~ ପଖାଳ ~
ଲେଖା: ଡ. ଜୟଶ୍ରୀ ନନ୍ଦ
ଓଡ଼ିଆଙ୍କ ଆରାଧ୍ୟ ବଡ଼ଠାକୁର ବି ଭାରି ଭଲ ପାଆନ୍ତି ପଖାଳକୁ। ମହାପ୍ରଭୁଙ୍କ ପାଖରେ ଲାଗି ହେଉଥିବା ପଖାଳ ବିଷୟରେ କବିତାଟିଏ . . ବଡଘର ବଡ ଗୁମର କଥା
ବଡ ପଣେ ସେ ତ ବଡଦେବତା,
କୋଟି ଓଡ଼ିଆର ମଉଡମଣି,
କେ ନ ଜାଣେ ତାର ସେ ବଡ ଠାଣି।
ମାନବୀୟ ଲୀଳା କରେ କାଳିଆ
କାଳିଆ ବି ମୋର ପଖାଳଖିଆ,
କଥାରେ କହନ୍ତି ସତେ ଓଡ଼ିଆ
ଓଡ଼ିଆ ଅଟନ୍ତି ପଖାଳଖିଆ ।
ପଖାଳରେ ଭାରି ଶରଧା ତାର,
ପଖାଳ ଖାଏ ଯେ ବଡଠାକୁର।
କେତେବେଳେ ଭାସେ ପଖାଳେ ଘିଅ
ପଖାଳଖିଆ ପା ଆମରି ଦିଅଁ।
ନିଦ ଆସେ ନାହିଁ ଚକାଆଖିକୁ
ପଖାଳ ଖାଇ ସେ ଯାଏ ଶେଯକୁ।
ବଡଖିଆ ପରା କଳାଠାକୁର
ପଖାଳ ଖାଏ ସେ କେତେ ପ୍ରକାର।
ସୁବାସପଖାଳ, ଦହିପଖାଳ
ଚୁପୁଡା ପଖାଳ, ମିଠାପଖାଳ
ପାଣିପଖାଳ ତ ମଲ୍ଲିପଖାଳ
ଘିଅ ପଖାଳରେ ଶରଧା ତାର।
ସୁଗନ୍ଧିତ ଅନ୍ନେ ପାଣି ମିଶାଇ
ଅଦାକଟା ଭଜା ଜିରା ପଡଇ,
ଏତେ ଜତନରେ ପରଷା ହୋଇ।
ପ୍ରସାଦ ଲାଗଇ କାଳିଆ ଆଗେ
ତାକୁ କି ଅଜଣା ସୁଆଦ ତେବେ
ବଡଖିଆ ସେତ ବଡଠାକୁର
ବଡଖିଆ ପୁଣି ନାମଟି ତାର।
ମାଟି କୁଡୁଆରେ ପରଷା ଯାଏ
ଭଜା ଜିରା ଦହି ସାଥିରେ ଲୁଣ
କେ ନ ଜାଣେ ତାର ଖାଇବା ଗୁଣ।
ଷାଠିଏ ପଉଟି କାଳିଆ ଖାଏ
ବଡଖିଆ ବୋଲି ବଡ ଦେଖାଏ,
ସାଧାସିଧା ଖାଦ୍ୟେ ଲୋଭ ତାହାର
ସାଧା ଅନ୍ନରେ ଯେ ପାଣି ମିଶାଇ
ଲୁଣ ପଡିଥାଏ ସ୍ବାଦାନୁଯାୟୀ,
କାଳିଆ ଆଗରେ ପରଷା ଯାଏ
କାଳିଆ ନୁହେଁ ତ ଓଡିଆ ସିଏ।
ଶୁଖିଲା ଅନ୍ନରେ ଦହି ଗୋଳାଇ
ଦହି ମାତ୍ରା ଟିକେ ଅଧିକ ଦେଇ,
ଭଜାଜିରା ସାଥେ ଅଦା ପକାଇ
ରସିକ ପଣରେ ରସନାଗର
ଖାଇବା ସଉକ ସାଆନ୍ତେଙ୍କର
ପଖାଳପରଷା ହୁଅଇ ଯେବେ
ନିଦଟି ହୁଅଇ ଜଗାକୁ ତେବେ।
ଧଳାଗୁଡ ଅବା ଚିନି ପକାଇ
ସାଧା ଅନ୍ନ ଯେବେ ରନ୍ଧା ହୁଅଇ
ଖଣ୍ଡଅଦା ଭଜାଜିରାର ସଙ୍ଗେ
ପଖାଳରେ ମଲ୍ଲିଫୁଲ ପକାଇ
ସଉକ ଜାଣଇ ନନ୍ଦର ବଳା
ସେଥିପାଇଁ ପରା ଷୋହଳକଳା ।
କଦଳୀ ଭଜାଟି ସାଙ୍ଗରେ ଥାଏ ,
ବଡସିଂହାର ବା ପହୁଡ ଆଗେ
ପଖାଳପରଷା ହୁଅଇ ତେବେ।
ସାଧାଅନ୍ନେ ଦହି ଅଦା ଓ ଜିରା
ଲୁଣ ସାଥେ ଥାଏ ଘିଅଟି ପରା,
ପଖାଳ ଖାଇଲେ ନିଦଟି ଆସେ
ପଖାଳ ଖାଇକି କାଳିଆ ହସେ।
କାଳିଆ ଆମର ବଡବଡିଆ
ତା ନାମେ ଲଗାଇ କଥାଟି କୁହା
ତୋ ବାପା ଖାଇଥିଲା ପଖାଳେ ଘିଅ
ମୋ କାଳିଆ ହେଉଛି ଓଡିଆ ପୁଅ (ଓଡିଆ ଦିଅଁ)।