~ ଅସୁରେଶ୍ୱରର ଦଧିବାମନ ଓ ଦାଣ୍ଡଯାତ୍ରା ~
ଲେଖା: ଶ୍ରୀକାନ୍ତ ସିଂହ
ଅସୁରେଶ୍ଵର ରାମ ନବମୀ କହିଲେ ଦାଣ୍ଡଯାତ୍ରାକୁ ହିଁ ବୁଝାଇଥାଏ l ଏହି ଦାଣ୍ଡଯାତ୍ରା ପଛରେ ଉଭୟ ପୌରାଣିକ ଆଖ୍ୟାନ ଓ ଦୈବୀ ପରମ୍ପରା ରହିଛି l କୁହାଯାଏ, ଶ୍ରୀରଘୁନାଥଙ୍କ ନବଦିନାତ୍ମକ ଯାତ୍ରାକୁ ସୁକ୍ଷ୍ମରେ ଦର୍ଶନ କରିବା ପାଇଁ ଶ୍ରୀଦଧିବାମନ ନିଜ ମନ୍ଦିର ପ୍ରାଙ୍ଗଣରେ ଦାଣ୍ଡଯାତ୍ରା କରିବାକୁ ରଘୁନାଥଜୀଉଙ୍କୁ ଅନୁରୋଧ କରନ୍ତି l
ଦଧିବାମନଙ୍କ ଅନୁରୋଧ ରକ୍ଷା କରି ଶ୍ରୀରଘୁନାଥଜୀଉ ବିରାଟ ପଟୁଆରରେ କୋଇଲୋକୁ ଯାତ୍ରା କରନ୍ତି l ଏହି ଯାତ୍ରାରେ ଶ୍ରୀରଘୁନାଥଜୀଉଙ୍କ ଚଳନ୍ତି ପ୍ରତିମା ସହ ଭାଇ ଲକ୍ଷ୍ମଣ ଓ ଦେବୀ ସୀତା ରୂପା ଆଚ୍ଛାଦିତ ବିମାନରେ ବିରାଜମାନ କରି ପଟୁଆରରେ ଯାତ୍ରା କରିଥାନ୍ତି l ତାଙ୍କ ପଛକୁ ଲୀଳା ଅଭିନୟ କରୁଥିବା ଶ୍ରୀରାମ, ଲକ୍ଷ୍ମଣ ଓ ମାଆ ସୀତାଙ୍କୁ ଅନ୍ୟ ଏକ ସୁସଜ୍ଜିତ ବିମାନରେ ନିଆଯାଇଥାଏ l ତାଙ୍କ ପଛରେ ଅନ୍ୟ ସୁଆଙ୍ଗୀମାନେ ମଧ୍ୟ ବିମାନରେ ଦଣ୍ଡାୟମାନ ହୋଇ ଯାତ୍ରା କରିଥାନ୍ତି l
ସର୍ବଶେଷରେ ଷୋହଳ ଜଣ ଗୋପାଳ ପୁଅ ଦଶଶିର ରାବଣଙ୍କୁ ଏକ ମୁକ୍ତ ବିମାନରେ କାନ୍ଧେଇ ନେଇ ଚାଲନ୍ତି l ସମସ୍ତ ସୁଆଙ୍ଗୀମାନେ ଠିଆ ହୋଇ ବିମାନରେ ସର୍ଵସାଧାରଣଙ୍କୁ ଦର୍ଶନ ଦିଅନ୍ତି l ଏହି ଶୋଭାଯାତ୍ରାରେ ମୃଦଙ୍ଗ, ଝାଞ୍ଜ କୀର୍ତ୍ତନ, ମଶାଲ ଆଲଟ ଚାମର ସହ ବିଭିନ୍ନ ପ୍ରାଚୀନ ବାଦ୍ୟ ଯନ୍ତ୍ର ସହ ଘୋଡ଼ା, ବାଘ, ଷଣ୍ଢ ନାଚ ମଧ୍ୟ ହୋଇଥାଏ l ରଙ୍ଗୀନ ଆଲୋକମାଳା ଉଭୟ ପଥକୁ ଆହୁରି ଶୋଭମୟ କରିଥାଏ l
ଏହି ଦାଣ୍ଡଯାତ୍ରାର ପ୍ରମୁଖ ଆକର୍ଷଣ ହେଲା ଓଡ଼ିଶା ପ୍ରସିଦ୍ଧ ବାଣ କାମ l ଅନ୍ୟତ୍ର ଯେତେ ଜାଗାରେ ବାଣ କାମ ହେଉଥିଲେ ମଧ୍ୟ ଏଠାକାର ବାଣ କାମ ଭଳି ବାଣ କାମ ଅନ୍ୟ କେଉଁଠାରେ ଦେଖିବାକୁ ମିଳେ ନାହିଁ l ବାଣରେ ବିଭିନ୍ନ ପ୍ରକାର ଶବ୍ଦ ଭେଦ ସହିତ ଆଲୋକ ପ୍ରତିଯୋଗିତା ଦର୍ଶକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ l ଏଠାରେ ଫୁଟୁଥିବା କୋଟି କୋଟି ଟଙ୍କାର ବାଣ ସବୁ ପ୍ରାୟ ମାନସିକଧାରୀଙ୍କ ଦ୍ୱାରା ମିଳିଥାଏ l ଭକ୍ତଙ୍କ ଦୁଃଖ ରଘୁନାଥ ଏହି ଦାଣ୍ଡରେ ଶୁଣନ୍ତି ବୋଲି ଗଭୀର ବିଶ୍ବାସ ରହିଛି l
ଦିଅଁଙ୍କ ବିମାନ ନିକଟରୁ ରାବଣଙ୍କ ବିମାନ ପର୍ଯ୍ୟନ୍ତ ବିରାଟ ପଟୁଆରର ଦୃଶ୍ୟ ବହୁତ ସୁନ୍ଦର ଓ ଅଲୌକିକ, ସତେ ଯେପରି ଅଯୋଧ୍ୟାର ଦାଣ୍ଡ ଆଉ ରଘୁନାଥ ଫେରୁଛନ୍ତି ବନବାସରୁ l ଚୈତ୍ର ପୂର୍ଣ୍ଣିମାର ଏଇ ବର୍ଣ୍ଣାଢ଼୍ୟ ରାତି ଉତ୍ସବମୁଖର ହୋଇଉଠେ l ସମ୍ପୂର୍ଣ୍ଣ ପଟୁଆରଟି ପ୍ରାୟ ଦେଢ଼ କିଲୋମିଟର ଲମ୍ବର ହୋଇଥାଏ l ଅଗଣିତ ଦର୍ଶକଙ୍କ ଜନ ସମାଗମରେ ଅଞ୍ଚଳଟି ପୁରି ଯାଏ l
ଅସୁରେଶ୍ଵର ଦାଣ୍ଡଯାତ୍ରାର ଅନ୍ୟତମ ଆକର୍ଷଣ ହେଲେ ମାଆ କାଳୀ l ସାଧାରଣ ମନୁଷ୍ୟ ସୁଆଙ୍ଗୀଟି ମା’ କାଳୀଙ୍କ ସରଣରେ ରହି ଆଶୀର୍ବାଦ ପ୍ରାପ୍ତ ହୋଇ ଥାଆନ୍ତି l କୁହାଯାଏ ମା’ କାଳୀଙ୍କୁ ପୂଜା କରି ପ୍ରଭୁ ଶ୍ରୀରାମ ଲଙ୍କା ଜୟ କରିଥିଲେ l ଆଉ ସେହି ପରମ୍ପରାର ନିଦର୍ଶନ ସ୍ୱରୂପ ଏଠାରେ ମା’ କାଳୀଙ୍କ ରୂପ ଦେଖିବାକୁ ମିଳେ l ସେହି ଶୋଭାଯାତ୍ରାରେ ମା’ କାଳୀ ସ୍ଵତନ୍ତ୍ର ବାଜା ଓ ମଶାଲର ରୋଷଣୀରେ ଦୌଡ଼ି ଦୌଡ଼ି ଆସି ପଣା ପାନ କରନ୍ତି l ଏଠାରେ ମାଆଙ୍କ ରୂପ ଉଭୟ ଭକ୍ତି ଓ ଭୟ ପ୍ରଦାୟକ, ଯାହା ଭାଷାରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ l
ଏହି ଦାଣ୍ଡଯାତ୍ରାରେ ପ୍ରତି ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇ ଥାଏ l ଏହି ଦାଣ୍ଡଯାତ୍ରା ସନ୍ଧ୍ୟା ସମୟରୁ ଆରମ୍ଭ ହୋଇ ଦଧିବାମନଙ୍କ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଲା ବେଳକୁ ପ୍ରାୟ ଭୋର ସମୟ ହୋଇଯାଇଥାଏ l ଏଠାରେ ଦେବତାଙ୍କ ମାନବୀୟ ଲୀଳା ଖେଳାକୁ ଦେଖିବାକୁ ମିଳିଥାଏ l ଯେହେତୁ ଦଧିବାମନ ପ୍ରଭୁ ରଘୁନାଥଙ୍କୁ ନିମନ୍ତ୍ରଣ କରି ଥାଆନ୍ତି, ଏଣୁ ଉକ୍ତ ଦିନ ସେ ସମ୍ପୂର୍ଣ ଉପବାସରେ ଥାଆନ୍ତି l ଶ୍ରୀରଘୁନାଥ ଶୋଭାଯାତ୍ରାରେ ଯାଇ ପହଞ୍ଚିଲା ପରେ ଉଭୟ ଦେବତାଙ୍କ ଛାମୁହା ଭେଟ ହୁଏ ଓ ଉଭୟଙ୍କ ନିକଟରେ ଭୋଗଲାଗି ହୋଇଥାଏ l
ସେଠାରେ ଅନୁରୋଧ କ୍ରମେ ରାମ ଜୀବନ ପ୍ରସଙ୍ଗ (ନାଗଫାସ ବନ୍ଧନ) ବିଷୟ ଲୀଳା ଆରମ୍ଭ ହୁଏ l ଉଭୟ ଦେବତା ସେଠାକାର ଦୋଳ ମଣ୍ଡପରେ ବିଜେ ହୋଇ ଲକ୍ଷାଧିକ ଭକ୍ତଙ୍କ ସହିତ ଦାଣ୍ଡଯାତ୍ରା ଲୀଳାକୁ ଉପଭୋଗ କରିଥାନ୍ତି l ତା ପର ଦିନ ସକାଳୁ ଶ୍ରୀରଘୁନାଥ ନିଜ ସୁଆଙ୍ଗୀମାନଙ୍କ ସହିତ ସ୍ଵମନ୍ଦିରକୁ ପ୍ରତ୍ୟାଗମନ କରିଥାନ୍ତି l
ତଥ୍ୟ ସହାୟତା: ଦୀପକ ରଞ୍ଜନ, ଶ୍ରୀ ରଘୁନାଥଜୀଉ ମନ୍ଦିର
ଛବି: ବିଶ୍ୱଜିତ ସ୍ୱାଇଁ