ଲେଖା: ଶିଶିର ସାହୁ ମନୋଜ

ଶିକ୍ଷିତ ଓଡ଼ିଆ ଲୋକଙ୍କ ମଧ୍ୟରେ ସଂଧ୍ୟା ଓ ସନ୍ଧ୍ୟା ମଧ୍ୟରେ କେଉଁଟି ଶୁଦ୍ଧ ଓ ସଠିକ ବୋଲି ବହୁ ଦିନ ହେବ ଏକ ଅନ୍ତହୀନ ତର୍କ ଵିତର୍କ ଲାଗିରହିଛି !

ଓଡ଼ିଆ ଲୋକେ ସାଧାରଣତଃ ସନ୍ଧ୍ୟା ଉଚ୍ଚାରଣ ଅନୁସାରେ ଲେଖିଥାନ୍ତି, ପୁଣି ବହୁ ଆଧୁନିକ ଭାଷାବିତ ମଧ୍ଯ ଏହାକୁ ଵ୍ୟାକରଣସିଦ୍ଧ ବୋଲି ମତ ଦିଅନ୍ତି । କିନ୍ତୁ ହିନ୍ଦୀ ଭାଷାରେ सन्ध्या ବଦଳରେ संध्या ଵରଂ ବହୁପ୍ରଚଳିତ, ତେଣୁ ବହୁତ ଆଧୁନିକ ଓଡ଼ିଆ ଲୋକ ହିନ୍ଦୀରେ ଏମନ୍ତ କାହିଁକି ହୁଏ ତହିଁର କାରଣ ନ ଜାଣି ହନୁକରଣ କରିବା ଆରମ୍ଭ କରିଦିଅନ୍ତି ଏମିତିକି ତତ୍ ସପକ୍ଷରେ ଵିଭିନ୍ନ ମତ ମଧ୍ଯ ଦିଅନ୍ତି । ହିନ୍ଦୀ ଭାଷାରେ ଯୁକ୍ତାକ୍ଷର ଅପେକ୍ଷା ଅନସ୍ଵାର ଵ୍ୟଵହାରର ପ୍ରଚଳନ ଅଧିକ ତେଣୁ ସେମାନେ ନିଜ ଭାଷାର ନାମକୁ ସୁଦ୍ଧା ହିନ୍ଦୀ(हिन्दी) ନ ଲେଖି ଅଧିକାଂଶରେ ହିଂଦି(हिंदी) ଲେଖିଥାନ୍ତି ।

ତେବେ ସନ୍ଧ୍ୟା ଵା ସଂଧ୍ୟା ଶବ୍ଦର ନିରୁକ୍ତି ଵ୍ୟାଖ୍ୟାରୁ ସମ୍ଭଵତଃ ଏ ଉଭୟ ଶବ୍ଦ ଵିଷୟରେ କୌଣସି ତଥ୍ୟ ମିଳିପାରେ ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସନ୍ଧ୍ୟା ଶବ୍ଦ ତଳେ ଏହାର ନିରୁକ୍ତି ଲେଖା ହୋଇଛି,
ସନ୍ଧି (ସନ୍ଧିକାଳ ଅର୍ଥାତ୍ ଦିବାରାତ୍ରର ମଧ୍ୟ ମିଳନ ସମୟ)+ ଯ + ସ୍ତ୍ରୀ. ଆ = ସନ୍ଧ୍ୟା

ଅର୍ଥାତ୍ ସନ୍ଧ୍ୟାକାଳ ହେଉଛି ଦିନ ଓ ରାତ୍ରୀ ମଧ୍ୟରେ ସ୍ଥିତ ଏକ ସମୟକାଳ ଏବଂ ଏହା ଉଭୟକୁ ପରସ୍ପର ସହିତ ଯୋଡ଼ିଥାଏ, ଉଭୟଙ୍କ ସହିତ ସମ୍ମିଳିତ ହୋଇଥାଏ ।

ତେବେ ଭାଷାଵିଦ୍ Moiner William ଙ୍କ ଅନୁସାରେ ସମ୍ (ସଂ,ସଙ୍) + ଧ୍ୟା/ଧ୍ଯା = ସଂଧ୍ୟା/ସଂଧ୍ଯା

କିନ୍ତୁଏହି ନିରୁକ୍ତି ଠିକ୍ କି ଭୁଲ ଜାଣିବା ହେତୁରୁ ପ୍ରଥମେ ଏହାର ତର୍ଜମା ନିହାତି ଆଵଶ୍ୟକ ହେଉଅଛି । ଏହାର ଉତ୍ତର ଜାଣିବା ପାଇଁ ଆମକୁ ସମ୍ ଉପସର୍ଗ ତଥା ଧ୍ୟା ଶବ୍ଦ ଵିଷୟରେ ଗହନ ଅନୁଧ୍ୟାନ କରିବାକୁ ପଡି଼ବ ।

■■■■■■■
ସମ୍ ଉପସର୍ଗ
■■■■■■■
ସମ୍ ଉପସର୍ଗ ଅନେକ ଅର୍ଥରେ ଧାତୁ ଶବ୍ଦ ପୂର୍ବରୁ ଲାଗିଥାଏ ଏବଂ କେତେକ ସ୍ଥଳରେ ତାହା ସଂ କିମ୍ବା ସଙ୍ ରୂପ ଧାରଣ କରିଥାଏ, ଯଥା― ସଂଶୟ, ସଂଯତ, ସଂଯୋଗ, ସଂସ୍କୃତି, ସଂଗ୍ରାମ, ସଂଖ୍ୟା, ସଂଗ୍ରହ, ସଂଯମ, ସଂକ୍ଷେପ ସଂଗତ ଇତ୍ୟାଦି ।

ଆଉ କେତେକ ସ୍ଥଳରେ ମ ଆଦି ଅନୁନାସିକ ଵର୍ଣ୍ଣ ସହ ଯୁକ୍ତ ହେଲେ ଉକ୍ତ ଵର୍ଣ୍ଣ ସହ ସନ୍ଧି ଦ୍ଵାରା ମିଶିଯାଏ, ଯେପରି କି, ସମୁତ୍ପାଟନ, ସମନ୍ୱୟ, ସମୁପସ୍ଥିତ, ସମ୍ମୁଖ, ସମ୍ମିଳନ, ସନ୍ତୋଷ, ସଙ୍ଗମ, ସମ୍ମାନ, ସମ୍ରାଟ;

ତେବେ ସମ୍ ଉପସର୍ଗ ନିମ୍ନଲିଖିତ ଅର୍ଥରେ ଵ୍ୟଵହୃତ ହୋଇପାରେ 
୧. ସମ୍ୟକ, ଵିଶେଷ ଭାବେ
୨. ସମ୍ପୂର୍ଣ୍ଣ ରୂପେ (ସଂପାଦନ, ସମୁତ୍ପାଟନ)
୩. ଏକତ୍ର (ସଂଭାଷଣ,ସମନ୍ୱୟ)
୪. ସମୀପରେ (ସମୁପସ୍ଥିତ)
୫. ଆଗରେ (ସମ୍ମୁଖ)
୬. ସଂଯୋଗ
୭. ମିଳନ(ସମୀପ,ସମ୍ମିଳନ)
୮. ପ୍ରକୃଷ୍ଟ(ସଂରକ୍ଷଣ)
୯. ଅତ୍ୟନ୍ତ(ସନ୍ତୋଷ, ସନ୍ତାପ)
୧୦. ଉତ୍ତମ ରୂପେ
୧୧. ତୁଲ୍ୟ;ସମାନ(ସମଧ୍ଵ,ସମାନ)
୧୨. ସୁନ୍ଦର(ସଙ୍ଗମ, ସମ୍ମାନ)
୧୩. ସମୂହ(ସମାଜ)
୧୪. ଅଶ୍ଲେଷ(ସମ୍ଭୋଗ)

【ସମ୍ ଉପସର୍ଗ ଛଡା଼ ଏକ ସମ୍ ଧାତୁ ମଧ୍ଯ ରହିଛି ଯାହା ଦୁଇଟି ଅର୍ଥରେ ଵ୍ୟଵହାର ହୁଏ; ତୁଲ୍ୟ ହେବା, ଵିହ୍ଵଳ ହେବା】
              
■■■■■■
 ଧ୍ୟା
 ■■■■■■
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଧ୍ଯା(ଧ+ଯ) ବୋଲି ଏକ ସଂସ୍କୃତ ଵିଶେଷ୍ୟ ଶବ୍ଦ ଅଛି ଯାହାର ଅର୍ଥ ଧ୍ୟାନ କରିବା ଅଟେ । 
ଏହି ଧ୍ଯା ଶବ୍ଦର ନିରୁକ୍ତି ହେଉଛି:
→ଧୈ ଧାତୁ + ଭାଵ.କ୍ଵିପ (ଧୈ ଧାତୁ = ଚିନ୍ତା କରିବା)

ତେଣୁ ଉପର ଆଲୋଚନାରୁ ହୃଦଵୋଧ ହେଉଛି ଯେ ଯଦି Moiner William ଓ ତାଙ୍କ ଭଳି ଅନ୍ୟ ଲୋକଙ୍କର ଅନୁସାରେ ସମ୍ + ଧ୍ୟା/ଧ୍ଯା=ସଂଧ୍ୟା/ସଂଧ୍ଯା ହୋଇଥାଏ ତେବେ ସମ୍ ଉପସର୍ଗର ସମସ୍ତ ଅର୍ଥ ସହ ଧ୍ଯା/ଧ୍ୟା ଵିଶେଷ୍ୟ ଶବ୍ଦର ଅର୍ଥକୁ ମିଶାଇ ଦେଖିଲେ ଯେଉଁ ଅର୍ଥ ମିଳୁଛି ତାହାର କୌଣସି ସମ୍ବନ୍ଧ ସନ୍ଧ୍ୟାକାଳ ସହିତ ନଥିବା ଅନୁଭୂତ ହେଉଅଛି । 

ସମ୍ ଉପସର୍ଗ ଛଡା଼ ସମ୍ ଧାତୁ ସହିତ ମଧ୍ଯ ଧ୍ଯା/ଧ୍ୟା ଵିଶେଷ୍ୟ ପଦକୁ ଯୋଡ଼ି ସଂଧ୍ୟା?/ସଂଧ୍ଯା ଶବ୍ଦକୁ କୌଣସି ଯୁକ୍ତିଯୁକ୍ତ ଓ ତର୍କସଙ୍ଗତ ଅର୍ଥ ସହିତ ଉପସ୍ଥାପନା କରିବା ସମ୍ଭଵପର ହେଉ ନଥିବା ହେତୁରୁ ସଂଧ୍ଯା/ସଂଧ୍ୟା ନୁହେଁ ଵରଂ ସନ୍ଧ୍ୟା ହିଁ ସଠିକ ଶବ୍ଦ ବୋଲି ଅନୁଭୂତ ହେଉଅଛି ।

© ଶବ୍ଦଭେଦ

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago