ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ

ଷୋଡଶ ଶତାବ୍ଦୀର ମଧ୍ୟଭାଗରେ ପୁରୁଣାପଟଣାରୁ ରାଜଧାନୀ ପୁଣ୍ୟପୀଠ ପାରଳାକୁ ସ୍ଥାନାନ୍ତର ପରେ ରାଜା ଗଜପତି ଅନନ୍ତପଦ୍ମନାଭ ଦେବଙ୍କ କାଳରେ ଅନେକ ମନ୍ଦିର ଓ ମଠ ନିର୍ମାଣ ହେଲା, ତନ୍ମଧ୍ୟରୁ ଲିହୁରୀ, ଭାଲେରୀ ଓ ପାରଳାର ଗୋପୀନାଥ ମନ୍ଦିର ଅନ୍ୟତମ।

ଏକଦା ରାଜାଙ୍କୁ ସ୍ୱପ୍ନାଦେଶ ହୁଏ, ନିକଟବର୍ତ୍ତୀ ପଶ୍ଚିମ ବାତ୍ତିଲି ମୁଠାରେ ପୂଜାପାଉଥିବା ପୁରୁଣା ନିମବୃକ୍ଷଟିଏ ଭାସିଆସି ନିମଗାଁ ମୁଠାରେ ଲାଗିଛି। ସେଥିରୁ ଆମ୍ଭ ବିଗ୍ରହ ନିର୍ମାଣ କରାଅ।

ସତକୁ ସତ, ରାଜାଙ୍କ ନିର୍ଦେଶକ୍ରମେ ଗୋରୀବନ୍ଧା ଦୋରା ଓ ବିଶୋୟୀମାନେ ଦେଖନ୍ତେ ବାରଣାସୀ ବଂଶଧାରାକୂଳ ଲିହୁରୀ ଗ୍ରାମରେ ଏକ ବିଶାଳ ଦୃମର ଗଣ୍ଡିଟିଏ ଆସି ବଂଶଧାରା ପଠାରେ ଲାଗିଛି। ଖବର ପାଇ ରାଜା, ରୂପକାର ଓ ବିଶ୍ଵକର୍ମା ମହାରଣାଙ୍କୁ ଖବର ଦେଲେ। ଏକ ସୁନ୍ଦର ଭବ୍ୟ ଯୁଗଳ ମୂର୍ତ୍ତି ୨୧ ଦିନ ମଧ୍ୟରେ ଗଢ଼ାଇଲେ। ତେବେ ମନ୍ଦିର ପ୍ରତିଷ୍ଠା ଓ ନାମକରଣ ନିମିତ୍ତ ସଂଶୟ ଉପୁଜିବାରୁ, ରାଜା ପୁଣି ନିର୍ମିତ ବିଗ୍ରହଙ୍କ ନିକଟରେ ଅଧିଆ ପଡିଲେ। ଶେଷରେ ପାଟରାଣୀଙ୍କୁ ପ୍ରଭୁ ଗୋପୀନାଥ ରୂପେ ଦର୍ଶନ ଦେଇ ଉକ୍ତ ସ୍ଥାନରେ ହିଁ ଦେଉଳ ଗଢ଼ାଇବାକୁ ନିର୍ଦେଶ ଦେଲେ। ନିର୍ଦେଶପାଇ ରାଜା ଏକ ଭବ୍ୟ ଝିଙ୍କର ଦେଉଳ ନିର୍ମାଣ କରାଇଲେ। ଅଜସ୍ର ଭୂମି, ସେବା ଖଞ୍ଜାଇ ଦେବପ୍ରତିଷ୍ଠା କରାଇଲେ ଓ ସେହିଦିନୁ ନିଜ ଗୃହଇଷ୍ଟ ରୂପେ ମଣିଲେ।


ତେବେ ଇତିହାସର ପୃଷ୍ଟଭୁମିକୁ ଦେଖିଲେ ୧୬୬୨ ମସିହାରେ ଜନ୍ମିତ କବି ହରିକୃଷ୍ଣ ମହାରଣାଙ୍କ ଦ୍ଵାରା ପ୍ରଭୁ ଲିହୁରୀ ଗୋପୀନାଥ ବନକ ହୋଇ ଆସୁଥିଲେ। ସେ ଥିଲେ ପରମ ବୈଷ୍ଣବ ଓ ଜାତିରେ ଚିତ୍ରକର ।କେତେକଙ୍କ ମତେ ହରିକୃଷ୍ଣ ସ୍ୱହସ୍ତେ ଗୋପୀନାଥଙ୍କୁ ଗଢାଇଥିଲେ ବୋଲି ଜନଶ୍ରୁତି । ତାଙ୍କ ଚିତ୍ରକଳାରେ ପ୍ରୀତହୋଇ, ଗଜପତି ଦୁଇଖଣ୍ଡ ଗ୍ରାମ – ଲକ୍ଷ୍ମୀପୁର ଓ କରଣିଭଦ୍ରା ଦାନ କରି ମହାପାତ୍ର ଉପାଧିରେ ଭୂଷିତ କଲେ। ସେହିଗ୍ରାମ ଆଜି ମଧ୍ୟ ଚିତ୍ରକାର ଲକ୍ଷ୍ମୀପୁର ନାମେ ଖ୍ୟାତ।ଜନଶ୍ରୁତି ଯେ, ଦିଅଁ ଗଢ଼ିଲା ବେଳେ ମହାପାତ୍ରଙ୍କର ଗୋଡ଼ରେ ହତିଆର ଯୋଗୁଁ ଆଘାତ ହୋଇଥିଲା। ଏହି ଯନ୍ତ୍ରଣାରେ ଦୁଃଖୀ ଥିଲାବେଳେ, କୌଣସି ଔଷଧ କାମ ଦେଲା ନାହିଁ। କିଛିଦିନ ପରେ ସେ ସ୍ୱପ୍ନ ଦେଖିଲେ ଯେ ହରିରସଯୁକ୍ତ କାବ୍ୟ ଲେଖିଲେ ଏ ଯନ୍ତ୍ରଣା ଦୂରହେବ ।ଏହା ଶୁଣି ମହାପାତ୍ରେ, ଶ୍ରୀଗୋପୀନାଥ ଚଉତିଶା ଲେଖିଗଲେ।ପୁଷ୍ପରେ ଫଳ ବୃଦ୍ଧି ଛାଡି ।
ଶ୍ରୀକୃଷ୍ଣ ପାଦପଦ୍ମେ ପଡି ।।
କନ୍ଦର୍ପମୟ କିଂପା ଧର ।
ଛାଡି ପୀୟୂଷ ପଦ୍ମାକର ।।
ଅଥବା କେହେବ ନିବାରି ।
ନିଜ ପ୍ରକୃତି ପରିହରି ।।
ବଳଇ ସମସ୍ତଙ୍କ ଚିତ୍ତ ।
ଶରଣ ମୋର ଗୋପୀନାଥ।।

ଚଉତିଶାଟି ସମ୍ପୂର୍ଣ୍ଣ ହେବା ଦିନ ତାଙ୍କର ଗୋଡ଼ରେ ହୋଇଥିବା କ୍ଷତଟି ସମ୍ପୂର୍ଣ୍ଣ ଭଲ ହୋଇଗଲା। ଏହାପରେ ହରିକୃଷ୍ଣ ପାରଳା ଛାଡି ଲିହୁରୀରେ ବସା ବାନ୍ଧିଲେ ଏବଂ ଓଡ଼ିଆ ଭାଷାରେ ପ୍ରଥମେ ଏକାଦଶୀ ମହାତ୍ମ୍ୟ ଲେଖିଗଲେ। ସେ ଅନେକ ରଚନା ପ୍ରଭୁ ଗୋପୀନାଥ ଓ ଗଜପତି ନାରାୟଣ ଦେବଙ୍କ ନାମରେ ଭଣିତା କରିଛନ୍ତି। ଖାଲି ଏତିକି ନୁହେଁ ଏହି ପୀଠ ଥିଲା କବିଚନ୍ଦ୍ରଙ୍କ ସାଧନା ପୀଠ ।

୧୭୯୫ ମସିହାରେ ପାରଳାରେ ଜନ୍ମିଥିଲେ କବିଚନ୍ଦ୍ର ରଘୁନାଥ ପରୀକ୍ଷା। ରଘୁନାଥଙ୍କ ପରିବାର ଶ୍ରୀ ଗୋପୀନାଥଙ୍କ ରାଜନିଯୋଗ ପ୍ରାପ୍ତ ହୋଇଥିଲେ। ଏଣୁ  କବିଚନ୍ଦ୍ର ମଧ୍ୟ ଅନେକ କାବ୍ୟ କବିତା ଗୋପୀନାଥଙ୍କ ନାମରେ ଲେଖି ଯାଇଛନ୍ତି। ତନ୍ମଧ୍ୟରୁ ଦକ୍ଷିଣ ଓଡିଶାର ପ୍ରଥମ ଓଡ଼ିଆ ନାଟକ ଏହିଠାରେ ରଚନା କରି ମଞ୍ଚସ୍ଥ କରାଇଥିଲେ। ଯାହାକି ଜଗନ୍ନମୋହନ ଲାଲାଙ୍କ ବାବାଜୀ ନାଟକ ଠାରୁ ବହୁତ ପୂର୍ବରୁ।

ତେବେ ଗୋପୀନାଥଙ୍କ ମନ୍ଦିର, କେବଳ ଯେ ଏକ ଧର୍ମପୀଠ ତାହା ନୁହେଁ, ଏହା ଥିଲା ସାହିତ୍ୟ ଓ ସଂସ୍କୃତିର ପୀଠ। ଏଠାକାର ଦୋଳଯାତ୍ରା ଅତ୍ୟନ୍ତ ମନୋରମ।ଏଠାକୁ ଯିବାକୁ ହେଲେ ରେଳ ଯୋଗେ ଓଡ଼ିଶାର ଗଜପତି ଜିଲ୍ଲା ଲିହୁରୀ ଷ୍ଟେସନରେ ଓହ୍ଲାଇବାକୁ ପଡିବ। ପରେ ଏହିଠାରୁ ନୌକା ଯୋଗେ ବଂଶଧାରା ନଦୀ ଆରପାରି ଶ୍ରୀକାକୁଲମ୍ ଜିଲ୍ଲା ଲିହୁରୀ ଗ୍ରାମକୁ ଯାଇ ମନ୍ଦିର ଦର୍ଶନ କରିବାକୁ ପଡିବ।

ଲିହୁରୀ ବିଗ୍ରହ ତିଆରି ପରେ ଉକ୍ତ ଦାରୁର ବଳକା ଅଂଶଟି ସଜ ହୋଇ ରହିଲା ଏବଂ ସେଥିରୁ ତୁଳସୀ ଚନ୍ଦନ ମହକ ଚୁଟିଆସିଲା। ଏହା ଦେଖି ପୂଜକ ରାଜାଙ୍କୁ ଖବର ପଠାଇଲେ, ରାଜାଙ୍କ ନିର୍ଦେଶକ୍ରମେ ରାଜ ପୁରୋହିତ ଓ ରାଜଗୁରୁ ସେଠାରେ ଉପସ୍ଥିତ ହେଲେ। ଅନେକ ବିଚାର ପରେ ଉଭୟେ ପ୍ରଭୁଙ୍କ ଠାରେ ଅଧିଆ ପଡିଲେ। ତେବେ ଗୋପୀନାଥ ମହାପ୍ରଭୁ ଦାରୁ ମୂଳପୀଠରେ ଦେଉଳ ନିର୍ମାଣ କରିବାକୁ ଆଦେଶ ଦେଲେ। ଏହା ଶୁଣି ପୁଣି ମହାରାଜା ଦେଉଳ ତିଆରିବାକୁ ମନସ୍ଥ କଲେ।ଏହି ସ୍ଥାନଟି ଭାଲେରୀ ଗୋପୀନାଥ ବୋଲି ଖ୍ୟାତ ହେଲା । ଲିହୁରୀ ଭଳି ଭାଲେରୀ ଗୋପୀନାଥ ମଧ୍ୟ ସେହିଦିନୁ ପ୍ରଖ୍ୟାତ ହେଲେ।କେତେକଙ୍କ ମତେ ଜିରାଙ୍ଗ ବଳଦେବଜୀଉ ମନ୍ଦିରରେ ଥିବା ସୁଭଦ୍ରା ଓ ଜଗନ୍ନାଥ ବିଗ୍ରହ ଏହି ଦାରୁରେ ଗଢ଼ା । ତେବେ ଜୀରାଙ୍ଗ ବଳଦେବଙ୍କ ନିର୍ମାଣ କାଳ ସହ ଏହି ଗୋପୀନାଥଙ୍କ ଦିବ୍ୟଦାରୁ ସହ ସମ୍ପର୍କ କପୋଳକଳ୍ପିତ ମନେ ହୁଏ ।ତେବେ ଏହି ଭାଲେରୀ ଗୋପୀନାଥଙ୍କୁ ଦର୍ଶନ କରିବାକୁ ହେଲେ ଆମକୁ ରାୟଗଡା ଜିଲ୍ଲା ଗୁଣପୁର ବାତ୍ତୀଲି ଦେଇ ଯିବାକୁ ହେବ। ଏହି ମନ୍ଦିରରେ ମଧ୍ୟ ଦୋଳ ଯାତ୍ରାଟି ପ୍ରଧାନ ଉତ୍ସବ ।

ଲିହୁରୀ ଓ ଭାଲେରୀ ଗୋପୀନାଥଙ୍କ ବିଗ୍ରହ ପ୍ରତିଷ୍ଠା ପରେ ମଧ୍ୟ ପୁଣି ତିନି ଖଣ୍ଡ ଦାରୁ ବଳି ପଡିଲେ। ଏହା ପୁଣି ଏକ ଦ୍ଵନ୍ଦ ସୃଷ୍ଟି କରିବା ପୂର୍ବରୁ ପୂଜକଙ୍କ ଖବର କ୍ରମେ ରାଜପୁରୋହିତ ଓ ରାଜଗୁରୁ ଆଦି ଭାଲେରୀ ଚଳିଲେ। ଅନ୍ୟ ଏକ ଚର୍ଚ୍ଚାର ପ୍ରାରମ୍ଭ ପୂର୍ବରୁ ଦାରୁ ଗୁଡିକୁ ରାଜଗୁରୁ ପାରଳା ଧରିଆସିଲେ। ଏହାପରେ ପାରଳା ରାଜଗୁରୁ ସାହିସ୍ଥ ନିଜ ବାସଭବନରେ ସ୍ଥାପନା କରି ଏବଂ ଦେବଶିଳ୍ପୀ ଡକାଇ ଏହି ବିଗ୍ରହରେ ରାଧା ଓ ଲଳିତାଙ୍କୁ ଗୋପୀନାଥଙ୍କ ସହିତ ବିଜେ କରାଇଲେ। ଏହି ଦିନୁ ଗୋପୀନାଥ ଏହି ତିନି ସ୍ଥାନରେ ଖ୍ୟାତି ହେଲେ।ଶ୍ରୀ ଗୋପୀନାଥଙ୍କ ପ୍ରସାଦରୁ ଏହି ଗୃହେ ଜନ୍ମ ନେଇଥିଲେ ଓଡିଶାର ଅନ୍ୟତମ ବରପୁତ୍ର ଝଟତ୍ କବି ନୀଳମଣି ରଥଶର୍ମା। ଓଡ଼ିଆ ଭାଷାରେ କର୍ମକାଣ୍ଡ ତଥା ଉପନିଷେଦାଦିର ଭାଷ୍ୟ କରିଥିଲେ ଶ୍ରୀ ରଥଶର୍ମା। ତାଙ୍କ ରଚିତ ପାରଳା ପ୍ରଶଂସା କବିତାଟି ଦକ୍ଷିଣ ଓଡିଶାରେ ବେଶ ଆଦୃତ ହୋଇଥିଲା।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago