ଲେଖା: ଦେଵ ତ୍ରିପାଠୀ

ଅଢ଼େଇ ହଜାର ବର୍ଷର ନଗର ଏଇ କଟକ । ଏଠାକାର ବାଲି, ଗୋଡ଼ି ମାଟିରେ ରହିଛି ଇତିହାସର ମହକ । ସେଥିପାଇଁ ତ ଓଡ଼ିଶା ମାଟିର ଗାରିମାର କଥା ପଢ଼ିବାକୁ ହେଲେ ସର୍ବାଗ୍ରେ ଆସେ ଐତିହ୍ୟ ନଗରୀ କଟକର ଇତିହାସ !

ମହାନଗରୀରେ ଥିବା ଅନେକ ପ୍ରାଚୀନ ମନ୍ଦିର ମଧ୍ୟରୁ ଦେବୋତ୍ତର ବିଭାଗ ଅଧୀନରେ ପରିଚାଳିତ ସୀତାରାମ ଠାକୁରବାଡ଼ି ସହିତ ଜଡ଼ିତ ଅଛି କେତେ ଇତିହାସ ତଥା ଜନଶ୍ରୁତି ! ଦିନ ଥିଲା, ପୁରୀଘାଟରୁ ଜଗନ୍ନାଥ-ଦର୍ଶନାର୍ଥୀ ଡ଼ଙ୍ଗାରେ ବସି କାଠଯୋଡ଼ି, ଦୟା, ଭାର୍ଗବୀ ନଦୀରେ ଅବତରଣ କରି ଯାଉଥିଲେ ଶ୍ରୀକ୍ଷେତ୍ରକୁ । ଜନଶ୍ରୁତି କହେ, ଦୀର୍ଘ ପଥ ନଦୀସ୍ରୋତରେ ଯାତ୍ରା କରିବା ପୂର୍ବରୁ ଯାତ୍ରୀଗଣ ଯେଉଁ ଦିଅଁଙ୍କୁ ଉପାସନା କରି ଆଶିଷ ଭିକ୍ଷା କରିବାକୁ ଭୁଲୁ ନ ଥିଲେ, ସେଇ ଦିଅଁ ଥିଲେ ମହାପ୍ରଭୁ ଶ୍ରୀରାମଚନ୍ଦ୍ର ! ଲୋକମୁଖରେ ପରିଚିତ ଶ୍ରୀ ରଘୁନାଥଜୀଉ, କଟକ କୁଶୁନପୁର ବାସିନ୍ଦାଙ୍କ ଇଷ୍ଟଦେବ !


ସମ୍ପୂର୍ଣ୍ଣ ଧଳାପଥରରେ ନିଖୁଣ କାରୁକାର୍ଯ୍ୟରେ ନିର୍ମିତ ଏଇ ରଘୁନାଥଜୀଉ ଦେଉଳର ନାଟମଣ୍ଡପ (ମୁଖଶାଳା) ଦେଇ ଜଗମୋହନ ଓ ଚନ୍ଦନ ଅର୍ଗଳି ଅତିକ୍ରମ କରି ଭକ୍ତ ଦର୍ଶନ କରେ ଅନନ୍ୟ ବିରଳ କମନୀୟ ଚତୁର୍ଭୁଜ ଶ୍ରୀରାମ ମୂର୍ତ୍ତି ! ସୁଗ୍ରୀବଙ୍କ ସମେତ ବିଜୟ ପାବନୀ ସିଦ୍ଧ ହନୁମାନଙ୍କ ପ୍ରଣାମ ମୁଦ୍ରାର ପ୍ରତିମା ଭକ୍ତଙ୍କୁ ଭାବବିହ୍ୱଳ କରାଏ । ମନ୍ଦିରର ସୁରକ୍ଷା ନିମନ୍ତେ ନିର୍ମିତ ସୁଉଚ୍ଚ ମେଘନାଦ ପାଚେରୀର ପ୍ରତ୍ୟେକ ଅଂଶରେ ଶୋଭାପାଏ ଛୋଟ ଛୋଟ ଠଣାମାନ !

ଉପଯୁକ୍ତ ଗବେଷଣାର ଅଭାବରୁ ମନ୍ଦିରର ନିର୍ମାଣ କାଳ ବାବଦରେ ସଠିକ ତଥ୍ୟ ଉପଲବ୍ଧ ନ ଥିଲେ ମଧ୍ୟ ୧୫୦୦ ଖ୍ରୀଷ୍ଟାବ୍ଦ କିମ୍ବା ପୂର୍ବବର୍ତ୍ତୀ ସମୟରେ ବୋଲି ଅନୁମେୟ । ମରହଟ୍ଟା ଶାସିକା ସୁନ୍ଦରୟା ମହାପ୍ରଭୁ ରଘୁନାଥଙ୍କ ଉପାସନା ଓ ଆଶୀର୍ବାଦରୁ ହିଁ ଲଭିଥିଲେ ପୁତ୍ର ରଘୁଜୀ ଭୋନ୍ସଲେଙ୍କୁ, ଏବଂ ପରବର୍ତ୍ତୀ ସମୟରେ ଭକ୍ତିଭରେ ଏଇ ଭବ୍ୟ ଦେଉଳକୁ ଗଢ଼ିଥିଲେ ବୋଲି ଲୋକମତ ରହିଛି ।ଏଇ ପ୍ରାଚୀନ ତଥା ବିଶାଳ ରଘୁନାଥଜୀଊ ମନ୍ଦିରରେ ଦିଅଁଙ୍କ ୩୬୫ ଦିନର ନୀତିକାନ୍ତି ତଥା ସେବାପୂଜା ନିର୍ବାହ ନିମନ୍ତେ ଓଡ଼ିଶାର ବିଭିନ୍ନ ସ୍ଥାନରେ ୩୬୦ ବାଟି ଜମିଜମା ଥିଲା । ମାତ୍ର ସେ ସମ୍ପତ୍ତିର ବହୁଳାଂଶ ଘରୋଇ ବ୍ୟକ୍ତି ଅବା ମାଫିଆଙ୍କ କବଳିତ !

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏକଦା କଟକର ପ୍ରବେଶପଥ ଥିବା ଏଇ କୁଶୁନପୁର କିନ୍ତୁ କେତେ ଇତିହାସର କଥା ବଖାଣେ । ଆନୁମାନିକ ୧୫ଶ ଶତାବ୍ଦୀରେ ମହାରାଜା ମୁକୁନ୍ଦଦେବଙ୍କ ସହ ଗୋଦାବରୀ ତଟଦେଶ ଏବଂ ଶ୍ରୀକାକୁଲମ ଆଦି ଅଞ୍ଚଳରୁ ତେଲୁଗୁ ଜନସାଧାରଣ କଟକ ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଆସିଥିଲେ । ତେବେ ବିଭିନ୍ନ ପ୍ରକାରର ବାଣିଜ୍ୟ ଅବା କର୍ମସଂସ୍ଥାନ ଉଦ୍ଦେଶ୍ୟରେ ଆସିଥିବା ତେଲୁଗୁ ଜନତାଙ୍କ ଉପରେ ଥିଲା ମହାରାଜାଙ୍କ କୃପାଦୃଷ୍ଟି ! ସେ ସମୟରେ ସୋମଶେଖର ନାମକ ଜଣେ ଭଦ୍ରବ୍ୟକ୍ତିଙ୍କ ଭାଗ୍ୟରେ ଜୁଟିଲା କଟକ ନଗରର ଜମିଦାରୀ । ସୋମଶେଖରଙ୍କ ସହ ସଂଖ୍ୟାଧିକ ତେଲୁଗୁ ଲୋକଙ୍କ ବସତି ପାଲଟିଥିବା କୁଶୁନପୁର ଲୋକମୁଖରେ ପରିଚିତ ହୋଇଗଲା ତେଲେଙ୍ଗାବଜାର ଭାବେ ।

ଆଜି ଅଞ୍ଚଳଟି ‘ଉପର’ ଓ ‘ତଳ’ ତେଲେଙ୍ଗାବଜାର ଭାବେ ପରିଚିତ ହେଲେ ମଧ୍ୟ ସରକାରୀ କାଗଜପତ୍ରରେ ଆଞ୍ଚଳିକ ନାମ କୁଶୁନପୁର । କହିବା ବାହୁଲ୍ୟ, ଏଇ ଅଞ୍ଚଳର ଇତିହାସ କିନ୍ତୁ ସୂଚାଇ ଦିଏ ତେଲୁଗୁ ଲୋକଙ୍କ ସହିତ ଓଡ଼ିଆଙ୍କ ସମ୍ପର୍କ ଓ ସୌହାର୍ଦ୍ଦ୍ୟର ବାର୍ତ୍ତା ! ଓଡ଼ିଆ ରାଜା, ସାମନ୍ତ, ଜମିଦାରମାନେ ଯେ ଗୋଦାବରୀ ନଦୀ ତଟରେ କେବଳ ନିଜର ସମ୍ପତ୍ତି ବୃଦ୍ଧି କରିଥିଲେ ସେ କଥା ନୁହେଁ, ସେଠାକାର ବଣିକମାନଙ୍କୁ ନିଜ ଅଞ୍ଚଳକୁ ଆମନ୍ତ୍ରଣ କରି ଉଭୟ ଅଞ୍ଚଳର ଆର୍ଥନୀତିକ ସମୃଦ୍ଧି ସହିତ ସାଂସ୍କୃତିକ ବିନିମୟ ନିମନ୍ତେ ପଥ ପ୍ରସ୍ତୁତ କରିଥିଲେ ! ଗଞ୍ଜାମର ବିଶିପଡ଼ାରେ (ଏବେକାର କନ୍ଧମାଳ) ରାମଲୀଳାର ପ୍ରବର୍ତ୍ତନ ହେବାର ପ୍ରାୟ ଶହେ ବର୍ଷ ପୂର୍ବରୁ ତେଲୁଗୁମାନଙ୍କ ଦ୍ଵାରା ଏହା ଆରମ୍ଭ ହୋଇଥିଲା ବୋଲି କେହି କେହି ମତ ଦିଅନ୍ତି ।

ଏବେ ଅବଶ୍ୟ କଟକ ତେଲେଙ୍ଗାବଜାରରେ ତେଲୁଗୁଙ୍କ ସଂଖ୍ୟା ନଗଣ୍ୟ ! କିନ୍ତୁ ସବୁ ‘ନାହିଁ’ ‘ନାହିଁ’ର ବଳୟ ଭିତରେ ମରାଠାଙ୍କ ରଘୁନାଥଜୀଉ ମନ୍ଦିର ନଗରବାସୀଙ୍କ ଆଧ୍ୟାତ୍ମିକତାକୁ ଅମଳିନ କରି ରଖିଛି ।
Images: Eswar Kumar & Bandhan Dalai
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago