ଲେଖା: ଅମ୍ରିତେଶ ଖଟୁଆ

ଗୋଟିଏ ସାକ୍ଷାତକାରରେ ସେ କହିଥିଲେ, “Theatre is mediation to me. . . I have a long straight nose and I would like to follow the long, straight path.” ଦେହାବସାନ ପୂର୍ବରୁ ଭୁବନେଶ୍ଵରରେ ବିଦଗ୍ଧ ବିଶ୍ଵନାଟକ ପ୍ରଯୋଜନା ପର୍ଯ୍ୟାୟରେ ତିନୋଟି ନାଟକ ମଞ୍ଚସ୍ଥ କରାଇବାରେ ସଫଳ ହୋଇଥିଲେ ସେ, “Oedipus” (26 March 1996 ), “Antigone (27 March 1996 ) ତଥା ‘ମୁଦ୍ରାରାକ୍ଷସ’।

୧୯ ଜାନୁଆରୀ ୧୯୨୯ ମସିହାରେ କଟକ ସହରରେ ଜନ୍ମ ନେଇଥିଲେ ଏହି ସର୍ବଜନାଦୃତ ଅଭିନେତା, ନାଟ୍ୟକାର, ନିର୍ଦ୍ଦେଶକ ଓ କଳାକାର – ବ୍ୟୋମକେଶ ତ୍ରିପାଠୀ। ପିତା ଥିଲେ ଓଡ଼ିଆ ସାହିତ୍ୟରେ ସୁପ୍ରସିଦ୍ଧ ପ୍ରାବନ୍ଧିକ ଗୋବିନ୍ଦ ତ୍ରିପାଠୀ। କିଶୋର ଅବସ୍ଥାରେ ପୁରୀ ଜିଲ୍ଲାର ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ଜଟଣୀସ୍ଥିତ ଉତ୍ତରାୟଣୀ କ୍ଲବରେ ତାଙ୍କର ରଙ୍ଗମଞ୍ଚ ଶିକ୍ଷାର ଶୁଭଲଗ୍ନ। ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀ ରାମଚନ୍ଦ୍ର ମାଣିଆ ଥିଲେ ତାଙ୍କର ପ୍ରଥମ ଗୁରୁ।

ପ୍ରତିଭାର ପରିସ୍ଫୁଟନ ଆରମ୍ଭ ହୁଏ ରେଭେନ୍ସା ମହାବିଦ୍ୟାଳୟରୁ ଯେତେବେଳେ ସେ ଥିଲେ ସେଠାରେ ବିଜ୍ଞାନର ଛାତ୍ର। ସେହି ଠାବରେ ତାଙ୍କ ପ୍ରତିଭାର ସୁଫଳ ଦୃଷ୍ଟିଗୋଚର ହୁଏ ବଲାଇ ବାନାର୍ଜୀ, କାର୍ତ୍ତିକ ଘୋଷ ତଥା ଅଶ୍ଵିନୀ ଘୋଷଙ୍କୁ, ଯାହାଙ୍କ ଠାରୁ ସେ ପରବର୍ତ୍ତୀ ସମୟରେ ମଞ୍ଚକଳାର ଶିକ୍ଷାପ୍ରାପ୍ତ କରନ୍ତି।

୧୯୫୧ ମସିହାରେ କଲିକତା ବିଦ୍ୟାସାଗର କଲେଜରୁ ବି.ଏସସି ଉତ୍ତୀର୍ଣ୍ଣ ପରେ ସେଠାରେ ସେ ଚଳଚ୍ଚିତ୍ର ଫଟୋଗ୍ରାଫି, ଚିତ୍ର ସମ୍ପାଦନା ଓ ନିର୍ଦ୍ଦେଶନାରେ ପ୍ରଶିକ୍ଷଣ ପାଆନ୍ତି । ବ୍ୟୋମକେଶ ‘ସପ୍ତଶଯ୍ୟା’ ଚଳଚ୍ଚିତ୍ରରେ ଜଣେ ଶିକ୍ଷାନବିସ ଏବଂ ୧୯୫୮ ମସିହାରେ ଓଡ଼ିଆ ସଙ୍ଗୀତ ନାଟକ ଏକାଡେମୀ ବୃତ୍ତି ପାଇ ଦିଲ୍ଲୀସ୍ଥିତ ଏସିଆନ୍ ଥିଏଟର ଇନ୍‌‍ଷ୍ଟିଚ୍ୟୁଟ୍‌‍ରେ ଯୋଗ ଦେଇଥିଲେ। ସେଠାରେ ଇଂଲଣ୍ଡର ମାଇଲ୍ସ ଓ ଫ୍ରାନ୍ସର ଏରିକ୍ ଏଲମୋର୍’ଙ୍କଠାରୁ ରଙ୍ଗମଞ୍ଚ ତଥା ଥିଏଟର ବିଷୟରେ ନୂତନ ଶୈଳୀ ଓ ତଥ୍ୟ ବିଷୟରେ ଶିକ୍ଷା ପାଇଥିଲେ, ଯାହା କି ପରବର୍ତ୍ତୀ ସମୟରେ ଶ୍ରୀ ବ୍ୟୋମକେଶ ତାଙ୍କ ନାଟକରେ ଏହି ଶୈଳୀ ତଥା କୌଶଳଗୁଡ଼ିକୁ ଆପଣାଇଥିଲେ। ବିଶେଷକରି ସାଇକ୍ଲୋରାମା (୩୬୦° ପରିଧି ମଧ୍ୟରେ ଗୋଟିଏ ପାନୋରାମିକ୍ ଦୃଶ୍ୟ)ର ପ୍ରୟୋଗ ଦ୍ୱାରା ରଙ୍ଗମଞ୍ଚରେ ସେ ଅନେକ ଚମତ୍କାର ଅଭିନୟ ବିଦ୍ୟା ଦେଖାଇଥିଲେ, ଯାହା ଓଡ଼ିଆ ରଙ୍ଗମଞ୍ଚ ପାଇଁ ଗୋଟିଏ ଅନବଦ୍ୟ ସୃଷ୍ଟିବ୍ୟଞ୍ଜନା !

ଏଥି ସହ ବ୍ୟୋମକେଶ ତ୍ରିପାଠୀ ବହୁ ଇଂରାଜୀ ଓ ହିନ୍ଦୀ ନାଟକରେ ଅଭିନୟ, ମଞ୍ଚସଜ୍ଜା ଓ ଆଲୋକ ସମ୍ପାତ କାର୍ଯ୍ୟରେ ଅଂଶଗ୍ରହଣ କରିବା ସହ ଦିଲ୍ଲୀରେ ଅବସ୍ଥାନ କାଳରେ ନିଜ ଆଗ୍ରହରୁ ଟ୍ଵିଷ୍ଟ, ବ୍ରେକ୍ ଡାନ୍ସ, ରକ୍ ଏନ୍ ରୋଲ୍ ଓ ରମ୍ବା ନୃତ୍ୟ ତଥା ପପ୍ ସଙ୍ଗ୍‘ରେ ଶିକ୍ଷା ପାଇଥିଲେ।

ପରବର୍ତ୍ତୀ କାଳରେ ସେ ‘ତରଙ୍ଗ’‘କଳାକାର’ ନାମକ ଦୁଇଟି ପତ୍ରିକାର ସମ୍ପାଦନା ମଧ୍ୟ କରିଥିଲେ। ସେହି ସମୟରେ ‘ବିଷର ମଣିଷ’ ନାମକ ଶୀର୍ଷକ ଏକ ଉପନ୍ୟାସ ମଧ୍ୟ ପ୍ରକାଶ କରେଇଥିଲେ। କିନ୍ତୁ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଓଡ଼ିଶାରେ ଚାକିରୀ ଖଣ୍ଡିଏ ଯୋଗାଇ ପାରିବାରେ ଅକ୍ଷମତା ପ୍ରକାଶ କରିବାରୁ ସେ ଅନ୍ନପୂର୍ଣ୍ଣା ଥିଏଟର୍ସରେ ଅଭିନେତା ଓ ନିର୍ଦ୍ଦେଶକ ରୂପେ ଯୋଗ ଦିଅନ୍ତି। ‘Edward Albee’, ‘ୟୁ-ଜିନ୍-ଆୟାନେସ୍କୋ’, ‘ସାମୁଏଲ୍ ବେକେଟ୍’ ଓ ‘ଅସ୍କାର ୱାଇଲ୍ଡ’ ଭଳି କେତୋଟି ନାଟକରେ ଅଭିନୟ ଓ ନିର୍ଦ୍ଦେଶନା ଦେଇଥିଲେ ବ୍ୟୋମକେଶ। ଏହା ପରେ ‘ପାଷାଣର ତୀର୍ଥ’ରେ ତୀର ଚାଳନା; ‘ସତୀ ପରୀକ୍ଷା’ ନାଟକରେ ଉପରୁ ନାରୀମୂର୍ତ୍ତି ଓହ୍ଲାଇ ଆସି ଅଦୃଶ୍ୟ ହେବା, ପୋଲ ଭାଙ୍ଗିଯିବା; ‘ବାଡୁଅ ଝିଅ’ (୧୯୬୨) ନାଟକରେ ମଞ୍ଚ ଉପରେ ଦ୍ରୁତଗାମୀ ରେଳ, ରେଳ ଓ ବଳଦ ଗାଡି ଦୁର୍ଘଟଣା ପ୍ରଭୃତି ଓଡ଼ିଆ ନାଟ୍ୟ ବ୍ୟଞ୍ଜନକୁ କରେ ଆହୁରି ମନୋରମ୍ୟ ଓ ଅଭିନବ।


‘ଜୟଦେବ’ (୧୯୫୮) ଚଳଚ୍ଚିତ୍ରରୁ ତାଙ୍କର ନାୟକ ଜୀବନ ଆରମ୍ଭ। ‘ଦେବଯାନୀ’ ଚଳଚ୍ଚିତ୍ରରେ ତାଙ୍କର ଅଭିନବ ନୃତ୍ୟ ସଂଯୋଜନା ଓ ନିର୍ଦ୍ଦେଶନା ସବୁ ଓଡ଼ିଆ ଚଳଚ୍ଚିତ୍ର ମଧ୍ୟରେ ଗୋଟିଏ ଗୋଟିଏ ଅନୁପମ କୀର୍ତ୍ତି। ୧୯୫୯ ମସିହାରେ ତାଙ୍କ ଦ୍ଵାରା ଅଭିନୀତ ‘ଏକ, ଦୁଇ, ତିନ୍’ ନାଟକରୁ ବ୍ୟୋମକେଶଙ୍କ ନବନାଟ୍ୟ ଆନ୍ଦୋଳନକୁ ପ୍ରଥମ ଭିତ୍ତିର ଗଢଣ ହୁଏ। ପରେ ‘କା‘ (୧୯୬୧) ଚଳଚ୍ଚିତ୍ରରେ ଅବଦାନ ଓ ‘ମମତା’ ଚଳଚିତ୍ର ପାଇଁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳେ। ୧୯୬୩ ମସିହାରେ ତାଙ୍କର ‘ସୁନାର ଫସଲ’ ନାଟକ ସର୍ବଭାରତୀୟ ସ୍ତରର ନାଟ୍ୟ ପ୍ରତିଯୋଗିତାରେ ପୁରସ୍କୃତ ହୋଇଛି। ମାନବୀୟ ଗାଥାଗାରିମା (ସିଂହଦ୍ଵାର) ଠାରୁ ନେଇ ସାମନ୍ତବାଦର ଭୁଶୁଡ଼ି ପଡିଥିବା ଦିଗନ୍ତ (କଂସା କବାଟ) ମଧ୍ୟରେ ତାଙ୍କର ଅନ୍ନପୂର୍ଣ୍ଣା ଥିଏଟର୍ସର ପ୍ରଥମ ପର୍ଯ୍ୟାୟ ଶେଷ ହୁଏ। ପରେ ଦେଶମାତୃକା ପାଇଁ ସମ୍ବେଦନତା (ଜାଗରଣ), ନାରୀର ମୁକ୍ତିରେ ସ୍ଵାଧୀନତାର ଉନ୍ମୀଳନ (ତୋଳା କନିଆଁ), ସ୍ଵାମୀ-ସ୍ତ୍ରୀ ସମ୍ପର୍କ (ମାଟିର ସ୍ଵର୍ଗ)କୁ ଛାଡିଦେଲେ, ‘ମାଂସର ବିଳାପ’, ‘ମୁକ୍ତି’, ‘ବତୀଘର’, ‘ଉଲକା’, ‘ଭକ୍ତ ସାଲବେଗ’, ‘ସବୁ ମାୟାରେ ବାୟା’, ‘ଲାଲପାନ ବିବି’, ‘କି ହେବ ଶୁଆ ପୋଷିଲେ’, ‘ପଞ୍ଜୁରୀ ଭିତରେ ଶାରୀ’, ‘ଉଦ୍ଦଣ୍ଡୀ ସୀତା’, ‘ହିସାବ ନିକାଶ’, ‘ପାପ ପୁଣ୍ଯ’, ‘କଣ୍ଢେଇ’, ‘ଯା’ ଦେବୀ ସର୍ବଭୂତେଷୁ’ ଓ ‘ଭାଗ୍ୟ ହାତରେ ଡୋରୀ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ବ୍ୟୋମକେଶ ତ୍ରିପାଠୀ ଶ୍ରେଷ୍ଠ ଚରିତ୍ର ଅଭିନେତା ରୂପେ ଖ୍ୟାତ ହୋଇଛନ୍ତି।

ସ୍ବୀୟ ଜୀବନକାଳ ମଧ୍ୟରେ ‘ରାଜମୁକୁଟ’ (୧୯୬୦), ‘ଅଖଣ୍ଡ ଜ୍ୟୋତି’ (୧୯୬୪), ‘ସୁନା ଫରୁଆ’ (୧୯୬୫), ‘ହେମ ହରିଣୀ’ (୧୯୬୮), ‘ଗୋପନ କଥା’ (୧୯୭୦), ‘କୁଳଚନ୍ଦ୍ରମା’ (୧୯୭୧), ‘ଶ୍ରୀକୃଷ୍ଣ ଲୀଳା’ (୧୯୭୨), ‘ପାଷାଣ ତୀର୍ଥ’ (୧୯୭୫), ‘ମଉନାବତୀ’ (୧୯୯୦), ‘ଦଲାଲ୍’ (୧୯୯୨), ‘ବାଜେ ନାଟକ ବନ୍ଦ କର’ (୧୯୯୨), ‘ସତ୍ୟର ଶିଖାରେ ଜଳୁଛି ଗୀତା’ (୧୯୯୩), ‘ପୁଣି କାଳିଆ ଲେଉଟିଲା’ (୧୯୯୪), ‘ବଡ଼ ଘର ବଡ଼ ଗୁମର’ ଏବଂ ‘ରାଜମହଲ’ ଭଳି ୬୮ଟି ନାଟକର କୃତବିଦ୍ୟ ସ୍ରଷ୍ଟା ବ୍ୟୋମକେଶ ତ୍ରିପାଠୀ।

ଓଡ଼ିଆ ନାଟ୍ଯ ଓ ଚଳଚ୍ଚିତ୍ରକୁ ତାଙ୍କର ଅଭୂତପୂର୍ବ ଓ ରୋମାଞ୍ଚକାରୀ ଅବଦାନ ପାଇଁ ତାଙ୍କୁ ସୁପ୍ରସିଦ୍ଧ ଗାଳ୍ପିକ ଓ ଅଧ୍ୟାପକ ରାଜକିଶୋର ରାୟ ତାଙ୍କୁ ଓଡ଼ିଶାର ‘Gordon Craig’ ବୋଲି ଅଭିହିତ କରିଥିଲେ। Gordon Craig (1872-1966) ଇଂରାଜୀ ନାଟ୍ୟ ଓ ଚଳଚ୍ଚିତ୍ର ଜଗତରେ ଜଣେ ବିଶ୍ଵବିଖ୍ୟାତ କଳାକାର ଥିଲେ, ଯିଏ ସେକ୍ସପିୟରଙ୍କ ‘Hamlet’ର ମଧ୍ୟ ନାଟ୍ୟାୟନ କରି ଅଭୂତପୂର୍ବ ଅଭିନୟ କରିଥିଲେ।


ବ୍ୟୋମକେଶ ତ୍ରିପାଠୀଙ୍କ ୧୬ଟି ନାଟ୍ୟକୁ ୫ ଭାଗରେ ସଂପାଦିତ କରି ତାହାର ସୁପ୍ରକାଶନ କରିଛନ୍ତି ତାଙ୍କର ସୁପୁତ୍ର ବିଶ୍ଵକେଶ ତ୍ରିପାଠୀ। ତାଙ୍କ ମାତା ଥିଲେ ସତୀ ଦେବୀ ଓ ଅନୁଜ ଥିଲେ ବିୟତକେଶ ତ୍ରିପାଠୀ, ଯିଏ ମଧ୍ୟ ଓଡ଼ିଆ ସାହିତ୍ୟ ଜଗତରେ ପରିଚିତ ନାମ।

ଓଡ଼ିଆ ନାଟ୍ୟବ୍ୟଞ୍ଜନା ଓ ମଞ୍ଚସଜ୍ଜାରେ ଯେଉଁ ଅପୂର୍ବ ଗଢଣ ଓ ଚମତ୍କାରିତା ସହ ସାମାଜିକ ଭୂୟୋଦର୍ଶନକୁ ବ୍ୟୋମକେଶ ତ୍ରିପାଠୀ ଲୋକଲୋଚନକୁ ଆଣି ନିଜର ସ୍ଵାତନ୍ତ୍ର୍ୟର ପରିଚୟ ଦେଇଗଲେ, ତାହା ଆଜି ବି ପ୍ରତିଟି ଆବେଗପୂର୍ଣ୍ଣ ଚେତନାରେ ରହିଥିବା ହସ, କାନ୍ଦ, ଭୟ, ରୋଷ, ଚିନ୍ତା ଓ ମାନସିକତାକୁ ବିଗଳିତ କରୁଅଛି। ହେଲେ ଏହି ଓଡ଼ିଆ ଜଗତର ମହୀୟାନ୍ କଳାପୂଜକ ଶେଷ ନାଟକର ନିର୍ଦ୍ଦେଶନା ଦେଉଥିବା ବେଳେ, ହୃଦଘାତ ଫଳରେ ୧୦ ମେ ୧୯୯୭ ମସିହାରେ, ୭୨ ବୟସରେ ଦେହାବସାନ ଘଟେ। ତାଙ୍କର ଅମର ଅଭିନବ ସାରବତ୍ତା ଓ ଅଭିନବ କଳା ଉପାସନା ଯେଉଁ ଓଡ଼ିଆ ଆଦର୍ଶକୁ ବିଶ୍ଵସ୍ତରରେ ପରିଚିତ କରାଇଛି, ସେହି ଆଦର୍ଶ ସଦା ଆମ୍ଭର ପାଥେୟ।

admin

Recent Posts

କପାଳୀ ମଠ

ଲେଖା: ଅମ୍ବିକା ପଟ୍ଟନାୟକ   ∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼ ଭୁବନେଶ୍ୱରର…

2 weeks ago

ଶ୍ରୀଧର ସ୍ୱାମୀ

ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…

2 weeks ago

ଜାତି ଐରାବତ

ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…

2 weeks ago

ଉତ୍ତରେଶ୍ଵର ମହାଦେବ ମନ୍ଦିର

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…

3 weeks ago

କୁମ୍ଭେଶ୍ୱର ମହାଦେବ ମନ୍ଦିର

କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ  ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…

3 weeks ago

ମାଣବସା ଗୁରୁବାର

ମାଣବସା ଗୁରୁବାର  ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…

3 weeks ago