ଲେଖା: ଅମ୍ରିତେଶ ଖଟୁଆ
“ମାନ ଉଦ୍ଧାରଣ କର ହେ କାରଣ…”, “ଆହେ ନୀଳଗିରି…”, “ଚାଲ ସଖି ଆମ୍ଭେ ଦର୍ଶନ କରିବା…”, “ପୀତବାସ, ନିଃଶ୍ଵାସକୁ ନାହିଁରେ ବିଶ୍ଵାସ….”, “ମନରେ ହରିଭଜନ….”, “ଜଗାକାଳିଆ ନୀଳାଚଳିଆ…”, “ହରିବୋଲ ସଙ୍ଗେ ହୁଳହୁଳି ଦିଅ ହୋ ଭକତେ….” , “ମନ ପାରାରେ, ଶ୍ରୀକ୍ଷେତ୍ର ଯିବୁ ଉଡି ଉଡି…” ପରି ଅଜସ୍ର ଭକ୍ତିସ୍ରାବୀ ସଂଗୀତରେ ନିଜର ସ୍ଵତଃ ଭାବସ୍ଫୁର୍ତ୍ତ ହୃଦୟରେ ମୁକ୍ତବାକ୍ ହୋଇ ଉଠନ୍ତି! (ସଂଖ୍ୟା ବୋଇଲେ ୨୦ ହଜାରରୁ ଅଧିକ! )
ଘରେ ଘରେ ବେତାରଠୁ ନେଇ ରେଡିଓ, ଟେଲିଭିଜନ ମାଧ୍ୟମରେ ତାଙ୍କ କଣ୍ଠ ନିଃସୃତ ଧ୍ଵନିତ ଭକ୍ତି ରସାର୍ଣ୍ଣବ ତାଙ୍କୁ କରିଥିଲା ଭଜନ ସମ୍ରାଟ ଭିକାରୀ ବଳ।
ସୁଠାମ ମୁଖରେ ସୁନିର୍ମଳ ଭାବ ଉତ୍-ପ୍ଳୁତ ହେଇ ଭଜନରେ ଜନମାନସରେ, ଜନସମୁଦ୍ରରେ ଭାସମାନ ହେଇ ଯେତେବେଳେ ଉଠେ, ଭସାଇ ନିଏ ମନର ନିକୃଷ୍ଟ ଗ୍ଳାନିଚୟ ଓ ଯାବତୀୟ ସଂସାରର କଳୁଷ ମଳିନ!
କୋଟି ଓଡ଼ିଆମାନଙ୍କର ହୃଦୟତନ୍ତ୍ରକୁ ଝନତ୍କାରିତ କରିପାରି ଆଧୁନିକ ମାୟାମୟିତାରେ ଭକ୍ତିର ଚରମ ଉତ୍କର୍ଷ ଏ ଓଡ଼ିଶା ମାଟିରେ ଦେଖେଇଥିଲେ ଭଜନ ସମ୍ରାଟ ଭିକାରୀ ବଳ !
ଅନତିକ୍ରମ୍ୟ ଦୀର୍ଘ ଚାରି ଦଶନ୍ଧିରୁ ଊର୍ଦ୍ଧ୍ଵ ଭଜନ ଓ ଚଳଚ୍ଚିତ୍ର ଭଳି ଅନେକ ସ୍ଥଳରେ ନିଜର ଅଭୂତପୂର୍ବ କଣ୍ଠଦାନ କରିଥିବା ଏହି ମହାମହିମ ସଂଗୀତପ୍ରବର ସାଧକଙ୍କ ଜନ୍ମ ୧୯୨୯ ମସିହାରେ ମଇ ମାସ ୨୫ ତାରିଖ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଦ୍ଵିତୀୟା ତିଥି, ଯାହାକି ଶନିବାର ଦିନ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ସୋବଳା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିତା ଥିଲେ ରାମଚନ୍ଦ୍ର ବଳ ଓ ଦ୍ଵିତୀୟ ମାତା ଗେହ୍ଲାମଣିଙ୍କ ସୁପୁତ୍ର ଥିଲେ ଭିକାରୀ ବଳ।
ସେତେବେଳେ ଗାଁରେ ବସନ୍ତ ମହାମାରୀ ହେଇ ବ୍ୟାପି ଜନଜୀବନର କ୍ଷତି ଘଟାଇଲା! ଚମଡାଖାଇ ଠାକୁରାଣୀଙ୍କ ପାଖରେ ଲାଗିଥିଲେ! ଆତୁରିତ ପିତାଜନନୀ ତାଙ୍କୁ କଦଳୀ ପତ୍ରରେ ପାଉଁଶ ମଳାରେ ଶୁଆଇ ଧୂପପଣା ଦେଇ ନାନା ଦେବଙ୍କୁ ମନାସିଲେ। ଶେଷରେ ତାଙ୍କରି ଗ୍ରାମର ଭଗବାନ୍ ମଠରେ ଗଡେଇ ‘ଭିକାରୀ’ ନାମଟି ଦେଇଥିଲେ।
ପିତାଙ୍କ ପ୍ରଥମ ପତ୍ନୀଙ୍କ ସୁପୁତ୍ର ତଥା ଭିକାରୀଙ୍କ ଅଗ୍ରଜ ଧନେଶ୍ୱର ଓ ତାଙ୍କର ପତ୍ନୀ, ଭିକାରୀ ବଳଙ୍କ ଲାଳନ ପାଳନ ଦାୟିତ୍ୱ ପରବର୍ତ୍ତୀ ସମୟରେ ଗ୍ରହଣ କରିଥିଲେ। ପ୍ରଥମେ ଗାଁ ଅବଧାନଙ୍କ ପାଖରେ ପ୍ରାଥମିକ ଶିକ୍ଷା। ଅକ୍ଷର-ସଂଖ୍ୟା ଜ୍ଞାନ ପରେ ଭାଗବତ ପଠନଠୁ ନେଇ କଡାଗଣ୍ଡା ଦସ୍ତି ପଦିକାର ଶିକ୍ଷା ପାଇଲେ!
କେନ୍ଦ୍ରାପଡାର କଦଳୀବଣ ହାଇସ୍କୁଲରେ ନବମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ। ତରୁଣ ବୟସରୁ ଥିଲେ ସଂଗୀତ ରସଗ୍ରାହୀ, ସେଥିପାଇଁ ନିଜ ଗାଁ ଯାତ୍ରା ଦଳରେ ମିଶିଗଲେ! ପାଠ ପଢିବା ପରେ ସବୁବେଳେ ସେହି ଯାତ୍ରା ଦେଖିବା ପାଇଁ ଯାଉଥିଲେ। ସେହି ଯାତ୍ରାରେ ସେ ଥରେ ଭିକାରୀ ବେଶରେ ଅଭିନୟ ମଧ୍ୟ କରିଥିଲେ।
୧୯୫୧ ମସିହାରେ କେନ୍ଦ୍ରାପଡା ସହରର ଫ୍ରେଜର ବାଳିକା ସ୍କୁଲର, ଗୋକୁଳ ଚନ୍ଦ୍ର ସଙ୍ଗୀତ ସଦନରେ ସେ ସଙ୍ଗୀତ ଶିକ୍ଷା କରିଥିଲେ। ୨୦ ବର୍ଷ ବୟସରେ ସେ ନିକଟବର୍ତ୍ତୀ ବାରୁଅର ଗାଁର ଉପେନ୍ଦ୍ର ପରିଡାଙ୍କ କନ୍ୟା ଉଷାରାଣୀ ଦେବୀଙ୍କୁ ବିବାହ କରିଥିଲେ। ମୃଦଙ୍ଗ ପଖାଉଜ, ଢୋଲ ଆଦି ବାଦ୍ୟରେ ସେ ଯାତ୍ରା ଦଳରେ ମଧ୍ୟ ଶିଖୁଥିଲେ। ତାଙ୍କ ବନ୍ଧୁ ଭାଗବତ ପରିଡା ମଧ୍ୟ ଅନୁରୂପ ଅଳ୍ପଦିନରେ ତବଲା ବାଦନରେ ହେଇଗଲେ ସୁଦକ୍ଷ! ତାଙ୍କ କଳାସିକ୍ତ ଜୀବନଧାରା ପରବର୍ତ୍ତୀ ସମୟରେ ଗଡ଼ି ଆସିଥିଲା ଗୋଟିପୁଅ ନାଚ ଓ ରଙ୍ଗମଞ୍ଚ ଆଡ଼କୁ!
ତାଳବାଦ୍ୟ ଗୁରୁ ଦୁର୍ଗାଚରଣ ବାବା, ପିତାମହ କ୍ଷେତ୍ରବାସୀ ବଳଙ୍କ ସହାୟରେ ସେ ଅନେକ ଥିରେ ଓସ୍ତାଦ୍ ହେଇପାରିଥିଲେ! ସୋବଳାର ବିଶିଷ୍ଟ କଣ୍ଠଶିଳ୍ପୀ କୃଷ୍ଣଚନ୍ଦ୍ର ସାହୁଙ୍କ ଦ୍ବାରା ପ୍ରତିଷ୍ଠିତ ଗୋଟିପୁଅ ଦଳରେ ଭିକାରୀ ବଳ ନାଚ ଓ ସ୍ଵରସଂଗୀତର ଅଧିକାରୀ ହୋଇଥିଲେ। ସେତେବେଳେ ଏହି ଗୋଟିପୁଅ ଦଳ କଟକ, ପୁରୀ ଓ ବାଲେଶ୍ଵର ଜିଲ୍ଲାରେ ନିଜର ଖ୍ୟାତି ବିସ୍ତାର କରିଥିଲା।
ତାଲିମ ଦେବାକୁ ଆସିଥିଲେ ଗୁରୁ ଡାଉମିଆଁ ଓ ଶାସ୍ତ୍ରୀୟ ସଂଗୀତର ଗୁରୁ ଅଧର ଶର୍ମା! ଗୁରୁ ଅଧର ଶର୍ମାଙ୍କ ସହ ଖେୟାଲର ସ୍ଵର ଭିକାରୀ ବଳଙ୍କ ଭିତରେ ଅଭୂତପୂର୍ବ ପଶୁପକ୍ଷୀଙ୍କ ପରି ମଧ୍ୟ ଶବ୍ଦ ସୃଷ୍ଟି କରିପାରିଥିଲା। ଏହା ପରଠାରୁ ୧୯୬୦ ମସିହାରେ ତାଙ୍କ ଆଦ୍ୟ ଯଶଜୀବନର ଶୁଭଲଗ୍ନ ଘଟିସାରିଥାଏ!
୧୯୬୦ ମସିହାରେ କଟକର ଆକାଶବାଣୀର ଅଡିସନ୍’ରେ ଉତ୍ତୀର୍ଣ୍ଣ ହୋଇ ସାମୟିକ କଳାକାର ରୂପେ ଯୋଗ ଦିଅନ୍ତି। ଗୁରୁ କ୍ଷିତୀଜ ମିତ୍ରଙ୍କ ସହାୟତାରେ ସେ କଟକ କଳାବିକାଶ କେନ୍ଦ୍ରରେ ଓଡ଼ିଶୀ ସଙ୍ଗୀତରେ ଶିକ୍ଷାଲାଭ କରିଥିଲେ । ସେ ସମୟରେ ତାଙ୍କ ଗୀତ ଶୁଣିବାକୁ ରେଡିଓ ପାଖରେ ଓଡିଆମାନଙ୍କ କାନ ଅଟକି ରହିଯାଏ! ୧୯୬୩ ମସିହାରୁ ଏ-ଶ୍ରେଣୀର କଳାକାର ରୂପେ ସେ ଆକାଶବାଣୀରେ ଯୋଗ ଦେଇଥିଲେ।
ଭଜନ ସମ୍ରାଟ ଭିକାରୀ ବଳ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କୁ ନିଜର ଗୁରୁ ରୂପେ ବରଣ କରିଥିଲେ। ୧୯୬୬ ମସିହାରେ ବନ୍ଧୁ ସୁନାକର ସାହୁଙ୍କ ପ୍ରେରଣାରେ ସେ କଟକ କଳାବିକାଶ କେନ୍ଦ୍ର ଠାରେ ସଙ୍ଗୀତ ଶିକ୍ଷକ ରୂପେ ନିଯୁକ୍ତି ପାଇଥିଲେ। ଭଜନ ଗାନ ପୂର୍ବରୁ କିଛି ଆଧୁନିକ ଗୀତ ସହ ପଲ୍ଲୀଗୀତର ଗାୟନ କରି ସେ ସଫଳ ହୋଇ ସାରିଥିଲେ। ସେ ସୋବଳାର ବେଣୁଧର ପରିଡା ବା ବେଣୁବାବାଙ୍କ ଠାରୁ ଦୀକ୍ଷା ନେଇ ପୁରାଣପାଠ ଦୈନନ୍ଦିନ କରିଥିଲେ। ଆଜି ମଧ୍ୟ ବେଣୁବାବାଙ୍କ ସମାଧିର ଫଳକରେ ତାଙ୍କ ନାମର ଏକ ମାର୍ବଲ ଫଳକ ଶୋଭାପାଏ, ଯେଉଁ ପୀଠକୁ ଅବଦାନର ଶ୍ରେୟ ଯାଏଁ ଭିକାରୀ ବଳଙ୍କୁ!
୧୯୭୬ ମସିହାରେ ସେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଅଧ୍ୟାପକ ରୂପେ ଯୋଗ ଦେଇ ସେଠାରେ ଭଜନ, ଜଣାଣ, ଚମ୍ପୂ, ଛାନ୍ଦ, ଓଡିଶୀ ଓ ଦେଶାତ୍ମବୋଧକ ଗୀତକୁ ପାରମ୍ପରିକ ଶୈଳୀରେ ଗାନ କରି ସମସ୍ତଙ୍କ ମନ ମୋହି ନେଇଥିଲେ। ୧୯୭୮ ମସିହାରେ HMV Company ର “ଭକ୍ତି ପୁଷ୍ପାଞ୍ଜଳି” ଓ “ଶରଧାବାଲି” ଗ୍ରାମୋଫୋନ୍ ରେକର୍ଡ ବାହାରିଲା ପରେ ତାଙ୍କ ଖ୍ଯାତି ଆହୁରି ବ୍ୟାପ୍ତି ଧାରଣ କରେ। ଆଉ ସେହି ମଧ୍ୟରୁ ଗୋଟିଏ ଥିଲା – “ଜଗନ୍ନାଥ କଲେ ଯା’ ଅନାଥରେ, ଆଉ କେ ହରିବ ଦୁଃଖ…”!
ଗୁରୁ କୁଣ୍ଡଳାଦି ନାରାୟଣ ଓ ସୁନୀଲ ଶତପଥୀଙ୍କ ଠାରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ଓ ବିଶାରଦ ପାଠ୍ୟକ୍ରମ ଶେଷ କରିବା ପରେ ସେ ଆକାଶବାଣୀରେ ୧୯୬୩ ମସିହାରେ ‘ଏ’ ଗ୍ରେଡ୍ କଣ୍ଠଶିଳ୍ପୀର ମାନ୍ୟତା ଲାଭ କରିଥିଲେ। ଲୋକନାଥ ପଟ୍ଟନାୟକଙ୍କ ଗୀତ “ପ୍ରାଣ ମିତଣି, ଚାହାଁ ବାରେ….” ଗୀତକୁ ରଥଯାତ୍ରା ଦିନ ଗାଇ ସେ ଆକାଶବାଣୀର କର୍ମକର୍ତ୍ତାଙ୍କୁ ମଧ୍ୟ ଚକିତନୟନ କରିଦେଲେ! ଏତଦ୍ ବ୍ୟତୀତ ତାଙ୍କର କିଛି ପଲ୍ଲୀ ଓ ଆଧୁନିକ ଗୀତ ହେଉଛି ‘ବସନ୍ତ ଲେଖିଛି ଚିଠି ଗୋଲାପି ଗୋଲାପି’, ‘ଗୋଟିଏ ଫଗୁଣେ ହସିଥିଲି ବୋଲି କୋଟିଏ ଶ୍ରାବଣେ କାନ୍ଦୁଛି’, ‘ପଚାରିଲେ ରାଧିକାକୁ ଦିନେ ନନ୍ଦବଳା’, ‘କଳସ ଉପରେ ଆମ୍ବ ଡାଳିଆ’, ‘ଶିରୀ ଶିରୀ ଗଙ୍ଗା କାଳୀ ଚରଣେ ଶରଣ’ ଇତ୍ୟାଦି।
ଶରଧାବାଲି, ରତ୍ନସିଂହାସନ, ଆହେ ନୀଳ ଶଇଳ ଭଳି ଅଜସ୍ର କ୍ୟାସେଟ୍ ବାହାରି ଶ୍ରୋତୃବର୍ଗଙ୍କୁ ଭାବରେ ହଜାଇ ଦେଇଥିଲା। ‘ମଥୁରା ବିଜୟ’ ଓ ‘ଟିକେ ହସ ଟିକେ ଲୁହ’ ଚଳଚ୍ଚିତ୍ରର ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ରୂପେ ସେ ରାଜ୍ୟ ସରକାରଙ୍କ ତରଫରୁ ସନନ୍ଦ ପ୍ରଦତ୍ତ ହୋଇଥିଲେ। ‘ଭକ୍ତ ସାଲବେଗ’, ‘କିଏ କାହାର’, ‘ଅକ୍ଷୟ ତୃତୀୟା’, ‘ରାମାୟଣ’, ‘ମନ ଆକାଶ’, ‘ବସୁଧା’ ଭଳି ୨୮ଟି ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଥିଲେ। ୧୯୮୩ ମସିହାରେ ରାଉରକେଲାର କେନ୍ଦ୍ରୀୟ ପୂଜା କମିଟିର ବିଶାଳ ଜନସମାବେଶରେ ମହାରାଜା ଗଜପତି ଦିବ୍ୟସିଂହ ଦେବଙ୍କ ଦ୍ଵାରା ‘ଭଜନ ସମ୍ରାଟ୍’ ଉପାଧିରେ ଭୂଷିତ ହୋଇଥିଲେ !
୧୯୮୨ ମସିହାରେ କେନ୍ଦ୍ର ସରକାରଙ୍କ ଅନୁରୋଧ କ୍ରମେ ସେ ଇଂଲଣ୍ଡ, ହଲାଣ୍ଡ, ଇଟାଲି, ରୋମ୍, ପର୍ତ୍ତୁଗାଲ୍, ସ୍ପେନ୍, ମିଲାନେ, ଆମେରିକା ପ୍ରଭୃତି ଅନେକ ରାଷ୍ଟ୍ର ଗସ୍ତ କରି ସେଠାରେ ଭକ୍ତି ସଂଗୀତ ପରିବେଷଣ କରି ସେଠାରେ ମଧ୍ୟ ନିଜ ପ୍ରତିଭାର ପରିଚିତି ଦେଇଥିଲେ।
୧୯୮୮ ମସିହାରେ କଟକ ଆକାଶବାଣୀର ସହଯୋଗ କ୍ରମେ ସେ ସିଲଚର ଓ ଗୌହାଟୀ ଆକାଶବାଣୀରେ ମଧ୍ୟ ଓଡିଶୀ ସଂଗୀତ ଗାନ କରିଥିଲେ। ଭୁବନେଶ୍ୱର ସ୍ଥିତ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଓଡିଶୀ ସଂଗୀତ ବିଭାଗର ବରିଷ୍ଠ ଅଧ୍ଯାପକ ପଦରୁ ୧୯୯୭ ମସିହାରେ ଅବସର ଗ୍ରହଣ କରିଥିଲେ।
ପୁନର୍ବାର ସେ ଆମେରିକା ୨୦୦୩ ମସିହାରେ ଗସ୍ତ କରି ଦୁଇ ମାସ କାଳ ୱାଶିଂଟନ୍, ନିଉ ଜର୍ସୀ, ଚିକାଗୋ, କାଲିଫର୍ଣ୍ଣିଆ, ହସବି, ନାସବିଲ୍ ଭଳି ସ୍ଥାନରେ କୋଡିଏରୁ ଅଧିକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଓଡିଶୀ, ଛାନ୍ଦ, ଚମ୍ପୂ, ଭଜନ ଓ ଗୀତଗୋବିନ୍ଦର ଗାନ କରିଥିଲେ। ତାଙ୍କରି ନାଁରେ ଏକ ସୁନ୍ଦର ଗୀତ “ମୁହିଁ ଦୀନ ଭିକାରୀ, ତୋର କୋରକ କରି, କମଳା ରମଣ ପାଶେ କରେ ଗୁହାରି…” ଆଜି ବି ସଂଗୀତ ଜଗତରେ ଗାନ କରାଯାଉଛି।
ଓଡିଶା ସରକାରଙ୍କ ତରଫରୁ ତାଙ୍କୁ ସର୍ବଶ୍ରେଷ୍ଠ କଣ୍ଠଶିଳ୍ପୀ ପୁରସ୍କାର, ଲଳିତ ସ୍ଵର ସାଧକ, ଶ୍ରୀଛାମୁ ସ୍ଵର ସେବକ, ଭକ୍ତିକଣ୍ଠ, ଭକ୍ତି ସମ୍ରାଟ୍, ସଂଗୀତ ରତ୍ନାକର, ଇନ୍ଦ୍ରଦ୍ୟୁମ୍ନ ସମ୍ମାନ, ଭଜନ ଭାବସାଗର, ଗାୟକ ଶିରୋମଣି ସଂଗୀତ ବାରିଧି, ଇନ୍ଦୋରର ବଲ ମହାରାଜ, ଜାତି ଗୌରବ ସମ୍ମାନ ତାଙ୍କୁ ମିଳିସାରିଛି। ଓଡିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଗଣକବି ପୁରସ୍କାର, କବିଚନ୍ଦ୍ର ପୁରସ୍କାର, ଶାରଳା ସମ୍ମାନ ପ୍ରଭୃତିର ଅଧିକାରୀ। ହେଲେ, ୨୦୦୫ ମସିହାରେ ସେ ଭଜନ ସଂଗୀତ, ଓଡିଶୀ ସାଙ୍ଗୀତିକତାର ଅବକ୍ଷୟରେ ବ୍ୟଥିତମନା ହୋଇ ଶ୍ରୀକ୍ଷେତ୍ରରେ ଆମରଣ ଅନଶନ କରିଥିଲେ। ରାଜ୍ୟ ସରକାରଙ୍କ ଆଶ୍ଵସ୍ତି ବାଣୀ ପରେ ସେ ଏଥିରୁ କ୍ଷାନ୍ତ ହେଲା ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଚାମର ସେବାର ଗୌରବ ପ୍ରଦାନ କରେ।
ଏହା ପରେ ୨୦୦୬ରେ ଭଜନ ସମ୍ରାଟ ଭିକାରୀ ବଳ ରୋଗ ବ୍ଯାଧିରେ ଶଯ୍ୟାଶାୟୀ ହୋଇପଡିଲେ। ସେତେବେଳେ ମଧ୍ୟ ଗଜପତି ମହାରାଜା ସ୍ଵୟଂ ମହାପ୍ରଭୁଙ୍କ ଆଜ୍ଞା ମାଳ ମଧ୍ୟ ପ୍ରଦାନ କରିଦେଇଛନ୍ତି। ଏପରିକି ତାଙ୍କୁ ଭେଟିବା ପାଇଁ ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ଆସୁଥିଲେ। ସବୁଠାର ମହାର୍ଘ ଉପଲବ୍ଧି ଥିଲା ୨୦୧୦ ମସିହାରେ ନଭେମ୍ବର ଦୁଇ ତାରିଖ ମଙ୍ଗଳବାର ଦିନ ରାତ୍ରି ୧୦ ଟା ୩୦ ରେ ଘଟିଲା, ଆଉ ତା ପରଦିନ ସକାଳ ୫ଟା ୩୦ରେ ଶ୍ରୀମନ୍ଦିର ପାଖରେ ପାର୍ଥିବ ଦେହ ପହଞ୍ଚିଲା ଉତ୍ତାରୁ ମହାପ୍ରଭୁଙ୍କ ଅଙ୍ଗଲାଗି ଖଣ୍ଡୁଆପାଟ, ତୁଳସୀ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ରୋଷଘରରୁ ବୈଷ୍ଣବାଗ୍ନିରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା! ଏହିପରି ଉପଲବ୍ଧି କେବଳ ପ୍ରକୃତ ମଣିଷ ହିଁ ପାଏ। ‘ଗାର୍ଡ ଅଫ୍ ଅନର୍’ ସହ ତାଙ୍କୁ ସ୍ଵର୍ଗଦାରରେ ଭବ୍ଯ ବିଦାୟ ଦେଇଥିଲେ ଓଡିଶାର ପ୍ରାଣବନ୍ତ ଓଡିଆମାନେ!
ଉଦୀୟମାନ ଯୁବ ଲେଖକ ଅମ୍ରିତେଶ ଙ୍କ ଲେଖନୀରୁ ନିସ୍କୃତ ତଥ୍ୟ ସମ୍ବଳିତ “ଭଜନ ସମ୍ରାଟ ଭିକାରୀ ବଳ” ଲେଖାଟି ପଢି ଆନନ୍ଦିତ ହେଲି l ଲେଖକଙ୍କୁ ବହୁତ ଅଭିନନ୍ଦନ l ଶୁଭେଚ୍ଛା ଯେ ତାଙ୍କ ଲେଖନୀରୁ ଏ ଭଳି ଉତ୍କୃଷ୍ଟ ଲେଖାମାନ ସର୍ବଦା ଅନ୍ତରଙ୍ଗ କଳିଙ୍ଗର ପୃଷ୍ଠା ମଣ୍ଡିତ କରୁଥାଉ l ମୋ ଦୃଷ୍ଟିରେ ଲେଖାରେ ଯତକିଞ୍ଚିତ ପ୍ରମାଦ ରହିଛି – ଭାଷାଗତ ଏବଂ ଅନ୍ୟାନ୍ୟ – ସେସବୁ ଲେଖକ ମହାଶୟ ତୁରନ୍ତ ସଂସ୍କାରଭୁକ୍ତ କରି ଲେଖାକୁ ଆହୁରି ମାର୍ଜିତ କରିବେ l ଧନ୍ୟବାଦ l
ସନ୍ତୋଷ କୁ. ପାତ୍ର