ଲେଖା: ଶିଶିର ସାହୁ ମନୋଜ

ଓଡ଼ିଆ ଦେଶଜ ଶବ୍ଦ ଝିଟ, ଶାସ୍ତ୍ରୀୟ ସଂସ୍କୃତଭାଷାର ଶବ୍ଦ ‛ଧୃଷ୍ଟ’ ସହିତ ସମଦ୍ଧୃତ ଅଟେ । ଏ ଶବ୍ଦଟି ସାଧାରଣତଃ ଚେମରଚଟୁ, ଧିଟ, ଧୃଷ୍ଟ, ଜିଗରିଆ, ବେହିଆ, ନିର୍ଲଜ୍ଜ, ନଗଣ୍ଯ ଅଶ୍ଳୀଳ ଆଦି ଅର୍ଥରେ ଏ ଶବ୍ଦ ପ୍ରୟୋଗ ହୋଇଥାଏ ।

ହିନ୍ଦୀରେ ଏହା ସହିତ ସମଦ୍ଧୃତ ଶବ୍ଦ ‛ଢୀଠ୍’ ଚଳୁଅଛି । ହିନ୍ଦୀ ଶବ୍ଦ ସାଗର ଅନୁସାରେ ପ୍ରାକୃତ ଭାଷାରେ ଢୀଟ’ଠ୍ ଶବ୍ଦ ମଧ୍ୟରହିଛି, ଯାହା ସମାର୍ଥକ ଅଟଇ । 

ହିନ୍ଦୀଭାଷୀ ଢୀଠ୍ ଶବ୍ଦର ପ୍ରୟୋଗ ବଡ଼ ଲୋକଙ୍କ କଥା ମାନୁଥିଵା ଅମାନୁଆ ଲୋକଙ୍କ ପାଇଁ ଵ୍ୟଵହାର କରନ୍ତି । ତୁଳସୀଦାସ ଏହି ଅର୍ଥରେ ଏ ଶବ୍ଦର ପ୍ରୟୋଗ କରି ଅଵଧି ଭାଷାରେ ଲେଖିଛନ୍ତି
“ବିନୁ ପୂଛେ କଛୁ କହଉଁ ଗୋସାଈ । 
ସେଵକ ସମୟ ନ ଢୀଠ ଢିଠାଈ ।”

ତେଵେ ସୁରଦାସ ଏ ଶବ୍ଦର ପ୍ରୟୋଗ ବ୍ରଜଭାଷାରେ ଅନୁଚିତ ସାହାସୀ ଅର୍ଥରେ କରିଛନ୍ତି, ଯେପରି କି
“ଐସେ ଢୀଠ୍ ଭଏ ହୈଂ କାହ୍ନା 
ଦଘି ଗିରାୟ ମଟକୀ ସବ୍ ଫୋରୀ ।”

ସାଧାରଣତଃ ଯେଉଁମାନେ ଅଲଜ୍ଯା, ଲଜ୍ୟାହୀନ, ଅଶ୍ଳୀଳ ଓ ଜିଗରିଆ-ଜିଦିଆ ସେମାନେ ନିଜର କାମନା ଵାସନା ହେଉ କି କ୍ରୋଧରେ କଵଳିତ ହୋଇ କିଛି ବି ଦୁଃସାହସିକ କାର୍ଯ୍ୟ କରିପାରନ୍ତି । ତେଣୁ ଓଡ଼ିଆ ଭାଷାରେ ଧୃଷ୍ଟ ଶବ୍ଦ ସହିତ ସମଦ୍ଧୃତ ଝିଟ ଶବ୍ଦର ପ୍ରୟୋଗ ଭିନ୍ନ ଦିଗରେ ହୋଇଅଛି ।

ପ୍ରକୃତରେ ଆମ ଓଡ଼ିଆ ଭାଷାରେ ପ୍ରଚଳିତ ଥିଵା ଝିଟ ଶବ୍ଦଟି ସଂସ୍କୃତ ଧୃଷ୍ଟ ଶବ୍ଦର ମୂଳ ଅର୍ଥକୁ ଅନୁସରଣ କରୁଅଛି କିନ୍ତୁ ହିନ୍ଦୀ ଶବ୍ଦ ଢୀଠ୍ ସେଇ ମୂଳ ଅର୍ଥକୁ ଛାଡି଼ ଗୌଣ ଅର୍ଥରେ ଵ୍ଯଵହାର ହେଉଛି ।

ଧୃଷ୍ଟ ଏକ ଵିଶେଷଣ ଶବ୍ଦ ଏଵଂ ଏହାର ନିମ୍ନଲିଖିତ ଅର୍ଥ ରହିଛି, 
ଯଥା―
୧. ନିର୍ଲ୍ଲଜ୍ଜ; ଧୀଟ
୨. ଅବାଧ୍ଯ; ଉଦ୍ଧତ
୩. ପ୍ରଗଲ୍ଭ
୪. ଲମ୍ପଟ
୫. ଯେ ଅନୁଚିତ କାର୍ଯ୍ୟ କରି ସୁଦ୍ଧା ଦାମ୍ଭିକତା ବା ମୁହଁଭୁରୁଡ଼ୁ ବାହାର କରେ

ତେଵେ କଥିତ ଓଡ଼ିଆ ଭାଷାରେ ଏହି ଓଡ଼ିଆ ଦେଶଜ ଶବ୍ଦର ପ୍ରୟୋଗ ଆଜି ଏକ ସୀମିତ ଅଞ୍ଚଳ ମଧ୍ୟରେ ରହିଯାଇଛି । ସାଧାରଣତଃ ଜଗତସିଂହପୁର ଓ ଭଦ୍ରକ ଅଞ୍ଚଳରେ କେତେକ ଗ୍ରାମାଞ୍ଚଳର କଥିତ ଭାଷାରେ ହିଁ ଏ ଝିଟ ଶବ୍ଦ ବଞ୍ଚି ରହିଥିଵା ଜଣାଯାଏ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଆଜି ଏ ଶବ୍ଦ ସେତେ ଵ୍ଯଵହୃତ ହେଉଥିଵା ଦେଖାଯାଏ ନାହିଁ, ଯଦିଵା କେହି କଵି-ଲେଖକ ଏ ଶବ୍ଦର ଅଦ୍ଯାପି ପ୍ରୟୋଗ କରୁଥିଵେ, ତାହା ଲୋକପ୍ରିୟ ହୋଇପାରିନାହିଁ । ସମ୍ଭଵତଃ ଏ ଶବ୍ଦ ବାଲେଶ୍ବର ଅଞ୍ଚଳରେ ମଧ୍ୟ ଚଳୁଥିଲା ତେଣୁ ଵ୍ଯାସକଵି ଫକୀରମୋହନ ତାଙ୍କର ଏକ ଗଳ୍ପରେ ଏ ଶବ୍ଦର ପ୍ରୟୋଗ କରିଛନ୍ତି, “ମାଇକିନିଆଙ୍କ ସାଙ୍ଗରେ ସବୁବେଳେ ରଜଘଷ ହେବାରୁ ସେ ଭାରି ଝିଟ ହୋଇଯାଇଛି।”

© ଶିଶିର ସାହୁ ମନୋଜ

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago