ଲେଖା: ଦେଵ ତ୍ରିପାଠୀ ସେ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ଯୁଗ । ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ, ନିଶ୍ଚଳ ଅଭିଳାଷର ଅନ୍ଧଗଳି ଭିତରେ ମୁମୂର୍ଷୁ-ପ୍ରାୟ ଜୀଉଁଥିଲେ ଓଡ଼ିଆମାନେ । ମୋଗଲ ଓ ମରହଟ୍ଟାଙ୍କର ଅକଥନୀୟ କଷଣର ତୋଡମାଡରେ ଅଣ୍ଟା ଭାଙ୍ଗି ଯାଇଥିବା ଗୋଟିଏ ଜାତି ନିର୍ଜୀବ, ନିର୍ବାକ, ନିଃଶେଷ, ନିରୁପାୟ ହୋଇପଡିଥାଏ । ସମାଜର ସମ୍ଭ୍ରାନ୍ତ ବଡ଼ପଣ୍ଡାମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ବ୍ରିଟିଶମାନଙ୍କର ଖୋସାମଦିଆ, ତେଣୁ ଶୋଷଣ-ସର୍ବସ୍ବ ଶାସନ ବିରୁଦ୍ଧରେ କ୍ଵଚିତ ସ୍ବର ତୋଳୁଥିବା ବିପ୍ଳବର ସ୍ଫୁଲିଙ୍ଗଟିକୁ ଅଚିରେ ପାଉଁଶ ବନାଇ ଦିଆଯାଉଥିଲା । ସେତେବେଳେ ନା ଥିଲା ଶିକ୍ଷା, ସଂସ୍କୃତି, ନା ଥିଲା ଗଣବିକାଶ, ବା କଲ୍ୟାଣର କିଛି ଯୋଜନା । ଦାରିଦ୍ର୍ୟ, କଷଣ, ଅତ୍ୟାଚାର ଭିତରେ ପାଞ୍ଚଶହ ବର୍ଷ ଧରି ଗୋଟିଏ ଜାତି ନିର୍ବେଦ, ନିଃସହାୟ, ରିକ୍ତ, ବିକ୍ଷତ ହୋଇ ଅନ୍ଧାରୀ ଗମ୍ଭୀରା ଭିତରେ କେବଳ ଗୁରୁଣ୍ଡୁ ଥିଲା । ଖଣ୍ଡ ଖଣ୍ଡ ହୋଇ ଓଡିଶା ମିଶି ରହିଥିଲା ଚାରୋଟି ପ୍ରାନ୍ତୀୟ ରାଜ୍ୟସହ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୂଳେ ଲୋପ କରି ମୃତ ଓଡ଼ିଆର କଙ୍କାଳ ହାଡରେ ନିଜ ଭାଷାର ସୌଧ ଗଢିବାକୁ ଦଳେ ଷଡ଼ଯନ୍ତ୍ରକାରୀ ସୁଚିନ୍ତିତ ଉଦ୍ୟମ ଆରମ୍ଭ କରିଦେଇଥିଲେ । ‘ବିଲର ଚଷା ଓ ଅନ୍ତଃପୁରର ଯୋଷା’ ତୁଣ୍ଡରୁ କ୍ରମେ ହଜି ଯାଉଥିଲା ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ, ଚଉପଦୀର ଛନ୍ଦ, ଗାଁ ଗଣ୍ଡାରୁ ହଜିଯାଉଥିଲା ଓଡିଆମିର ଗନ୍ଧ । ଏପରି ଏକ ଅସହ୍ୟ, ଅସ୍ବସ୍ତିକର ପରିସ୍ଥିତି ଭିତରୁ ଆଗ୍ନେୟଗିରିର ବିସ୍ଫୋରଣ ଭଳି ଉତ୍କୀର୍ଣ୍ଣ ହେଲେ କିଛି ସ୍ଫୁଲିଙ୍ଗ । ଉଦ୍ଗତ ଲାଭାରେ ଜଳାଇଦେଲେ ଅତ୍ୟାଚାରୀର ସାମ୍ରାଜ୍ୟ । ସେମାନେ ଥିଲେ ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗ ଓ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଜନ୍ମଗ୍ରହଣ କରିଥିବା କିଛି ଯୋଗଜନ୍ମା । ଧୀରେ ଧୀରେ ଭୀରୁତାର ଅନ୍ଧାର ହଟିଲା । ଶିକ୍ଷା, ସଂସ୍କୃତି ଓ ସ୍ବାଭିମାନର ବାର୍ତ୍ତା ପ୍ରସାରିଲା । ସେମାନଙ୍କ ଉଦୀପ୍ତ ଆଭାର ଉଷ୍ମ ସ୍ପର୍ଶରେ ବରଫ-ଶୀତଳ ନିଶ୍ଚେତନା ତରଳିଲା, କଡ ଲେଉଟେଇଲା ସରୀସୃପୀ-ନିଦ୍ରାରେ ଶାୟିତ ଏକ ଜାତି । ରାଜ୍ୟର ବହୁ ପ୍ରାନ୍ତ, ବହୁ ମୁଲକରୁ କ୍ରମେ ଶୁଭିଲା ରଣହୁଙ୍କାର । ସ୍ତିମିତପ୍ରାୟ ଧିମେଇ ରହିଥିବା ବହୁ ଆଗ୍ନେୟ ଉତ୍ସ ସେ ମହାସ୍ରୋତରେ ସାମିଲ ହେଲେ । ଏବେ ସେସବୁ ଇତିହାସ, ନୂତନ ତରୁଣ ପିଢ଼ିର ଦୃଷ୍ଟିଦିଗନ୍ତରେ କ୍ରମେ ସେ ସବୁ ତୁଙ୍ଗ, ସଂଗ୍ରାମୀ ବ୍ୟକ୍ତିତ୍ଵ ହାଇଉଠିଛନ୍ତି ଅଜ୍ଞାତ, ଅପାଙ୍କ୍ତେୟ । ବ୍ରିଟିଶ କାରାଗାରରେ ସେ ସବୁ ମଣିଷ ମାନେ କେତେ ଯେ ସଢିଛନ୍ତି – ଜୀବନର ସ୍ବାଚ୍ଛନ୍ଦ୍ୟ, ପରିବାରର ଆକଟକୁ ଏଡେଇ ଦେଇ ଲଢ଼ିଛନ୍ତି, ପାଠପଢ଼ାରେ ଅଧାରୁ ଡୋରି ବନ୍ଧାହୋଇଛି; ପରିବାର ଉପେକ୍ଷିତ, ବ୍ରିଟିଶ ପୁଲିସର ଅତ୍ୟାଚାର; ଛାତିରେ ଗୁଳି, କିମ୍ବା ଫାଶୀ; କିନ୍ତୁ କେବେ ବି ସଙ୍କଳ୍ପ, ସଂଗ୍ରାମ, ସମର୍ପଣପଥରୁ ସେମାନେ ପାଦେ ଘୁଞ୍ଚି ନାହାନ୍ତି । ଅନ୍ଧାରୀ ମୁଲକରେ ସେମାନେ ଜଳାଇଛନ୍ତି ଦିଗଦିହୁଡି, ଅରମାବଣ କାଟି ରାସ୍ତା ଗଢ଼ିଛନ୍ତି, ସ୍ବେଦ, ଲହୁ ଢାଳି ସେ ରାସ୍ତାକୁ ଟାଣ କରିଛନ୍ତି; ଲକ୍ଷ ଲକ୍ଷ ପଥଚାରୀଙ୍କ ପାଇଁ ତ୍ୟାଗ ଓ ଦରଦର ବୃକ୍ଷଛାୟା ରଚିଛନ୍ତି । ୧୯୦୦ ମସିହା । ଦେଶମିଶ୍ରଣର ଦାବି ଉପସ୍ଥାପନ କରିଥିଲେ ମଧୁବାବୁ ସିମଳାଠାରେ, ତତ୍କାଳୀନ ପ୍ରଚଣ୍ଡ ପ୍ରତାପଶାଳୀ ବଡଲାଟ ଲର୍ଡ କର୍ଜନଙ୍କ ସମ୍ମୁଖରେ, ଅତ୍ୟନ୍ତ ଭାବପ୍ରବଣତାର ସ୍ବରରେ । “ଅସମ୍ଭବ” ଗର୍ଜି ଉଠିଥିଲେ କର୍ଜନ । ଅଶ୍ରୁବିଗଳିତ ନୟନ ଓ ଭାବବିହ୍ୱଳ କଣ୍ଠରେ କହିଥିଲେ ଶତାବ୍ଦୀରସୂର୍ଯ୍ୟ : “ତେବେ କ’ଣ ଅତୃପ୍ତ ଏବଂ ଆକୁଳ ନୟନରେ ମାତୃକରୁଣାର ସ୍ପର୍ଶ ଟିକକ ପାଇବା ପାଇଁ ଚାତକ ପରି ଚାହିଁ ବସିଥିବା ଝିଅମାନେ (ବିଚ୍ଛିନ୍ନାଞ୍ଚଳ), ଚିରକାଳ ମାତାଙ୍କ (ଓଡ଼ିଶାର ମୂଳଭୂଖଣ୍ଡ) ଠାରୁ ବିଚ୍ଛିନ୍ନ ହୋଇ ରହିଥିବେ ? ଝିଅମାନଙ୍କର କ’ଣ ମାତୃସ୍ନେହ ପାଇବାର ଅଧିକାର ନାହିଁ ? ଝିଅମାନଙ୍କୁ ସେହି ଅଧିକାରରୁ ବଞ୍ଚିତ କରାଯାଇଛି ବ୍ରିଟିଶ ଶାସନ କାଳରେ କେଉଁ ଐତିହାସିକ ଘଟଣାବଳୀର ଦୁର୍ବିପାକ ମଧ୍ୟରେ ? ତେଣୁ ଏହାର ସମାଧାନ ଆପଣଙ୍କ ପାଖରେ ହିଁ ସମ୍ଭବ ।” ଜାତିଐରାବତ ମଧୁବାବୁଙ୍କ ବାଷ୍ପାକୁଳ କଣ୍ଠରେ ଗୁଞ୍ଜରି ଉଠିଥିଲା ସ୍ପଷ୍ଟ ଦମ୍ଭୋକ୍ତି । ଗଭୀର ଭାବରେ ସ୍ପର୍ଶ କରିଥିଲା ଏକଥା କର୍ଜନଙ୍କୁ । କଳାଭାସ୍କର୍ଯ୍ୟ ସମ୍ବଳିତ ମନ୍ଦିରମୟ ଦେବଭୂମି ଓଡ଼ିଶାର ପରିଦର୍ଶନ କରି, କର୍ଜନ ସିଦ୍ଧାନ୍ତ ଗ୍ରହଣ କଲେ, ଓଡ଼ିଆ ଭାଷାଭାଷୀ ଅଞ୍ଚଳର ମିଶ୍ରଣ ପାଇଁ । ୧୯୦୩ ମସିହା ଡିସେମ୍ବର ୩ ତାରିଖର ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନର ପ୍ରାୟ ଦେଢ଼ ମାସ ପୂର୍ବରୁ ଏକ ସର୍କୁଲାର ପ୍ରକାଶ କଲେ କର୍ଜନ । ତଦନୁଯାୟୀ ମଧ୍ୟପ୍ରଦେଶରୁ ସମ୍ବଲପୁର, ସୁବର୍ଣ୍ଣପୁର, ପାଟଣା, ବାମଣ୍ଡା, କଳାହାଣ୍ଡି, ରେଢ଼ାଖୋଲ, ଗାଙ୍ଗପୁର, ବଣାଇ ଆଦି ଅଞ୍ଚଳ ଏବଂ ପରେପରେ ଷଡେଇକଳା ଓ ଖରସୁଆଁ ଅଞ୍ଚଳ ଛୋଟନାଗପୁର ଡିଭିଜନରୁ ଆସି ଓଡ଼ିଶା ଡିଭିଜନରେ ମିଶିଲା । ସେ ଥିଲା ଏକାଦଶ ଶତାବ୍ଦୀରେ ଯଯାତି କେଶରୀଙ୍କ ଦ୍ଵାରା ଉତ୍କଳ ସହିତ କୋଶଳର ମିଶ୍ରଣ ପରି ଏକ ଐତିହାସିକ ଉଜ୍ଜ୍ୱଳ କୀର୍ତ୍ତି । ଓଡ଼ିଆ ଜାତିର ମୁକ୍ତି ପାଇଁ ମଧୁବାବୁଙ୍କ ନେତୃତ୍ୱରେ ଯେଉଁ ଦୁର୍ବାର ସଂଗ୍ରାମ ଆରମ୍ଭ ହୋଇଥିଲା, ତା’ର ଫଳସ୍ବରୂପ ବ୍ରିଟିଶ ପାର୍ଲ୍ୟାମେଣ୍ଟରେ ୧୯୩୬ ମସିହା ଜାନୁଆରୀ ୨୧ ତାରିଖରେ Constitution of Orissa Order Bill, 1936 ଉପସ୍ଥାପନ କରାଗଲା । ପାର୍ଲ୍ୟାମେଣ୍ଟରେ ଉକ୍ତ ବିଲ ପାଶ୍ ହେବାପରେ ନୂତନ ଓଡ଼ିଶା ପ୍ରଦେଶ ଗଠନ ପାଇଁ ବିଧିବଦ୍ଧ ଭାବେ ରାଜକୀୟ ଘୋଷଣା ପ୍ରକାଶ ପାଇଲା । ଭାରତ ସରକାରଙ୍କ ‘ଓଡିଶା ପ୍ରଦେଶ ଗଠନ ଆଇନ, ୧୯୩୬, ଅନୁଯାୟୀ ଏପ୍ରିଲ ୧ ତାରିଖରେ ନୂତନ ପ୍ରଦେଶ କ୍ଷମତାକୁ ଆସିବାର ନିଷ୍ପତ୍ତି ନିଆଗଲା; ଏବଂ ରାଜଧାନୀ କଟକ ଠାରେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଏକ ସମାରୋହରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଅନ୍ୟାନ୍ୟ ତୁଙ୍ଗ ନେତୃବୃନ୍ଦ ତଥା ବ୍ରିଟିଶ ସରକାରଙ୍କ କର୍ମକର୍ତ୍ତାଙ୍କ ଗହଣରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କାର୍ଯ୍ୟକ୍ରମର ଉଦ୍ଘାଟନ ହୋଇଥିଲା । (ଅବଶ୍ୟ ସେ ଐତିହାସିକ ଦୃଶ୍ୟ ଦେଖିବାକୁ ସ୍ବତନ୍ତ୍ର ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣି ମଧୁବାବୁ ଇହଧାମରେ ନ ଥିଲେ ।) ତେବେ ତତ୍କାଳୀନ ଇଂଲଣ୍ଡର ପ୍ରଧାନମନ୍ତ୍ରୀ Sir Ramsay Madonaldଙ୍କ ଭାଷାରେ ଓଡ଼ିଶାର ମୁକୁଟବିହୀନ ସମ୍ରାଟ ଭାବେ ପ୍ରଶଂସିତ ମଧୁବାବୁଙ୍କ ସହ ଏହି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରି ଜନଆନ୍ଦୋଳନ ଓ ବିପ୍ଳବର ପଶ୍ଚାତରେ ଥିଲେ ବହୁ ଚିନ୍ତାନାୟକ, ଜାତୀୟତାର ବ୍ୟାଖ୍ୟାକାର । ମଧୁବାବୁଙ୍କ ସହ ପାଦ ମିଳାଇ ଚାଲିଥିଲେ ଏହି ବିପ୍ଳବର ଅନ୍ୟତମ କର୍ଣ୍ଣଧାର ପାରଳା ମହାରାଜା ଡଃ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ।ତତ୍କାଳୀନ ବାମଣ୍ଡାର ଆଦର୍ଶ ମହାରାଜା ସାର୍ ବାସୁଦେବ ସୁଢଳଦେବ, ଆଧୁନିକ ରାମରାଜ୍ୟର ପ୍ରବର୍ତ୍ତକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଖଲ୍ଲିକୋଟର ପ୍ରଜାବତ୍ସଳ ମହାରାଜା ହରିହର ମର୍ଦ୍ଦରାଜ, ଓଡିଆ ଜାତୀୟତାର ଅମ୍ଳାନ ଜ୍ୟୋତିଷ୍କ ବାଲେଶ୍ଵରର ମହାରାଜା ବୈକୁଣ୍ଠନାଥ ଦେବ, ଜୟପୁର ମହାରାଜା ରାଜର୍ଷି ଡଃ ବିକ୍ରମଦେବ ବର୍ମା, କଡିଙ୍ଗିଆ ମହାରାଜା ଭେଙ୍କଟେଶ୍ୱର ଦେବ ଇତ୍ୟାଦିଙ୍କର ଅକୁଣ୍ଠ ସାହଚର୍ଯ୍ୟ ଓ ସହଯୋଗ ତଥା ସ୍ବତନ୍ତ୍ର ପ୍ରଦେଶ ଗଠନର ବାର୍ତ୍ତାବହ ରାୟବାହାଦୁର ଲକ୍ଷ୍ମୀଧର ମହାନ୍ତି, କଟକରୁ କର୍ମବୀର ଗୌରୀଶଙ୍କର, ବାଗ୍ମୀ ବିଶ୍ୱନାଥ କର, ସମ୍ବଲପୁରର ଚନ୍ଦ୍ରଶେଖର ବେହେରା, ଗଞ୍ଜାମର ଇଂ ଭୁବନାନନ୍ଦ ଦାସ, ଡଃ ଲିଙ୍ଗରାଜ ପାଣିଗ୍ରାହୀ, ନିରଞ୍ଜନ ପଟ୍ଟନାୟକ, ଭୁବନେଶ୍ୱର ରଥ, ମାନ୍ଧାତା ଗୋରାଚାନ୍ଦ ପଟ୍ଟନାୟକ, ନୀଳମଣି ବିଦ୍ୟାରତ୍ନ, ପୁରୀର ମୁକ୍ତ୍ୟାର ରାମଚନ୍ଦ୍ର ଦାସ, ପଣ୍ଡିତ ବାସୁଦେବ ରଥ, ସୋରର ନନ୍ଦକିଶୋର ଦାସ ଇତ୍ୟାଦିଙ୍କର ଜନଜାଗରଣ ଏବଂ ସର୍ବୋପରି ଉତ୍କଳମଣିଙ୍କ ସମେତ ପଞ୍ଚସଖା, ବ୍ୟାସକବି ଫକୀରମୋହନ, କବିବର ରାଧାନାଥ ରାୟ, ସ୍ବଭାବକବି ଗଙ୍ଗାଧର ମେହେର, ଭକ୍ତକବି ମଧୁସୂଦନ ରାଓ, ଜାତୀୟକବି ବୀରକିଶୋର, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଇତ୍ୟାଦିଙ୍କର ବୈପ୍ଲବିକ ଓ ମାର୍ମିକ ଲେଖାବଳୀ ମାଧ୍ୟମରେ ହିଁ କ୍ଷେତ୍ର ପ୍ରସ୍ତୁତ ହୋଇଥିଲା ଏହି ମହାବିପ୍ଳବର ।ଏହି ଯୁଗପୁରୁଷ ମାନଙ୍କ ସହିତ ଆନ୍ଦୋଳନରେ ଝାସ ଦେଇଥିଲେ ଉତ୍କଳ ସମ୍ମିଳନୀ, ଗଞ୍ଜାମ ଓଡ଼ିଆ ଆସୋସିଏସନ, କଂଗ୍ରେସ କମିଟି, ସମସ୍ତ ସ୍ବାୟତ୍ତ ଶାସନ ସଂସ୍ଥା, କଟକର କାୟସ୍ଥ ସଭା, ବ୍ରାହ୍ମଣ ସଭା, କଟକ ସଂସ୍କୃତ ସମିତି, କଟକ ନ୍ୟାସନାଲ ସୋସାଇଟି, କଟକ ମୁସଲମାନ ଆସୋସିଏସନ, ବାଲେଶ୍ଵରର ବୈକୁଣ୍ଠନାଥ ଦେବ ସୋସିଆଲ କ୍ଲବ୍, ସଞ୍ଜିବନୀ ସମିତି, ପୁରୀର ବ୍ରାହ୍ମଣ ସମିତି ଓ ଉତ୍କଳ ସମିତି ତଥା ସମସ୍ତ ଗଡ଼ଜାତ ଅଞ୍ଚଳର ସାମାଜିକ ସଂଗଠନ, ଛାତ୍ର ଓ ଶିକ୍ଷକ ସମାଜ ଇତ୍ୟାଦିର ଅକୁଣ୍ଠ ସମର୍ଥନ, ସହଯୋଗ, ତ୍ୟାଗ ଓ ସଂଗ୍ରାମ ର ଫଳସ୍ବରୂପ ଐତିହାସିକ ହବାକ୍ କମିଟି ସ୍ବତନ୍ତ୍ର ପ୍ରଦେଶ ଗଠନ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ ଭାରତ ସରକାରଙ୍କୁ ଏବଂ ବ୍ରିଟେନ ପାର୍ଲିଆମେଣ୍ଟକୁ । ନିରବଚ୍ଛିନ୍ନ ଉଦ୍ୟମ, ପରାକାଷ୍ଠା, ଉଦ୍ଦୀପନା ତରଳାଇ ଦେଇଥିଲା ଦୁର୍ଦ୍ଧର୍ଷ ବ୍ରିଟିଶ ସରକାରର ମନୋବଳ । ପରିଶେଷରେ ଭାଷା ଭିତ୍ତିରେ ହିଁ ହୋଇପାରିଥିଲା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ । ଓଡ଼ିଶା ହିଁ ବନିଯାଇଥିଲା ଅନ୍ୟ ଭାଷାଭାଷୀଙ୍କ ପାଇଁ ଆଦର୍ଶ ଓ ପଥପ୍ରଦର୍ଶକ । ବହୁଦିନ ପରେ ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ ହୋଇପାରିଥିଲେ ସ୍ବତନ୍ତ୍ର ରାଜ୍ୟ, ଭାଷାଭିତ୍ତିରେ, ଓଡ଼ିଆଙ୍କ ପଦାଙ୍କ ଅନୁସରଣ କରି ।ବନ୍ଦେ ଉତ୍କଳ ଜନନୀ II |
|
|