ଲେଖା: ନିରଞ୍ଜନ ସାହୁ
ମାଦଳାପାଞ୍ଜି ବହୁ ପ୍ରାଚୀନ କାଳରୁ ଓଡ଼ିଶାର ସଂସ୍କୃତି, ଇତିହାସ ଓ ଶ୍ରୀଜଗନ୍ନାଥ ମନ୍ଦିରର ବିବରଣୀ ସକାଶେ ଉପାଦାନ ରୂପେ ବ୍ୟବହୃତ। ଏହା ନିଚ୍ଛକ ଇତିହାସ ନ ହେଲେ ସୁଦ୍ଧା ଏହାକୁ ଭିତ୍ତି କରି ଯେ ଓଡ଼ିଶାର ଇତିହାସ ରଚନା କରାଯାଇପାରେ, ଏ କଥା ବହୁ ପ୍ରାଚୀନ କାଳରୁ ଐତିହାସିକମାନେ ପ୍ରମାଣ କରିଯାଇଛନ୍ତି। 1825 ମସିହାରେ Andrew Stirling ଓଡ଼ିଶା ସମ୍ପର୍କିତ ବିବରଣୀ ପ୍ରଥମେ ମାଦଳାପାଞ୍ଜିରୁ ସଂଗ୍ରହ କରି Asiatic Research Journalରେ ପ୍ରକାଶ କରିଥିଲେ।
ମାଦଳା ପାଞ୍ଜିରେ ଜଗନ୍ନାଥ ମନ୍ଦିରର ବିବରଣୀ ପରିଲକ୍ଷିତ ହୁଏ।ଖୁରୁଧା ଗଜପତି ରାଜା ମାନଙ୍କର ଧାରାବାହିକ ସୂଚନା ଏଥିରେ ଲିପିବଦ୍ଧ ହୋଇଅଛି। ଆସାମର ‘ବୁରୁଞ୍ଜି’, ସିଂହଳର ‘ଧାତୁବଂଶ’, କାଶ୍ମୀରର ‘ରାଜତରଙ୍ଗିଣୀ’ ପରି ମାଦଳାପାଞ୍ଜି ଉତ୍କଳର ସାମାଜିକ, ସାଂସ୍କୃତିକ ଓ ରାଜବଂଶର ଏକ ବିବରଣୀମୂଳକ ରଚନା। ଏହାକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ, (କ) ପୂଜାବିଧି ସମ୍ବନ୍ଧୀୟ ଓ ମନ୍ଦିର ନିର୍ମାଣର ବିବରଣୀ, (ଖ) ରାଜବଂଶାବଳୀ । ଏହି ରାଜବଂଶାବଳୀ ଏବଂ ପୂଜା ଓ ମନ୍ଦିର ସମ୍ପର୍କୀୟ ବିବରଣୀ ଭିନ୍ନ ଭିନ୍ନ ଲୋକ ଲେଖୁଥିବା କଥା ଆଲୋଚକଗଣ କହନ୍ତି। ଦେଉଳକରଣ ମନ୍ଦିର ଓ ପୂଜା ସମ୍ବନ୍ଧୀୟ ବିବରଣୀ ଏବଂ ତଢାଉକରଣ ରାଜବଂଶର ବିବରଣୀକୁ ଲିପିବଦ୍ଧ କରୁଥିଲେ। ପୁଣି କୋଷ୍ଠକରଣ ନାମରେ ଅନ୍ୟ ଜଣେ ସେସବୁକୁ ଯତ୍ନରେ ସାଇତି ରଖିବାକୁ ଦାୟିତ୍ଵ ନିର୍ବାହ କରୁଥିଲେ।
ତାଳପତ୍ରରେ ଲେଖାହୋଇ ମର୍ଦ୍ଦଳ ଆକାରରେ ବିଡ଼ା ହୋଇ ମନ୍ଦିରରେ ରଖା ଯାଉଥିବାରୁ ଏହାକୁ ମାଦଳାପାଞ୍ଜି କୁହାଯାଏ ବୋଲି ଅନେକ ଆଲୋଚକ ମତ ରଖିଛନ୍ତି। ଅନ୍ୟ କେତେକଙ୍କ ମତରେ ଦେବଦାସୀ ମାନଙ୍କ ଗର୍ଭରୁ ଜାତ ମୋଦଳୀ ଉପାଧିଧାରୀ ବ୍ୟକ୍ତିମାନେ ଏହି ପାଞ୍ଜି ଲେଖିବା ପାଇଁ ନିଯୁକ୍ତି ପାଉଥିଲେ। ପୁରୀ ମନ୍ଦିରରେ ଦେବଦାସୀ ପରମ୍ପରା ବହୁ କାଳରୁ। ଓଡ଼ିଶାରେ ‘ମୋଦଳୀ’, ‘ମାଦଳୀ’ ହେଉଛି ଏକ ରାଜଦତ୍ତ ଉପାଧି। ଏମାନଙ୍କ ଦ୍ବାରା ଲିଖିତ ପାଞ୍ଜି ‘ମାଦଳାପାଞ୍ଜି‘ ନାମରେ ପ୍ରସିଦ୍ଧ ଥିଲା।
ଲିପିତତ୍ଵବିତ୍ ଡକ୍ଟର ସତ୍ୟନାରାୟଣ ରାଜଗୁରୁ ବିଭିନ୍ନ ଅଭିଲେଖରେ ‘ମୋଦଲୁଗା‘ ଓ ‘ମୋଦଳୀ‘ ଶବ୍ଦର ପ୍ରୟୋଗ ହୋଇଥିବା ଦର୍ଶାଇଛନ୍ତି। ଏହି ଶବ୍ଦ ଗୁଡିକ ତେଲୁଗୁ ଶବ୍ଦ। ଏହି ଶବ୍ଦରୁ ‘ମାଦଳା‘ ଶବ୍ଦର ଉତ୍ପତ୍ତି ହେବା ବିଚିତ୍ର ନୁହେଁ। ମାଦଳାପାଞ୍ଜିର ଅର୍ଥ ଏହି ଅନୁଯାୟୀ ହେଉଛି, ଯେଉଁ ପାଞ୍ଜି ପ୍ରଥମେ ଲେଖା ଯାଇଥିଲା। କେତେକ ଐତିହାସିକ ମତ ଦିଅନ୍ତି ଯେ, ‘ମୁଦଳ’ ଶବ୍ଦରୁ ମାଦଳା ଶବ୍ଦ ଆସିଅଛି। ମୁଦଳର ଅର୍ଥ ହେଉଛି ମୁଦ ଦେବା। ଜଗନ୍ନାଥ ମନ୍ଦିରରେ ପ୍ରତିଦିନ ରାଜାଙ୍କ ନିର୍ଦ୍ଦେଶରେ ମୁଦ ଦିଆଯାଉଥିଲା। ଏଣୁ ମୁଦଳ ଶବ୍ଦ ମାଦଳାରେ ପରିଣତ ହୋଇଥାଇପାରେ। ‘ମାଦଳାପାଞ୍ଜି’ ନାମକରଣ ମୂଳରେ ଏହି ମୁଦଳ ଶବ୍ଦଟି ବିଚାରକୁ ନିଆଯାଇଛି ବୋଲି ଅଧିକାଂଶ ଐତିହାସିକ, ଆଲୋଚକ ମତ ରଖିଛନ୍ତି।
ମାଦଳାପାଞ୍ଜିରେ ରାଜବଂଶର ବିବରଣୀକୁ ପ୍ରାଧାନ୍ୟ ଦିଆଗଲେ ମଧ୍ୟ ଏଥିରେ ବହୁଳାଂଶରେ କିମ୍ବଦନ୍ତୀ, ଜନଶ୍ରୁତି ରହିଛି। ଏହା ରାଜାଙ୍କ ନିର୍ଦ୍ଦେଶରେ ଲେଖା ଯାଇଥିବା ଅସମ୍ଭବ ନୁହେଁ। ‘ମାଦଳା’ ନାମ ସହ ଜଗନ୍ନାଥଙ୍କର ମଧୁର ସମ୍ପର୍କ ରହିଛି। ଏଣୁ ହୁଏତ ଜଗନ୍ନାଥଙ୍କ ସମ୍ବନ୍ଧିତ ଓ ଗଜପତି ରାଜାମାନଙ୍କ ବିବରଣୀମୂଳକ ରଚନାକୁ “ମାଦଳାପାଞ୍ଜି” ନାମ ପ୍ରଦାନ କରାଯାଇଛି।
ତଥ୍ୟ ଓ ଆଧାର: ଓଡ଼ିଆ ସାହିତ୍ୟର ଇତିହାସ, ଡଃ ବାଉରୀବନ୍ଧୁ କର
~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…