~ ଦର୍ପଣୀ କୋଠି ~
ଲେଖା: ଶ୍ରୀକାନ୍ତ ସିଂହ
ଅଶିଣର ବର୍ଷଣକ୍ଳାନ୍ତ ଶରଦ ପ୍ରାତଃ। ପଶ୍ଚିମାକାଶରେ ଅସ୍ତଗାମୀ ନିଷ୍ପ୍ରଭ ଶଶାଙ୍କ, ଆଉ ଉଦିତ ରବିଙ୍କ ରକ୍ତିମ ଆଭାରେ ଉଦ୍ଭାସିତ ପୂର୍ବାଚଳର ନିର୍ମଳ ଆକାଶ। ବୃନ୍ତଚ୍ୟୁତ ସଜଫୁଟା ଶୁଭ୍ର-ନାରଙ୍ଗୀ ଶେଫାଳୀ ସାଥେ ମଧୁମାଳତୀ, ତରାଟ, କନିଅର, ଟଗର, କାଠଚମ୍ପା, ମଲ୍ଲୀ, ଜୁହି-ଜାଇ, ହେନା, ସ୍ବର୍ଣ୍ଣଚମ୍ପା, ରଙ୍ଗଣୀ ଆଦି ଉଦ୍ୟାନରେ ସଦ୍ୟ ପ୍ରସ୍ଫୁଟିତ ଗନ୍ଧଯୁକ୍ତ ନାନାବିଧ ପୁଷ୍ପ ସମ୍ଭାର। ନୀଡ଼ ତେଜି ଗଗନରେ ଡେଣା ଝାଡ଼ି ଉଡୁଥିବା କୁଆ, ଶୁଆ, ବଣି, କଜଳପାତି, ବାଇ ଚଢ଼େଇ ଆଦି ନାନାଦି ପକ୍ଷୀଙ୍କ ପ୍ରାତଃ କାଳୀନ କଳରବ ସାଥେ ଉଦ୍ୟାନସ୍ଥ ବୃକ୍ଷ କୋଟରେ ଘର ବାହୁଡ଼ା ଚେମେଣୀଙ୍କ କିଚିରି ମିଚିରି ଧ୍ୱନି ପରିବେଶକୁ ଆହୁରି ତରଙ୍ଗାୟିତ କରିତୋଳେ। ଦେବାରାଧନାର ଏକ ଅପୂର୍ବ ପବିତ୍ରତାରେ ଭରିଯାଏ ସମଗ୍ର ଅଞ୍ଚଳ। ଉଦ୍ୟାନକୁ ଲାଗି, ପାର୍ଶ୍ୱରେ ଥିବା ଶିବ ମନ୍ଦିରରେ ବାଜି ଉଠେ ଉଷା କାଳୀନ ମଙ୍ଗଳ ଆଳତୀର ଘଣ୍ଟ ଧ୍ୱନି।
ମୁଦ୍ରିତ ଚକ୍ଷୁ, ଗମ୍ଭୀର ମୁଖ ମଣ୍ଡଳ, ଅଥଚ ଶ୍ମଶ୍ରୁ ବିହୀନ ଗୌରବର୍ଣ୍ଣ ତାଙ୍କ ମୁଖମଣ୍ଡଳରେ ଏକ ଅପୂର୍ବ ସତେଜତା ଫୁଟିଉଠେ। କପାଳ, ନାସାଗ୍ର, ଗଣ୍ଡଦେଶ ତଥା ମୁଖ ମଣ୍ଡଳରେ ହସ୍ତ ପ୍ରକ୍ଷାଳନ ପୂର୍ବକ ସ୍ବର୍ଣ୍ଣିମ ଅତୀତର ସ୍ମୃତିଚାରଣ କରି ବସନ୍ତି ପଣ୍ଡିତ ମହାଶୟ। ମୋ ମନର ଜିଜ୍ଞାସା ଦୂର ହିଁ ଉଦ୍ଦେଶ୍ୟ।
କଡ଼ିବର୍ଗାଯୁକ୍ତ ଛାତ ଘର ବିଶିଷ୍ଟ ଶିବ ମନ୍ଦିର, ଆଉ ଉଭୟ ପାର୍ଶ୍ୱରେ ଦୁଇଟି ବାସ ଗୃହ। ଗୋଟିକରେ ରୁହନ୍ତି ରାଜାଘର କୂଳପୁରୋହିତ ତଥା ମନ୍ଦିର ପୂଜକଙ୍କ ଉତ୍ତର ଦାୟାଦ ଏବଂ ଅନ୍ୟଟିରେ ରୁହନ୍ତି ରାଜାଙ୍କର କୂଳ ଜୋତିଷଙ୍କ ଉତ୍ତର ପୁରୁଷ। ଏହା ବ୍ୟତୀତ ଆଉ ଦୁଇଟି ଛୋଟିଆ ଘର ବ୍ୟବହୃତ ହୁଏ ଭଣ୍ଡାର ଘର ଓ ରୋଷ ଘର ରୂପେ।
ଆଖି ଖୋଲି, ଚାହିଁ, ଓଷ୍ଠରେ ସ୍ମୀତହାସ୍ୟ ଖେଳେଇ, ପଣ୍ଡିତେ କୁହନ୍ତି; ଏବେ କିନ୍ତୁ ସବୁ କିଛି ଅତୀତ। ସେ ବଗିଚା ଆଉ ନାହିଁ, ବଗିଚାର ସେ ଗଛ ବୃଛ, ଉଦ୍ୟାନର ସେ ପୁଷ୍ପ ସମ୍ଭାର ଆଉ ନାହିଁ। ପ୍ରାତଃ କାଳର ସେ ଚଢ଼େଇଙ୍କ କଳରବ ଆଉ ଶୁଣିବାକୁ ମିଳୁନି। ଅବଶ୍ୟ ପୂର୍ବାଚଳରେ ସୂର୍ଯ୍ୟ ଉଦୟ ହୋଇ ପଶ୍ଚିମାକାଶରେ ଅସ୍ତ ଯାଉଛନ୍ତି, ହେଲେ ରାଜା ନାହାନ୍ତି, ରାଣୀ ବି କେଉଁ କାଳୁ ଗଲେଣି।
ହାତୀଶାଳ, ଘୋଡ଼ାଶାଳ ସ୍ଥାନରେ ଏବେ କୋଠା ବାଡ଼ି। ଉଆସ ଥିଲା, ତାହା ବି କିଛି ବର୍ଷ ହେବ ବିକ୍ରି ହୋଇ ଗଲାଣି। ଏବେ ସବୁକିଛି ଅତୀତ। ଜର୍ଜରିତ ଏଇ କଡ଼ି ବର୍ଗା ଛାତ ତଳେ କୂଳ ଦେବତା ମହାଦେବ ପୂଜା ପାଉଛନ୍ତି, ଆଉ ତାଙ୍କ ସେବାରେ କୂଳ ପୁରୋହିତ ଆଉ କୂଳ ଜୋତିଷ ରୂପେ ଆମେ ଦୁହେଁ ଏଠାରେ ଯାହା ପଡ଼ି ରହିଛୁ।
ବଗିଚା ସଂଲଗ୍ନ କଡ଼ିବର୍ଗାଯୁକ୍ତ ସମତଳ ଛାତବିଶିଷ୍ଟ ଏହି ଶିବ ମନ୍ଦିରଟି କଟକ ଚାନ୍ଦିନୀଚୌକ ଅଞ୍ଚଳରେ ଥିବା ଦର୍ପଣୀ କୋଠିର ଦେଉଳ। ଅତି ପ୍ରାଚୀନ ନ ହେଲେବି, କଟକ ସହର କୋଳରେଥିବା ଐତିହାସିକ ଏକ ସନ୍ତକ। ଯାହାର ଗୌରବମୟ ଅତୀତ ସହିତ କିଛି ଇତିହାସ ବି ରହିଛି, ହେଲେ ସମୟର ସ୍ରୋତରେ ଆଜି ଅଲୋଡ଼ା, ଅପାଙକ୍ତେୟ ହୋଇ ବିଲୟଗାମୀ ହୋଇ ପଡ଼ିରହିଛି।
ମହାନଦୀ ଓ କାଠଯୋଡ଼ି ନଦୀର ମଧ୍ୟ ସ୍ଥଳରେ ଅବସ୍ଥିତ ଏଇ ପ୍ରାଚୀନ ସହର କଟକରେ ଓଡ଼ିଶାର ଧର୍ମ, ସାହିତ୍ୟ, ସଂସ୍କୃତି, ଭାଷା, ଜାତୀୟତା, ରାଜନୀତି ଆଦିର ଉନ୍ମେଷ ଘଟିଥିଲା l ଅନେକ ଶାସକ ଏଠାରେ ନିଜର ରାଜଧାନୀ ସ୍ଥାପନ କରି ରାଜ୍ୟ ଶାସନ କରିଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶାର ଅନେକ ଗଡ଼ଜାତ ରାଜାମାନେ ନିଜ ନିଜର କୋଠି ବା ଉଆସ ନିର୍ମାଣ କରି କଟକରେ ରହୁଥିଲେ। ସେମାନଙ୍କ ମଧ୍ୟରେ ଦର୍ପଣୀ ରାଜାଙ୍କ ଉଆସ ମଧ୍ୟ ଅନ୍ୟତମ।
ଦର୍ପଣୀ କୋଠି ବ୍ୟତୀତ କଟକରେ କନିକା, ଆଳି, ନରସିଂହପୁର, ଗଡ଼ମଧୁପୁର, କେନ୍ଦୁଝର, ହିନ୍ଦୋଳ ଆଦି ଗଡ଼ଜାତ ରାଜାଙ୍କର କୋଠି ବା ଉଆସ କଟକ ନଗରରେ ଥିଲା। ଆଉ ସେଥି ମଧ୍ୟରୁ ଚାନ୍ଦିନୀଚୌକ ବିହାରୀବାଗରେ ଥିବା ଦର୍ପଣୀ କୋଠି ହେଉଛି ଅନ୍ୟତମ। କଟକରେ ଥିବା ଦର୍ପଣୀ ରାଜାଙ୍କର ହାତୀଶାଳ, ଘୋଡ଼ାଶାଳ ଆଦି ସମୟ କ୍ରମେ ବିକ୍ରି ହୋଇ ସାରିଥିଲା। ଆଉ ଶେଷରେ ଉଆସ ବି ବିକ୍ରି ହୋଇ ସାରିଛି ମାତ୍ର ଏଇ କଡ଼ିବର୍ଗାଯୁକ୍ତ ମନ୍ଦିରଟି ଜରାଜୀର୍ଣ୍ଣ ଅବସ୍ଥାରେ ଯାହା ରହିଛି।
ଇତିହାସ କୁହେ ଗଙ୍ଗବଂଶୀୟ ଶାସକ ନରସିଂହ ଦେବ ଆକ୍ରମଣକାରୀ ଆଫଗାନମାନଙ୍କୁ ପରାହତ କରି ଫେରିବା ବାଟରେ ମହାବିନାୟକ ପାହାଡ଼ ନିକଟରେ କିଛିଦିନ ଶିବିର ପକାଇ ରହିଥିଲେ। ଆଉ ସକାଳ ଗାଧୁଆ ପରେ ସ୍ଥାନୀୟ ମୁଖିଆ ତାଙ୍କୁ ଦର୍ପଣ ଦେଖାଇ ସେବା ଦେଉଥିଲେ, ଏଣୁ ସ୍ଥାନର ନାଁ ଦର୍ପଣ ବା ଦର୍ପଣୀଗଡ଼ ହୋଇଥିଲା। ପରବର୍ତ୍ତୀ କାଳରେ ମୋଗଲ ଶାସକ ଆଉରଙ୍ଗଜେବଙ୍କ ଶାସନ ସମୟରେ ଏହି ଗଡ଼ ମୁସଲମାନ ଶାସନାଧୀନ ହେଲା। ସନ୍ଥ ହାଡ଼ିଦାସଙ୍କ ସମୟରେ ଏଠାରେ ଗୁଲଜାର ହୁସେନ ଶାସନ କରୁଥିଲେ। ତାଙ୍କ ପୁଅ ଆକବର ହୁସେନ ରାଜସ୍ବ ଦେଇ ନ ପାରିବାରୁ ତାଙ୍କ ଜମିଦାରୀ ବିକ୍ରି ହୋଇଥିଲା।
ଏହି ଜମିଦାରୀ ଇଷ୍ଟେଟକୁ ଗୋପୀନାଥ ପଣ୍ଡିତ କିଣିନେଇଥିଲେ। ତାଙ୍କ ପୂର୍ବ ପୁରୁଷ କାଶ୍ମିରୀ ପଣ୍ଡିତ ଥିଲେ। ତାଙ୍କ ସମୟରେ ଚାନ୍ଦିନୀଚୌକ ଅଞ୍ଚଳରେ କୋଠି ନିର୍ମାଣ ହୋଇଥିଲା। ପରେ ଏହା ମଧ୍ୟ ନିଲାମ ହୋଇଥିଲା। ଅଶି ଦଶକ ବେଳକୁ ଏହି କୋଠିରେ ଦର୍ପଣୀ ରାଣୀ ରୂପେ ଜଣା, ରାସେଶ୍ୱରୀ ଦେବୀ ସୁଥୁ ରହୁଥିଲେ। ସମୟ ଚକ୍ରରେ ଏହି ଦର୍ପଣୀ କୋଠିର ଘୋଡ଼ାଶାଳ, ହାତୀଶାଳ ଆଦି ସହିତ କୋଠିଟି ମଧ୍ୟ ବିକ୍ରି ହୋଇ ସାରିଛି। ବଗିଚାର କିଛି ଅଂଶ ସହିତ ଏହି ପୁରୁଣା ଶିବ ମନ୍ଦିରଟି ଯାହା ରହିଛି।
କଟକର ଏହି ଦର୍ପଣୀ କୋଠି ଓ ଏଇ ଶିବ ମନ୍ଦିର ସମ୍ପର୍କରେ କଥା ଏବେ ପାଇଁ ଏତିକି ।
ବିଶେଷ ଦ୍ରଷ୍ଟାବ୍ୟ: ଏହି ଆଲେଖ୍ୟଟି କେବେବି କୌଣସି ଇତିହାସର ଅବତାରଣା ନୁହେଁ; ଐତିହ୍ୟକୁ ନେଇ ମୋ ମନର ଭାବପ୍ରବଣତା
ବିହାରୀବାଗ ଚାନ୍ଦିନୀଚୌକ କଟକ
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago