳନା କରିବା କଷ୍ଟକର। ମାଟିର ମଣିଷ ଉପନ୍ୟାସର ମୁଖଶାଳା ବହନ କରୁଥିବା ଏହି ପଦଟି :
“ଦୁନିଆର ହାଟେ କୋଟି ହୀରା ନୀଳା
ମଣି ମାଣିକର ତୁଲ,
ମାଟିର ପିତୁଳା ଗଢ଼ି ରଖିଦେଲି
କିଏ ପଚାରିବ ମୂଲ” !
ଓଡ଼ିଆ ଉପନ୍ୟାସ ଜଗତକୁ ସମୃଦ୍ଧ କଲେ କାଳିନ୍ଦୀଚରଣ ପାଣିଗ୍ରାହୀ, ମାଟିର ମଣିଷ, ଲୁହାର ମଣିଷ, ଆଜିର ମଣିଷ, ଅମର ଚିତା, ଅମରାବତୀ ଓ ମୁକ୍ତାଗଡ଼ର କ୍ଷୁଧା ଭଳି କାଳଜୟୀ ଉପନ୍ୟାସ ସମୂହକୁ ସମର୍ପି ଦେଇ । ଦ୍ଵାଦଶୀ, ରାଶିଫଳ, ଶେଷ ରଶ୍ମୀ, ସାଗରିକା, ମୋ କଥା ସରିନାହିଁ ଇତ୍ୟାଦି କ୍ଷୁଦ୍ରଗଳ୍ପ ସଂକଳନରେ ସ୍ଥାନିତ ଗଳ୍ପସମୂହ ଆବେଗଧର୍ମୀ ଓ ମନନଶୀଳ ବୈଚିତ୍ରରେ ପରିପୂର୍ଣ୍ଣ । ବାସ୍ତବବାଦୀ ଓ ଆଦର୍ଶବାଦୀ ସାହିତ୍ୟ ରଚନା ଥିଲା ତାଙ୍କର ଆଭିମୁଖ୍ୟ । ନାଟ୍ୟକାର ଭାବେ ପରିଚିତ ମଧ୍ୟ ଥିଲେ ସେ । ପଦ୍ମିନୀ, ପ୍ରିୟଦର୍ଶୀ, ସୌମ୍ୟା ଆଦି ନାଟକ ଯଥାକ୍ରମେ ଐତିହାସିକ ପୃଷ୍ଠଭୂମିରେ ରଚିତ ଓ କାବ୍ୟ ନାଟିକା ।
ଜଣେ ଜଣାଶୁଣା ପ୍ରାବନ୍ଧିକ ଭାବେ ସୁବିଦିତ ଶ୍ରୀ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ପ୍ରବନ୍ଧ ପୁସ୍ତକ ସାହିତ୍ୟ ସମାଚାର, ସାହିତ୍ୟିକ, ନେତୃତ୍ଵ ଓ ନେତୃତ୍ଵ ଉଚ୍ଚକୋଟୀର । ବହୁ ବର୍ଷ ଧରି ପାଠ୍ୟ ପୁସ୍ତକ ରଚନା କରି ସେ ଷାଠିଏ ଦଶକରେ ସୁବିଦିତ।
କାଳିନ୍ଦୀଚରଣ ପାଣିଗ୍ରାହୀ ୧୯୭୧ ମସିହାରେ ‘ପଦ୍ମଭୂଷଣ’ ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଲୋ ରୂପେ ସମ୍ମାନିତ । ୧୯୭୬ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନିତ କରିଛନ୍ତି ଡି.ଲିଟ୍. ପ୍ରଦାନ କରି । ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ ।
ଉତ୍ସ: ଓଡ଼ିଆ ସାହିତ୍ୟର ଇତିହାସ, ଶ୍ରୀ ସୁରେନ୍ଦ୍ର ମହାରଣା