ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ 
  ~ ଶାସ୍ତ୍ରରେ କଥିତ ଷୋଡ଼ଶ ମାତା ଏଵଂ ଓଡ଼ିଆ ଜନସମାଜରେ ତହିଁର ପ୍ରତିଫଳନ ~
 ଷୋଡଶ ପ୍ରକାର ମାତାଙ୍କ କଥା ବ୍ରହ୍ମଵୈଵର୍ତ୍ତ ପୁରାଣର ଗଣପତିଖଣ୍ଡରେ କାର୍ତ୍ତିକେୟ ସଂଵାଦସ୍ଥ ୧୫ତମ ଅଧ୍ଯାୟରେ ଲେଖାଅଛି:
    “ସ୍ତନଦାତ୍ରୀ ଗର୍ଭଧାତ୍ରୀ ଭକ୍ଷଦାତ୍ରୀ ଗୁରୁପ୍ରିୟା ।
 ଅଭୀଷ୍ଟଦେଵପତ୍ନୀ ଚ ପିତୁଃ ପତ୍ନୀ ଚ କନ୍ଯକା ॥
 ସଗର୍ଭଜା ଯା ଭଗିନୀ ପୁତ୍ତ୍ରପତ୍ନୀ ପ୍ରିୟାପ୍ରସୂଃ ।
 ମାତୁର୍ମାତା ପିତୁର୍ମାତା ସୋଦରସ୍ଯ ପ୍ରିୟା ତଥା ॥
 ମାତୁଃ ପିତୁଶ୍ଚ ଭଗିନୀ ମାତୁଳାନୀ ତଥୈବ ଚ ।
 ଜନାନାଂ ଵେଦଵିହିତା ମାତରଃ ଷୋଡଶ ସ୍ମୃତାଃ ॥”
     ଶାସ୍ତ୍ରରେ କଥିତ ଷୋଡ଼ଶ ମାତା ଓ ମାତୃତୁଲ୍ୟା ମହିଳା ହେଲେ
    • ସ୍ତନ୍ୟପାନ କରାଇଥିଵା ମାତା
 • ଗର୍ଭଧାରଣ କରିଥିଵା ମାତା
 • ପାଳନ ପୋଷଣ କରିଥିଵା ମାତା
 • ଗୁରୁଙ୍କ ପତ୍ନୀ
 • ଅଭୀଷ୍ଟଦେଵପତ୍ନୀ
 • ପିତାଙ୍କ ପତ୍ନୀ (ସାବତ ମାଆ)
 • ପିତାଙ୍କ କନ୍ୟା (ସାବତ ଭଗିନୀ)
 • ନିଜର ଭଗିନୀ
 • ନିଜ ପୁତ୍ରର ପତ୍ନୀ
 • ପ୍ରିୟାପ୍ରସୂ ଅର୍ଥାତ୍ ନିଜ ଝିଅ
 • ମାତାଙ୍କ ମାଆ ଵା ଆଈ
 • ପିତାଙ୍କ ମାଆ ଵା ଜେଜେମାଆ
 • ଭାଇର ପତ୍ନୀ
 • ମାତାଙ୍କ ଭଗିନୀ/ମାଉସୀ
 • ପିତାଙ୍କ ଭଗିନୀ/ପିଉସୀ ମାଆ
 • ମାତୁଳାନୀ ଵା ମାଇଁ
     ଓଡ଼ିଆ ସମାଜ ଶାସ୍ତ୍ରର ଏହି କଥନକୁ କେମିତି ପାଳନ କରିଛି ତହିଁର କେତେକ ଉଦାହରଣ ନିମ୍ନରେ ପ୍ରଦତ୍ତ ହେଲା ! ଓଡ଼ିଶାରେ ଶିକ୍ଷୟିତ୍ରୀ ତଥା ଶିକ୍ଷକଙ୍କ ପତ୍ନୀଙ୍କୁ ଗୁରୁମାଆ ସମ୍ବୋଧନ କରାଯାଏ । ଏଭଳି ଲୋକାଚାର ଭାରତରେ ଅନ୍ୟତ୍ର ପ୍ରାୟତଃ ଲୁପ୍ତ ହୋଇଯାଇଥିଵା ବେଳେ ଓଡ଼ିଶାରେ ଅଳ୍ପ ବହୁତେ ବଞ୍ଚି ରହିଛି ।
     ଦେଵତାଙ୍କ ପତ୍ନୀ ଓ ଦେଵୀମାନଙ୍କୁ ଓଡ଼ିଶାରେ ମାଆ ସମ୍ବୋଧନ କରାଯାଏ । ଯଥା ମାଆ ସମଲେଈ, ମାଆ ତାରିଣୀ ଓ ମାଆ ମଙ୍ଗଳା ଇତ୍ୟାଦି । ଦେଵୀମାନଙ୍କୁ ମାତା ସମ୍ବୋଧନ କରିଵା ପରମ୍ପରା ଭାରତରେ ସର୍ଵତ୍ର ପ୍ରଚଳିତ କିନ୍ତୁ ଓଡ଼ିଶାରେ ଏହା ସର୍ଵାଧିକ ଦୃଶ୍ୟ ହୋଇଥାଏ ।
     ଓଡ଼ିଶାରେ ମାଈଁ, ମମା ଵା ମାମା, ବଡ଼ମାଆ, ମାଉସୀ, ପିଉସୀ ମାଆ ଓ ଖୁଡି଼ଙ୍କୁ କେତେକ ଅଞ୍ଚଳରେ ମାଆ, ବୋଉ ଆଦି ସମ୍ବୋଧନ ପ୍ରମାଣ କରେ ଯେ ଓଡ଼ିଆ ସମାଜ ଭାରତୀୟ ଶାସ୍ତ୍ରର କଥନକୁ କେମିତି ସମାଜ ମଧ୍ୟରେ ଅଙ୍ଗୀକାର କରିନେଇଛି । ଓଡ଼ିଶାରେ ନିଜ ମାତାକୁ ଲୋକେ ମାଆ, ବୋଉ ଆଦି ସମ୍ବୋଧନ କରିଥାନ୍ତି । ସେହିପରି ଆଗେ ଓଡ଼ିଶାରେ ମାତାଙ୍କୁ ଆଈ ସମ୍ବୋଧନ କରାଯାଉଥିଲା । ମାତୁର୍ମାତା ଵା ମାଆର ମାଆ ମାତୃତୁଲ୍ୟ ବୋଲି ତ ଓଡ଼ିଆ ଭାଷାରେ ପୂର୍ଵେ ମାତାକୁ ସମ୍ବୋଧନାର୍ଥ ପ୍ରୟୋଗ କରାଯାଉଥିଵା ଆଈ ଶବ୍ଦଟି କ୍ରମେ ମାତାଙ୍କ ମାଆଙ୍କ ପ୍ରତି ସମ୍ବୋଧନ ହେତୁ ଵ୍ୟଵହାର ହେଵାକୁ ଲାଗିଲା । 
     ଆଜିକାଲି ପୂର୍ଵାଞ୍ଚଳର ପିଲାଏ ନିଜ ଜେଜେମାଆଙ୍କୁ ମାଆ ତଥା ନିଜ ଜନ୍ମକଲା ମାଆକୁ ବୋଉ କିଂଵା ମାମା, ମମି ସମ୍ବୋଧନ କରୁଛନ୍ତି । ପୁନଶ୍ଚ ମାନକ ଓଡ଼ିଆ ଭାଷାରେ ପିତୁର୍ମାତାଙ୍କୁ ଜେଜେମାଆ କୁହାଯାଏ । ସେହିପରି ଉତ୍ତର ଓଡ଼ିଶାରେ ଗୋସେଇଁମାଆ ସମ୍ବୋଧନ କରାଯାଏ । ଏ ଶବ୍ଦ କ୍ଷେତ୍ରରେ ମଧ୍ୟ ଓଡ଼ିଆ ଜନସମାଜ ଶାସ୍ତ୍ରର କଥାକୁ ପାଳନ କରିଵାକୁ କୁଣ୍ଠାବୋଧ କରିନାହିଁ ।      ପୁତ୍ତ୍ରପତ୍ନୀ ଅର୍ଥାତ୍ ପୁଅର ସ୍ତ୍ରୀକୁ ମାତା ଵିଚାର କରିଵାକୁ ବ୍ରହ୍ମଵୈଵର୍ତ୍ତ ପୁରାଣରେ କୁହାଯାଇଛି । ଓଡ଼ିଶାର ଲୋକେ ଶାସ୍ତ୍ରର ଏହି ନିର୍ଦ୍ଦେଶକୁ ପାଳନ କରି ନିଜ ପୁତ୍ରଵଧୂକୁ ଵୋହୂମାଆ ସମ୍ବୋଧନ କରିଥାନ୍ତି (ଵିଶେଷତଃ ଶଶୁର) । ପ୍ରିୟାପ୍ରସୂଃ ଅର୍ଥାତ୍ ଝିଅକୁ ସ୍ନେହରେ ଓଡ଼ିଶାରେ ମାଆ ବୋଲି ସମ୍ବୋଧନ କରାଯାଏ । ଝିଅକୁ ପୂର୍ଵ ଉପାନ୍ତ ତଥା ଉତ୍ତର ଓଡ଼ିଶାରେ ସ୍ନେହରେ ବୁଢ଼ି ତଥା ପଶ୍ଚିମ ଓଡ଼ିଶାରେ ବୁଈ ସମ୍ବୋଧନ କରାଯାଏ । ଆମ ଓଡ଼ିଶାରେ ଛୋଟ ଝିଅମାନଙ୍କୁ ସ୍ନେହରେ ମାଆ ସମ୍ବୋଧନ କରିଵାର ପରମ୍ପରା ପ୍ରଚଳିତ । ଭାରତରେ ଅନ୍ୟତ୍ର ଏଭଳି ପରମ୍ପରା ଥିଵା ଜଣାଯାଏ ନାହିଁ ।
     ଓଡ଼ିଶାରେ ଗଞ୍ଜାମ ଜିଲ୍ଲାର ଲୋକେ ଏ କ୍ଷେତ୍ରରେ ସର୍ଵଭାରତୀୟ ସ୍ତରରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି କହିଲେ ଅତ୍ୟୁକ୍ତି ହେଵ ନାହିଁ । ସାରା ଭାରତରେ ବୃଦ୍ଧା ମହିଳାଙ୍କୁ ମୌସୀ, ମାଉସୀ,ଆଣ୍ଟି ଆଦି ସମ୍ବୋଧନ କରାଯାଉଥିଲା ବେଳେ ଗଞ୍ଜାମ ଜିଲ୍ଲା ସର୍ଵଭାରତୀୟ ସ୍ତରରେ ଏକ ମାତ୍ର ଅଞ୍ଚଳ ଯେଉଁଠି ଵୃଦ୍ଧା ମହିଳାଙ୍କୁ ସମ୍ମାନ ଦେଵାକୁ ଯାଇ ଗଞ୍ଜାମଵାସୀ ମାଆ ସମ୍ବୋଧନ କରିଥାଆନ୍ତି । ଅସ୍ତୁ କୁହାଯାଇପାରେ ଯେ ଶାସ୍ତ୍ରରେ କଥିତ ଷୋଡ଼ଶ ମାତା ତୁଲ୍ୟା ମହିଳାଙ୍କ ମଧ୍ୟରେ ଅଧିକାଂଶକୁ କୌଣସି ନା କୌଣସି ରୂପରେ ଓଡ଼ିଶାରେ ମାଆ ସମ୍ବୋଧନ କରାଯାଏ ।
    © ଶିଶିର ସାହୁ ମନୋଜ