ସୃଷ୍ଟିସମଗ୍ର

ରଜଦୋଳି ଗୀତରେ ମନସ୍ତାତ୍ତ୍ବିକ ଦିଗ

ଲେଖା: କରୁଣାକର ପାଟ୍ଟଶାଣୀ
ରଜଦୋଳି ଗୀତରେ ମନସ୍ତାତ୍ତ୍ବିକ ଦିଗ ! ରଜ ପର୍ବରେ କୁଆଁରୀ ଝିଅମାନଙ୍କର ଦୋଳି ଖେଳ ଏକ ପ୍ରଧାନ ଆକର୍ଷଣ। ଦୋଳି ଖେଳ ଭିତରେ କୁଆଁରୀ ମନର ଅଫିଟା କଥା ସବୁ ମୁକୁଳି ପଡେ। କୁମାର ପୂନେଇଁ ଗୀତ ପରି ରଜଦୋଳି ଗୀତ ଝିଅମାନଙ୍କ ମୁଖରେ ଚହଲୁଥାଏ:
“ରଜ ଦୋଳି କଟମଟ ଲୋ
ଫୁଲ ବଉଳ ବେଣୀ
କୁଆଁରୀ ମନର ଗୋପନ କଥାକୁ
କହିଦେବା ମନ ଖୋଲିଲୋ
ଫୁଲ ବଉଳ ବେଣୀ।।”
‘ରଜ ଦୋଳି କଟମଟ’ ହେଲା ପରି କୁମାରୀ ମନ ଭିତରେ ଅନେକ ଅକୁହା କଥା କୁହାଟ ଛାଡୁଥାଏ। ଅନ୍ତରଙ୍ଗ ବାନ୍ଧବୀର ବେଣୀ ପରି ତା’ର ଚହଲା ମନ ବି ରହସ୍ଯମୟୀ, ଫୁଲ ପରି କୋମଳ, ବଉଳ ପରି ବାସ୍ନାୟିତ, ତେଣୁ ଆକର୍ଷକ। ଦୋଳି ଖେଳ ସହ ସଖୀ ଫୁଲ, ବଉଳର ଥଟାତାମସା ଆଉ ତା’ରି ଭିତରେ ଗୁମର କଥା ମୁକୁଳୁଥାଏ। ପୁଣି ଗୀତର ଶାଖା-ପତ୍ର ମେଲିଯାଏ। ଦୋଳିରେ ଝୁଲିବାକୁ ମନ; କିନ୍ତୁ ଧୀରେ ଧୀରେ, ତେଣୁ ସଖୀକୁ କହେ:
“ଥିରି ଥିରି ଝୁଲା ଦୋଳି
ଓଢ଼ଣୀ ଯାଉଛି ପବନେ ଉଡ଼ି
ପବନେ ଉଡ଼ି ଲୋ
ଗଭା ଫୁଲ ଯାଏ ଝଡ଼ି।।”
‘ଓଢ଼ଣୀ ଉଡ଼ିବା’ ସହ ଦୁଇଟି କଥା ଉଲ୍ଲେଖନୀୟ। ପ୍ରଥମତଃ, ଓଢ଼ଣୀ ଉଡ଼ିଗଲେ କୁମାରୀ କନ୍ଯାର ଉଦ୍ଭିନ୍ନ ଯୌବନ ପ୍ରେମୀ ନୟନକୁ ଜରଜର କରିବ। ଦ୍ବିତୀୟତଃ, ‘ଓଢ଼ଣୀ ଉଡ଼ିବା’ ଅର୍ଥ ନୂଆ ନୂଆ ଡେଣା ଲାଗିଥିବା ମନ।
ନିଷେଧାର୍ଥରେ, ଉଡୁଥିବା ମନକୁ ଲଗାମ କଷିବାକୁ ଇଚ୍ଛା ପ୍ରକାଶ କରିଛି। ପୁଣି ଗଭା ଫୁଲ ନ ଝଡ଼ୁ ବୋଲି ଇଚ୍ଛା କରୁଛି। ‘ଗଭାଫୁଲ’, ପ୍ରୀତିର ଅନ୍ଧାରୀ ଗୁମ୍ଫା ଭିତରକୁ ନାୟକକୁ ଆସିବାକୁ ଏକ ପୁଷ୍ପିତ ପ୍ରେମ ପତ୍ର ପରି। ‘ଗଭାଫୁଲ’ ମାଧ୍ଯମରେ କୁମାରୀ କନ୍ଯାଟିଏ ନିଜ ହୃଦୟର ଭାଷାକୁ ସଯତ୍ନେ ସଜେଇ ରଖିଛି।
ଦୋଳି ଖେଳୁଥିବା ଝିଅମାନଙ୍କୁ ଗଜରାଜର ଡାକ ଆନମନା କରେ:
“ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ
ଆସିଛି ରଜ ଲୋ
ଘେନି ନୂଆ ସଜବାଜ
ବଉଳଲୋ ଘେନି ନୂଆ ସଜବାଜ।।”
ରଜଦୋଳି ଗୀତରେ ମନସ୍ତାତ୍ତ୍ବିକ ଦିଗ ବାବଦରେ ଆସନ୍ତୁ ଉନ୍ମୋଚିତ କରିବା:
୧। ‘ଗଜ’: ଯୌନତା (Sex)ର ପ୍ରତୀକ।
‘ଗଜର ଡାକ’ ଭିତରେ ରଜସ୍ବାଳା କୁଆଁରୀ କନ୍ଯାର ଯୌନ ଭାବାବେଗକୁ ଉତ୍କୀର୍ଣ୍ଣ କରାଯାଇଛି।
୨। ‘ବନସ୍ତ’: ନାରୀ ମନର ଗହନ ଚେତନାକୁ ପ୍ରତୀକିତ କରୁଛି।
୩। ‘ଗଜ ବନସ୍ତରେ ଡାକିବା’ ଭିତରେ ବନ ପ୍ରାନ୍ତର କେବଳ ପ୍ରକମ୍ପିତ ହୁଏ ନାହିଁ; ଜନପଦକୁ ମଧ୍ଯ ତାହା ଶ୍ରାବ୍ଯ ଥାଏ। କୁମାରୀ କନ୍ଯା ରଜସ୍ବାଳା ହେବା ସହ ତା’ ମନ-ବନର ଯୌନ ଚିତ୍କାର ତା’ର ଶରୀରକୁ ଭେଦକରି ଜନ ସମାଜକୁ ମଧ୍ଯ ପ୍ରସରୀ ଯାଇଥାଏ।
ପ୍ରଥମ ଥର ପାଇଁ ଝିଅଟିଏ ଯେତେବେଳେ ରଜୋବତୀ ହୁଏ, କୋଟି କଦମ୍ବର ଶିହରଣ ଉଠେ ତା’ ଭିତରେ। ପ୍ରଥମ ବାରିପାତରେ ଓଦା ମାଟିର ଭୁରୁଭୁରୁ ବାସ୍ନା ପରି ଥରକୁ ଥର ପୁଲକି ଉଠୁଥିବା ମନର ଭାବକୁ ସେ ‘ସଜବାଜ’ ହେବା ସହ ଉକୁଟାଏ।
ଋତୁମତୀ ଝିଅ ଭିତରେ ଉଠୁଥିବା ଜୁଆରର ଏକମାତ୍ର ମୁକସାକ୍ଷୀ ତା’ ବଉଳ। ସେ ନବ ରଜୋବତୀ ବାନ୍ଧବୀକୁ ପରିବର୍ତ୍ତିତ ଦୁଇଟି ପ୍ରକୃତି ବିଷୟରେ ଖବର ଦେଉଛି। ବାହାରେ ଋତୁ ବଦଳିବା ସହ ବଉଳ ତା’ର ‘ଋତୁମତୀ’। ଉଭୟେ ନୂଆ ଭାବରେ ‘ସଜବାଜ’ ହେବା ଋତୁ ସଂଗତ। ତେଣୁ ଗୀତରେ କହିଛି:
“ଆସିଛି ରଜ ଲୋ/
ଘେନି ନୂଆ ସଜବାଜ/
ବଉଳଲୋ ଘେନି ନୂଆ ସଜବାଜ।”
ଏଇ ‘ସଜବାଜ’ ଭିତରେ କୁମାରୀ କନ୍ଯାର ନାନ୍ଦନିକ ଭାବଟି ପ୍ରସାରିତ। ‘ପହିଲି ରଜ’ ସହ ‘ପହିଲି ପୁଲକ’କୁ ଏ ଦୋଳିଗୀତରେ ଗୁରୁତ୍ବ ଦିଆଯାଇଛି। ସେଇ ସଦ୍ଯ ପ୍ରସ୍ଫୁଟିତ ଚମ୍ପାଫୁଲର ମହକରେ ଯେତେବେଳେ ବାଟବଣା ହୁଏ ସମୁଦ୍ରର ଢେଉ, ପଥର ତରଳୁ ଥାଏ, ଶୁଖିଲା ନଈରେ ବନ୍ଯା ଆସେ, ଯୋଗୀ ଭିତରେ ରିରଂସା ରାଗ ଚହଲୁଥାଏ . . ସବୁର ଖବର କିନ୍ତୁ ସାଉଁଟୁଥାଏ ତା’ର ସଖୀ, ‘ବଉଳ’।
ବଉଳଟା କିନ୍ତୁ ଭାରୀ ବଦମାସ। ‘ଆମ୍ବ’, ‘ପଣସ’ ପାଚିଲାଣି କହି ଟାପରା କରୁଛି ସଖୀକୁ। ସଖୀ ତା’ର ଆମ୍ବ, ପଣସ ଠାରୁ କିଛି କମ ରସାଳ ନୁହେଁ ଯେ! ନୂଆ ନୂଆ ଉଡୁଥିବା ପକ୍ଷୀ, ବର୍ଷାକାଳର ଖରସ୍ରୋତା ନଈ ଯେପରି ସୀମା ଡେଇଁଥାନ୍ତି, ସେପରି ସଖୀ ତା’ର ଅଜଣା ପୁରୁଷ ସହ ଅଙ୍ଗସଙ୍ଗ ହୋଇ ଠକି ଯିବାର ଆଶଙ୍କା ବ୍ଯକ୍ତ କରିଛି ବଉଳ। ତେଣୁ ଛଳୋକ୍ତି ସହ ଆକଟ କରି କହିଛି:
“ପାଚିଲା ପଣସ ଆମ୍ବ
ପରଖି ନକଲୁ ଯାହାଠି ଭାବ
ଯାହାଠି ଭାବ ଲୋ
ସେ ତ ଦିନେ ଦଗା ଦେବ
ବଉଳଲୋ ସେ ତ ଦିନେ ଦଗା ଦେବ।”
ଶ୍ରାବଣରେ ଭିଜୁଥିବା ଅରଣ୍ଯରେ ଯେତେବେଳେ ନିଆଁ ଲାଗେ, ତା’ର ଗନ୍ଧ ମାଆ ନାକରେ ବାଜେ। ବଡ଼ଭାଇକୁ ଖବର ଲାଗେ। ବଢ଼ିଲା ନଈ କୂଳ ଲଙ୍ଘିବା ପୂର୍ବରୁ ସାଗର ଖୋଜା ହୁଏ। ମିଳନର ଋତୁ ପାଖେଇ ଆସିବାର ଖବରରେ ଉତ୍ଫୁଲ୍ଲିତ କୁଆଁରୀ ପ୍ରାଣ ବଉଳକୁ କହିବସେ:-
“ଏ ତ ସେ ସରୋଜ ମୋର
ଆର ସାଲେ ହେବ ମୋ ବାହାଘର
ମୋ ବାହାଘର ଲୋ
ଭାଇ କିଣିଲେଣି ହାର
ବଉଳଲୋ ଭାଇ କିଣିଲେଣି ହାର।।”
ଝିଅମାନଙ୍କର ଅନ୍ଯ ଏକ ଆକର୍ଷଣ ସୁନା ଅଳଙ୍କାର। ତେଣୁ ରଜରେ ‘ସଜବାଜ’ ହେବା ଭିତରେ ତା’ର ଚହଲୁଥିବା ମନ ଓ ଚମକୁଥିବା ଦେହକୁ ବାରବାର ସେ ସଜାଡିବାକୁ ପ୍ରୟାସ କରିଛି। ରଜ ଦୋଳି ଗୀତରେ ସ୍ବପ୍ନ-ସମ୍ଭାବନା, ପ୍ରେମ-ପ୍ରତାରଣା, ଆଶା-ଆଶଙ୍କା ବିଶେଷକରି ‘ନାରୀ-ପ୍ରକୃତି-ଯୌନତା’ର ଏକ କକଟେଲକୁ ଆମେ ଏଠି ଶୁଣିପାରୁ। ଏଇ ରଜ ଦୋଳିର ଗୀତ ଭିତରେ ନାରୀ ମନସ୍ତତ୍ତ୍ବ ମୁଖ୍ଯତଃ ଉକୁଟି ଉଠିଛି।
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago