ସୌରଭିତ ସୃଷ୍ଟି: ଡ. ମାୟାଧର ମାନସିଂହ
ଓଡ଼ିଆ ସାହିତ୍ୟ ଜଗତରେ ଜଣେ ବିସ୍ମୟ ପ୍ରତିଭା ଡ. ମାୟାଧର ମାନସିଂହ  । ସାହିତ୍ୟର ସବୁ ଦିଗରେ ତାଙ୍କର ଲେଖନୀ ଚାଳନା । କାବ୍ୟ କବିତା, ନାଟକ, ଇତିହାସ, ପ୍ରବନ୍ଧ, ସମାଲୋଚନା, ଗଳ୍ପ, ଉପନ୍ୟାସ ଆଦିରେ ଭରପୂର ତାଙ୍କ ସୃଜନିକା । ଶିଶୁ ସାହିତ୍ୟ ମଧ୍ୟ ସୃଷ୍ଟି କରିବା ପାଇଁ ପଛାଇ ନଥିଲେ ଆମର ପ୍ରିୟ ସ୍ରଷ୍ଟା । ଓଡ଼ିଆ ବୀରାଙ୍ଗନା ରାଣୀ ଶୁକଦେଈ କବିତା, ଯାହା ପାଠ୍ୟପୁସ୍ତକରେ ସ୍ଥାନ ପାଇବା ପାଇଁ ଆଶା ରଖିଥିଲେ ଓଡ଼ିଆ ସାହିତ୍ୟର ପ୍ରାତଃସ୍ମରଣୀୟ ଅସାଧାରଣ ପ୍ରଜ୍ଞାପୁରୁଷ ଡ. ମାୟାଧର ମାନସିଂହ
~ ରାଣୀ ଶୁକଦେଈ ~
ମହାନଦୀ କୂଳେ ବାଙ୍କୀ ମୂଲକରେ
ଥିଲେ ଜଣେ ବଡ଼ ରଜା ,
ଧନଞ୍ଜୟ ଭଞ୍ଜ ନାମ ତାହାଙ୍କର
ସୁଖେ ପାଳୁଥିଲେ ପ୍ରଜା ।୧।
ଖୋରଧାର ରାଜା ନାମ ରାମଚନ୍ଦ୍ର
ନ ସହି ତାହାଙ୍କ ଶିରୀ ,
ଲଗାଇଲେ ଯୁଦ୍ଧ ବାଙ୍କୀ ମୂଲକରେ
ସଇନ-ସାମନ୍ତ ଧରି ।୨।
ସମର ଭୂଇଁରେ ଧନଞ୍ଜୟଙ୍କର
ମୁଣ୍ଡ ପକାଇଲେ ହାଣି ,
ଶୁଣିଲେ ଖବର ମୁହୂର୍ତ୍ତ ଭିତରେ
ବାଙ୍କୀଗଡ଼ ପାଟରାଣୀ ।୩।
“କି ହେଲା ,କି ହେଲା ” ବୋଲି ସେ କହିଲେ
“ଛାର ରାମଚନ୍ଦ୍ର ଦେବ ,
ମୁହିଁ ଥାଉଁ ଥାଉଁ ଏ ସୁନା ମୂଲକ
ଅକାରଣେ ଠକି ନେବ ? ।୪।
ଜିଇଁ ଥାଉଁ ଥାଉଁ ଆପଣା ଦରବ
ନ ରଖି ପାରଇ ଯେହୁ ,
ପୋଡ଼ି ଯାଉ ତାର ମଣିଷ ପଣିଆ
ଜିଇଁ ମରିଥାଏ ସେହୁ” ।୫।
ନଅର ଭିତରୁ ଦିନେ ହେଲେ ରାଣୀ
ନ ଥିଲେ କେବେ ବାହାରି ,
ଅପମାନ ଦେଖି ଲଢ଼ିବାକୁ ଆଜି
ସଜ ହେଲେ ଖଣ୍ଡା ଧରି ।୬।
ବୁଢ଼ା ବେବରତା କେତେ ମନାକଲେ
ନ ମାନିଲେ ତାଙ୍କ କଥା ,
କହିଲେ, “ବେବର୍ତ୍ତେ , ସରମେ କେମନ୍ତେ
ଚାଲିବା ହେ ଟେକି ମଥା ? ।୭।
ଲାଜେ ବଞ୍ଚିବାଠୁଁ ମରଣଟି ଭଲ
ହାରିବାଠୁଁ ଭଲ ଜିଣା,
ମୋ ଭାଇ ବଡ଼ମ୍ବା ରାଜାଙ୍କୁ ପଚାର
ସହାୟ ହୋଇବେ କି ନା ? ।୮।
ପୁଅ ଦୟାନିଧି ମଣିଷ ହୋଇଲେ
ଗରବ କରିବ ଭାଳି,
ବାପ ପରି ତାର ମାଆ ଯାଇଥିଲା
ଯୁଦ୍ଧେ ଧରି ତରବାରୀ ।”।୯।
ଏହା କହି ରାଣୀ ଘୋଡ଼ା ଛାଡ଼ି ଦେଲେ
ତେଜି ଉଠି ବାଙ୍କୀ ଜନ,
କାଣ୍ଡ, ଶର, ଭାଲି, ଛୁରୀ ଘେନି ସର୍ବେ
ଯୁଦ୍ଧକୁ କଲେ ଧାବନ । ୧୦।
ବଡ଼ମ୍ବା-ରାଜାଙ୍କ ବଳୁଆ ସଇନେ
ବାଟେ ଆସି ଗଲେ ଜୁଟି,
ଶହ ଶହ ଶତ୍ରୁ ସେନା ହାଣ ଖାଇ
ଭୂଇଁରେ ପଡ଼ିଲେ ଲୋଟି ।୧୧।
ରାମଚନ୍ଦ୍ର ଦେବ କଇଦୀ ହୋଇଲେ
ଧନ୍ୟ ବୀର ଓଡ଼ିଆଣୀ,
ଆଜି ଯାଏ ଲୋକେ ପାସୋରି ନାହାନ୍ତି
ଶୁକଦେଈ ସାଆନ୍ତାଣୀ ।୧୨।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

4 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago