ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

ଆନୁମାନିକ ଖ୍ରୀଷ୍ଟଜନ୍ମର ଚାରିଶହ ଵର୍ଷ ପୂର୍ବେ ରଚିତ ଭରତମୁନୀଙ୍କ କର୍ତ୍ତୁକ ନାଟ୍ୟଶାସ୍ତ୍ରରେ ଉଡ୍ର ଵିଭାଷାର ଉଲ୍ଲେଖ ମିଳେ ଯାହାକୁ ଓଡ଼ିଆ ଭାଷାର ପ୍ରାଚୀନରୂପ ବୋଲି ମାନାଯାଏ ।

ଭରତମୁନୀଙ୍କ ସମୟରେ ମୁଖ୍ୟତଃ ସାତୋଟି ଆଞ୍ଚଳିକ ଭାଷା ଥିଲା ତେଣୁ ସେ ତାଙ୍କ ନାଟ୍ୟଶାସ୍ତ୍ରରେ ଲେଖିଛନ୍ତି,
“ମାଗଧ୍ୟାବନ୍ତିକା ପ୍ରାଚ୍ୟ ଶୌରସେନାର୍ଧମାଗଧୀ
ବାହ୍ଲିକା ଦାକ୍ଷିଣତ୍ୟାଚ ସପ୍ତଭାଷା ପ୍ରକୀର୍ତ୍ତିତା ।”

ଶ୍ଲୋକରେ ଵର୍ଣ୍ଣନା କରାଯାଇଥିବା ଭାଷାଗୁଡି଼କ ହେଲା
୧. ମାଗଧୀ
୨. ଅବନ୍ତିକା
୩. ପ୍ରାଚ୍ୟ
୪. ଶୌରସେନୀ
୫. ଅର୍ଦ୍ଧମାଗଧୀ
୬. ବାହ୍ଲିକ
୭. ଦାକ୍ଷିଣତ୍ୟ ଭାଷା (Proto David)

ଏଠାରେ ମାଗଧୀ ଓ ଅର୍ଧମାଗଧୀକୁ ଭିନ୍ନ ଦର୍ଶେଇବା ପାଇଁ ଦୁଇଥର ଲେଖା ହେଇଚି । ସେହି ସମୟରେ ପ୍ରାଚୀନ ଓଡ଼ିଆ ଭାଷା ହିଁ ଥିଲା ଅର୍ଦ୍ଧମାଗଧୀ । ମାଗଧୀ ସହିତ ପ୍ରାଚୀନ ଓଡ଼ିଆ ଭାଷା ଵା ଅର୍ଦ୍ଧମାଗଧୀର ସାମଞ୍ଜସ୍ୟତା ଥିଲେ ହେଁ ସେ ଉଭୟ ଭାଷା ମଧ୍ୟରେ ଥିବା ଧ୍ଵନି ଓ ଗଠନଶୈଳୀରେ ଭିନ୍ନତା ଦୃଷ୍ଟିରୁ ଏଠାରେ ପୃଥକ ପୃଥକ ଲେଖା ହୋଇଛି ।


ପୁଣି କିଛି ଭାଷାଵିଦ୍ ମତ ଦିଅନ୍ତି ଉଡ୍ର ମାଗଧୀକୁ ମୁଦ୍ରାପ୍ରସାଦରେ ଅର୍ଦ୍ଧମାଗଧୀ କୁହାଯାଇଛି । ଏଥିରୁ ପ୍ରମାଣିତ ହୁଏ ଯେ ଓଡ଼ିଆ ଭାଷା ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ବେଳକୁ ଵିକଶିତ ହୋଇ ତତ୍କାଳୀନ ଭାରତରେ ପ୍ରଚଳିତ ହୋଇ ସାରିଥିଲା । ଏତଦବ୍ୟତୀତ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ବେଳକୁ ଓଡ଼ିଶାର ଅଧିକାଂଶ ଅଞ୍ଚଳ ମଗଧର ନନ୍ଦଶାସକଙ୍କ ଦ୍ଵାରା ଶାସିତ ହେଉଥିଲା । ଏହି ହେତୁରୁ ମଧ୍ଯ ଏ ଉଭୟ ଭାଷାକୁ ଭିନ୍ନ କୁହାଯାଇଥାଇପାରେ ।

ତତ୍ ପରେ ମାଗଧୀ ଓ ଅର୍ଦ୍ଧମାଗଧୀ ମଧ୍ୟରେ ଭେଦ ଉପସ୍ଥାପନ କରିବାକୁ ଯାଇ ଭରତମୁନୀ କହିଛନ୍ତି,
“ମାଗଧୀତୁ ନରେନ୍ଦ୍ରଣାମନ୍ତଃ ପୁର ସମାଶ୍ରୟା,
ଟେଚିନାଂ ରାଜପୁତ୍ରାଣାଂ ଶ୍ରେଷ୍ଠିନାଞ୍ଚର୍ଧମାଗଧୀ” ।।

ଅର୍ଥାତ୍, ରାଜା, ରାଜପୁତ୍ର, ଅନ୍ତଃପୁର ରକ୍ଷକ ଓ ଟେଟୀମାନେ ମାଗଧୀ ତଥା ଶ୍ରେଷ୍ଠୀ ଵା ଓଡ଼ିଆ ସାଧଵ ଵଣିକମାନେ ଅର୍ଦ୍ଧମାଗଧୀ ଵ୍ୟଵହାର କରୁଥିଲେ ।


ଭରତ ମଧ୍ଯ ସ୍ଵରଚିତ ନାଟକରେ ଉଡ୍ରଜା ନାମକ ଏକ ଵିଭାଷାର ଉଲ୍ଲେଖ କରିଅଛନ୍ତି । ଵିଭାଷା ହେଲେ ହେଁ ଏହା ନାଟକରେ ଵ୍ୟଵହାର ହେଉଥିଲା ବୋଲି ସେ ଦର୍ଶାଇଛନ୍ତି ।
“ଶକରାଭୀର ଚାଣ୍ଡାଳ ଶଵର ଦ୍ରାଵିଡୋ଼ଡ୍ରଜାଃ ।
ହୀନାବନେଚରାଣାଂ ଚ ଵିଭାଷାଃ ସପ୍ତକୀର୍ତ୍ତିତାଃ” ।।

ଏଠାରେ ଭରତମୁନୀ ଶକ, ଶବର, ଅଭୀର, ଚାଣ୍ଡାଳ, ଦ୍ରାଵିଡ଼, ଉଡ୍ରଜା ଓ ବନାଚରୀ ଇତ୍ୟାଦି ସାତଗୋଟି ଵିଭାଷାର ଉଲ୍ଲେଖ କରିଅଛନ୍ତି । ଏଗୁଡି଼କ ଵିଭାଷା ହେଲେ ହେଁ ନାଟ୍ୟରେ ଵ୍ୟଵହୃତ ହେଉଥିଲେ । ଏହି ଶ୍ଲୋକ ଆଧାରରେ କେହି କେହି ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ବେଳକୁ ଓଡ଼ିଆ ଭାଷା ଏକ ଵିଭାଷା ଥିବା ମତ ଦିଅନ୍ତି । କିନ୍ତୁ ଭରତମୁନୀ ଉଡ୍ରଜା ଓ ଅର୍ଦ୍ଧମାଗଧୀକୁ ଦୁଇଟି ଭିନ୍ନ ଭାଷା ରୂପେ ଦର୍ଶାଇଛନ୍ତି ।

ଏହାକୁ ଭିତ୍ତିକରି କେତେକ ଭାଷାଵିଦ୍ ମତ ଦିଅନ୍ତି ଯେ
ତତ୍କାଳୀନ ସମାଜରେ ଅର୍ଦ୍ଧମାଗଧୀ ଵା ଅର୍ଧମାଗଧୀ ଉଚ୍ଚଶ୍ରେଣୀୟ ଓଡ଼ିଆଙ୍କ ଭାଷା ଥିଲା ବେଳେ ଅନ୍ୟ ଓଡ଼ିଆ ଲୋକେ ଉଡ୍ରଜାରେ କଥୋପକଥନ କରୁଥିଲେ ।


ପୁନଶ୍ଚ ନାଟ୍ୟଶାସ୍ତ୍ରରେ ବିଭିନ୍ନ ପ୍ରବୃତ୍ତି ମଧ୍ୟରେ ମଧ୍ଯ ପ୍ରାଚୀନ ଓଡ଼ିଆ ଭାଷା ସ୍ଥାନ ପାଇଛି ।
“ଆଵନ୍ତୀ ଦାକ୍ଷିଣାତ୍ୟାଚ ତଥା ଚୈବୋଡ୍ରମାଗଧୀ ।
ପାଞ୍ଚାଳୀ ମଧ୍ଯମି ଚେତି ଵିଜ୍ଞେୟାସ୍ତୁ ପ୍ରବୃତ୍ତୟଃ” ।।

ଉପରୋକ୍ତ ଶ୍ଲୋକରେ ତତକାଳୀନ ସମୟରେ ଚାରୋଟି ନାଟ୍ୟପ୍ରବୃତ୍ତି ଥିବା ଉଲ୍ଲେଖ ଅଛି,
୧. ଆବଧୀ
୨. ଦାକ୍ଷିଣତ୍ୟ
୩. ପାଞ୍ଚାଳି
୪. ଉଡ୍ରମାଗଧୀ

ପୁଣି କୁହାଯାଇଛି
“ଚର୍ତୁବିଧା ପ୍ରବୃତ୍ତିଶ୍ଚ ପ୍ରୋକ୍ତା ନାଟ୍ୟ ପ୍ରୟୋକ୍ତୃଭିଃ ।
ଆବନ୍ତି ଦାକ୍ଷିଣତ୍ୟାଚ ପାଞ୍ଚାଳି ଚୋଡ୍ର ମାଗଧୀ” ।।

ଏଥିରୁ ଓଡ଼ିଆ ଭାଷା ତଥା ଉଡ୍ର ନାଟ୍ୟକଳାର ପ୍ରାଚୀନତା ସୁସ୍ପଷ୍ଟ ହୁଏ । ଆମର ପ୍ରାଚୀନ ଓଡ଼ିଆ ଭାଷା ଯେ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ବେଳକୁ ସୁଦୃଢ ସ୍ଥିତିରେ ଥିଲା ଏବଂ ଉତ୍ତରୋତ୍ତର ବିକାଶଲାଭ କରୁଥିଲା ଉପରୋକ୍ତ ତଥ୍ୟଗୁଡି଼କ ଦ୍ଵାରା ସ୍ପଷ୍ଟ ହୋଇଯାଉଛି । 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

4 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago