ଲେଖା: ଶ୍ରୀକାନ୍ତ ସିଂହ
~ ଡେଲାଙ୍ଗ ବ୍ଲକ ଗ୍ରାମ ଇନ୍ଦିପୁର ଗ୍ରାମର କୁମାରେଶ୍ୱର ମହାଦେବ ମନ୍ଦିର ~
ଇତିହାସ ସହ କିଛିଟା ଅନ୍ତରଙ୍ଗ ହେବା ପାଇଁ, ଇତିହାସର କେତୋଟି ପୃଷ୍ଠା ଲେଉଟାଇ, ଫଗୁଣର ଏକ ଉଷ୍ମ ସକାଳେ “ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା” ଆରମ୍ଭ କଲୁ କଟକ ପ୍ରେସ୍ ଛକ ନିକଟରୁ l ପୂର୍ବରୁ ଯୋଜନା କରିଥିଲୁ, ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ଥିବା କେତେକ ସହସ୍ର ବର୍ଷ ପ୍ରାଚୀନ ମନ୍ଦିର ଓ ଶତାବ୍ଦୀ ପୁରାତନ ମଠକୁ ପରିଦର୍ଶନରେ ଯିବା l
ବାଟରେ ଉତ୍ତରା ଛକ ଦେଇ ଗଲାବେଳେ କାହିଁ କେଜାଣି ମନ ହେଲା ଟିକେ ଚଉଷଠି ଯୋଗିନୀ ମନ୍ଦିର ବୁଲି ଯିବାକୁ l ରୁଦ୍ରାଭିଲାଷରେ ଯାଉଛୁ ଯେତେବେଳେ ଭଗବତୀ ଦୁର୍ଗାଙ୍କ ମହାମାୟା ରୂପ ଓ ତାଙ୍କ ଠାରୁ ଉଦ୍ଗମ ହୋଇଥିବା ଚଉଷଠି ଯୋଗିନୀଙ୍କୁ ଦର୍ଶନ ନକଲେ ମନରେ ଅବଶୋଷ ରହିଯିବ l ଏଣୁ ଆମ ବାଇକ୍ ଆପେ ଆପେ ଗତିଶୀଳ ହେଲା ବାଳକାଟୀ ବଜାର ହୋଇ ହୀରାପୁର ଗ୍ରାମର ଚଉଷଠି ଯୋଗିନୀ ମନ୍ଦିର ଦିଗରେ l
ଏହା ପୂର୍ବରୁ ଏଠାକୁ ମୁଁ ଦୁଇଥର ଆସି ସାରିଛି, ମାତ୍ର ଆଜିର ଐତିହ୍ୟ ଯାତ୍ରାଟି ଆମ ପାଇଁ ମହତ୍ୱପୂର୍ଣ୍ଣ ଥିଲା l ଯୋଗମାୟା ଦେବୀ ମହାମାୟାଙ୍କ ସହିତ ଭୈରବାଦି ଦିଅଁ ଦର୍ଶନ ତଥା ଚଉଷଠି ଯୋଗିନୀଙ୍କୁ ପ୍ରଣିପାତ କରି ମନ୍ଦିର ପରିସରରେ ଥିବା ଆଶୁତୋଷ ଶଙ୍କରଙ୍କ ଆଶୀର୍ବାଦ ନେଲୁ l ସେଠାରେ ଅଳ୍ପ କିଛି ସମୟ ରହଣି କରି ଆମେ ଫେରି ଆସିଥିଲୁ l କାରଣ ଆମକୁ ଗୁଡ଼ାଏ ବାଟ ଯିବାର ଅଛି ଓ ଅନେକ ଜାଗା ବୁଲିବାର ଅଛି l
ଡେଲାଙ୍ଗ ଅଞ୍ଚଳର ଚାରିଗୋଟି ପ୍ରାଚୀନ ଐତିହ୍ୟ, ଖିଲାଉର ଗ୍ରାମର ଖିଲେଶ୍ୱର ମହାଦେବ, ଇନ୍ଦିପୁରର କୁମାରେଶ୍ୱର, ଘୋରଡ଼ିଆର ବଣିବକ୍ରେଶ୍ୱର ଓ ସୋମନାଥ ମନ୍ଦିର ତଥା ଶତାବ୍ଦୀ ପୁରାତନ ରାଧାକାନ୍ତ ମଠ ବୁଲି ଦେଖିବାର ଯୋଜନା ଥିଲା l
ପ୍ରତିଟି ସମୟ, ପ୍ରତିଟି କ୍ଷଣ ଆଉ ପ୍ରତ୍ୟେକ କାଳଖଣ୍ଡ ଯାହା ଅତୀତ ହୋଇଯାଏ ତାହା ଇତିହାସରେ ପରିଣତ ହୁଏ l ବର୍ତ୍ତମାନରୁ-ଅତୀତ, ସମୟର ଏହି ସୁଦୀର୍ଘ ସ୍ରୋତରେ ତଥା ବିଭିନ୍ନ ଘଟଣାର ରୂପାନ୍ତରଣରେ ଅନେକ ଗୁଡ଼ିଏ ରୋଚକ ଲୋକକଥା ଓ କାହାଣୀ ସବୁ କିମ୍ବଦନ୍ତୀରେ ପରିଣତ ହୁଏ l ସେ ସମୟର କିମ୍ବଦନ୍ତୀ ଓ ଲୋକକଥା ହିଁ ଆଜି ପାଇଁ ଇତିହାସ l ଠିକ ସେହିପରି ଏକ ରୋଚକ ଲୋକ କଥା ବା କିମ୍ବଦନ୍ତୀ ରହିଛି ଡେଲାଙ୍ଗ ଇନ୍ଦିପୁର ଗ୍ରାମରେ ଥିବା କୁମାରେଶ୍ୱର ମହାଦେବ ଓ ତାଙ୍କ ମନ୍ଦିର ନିର୍ମାଣକୁ ନେଇ l
ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା କାର୍ଯ୍ୟକ୍ରମର ପ୍ରଥମ ଚରଣରେ ଆମେ ଯାଇ ପହଞ୍ଚିଥିଲୁ ଇନ୍ଦିପୁର ଗ୍ରାମରେ l ପିପିଲି ବଜାରରୁ ଜଟଣୀ ଦିଗରେ ଗଲେ ବାମ ପାର୍ଶ୍ୱରେ ପ୍ରାୟ ଦଶ କିଲୋମିଟର ଦୂରରେ ପଡ଼ିବ ଡେଲାଙ୍ଗ ରେଳ ଷ୍ଟେସନ l ସେଠାରୁ ବାମ ଦିଗରେ ପ୍ରାୟ ସାତ କିଲୋମିଟର ଦୂରରେ ରହିଛି ଇନ୍ଦିପୁର ଗ୍ରାମ ଆଉ ଏହି ଇନ୍ଦିପୁର ଗ୍ରାମରେ ରହିଛି ବହୁ ପ୍ରାଚୀନ ସହସ୍ର ବର୍ଷ ପୁରାତନ କୁମାରେଶ୍ୱର ମହାଦେବ ମନ୍ଦିର l
ଏହି ମନ୍ଦିରଟି ଗଙ୍ଗବଂଶୀ ଶାସକଙ୍କ ଦ୍ୱାରା ନିର୍ମିତ l ମନ୍ଦିରର ବିମାନ ଓ ଜଗମୋହନଟି ସମ୍ପୂର୍ଣ୍ଣ ମାଙ୍କଡା ପଥରରେ ନିର୍ମିତ ଆଉ ନାଟ ମଣ୍ଡପଟି ଟିଣ ଆଛାଦିତ l ପାର୍ଶ୍ଵ ଦେବଦେବୀଙ୍କ ମୂର୍ତ୍ତି ଗୁଡ଼ିକ କଳା ମୁଗୁନି ପଥରେ ନିର୍ମିତ l ପଞ୍ଚରଥ ଶୈଳୀରେ ନିର୍ମିତ ମାଙ୍କଡ଼ା ପଥରର ଏହି ମନ୍ଦିର ଗାତ୍ରରେ ବିଶେଷ କାରୁକାର୍ଯ୍ୟ ଦେଖିବାକୁ ମିଳେ ନାହିଁ l
କୁହାଯାଏ ପ୍ରାଚୀନ କାଳରେ ଗଙ୍ଗବଂଶୀ ସମ୍ରାଟ ଏକଦା ଏହି ବାଟ ଦେଇଯାଉଥିଲେ l ଗ୍ରାମବାସୀମାନେ ପୂର୍ବରୁ ପୂଜା କରୁଥିବା ଶିବଲିଙ୍ଗକୁ ସମ୍ରାଟ ପୂଜାକରି ଏକ ପୁତ୍ର ସନ୍ତାନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କଲେ l ବିଧିର ବିଧାନ କିନ୍ତୁ ଥିଲା ଭିନ୍ନ l ରାଜା ସ୍ୱ ଗୃହକୁ ଯାଇ ଦେଖନ୍ତି ତ ତାଙ୍କର ପୂର୍ବରୁ ଥିବା ବାର ବର୍ଷର କନ୍ୟା ସନ୍ତାନଟି ପୁତ୍ର ସନ୍ତାନରେ ରୂପାନ୍ତରିତ ହୋଇ ଯାଇଛି l
ଏକଦା ଡାଳୁଅ ଧାନବିଲ ମଧ୍ୟରୁ ମହାଦେବଙ୍କ ଏହି ଶିବଲିଙ୍ଗଟି ଉଦ୍ଧାର ହୋଇଥିଲେ l ମାତ୍ର ଲଙ୍ଗଳ ମୂନ ବାଜି ଶିବଲିଙ୍ଗର ଉପରି ଭାଗରୁ କ୍ଷୁଦ୍ର ଏକ ଅଂଶ ଭାଙ୍ଗି ଯାଇଥିଲା, ଯାହାକି ଏବେବି ଯତ୍ନ ସହକାରେ ମନ୍ଦିର ପରିସରରେ ରଖା ଯାଇଛି l ଆଶୁତୋଷ ମହାଦେବଙ୍କ କୃପାରୁ କନ୍ୟାଟିର ଇନ୍ଦ୍ରୀୟ ପରିବର୍ତ୍ତନ ହୋଇଥିବାରୁ ଗ୍ରାମଟିର ନାମ ଇନ୍ଦିପୁର ହୋଇଛି l ଠିକ ସେହିପରି ମହାଦେବଙ୍କ ଆଶୀର୍ବାଦରୁ ରାଜାଙ୍କ କୁମାରୀ କନ୍ୟା ଜଣେ କୁମାର ରୂପରେ ପରିବର୍ତ୍ତନ ହୋଇଥିବାରୁ ସ୍ୱୟଂ ମହାଦେବ ନିଜେ କୁମାରେଶ୍ୱର ନାମରେ ସର୍ବ ବିଦିତ ହେଲେ l
ଗଙ୍ଗସମ୍ରାଟଙ୍କର ପୁତ୍ର କାମନା ରୂପକ ମାନସିକ ପୂରଣ ହୋଇଥିବାରୁ ପରବର୍ତ୍ତୀ ସମୟରେ ଯଜ୍ଞ ହୋମାଦି କରି ନିକଟସ୍ଥ ପଥର ଗାଡ଼ିଆରୁ ମାଙ୍କଡ଼ା ପଥର ଆଣି ବର୍ତ୍ତମାନର ଏହି ମନ୍ଦିରଟିକୁ ନିର୍ମାଣ କରାଇଥିଲେ l ମହାଦେବଙ୍କ ସେବାପୂଜା, ନୀତିକାନ୍ତି ପାଇଁ ଜମିବାଡ଼ି ଆଦି ଖଞ୍ଜି ଦେଇଥିଲେ ଗଙ୍ଗବଂଶୀ ଶାସକ l
ଇତି ମଧ୍ୟରେ ବହୁ ପ୍ରାଚୀନ ଏଇ ମନ୍ଦିରଟି ଅନେକାଂଶରେ କ୍ଷୟ ହୋଇଗଲାଣି l ଓଡ଼ିଶା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଏହି ମନ୍ଦିରଟିର ସୁରକ୍ଷା ଓ ଦୀର୍ଘ ସ୍ଥାୟିତ୍ୱ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଗଲେ ଆମ ଉତ୍ତର ପୀଢ଼ିଙ୍କ ପାଇଁ ମନ୍ଦିରଟି ଆହୁରି ଅନେକ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ହୋଇ ରହିପାରନ୍ତା l
ଇତି ମଧ୍ୟରେ କେତେ ଯେ ରୁଦ୍ରାଭିଳାଷୀ ଭକ୍ତ, କେତେ ଯେ ଭ୍ରମଣାଭିଳାଷୀ ଦର୍ଶକ, କେତେ ଯେ ଐତିହ୍ୟାନୁରାଗୀ ଇତିହାସକାର ଆସି ପ୍ରାଚୀନ କୀର୍ତ୍ତିରାଜିକୁ ନିରେଖି ଦେଖି କାଳର ସ୍ରୋତରେ ହଜି ଯାଇଛନ୍ତି l ଆଜି ଐତିହ୍ୟ ଦର୍ଶନରେ ଆମେ ଆସିଛୁ, ଗତକାଲି ଆଉ କେହି ଆସିଥିଲେ ଏବଂ ଆସନ୍ତା କାଲି ଆଉ କେହି ଆସିବେ ମାତ୍ର ଆମ ହୃତ ଗୌରବ, ଆମ ଐତିହାସିକ କୀର୍ତ୍ତିରାଜି ଏବେ ବି ସଗର୍ବେ ଦଣ୍ଡାୟମାନ ହୋଇ ରହିଛି ଏବଂ ଆଶାକରେ ଆଗକୁ ଆହୁରି ଅନେକ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ହୋଇ ରହିଥାଉ ଆମ ଉତ୍ତର ପିଢୀଙ୍କ ପାଇଁ l ଏହି ପରିପ୍ରେକ୍ଷୀରେ କବିବର ରାଧାନାଥ ରାୟଙ୍କ ‘ପାର୍ବତୀ’ କାବ୍ୟର ପଦ୍ୟାଂଶଟି ମନେ ପଡ଼ିଯାଏ:
“କେହି ରହି ନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ,
ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ”
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

9 hours ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago