ଲେଖା: ଦେବୀ ପ୍ରସାଦ ଦାସ
ଶହୀଦ ବିର୍ସା ମୁଣ୍ଡା ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଇତିହାସରେ ବିଖ୍ୟାତ। ଊନବିଂଶ ଶତାବ୍ଦୀରେ ଭାରତରେ ଇଂରେଜ ଶାସନ କାଳରେ ବିର୍ସା ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକାଠି କରି ଏକ ବଡ ଧରଣର ବିପ୍ଲବ ଆରମ୍ଭ କରିଥିଲେ । ୨୫ ବର୍ଷ ବୟସର ହେବା ବେଳକୁ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ସେ ଏକ ନୂତନ ଫର୍ଦ୍ଦ ଯୋଡ଼ିସାରିଥିଲେ । ସେ ନିଜ ଗାଁ ଏବଂ ଆଖପାଖ ଅଞ୍ଚଳର ଯୁବକମାନଙ୍କୁ ଇଂରେଜ ସରକାରଙ୍କ ବିରୋଧରେ ଲଢ଼ିବାକୁ ସଂଗଠିତ କରିପାରିଥିଲେ।
ଭାରତର ସ୍ୱାଧୀନତା ସଂଗ୍ରାମରେ ଆତ୍ମବଳି ଦେଇଥିବା କେତେଜଣ ପୁଣ୍ୟାତ୍ମାଙ୍କ ଭିତରେ ଓଡ଼ିଶାର ଶହୀଦ ବିର୍ସା ମୁଣ୍ଡା ଅନ୍ୟତମ। ଗୋରା ଶାସକମାନେ ସେବକ ପଟ୍ଟା ଲେଖାଇ ସରଳ ଗ୍ରାମବାସୀମାନଙ୍କୁ ଗୋତି ଓ ବେଠି ଖଟାଇବା ଓ ଧର୍ମାନ୍ତରଣ କରିବାପଇଁ ବାଧ୍ୟ କରୁଥିବାର ଦେଖି ସେ ସହି ପାରୁ ନ ଥିଲେ। ଚାଇଁବସା ମିଶନ୍ ସ୍କୁଲରେ ପାଠ ପଢୁଥିଲାବେଳେ ଗୋରା ପ୍ରଧାନ ଶିକ୍ଷକ ଆକ୍ରୋଶ ମୂଳକ ଭାବେ ବିର୍ସାଙ୍କୁ ଅମାନୁଷିକ ଭାବେ ଚାବୁକରେ ମାଡ଼ ମାରିଥିଲେ ଓ ସ୍କୁଲରୁ ବହିସ୍କାର କରି ଦେଇଥିଲେ। ସେହି ଦିନ ଠାରୁ ପାଠପଢାରେ ପୂର୍ଣ୍ଣଚ୍ଛେଦ ପକାଇ ସେ ଫିରିଙ୍ଗି ଶାସନ କବଳରୁ ଓଡ଼ିଶାରୁ ମୁକ୍ତ କରିବାପାଇଁ ଅଣ୍ଟାଭିଡ଼ି ବାହାରି ପଡ଼ିଥିଲେ। ବଣେଇ, ଗୁରୁଣ୍ଡିଆ, କଳିପଶ ଆଦି ଗ୍ରାମର କୋହ୍ଲ, ଖତିଆର, ମୁଣ୍ଡାକିଷାନ୍ ଆଦିବାସୀମାନଙ୍କୁ ସେ ବ୍ରିଟିଶ୍ ଅତ୍ୟାଚାର ବିଷୟରେ ସଚେତନ କରିଥିଲେ। ସେବକପଟ୍ଟା ନ ଲେଖିବା, ଖଜଣା ନ ଦେବା ଓ ବନ୍ଧୁକମୁନକୁ ଡରି ଧର୍ମତ୍ୟାଗ ନ କରିବାକୁ ସେ ପ୍ରଚାର କରୁଥିଲେ। ତାଙ୍କ ନେତୃତ୍ୱରେ ଆଦିବାସୀମାନେ ଏକତ୍ରିତ ହୋଇ ଇଂରେଜମାନଙ୍କ ବିରୁଦ୍ଧରେ ସଶସ୍ତ୍ର ବିପ୍ଳବ କରିବାପାଇଁ ଆଗଭର ହେବାର ଦେଖି ଇଂରେଜ ଶାସକ ପ୍ରମାଦ ଗଣିଲେ। ୧୮୯୫ ମସିହା ଅଗଷ୍ଟ ୧୬ ଦିନ ପୋଲିସ୍ ଏସ୍.ପି. ମେୟରସ୍ ବିର୍ସା ଓ ତାଙ୍କର ୧୫ ଜଣ ସାଥିଙ୍କୁ ଗିରଫ କରିଥିଲେ। ଦେଶଦ୍ରୋହ ଅପରାଧରେ ତାଙ୍କୁ ଦୁଇବର୍ଷ କାରାଦଣ୍ଡ ଦିଆଗଲା। ଏଥିପାଇଁ ତାଙ୍କୁ ରାଞ୍ଚି ଜେଲ୍‌କୁ ପଠାଇ ଦିଆଗଲା।
ମହାରାଣୀ ଭିକ୍ଟୋରିଆଙ୍କ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଅନେକ କଏଦୀମାନଙ୍କୁ ମୁକ୍ତ କରି ଦିଆ ଯାଇଥିଲା। ଏମିତିରେ ବିର୍ସା ଓ ତାଙ୍କର ସହକର୍ମୀମାନେ ମଧ୍ୟ ମୁକ୍ତି ପାଇ ଯାଇଥିଲେ। ତାଙ୍କ ଆହ୍ୱାନରେ ଶହଶହ ଯୁବକ ନିଜ ମାତୃଭୂମିକୁ ବିଦେଶୀ ଶାସନ କବଳରୁ ମୁକ୍ତ କରିବାପାଇଁ ଶପଥ ନେଲେ। ସେମାନେ ୧୮୯୯ ମସିହା ଡିସେମ୍ବର ୯ ତାରିଖ ଦିନ ନିଆଁହୁଳା, ଧନୁ ତୀର ଓ ବର୍ଚ୍ଛା ଧରି ଗୋରାମାନଙ୍କର ବାସଭବନ ଓ ଅଫିସ୍‌ରେ ନିଆଁ ଲଗାଇଦେଲେ। ସେମାନେ ସିଂହଭୂମି ଜିଲ୍ଲାର ପୋରହାଟରେ ଅଗ୍ନୀକାଣ୍ଡ ଘଟାଇଥିଲେ। ରାଞ୍ଚି ବିଚାରାଳୟ ଆକ୍ରମଣ କରୁଥିବା ସମୟରେ ସେମାନଙ୍କ ଭିତରୁ ୧୨ଜଣ ଶହୀଦ ହୋଇଥିଲେ। ବ୍ରିଟିଶ୍ ସରକାର ବିର୍ସାଙ୍କୁ ଧରାଇଦେଲେ ପାଞ୍ଚଶହ ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରିଥିଲେ। ତାଙ୍କର ସନ୍ଧାନ ନେବାପାଇଁ କନେଷ୍ଟବଳ ବୁଡୁରାମ ଓ ଜୟରାମଙ୍କୁ ଏଟିକେଡ଼ି ଗ୍ରାମକୁ ପଠାଗଲା। ବିର୍ସାଙ୍କର ମୁଖ୍ୟ ସହକର୍ମୀ ଗୟା ମୁଣ୍ଡା ଅନ୍ୟ ଗ୍ରାମବାସୀଙ୍କ ସହାୟତାରେ ୧୯୦୦ ମସିହା ଜାନୁଆରୀ ୧୫ ତାରିଖରେ ଏଇ କନେଷ୍ଟବଳଦ୍ୱୟଙ୍କୁ ହତ୍ୟା କରିଥିଲେ। ଏହାର ପ୍ରତିଶୋଧ ନେଇ ମିଃ ଷ୍ଟ୍ରିଟ୍ ଫିଲ୍ଡ ସଶସ୍ତ୍ର ପୋଲିସ୍ ବାହିନୀ ସହାୟତାରେ ଗୟା ମୁଣ୍ଡାଙ୍କୁ ଗିରଫ କରିବା ସମୟରେ ସେମାନଙ୍କ ଭୀଷଣ ଅସ୍ତ୍ରାଘାତରେ ସେ ମୃତ୍ୟୁ ବରଣ କରିଥିଲେ।
ଏହା ପରେ ବିର୍ସାଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଦମନଲୀଳାର ମୁଖ୍ୟକେନ୍ଦ୍ର ଖୁଣ୍ଟିଥାନାକୁ ନିଆଁ ଲଗାଇଦେଲେ, କନେଷ୍ଟବଳ ରଘୁରାମକୁ ହତ୍ୟାକଲେ ଓ ଅନ୍ୟ ପୁଲିସ୍‌ମାନଙ୍କୁ ଥାନା ଛାଡ଼ି ଚାଲିଯିବାକୁ ଧମକ ଦେଲେ। ଏହାର ପ୍ରତ୍ୟୁତ୍ତରରେ ୩୦୦ ଫୁଟ ଉଚ୍ଚା ଡୋମ୍ବରି ପାହାଡ଼, ଯେଉଁଠି ବିର୍ସା ଓ ତାଙ୍କ ସହକର୍ମୀ ନରସିଂହ ଅନ୍ୟ ସଂଗ୍ରାମୀମାନଙ୍କୁ ଉଦ୍‌ବୋଧନ ଦେଉଥିଲେ, ତାକୁ ଘେରିଗଲେ ଓ ଆତ୍ମସମର୍ପଣ କରିବାପାଇଁ ଘୋଷଣା କଲେ। ବିଦ୍ରୋହୀମାନେ ଏଥିରେ ରାଜି ନ ହୋଇ ପାହାଡ଼ ଉପରୁ ଧନୁତୀର, ବର୍ଚ୍ଛା ଓ ପଥରଦ୍ୱାରା ଇଂରେଜମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଲେ। ଫଳତଃ ଇଂରେଜମାନଙ୍କ ତରଫରୁ ଗୁଳିଗୋଳା ମାଡ଼ରେ ନରସିଂହ ମୁଣ୍ଡାଙ୍କ ସମେତ ଦୁଇଶହ ବିଦ୍ରୋହୀ ଶହୀଦ୍ ହୋଇ ଯାଇଥିଲେ। ବିର୍ସା ଅଳ୍ପକେ ବଞ୍ଚିଯାଇ ଆତ୍ମ ଗୋପନପାଇଁ ଚକ୍ରଧରପୁର ଜଙ୍ଗଲକୁ ଚାଲିଗଲେ।
ସରକାର ବିର୍ସାଙ୍କ ସନ୍ଧାନ ନ ପାଇବାରୁ ମୁଣ୍ଡାମାନଙ୍କ ଉପରେ ଅମାନୁଷିକ ଅତ୍ୟାଚାର କଲେ ଓ ସେମାନଙ୍କ ଘରେ ନିଆଁ ଲଗାଇଦେଲେ। ଏଥିରୁ ସେମାନଙ୍କୁ ରକ୍ଷା କରିବାପାଇଁ ତାଙ୍କ ସହକର୍ମୀ ଡେନକା ମୁଣ୍ଡାମାଝିଆ ମୁଣ୍ଡା ସରକାରଙ୍କ ପାଖରେ ଆତ୍ମସମର୍ପଣ କଲେ, ଯେଉଁମାନଙ୍କୁ ପରବର୍ତ୍ତୀ ସମୟରେ ଦେଶରୁ ନିର୍ବାସିତ କରି ଦିଆଯାଇଥିଲା।
ତଥାପି ବିର୍ସାଙ୍କ ମନରେ ସ୍ୱାଧୀନତାର ଆଶା ମଉଳି ନ ଥିଲା। ସଂଗ୍ରାମକୁ ନୂଆରୂପ ଦେବାପାଇଁ ସେ ଓଡ଼ିଶା ଛାଡ଼ି ସିଂହଭୂମି ଜିଲ୍ଲାକୁ ଚାଲି ଯାଇଥିଲେ। ବିଶ୍ୱାସଘାତକ ଶଶୀଭୂଷଣ ରାୟ ଓ ମାଝିତା ମାରିଆ ୫୦୦ ଟଙ୍କା ଲୋଭରେ ବିର୍ସା ସେନ୍ତେରା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଲୁଚିରହିଥିବାର ଖବର ଇଂରେଜ ସରକାରକୁ ଜଣାଇ ଦେଲେ। ୧୯୦୦ ମସିହା ମାର୍ଚ୍ଚ ୩ ତାରିଖରେ ତାଙ୍କୁ ଗିରଫକରି ରାଞ୍ଚି ଜେଲ୍‌କୁ ନିଆଗଲା। ଏହାଦେଖି ଶହ ଶହ ଅନୁଗାମୀ ତାଙ୍କ ସହ ଜେଲ୍ ଯିବାକୁ ବାହାରି ପଡ଼ିଲେ। ତେଣୁ ସୁରକ୍ଷା କାରଣରୁ ତାଙ୍କୁ ହଜାରିବାଗ ଜେଲ୍‌କୁ ସ୍ଥାନାନ୍ତରିତ କରାଗଲା। କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଠିକ୍ ରହୁ ନ ଥିବା କାରଣରୁ ତାଙ୍କୁ ପୁଣି ରାଞ୍ଚି ଜେଲ୍‌କୁ ଅଣାଗଲା। ତାଙ୍କ ପାଦରେ କଡ଼ା ପିନ୍ଧାଇ ଦିଆଯାଇଥିଲା, ଅନେକ ପ୍ରକାରର ନିର୍ଯ୍ୟାତନା ଦିଆଯାଉଥିଲା ଓ ତାଙ୍କ ଖାଦ୍ୟରେ ବିଷ ମିଶାଇ ଦିଆ ଯାଇଥିଲା। ଏସବୁର ମୂକସାକ୍ଷୀ ଥିଲେ ଜେଲ୍‌ର ଡାକ୍ତର ଅମୂଲ୍ୟ ଓ ମେହେନ୍ତର ଶିବନା। ତାଙ୍କ ଅପରାଧର ବିଚାରପାଇଁ ତାଙ୍କୁ ବିଚାରାଳୟକୁ ନିଆଯାଇଥିଲା। ଇଂରେଜମାନଙ୍କ ଭୟରେ ସେଠାରେ କେହି ତାଙ୍କ ସପକ୍ଷରେ ସାକ୍ଷ୍ୟ ଦେଇ ନ ଥିଲେ। ବିଚାରାଳୟ କୋଠରୀରେ ବିର୍ସା ପ୍ରଳାପ କରୁଥିବାର ଦେଖି ବିଚାରପତି ବିଚାରକୁ ସ୍ଥଗିତ ରଖି ତାଙ୍କୁ ପୁନଃ ଜେଲ୍‌କୁ ପଠାଇଦେଲେ। ମାତ୍ର ପଚିଶ ବର୍ଷ ବୟସ୍କ ବିଦ୍ରୋହୀ ବିର୍ସା ମୁଣ୍ଡା ରାଞ୍ଚି ଜେଲ୍‌ରେ କଲବଲ ହୋଇ ୧୯୦୦ ମସିହା ଜୁନ୍ ୯ ତାରିଖ ଦିନ ଶେଷ ନିଃଶ୍ୱାସ ତ୍ୟାଗକଲେ।
ବିର୍ସାଙ୍କ ମୃତ୍ୟୁପରେ ତାଙ୍କର କିଛି ସହକର୍ମୀମାନଙ୍କୁ ନିର୍ବାସିତ କରି ଦିଆଗଲା ଓ କେତେକଙ୍କୁ ଫାସୀ ଦିଆଗଲା। ହଇଜାରେ ପଡ଼ି ବିର୍ସାଙ୍କ ମୃତ୍ୟୁ ହୋଇଛି ବୋଲି ଇଂରେଜଙ୍କ ଡରରେ ମିଥ୍ୟା ରିପୋର୍ଟ ଦେଇଥିବାରୁ ଡାକ୍ତର ଅମୂଲ୍ୟ ଚାକିରି ଛାଡ଼ିଦେଲେ ଓ ମେହେନ୍ତର ଶିବନା ବିର୍ସାଙ୍କ ମୃତ୍ୟୁକୁ ସ୍ୱୀକାର କରି ନ ପାରି ମାନସିକ ଭାରସାମ୍ୟ ହରାଇ ବସିଲେ। ବିର୍ସା ମୁଣ୍ଡା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ଅଗ୍ରଗଣ୍ୟ ସଂଗ୍ରାମୀ ଯାହାଙ୍କର ସାହସ ଓ ବଳିଦାନ ହଜାର ହଜାର ଭାରତୀୟଙ୍କୁ ଅନୁପ୍ରାଣିତ କରିଥିଲା।
ଊନବିଂଶ ଶତାବ୍ଦୀର ଶେଷଭାଗରେ ଭାରତର ପୁର୍ବାଞ୍ଛଳର ଘଞ୍ଛ ଜଙ୍ଗଲ ମଧ୍ୟରେ ଯେଉଁ ବିପ୍ଲବର ସ୍ୱର ଝଂକୃତ ହୋଇଥିଲା, ‘ଆବୁଆ ରାଜା ଇତେ ଜାନା,
ମହାରାନୀ ରାଜ ଟୁଡୁ ଜାନା’
(ମହାରାଣୀଙ୍କ ସାମ୍ରାଜ୍ୟ ପତନ ହେଉ ଏବଂ ଆମ ସାମ୍ରାଜ୍ୟର ପ୍ରତିଷ୍ଠା ହେଉ)
ତାହାହିଁ ଥିଲା ବ୍ରିଟିଶ୍ ରାଜ୍ ପ୍ରତିଷ୍ଠା ବିରୁଦ୍ଧରେ ପ୍ରତିବାଦର ସ୍ୱର। ଏହି ଅନ୍ଦୋଳନର ମୁଖ୍ୟ ସୂତ୍ରଧର ଥିଲେ ଶହୀଦ ବିର୍ସା ମୁଣ୍ଡା।
ବ୍ରିଟିଶ ଶାସନର ଦାସତ୍ୱରୁ ମୁକ୍ତି ପାଇବା ନିମନ୍ତେ ବିପ୍ଲବୀ ବିର୍ସା ମୁଣ୍ଡାମାନଙ୍କୁ ସଂଘଟିତ କରିବା ନିମନ୍ତେ କାର୍ଯ୍ୟପନ୍ଥା ଆରମ୍ଭ କଲେ। ସେତେବେଳେ ଜାଗିରିଦାର, ଜମିଦାର ଓ ଠିକାଦାରମାନେ ମୁଣ୍ଡା ତଥା ଆଦିବାସୀମାନଙ୍କ ଉପରେ ଅତ୍ୟାଚାର କରିବା ସହିତ ବିଭିନ୍ନ ଭାବରେ ଶୋଷଣ କରୁଥିଲେ ଏବଂ ଭୟଭୀତ କରି ରଖିଥିଲେ। ଏହିଭଳି ଏକ ସନ୍ଧିକ୍ଷଣରେ ମହାନ୍ ବିପ୍ଲବୀ ତଥା ସ୍ୱାଧୀନଚେତା ବିର୍ସା ମୁଣ୍ଡାଙ୍କର ଆବିର୍ଭାବ ଘଟିଥିଲା। ସେ ମୁଣ୍ଡା ସମ୍ପ୍ରଦାୟର ନେତୃତ୍ୱ ନେବା ସଙ୍ଗେ ସଙ୍ଗେ ବ୍ରିଟିଶ୍ ଶାସନର ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିବାକୁ ପ୍ରବର୍ତ୍ତାଇ ଥିଲେ ।
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago