ଲେଖା: ଶିଶିର ସାହୁ ମନୋଜ

ଓଡ଼ିଆ ଭାଷାରେ ଲକ୍ଷ ଲକ୍ଷ ନିଆରା ଶବ୍ଦ ରହିଛି । ଅନେକ ପ୍ରାଚୀନ ଓଡ଼ିଆ ଶବ୍ଦ ଆଜି ଲୁପ୍ତ ହେଵାକୁ ବସିଲାଣି । ସେଇଭଳି ଏକ ଲୁପ୍ତପ୍ରାୟ ଶବ୍ଦ ହେଉଛି ଗଡ଼ଘାଲି । ଗଡ଼ଘାଲି ଶବ୍ଦ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଵିଶେଷ ଭାଵରେ ପ୍ରୟୋଗ ହେଉଥିଲା । ମୁଣ୍ଡକୁ ଭୂମିରେ ଲଗାଇ ଯେଉଁ ସାଷ୍ଟାଙ୍ଗ ପ୍ରଣିପାତ କରାଯାଉଥିଲା ସେହି ସାଂସ୍କୃତିକ ଵିଧିକୁ ଓଡ଼ିଆ ଭାଷାରେ ଗଡ଼ଘାଲି କୁହାଯାଉଥିଲା ।

ଆଧୁନିକ ଯୁଗରେ ସାଷ୍ଟାଙ୍ଗ ପ୍ରଣିପାତ ପରମ୍ପରା ଆଉ ସେତେଟା ଲୋକପ୍ରିୟ ହୋଇ ନାହିଁ । ଆଜିକାଲି ହାୟ ହେଲୋର ଯୁଗ ଏଵେକାର ଅନେକ ଲୋକେ ଆଉ ନମସ୍କାର ସୁଦ୍ଧା କରିଵାକୁ କୁଣ୍ଠାବୋଧ କଲେଣି । ଏମିତିରେ ଏହି ନିଆରା ଓଡ଼ିଆ ଶବ୍ଦଟି ଜନସମାଜର କଥିତ ଭାଷାରୁ ନିଜର ଉପଯୋଗିତା ହରାଇ ଏକ ଅଲୋଡ଼ା ସାହିତ୍ୟିକ ଶବ୍ଦ ଭାଵରେ ପଡି଼ରହିଛି ।  

ଓଡ଼ିଆ ଭାଗଵତରେ ଆମେ ଏ ଶବ୍ଦର ଵ୍ୟଵହାର ଦେଖୁ, ଯେପରି କି,
“ପାତା ସମୀପେ ଧେନୁ ଥୋଇ,
ଚରଣେ ଗଡ଼ଘାଲି ଶୋଇ।”

ଗଡ଼ଘାଲି ଶବ୍ଦରେ ଗଡ଼ ଓ ଘାଲି ଉଭୟ ଦେଶଜ ଶବ୍ଦ । ଗଡ଼ ଶବ୍ଦର ଏକ ଅର୍ଥ ଦେହ ଓ ଗୋଡ଼ ଏଵଂ ଘାଲିର ଏକ ଅର୍ଥ ଭୂମିରେ ଲମ୍ଵ ହୋଇ ପଡିଯିଵା । ଗଡ଼ଘାଲି ଶବ୍ଦଟି ଏଇସବୁ ଅର୍ଥ ଆଧାରରେ ଗଠନ ହୋଇଥିଵା ଅନୁମାନ କରାଯାଏ ।

ଓଡ଼ିଆ ଭାଷାରେ ସାଷ୍ଟାଙ୍ଗ ପ୍ରଣିପାତକୁ ଦଣ୍ଡଵତ ମଧ୍ୟ କହିଥାନ୍ତି । ସାଷ୍ଟାଙ୍ଗ ପ୍ରଣିପାତ ଵେଳେ କେଉଁ କେଉଁ ଅଙ୍ଗ ଵ୍ଯଵହୃତ ତାକୁ ନେଇ ଭିନ୍ନ ଭିନ୍ନ ମତ ରହିଛି ।

୧. ଏକ ମତ ଅନୁସାରେ ମୁଣ୍ଡ, ହାତ, ଗୋଡ଼ ହୃଦୟ, ଆଖି, ଜଙ୍ଘ, ବଚନ ଓ ମନଦ୍ବାରା ଭୂମିରେ ଲୋଟିଵା ପ୍ରକ୍ରିୟାକୁ ସାଷ୍ଟାଙ୍ଗ ପ୍ରଣିପାତ କୁହାଯାଏ । 

୨. କିଛି ଲୋକ କୁହନ୍ତି ଛାତି, ଦୁଇ ହାତ, ଦୁଇ ଆଣ୍ଠୁ ଓ ଦୁଇ ପାଦାଗ୍ରକୁ ଭୂମିରେ ଲଗେଇ ଦଣ୍ଡଵତ ହୁଅନ୍ତି ।

୩. ମତାନ୍ତରରେ କପାଳ, ନାକ, ହାତ, ଛାତି, ପେଟ, ଜଂଘ, ଆଣ୍ଠୁ ଓ ଗୋଡ଼ ଆଙ୍ଗୁଠି ଅଗ ସ୍ପର୍ଶ କରି ଦଣ୍ଡଵତ ହୁଅନ୍ତି ।

୪. ଅନ୍ୟ ଏକ ମତାନୁଯାୟୀ ସାଷ୍ଟାଙ୍ଗ ପ୍ରଣିପାତ ସମୟରେ ଜାନୁ, ପାଦ, ହସ୍ତ, ବକ୍ଷ, ଶିର, ବୁଦ୍ଧି, ବଚନ ଓ ଦୃଷ୍ଟିକୁ ଏକାକାର କରି ପ୍ରଣିପାତ କରାଯାଏ ।

୫. କେହି କେହି କୁହନ୍ତି ସାଷ୍ଟାଙ୍ଗ ପ୍ରଣିପାତ ସମୟରେ ଦୁଇ ହସ୍ତ; ହୃଦୟ, କପାଳ, ଦୁଇ ଚକ୍ଷୁ, ମନ ଓ ବଚନର ଵ୍ଯଵହାର ହୋଇଥାଏ ।

ଈଶ୍ଵରଙ୍କ ନିକଟରେ ଏହି ଧ୍ଯାନଯୋଗରେ ପଡି଼ରହିଵାକୁ ଅଧିଆ ପଡି଼ଵା କୁହାଯାଏ । ଏହାକୁ ଅଷ୍ଠାଙ୍ଗ ପ୍ରଣାମ, ସାଷ୍ଟାମ ଓ ଭୂମିଷ୍ଠ ପ୍ରଣାମ ମଧ୍ୟ କୁହାଯାଏ ।

ଦୀପମାଳା; ସଜଳ ପଦ୍ମ, ଧୋତ ବସ୍ତ୍ର, ତୁଳସୀ ଵା ବିଲ୍ବଦଳାଦି ଓ ସାଷ୍ଟାଙ୍ଗ ପ୍ରଣାମ ଏହି ପଞ୍ଚ ଉପଚାର ଦ୍ବାରା ଈଶ୍ଵର ଆରାଧନାକୁ ନିରାଜନ ଵା ନିରାଜନା ବୋଲାଯାଏ ।  ପୂର୍ଵକାଳରେ ଭଗଵାନ ଭକ୍ତିରେ ସାଷ୍ଟାଙ୍ଗ ପ୍ରଣିପାତର ବହୁତ ମହତ୍ତ୍ଵ ରହିଥିଲା ।

ତେଵେ ଆଜିର ଆଧୁନିକ ସମାଜରେ ଵ୍ଯସ୍ତବହୁଳ ଜୀଵନଚର୍ଯ୍ୟା ମଧ୍ୟରେ ଅନେକ ଲୋକ ଈଶ୍ଵର ଆରାଧନା କରିଵାକୁ ସୁଦ୍ଧା ସମୟ ପାଆନ୍ତି ନାହିଁ । ଏଭଳି ଏକ ପରିଵର୍ତ୍ତନଶୀଳ କାଳଖଣ୍ଡରେ ଏ ଶବ୍ଦଗୁଡି଼କର ଵ୍ୟଵହାର ତେଣୁ ଅନେକାଂଶରେ କମି ଗଲାଣି ।

ନିଜ ସଂସ୍କୃତିର ଏହି ବହୁମୂଲ୍ୟ ଉପାଦାନକୁ ଛାଡ଼ିନଦେଇ ଚାଲନ୍ତୁ ମନ୍ଦିର ଦର୍ଶନ କାଳରେ ସଭିଏଁ ଶ୍ରୀଭଗଵାନଙ୍କ ନିକଟରେ ଦଣ୍ଡଵତ ହୋଇ ଏହି ପ୍ରାଚୀନ ପରମ୍ପରାକୁ ବଞ୍ଚେଇ ରଖିଵା ସହ ଆମ ସାହିତ୍ୟରେ ଗଡ଼ଘାଲି ଭଳି ନିଜସ୍ୱ ନିଆରା ଶବ୍ଦର ଵ୍ଯଵହାର ବଢେ଼ଇଵାର ପ୍ରୟାସ କରିଵା ।

© ଶିଶିର ସାହୁ ମନୋଜ

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago