ଲେଖା: ତ୍ରିଲୋଚନ ସ୍ୱାଇଁ
~ କୁଆଲୋ ଅଷ୍ଟଶମ୍ଭୁ ମନ୍ଦିର ~
ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ ପ୍ରଦେଶ l ଗୌରବମୟ ଆମ ଅତୀତ ଓ ଇତିହାସ l
ଉତ୍କୃଷ୍ଟ କଳାର ଦେଶ ଉତ୍କଳରେ ଆଧୁନିକ କୁଆଲୋ ବା ପ୍ରାଚୀନ ଯୁଗର କୋଦାଳକ ଯାହାକି ଭୁଲି ହୋଇ ଯାଇଥିବା ବା ହଜି ଯାଇଥିବା ଏକ ସ୍ବର୍ଣ୍ଣିମ ଇତିହାସର ନାମ l ଏହି ଅଞ୍ଚଳରେ, ଏହି ମାଟିରେ ଦିନେ ଗଢ଼ି ଉଠିଥିଲା ଏକ ଉନ୍ନତ ମାନବ ସଭ୍ୟତା ଓ ନିର୍ମାଣ ହୋଇଥିଲା ସେ ଯୁଗର ଶ୍ରେଷ୍ଠ କାରୁକାର୍ଯ୍ୟ ବିମଣ୍ଡିତ କଳାକାରୀ “କୁଆଲୋ ଅଷ୍ଟଶମ୍ଭୁ ମନ୍ଦିର” ସମୂହ l
କୁଆଲୋ ବା କୋଦାଳକ ମଣ୍ଡଳର ସହସ୍ର ବର୍ଷ ପ୍ରାଚୀନ ଗୌରବଶାଳୀ ସ୍ବର୍ଣ୍ଣିମ ଇତିହାସର ପୃଷ୍ଠା ଲେଉଟାଇଲେ ଜଣାଯାଏ, ଆଜିକୁ ପ୍ରାୟ ବାରଶହ ବର୍ଷ ପୂର୍ବେ ଏହି ଅଞ୍ଚଳରେ ଶାସନ କରୁଥିଲେ ଭୌମକର ଶାସକଙ୍କ ସାମନ୍ତ “ଶୁଳ୍କୀ ରାଜବଂଶ” ଆଉ ଏହି ପ୍ରାଚୀନ କୋଦାଳକ ବା ଏବର କୁଆଲୋ ଥିଲା ସେମାନଙ୍କ ଗୌରବମୟ ରାଜଧାନୀ l
ଗୋଟେ ସମୟ ଥିଲା ଯେତେବେଳେ କି ବର୍ତ୍ତମାନର କଟକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ ଓ ବୌଦ୍ଧ ଆଦି ଅଞ୍ଚଳରେ ଭୌମକର ଓ ସେମାନଙ୍କ ସାମନ୍ତ ଶାସକଗଣ ଶାସନ କରୁଥିଲେ l ସେମାନଙ୍କ ଶାସନ କାଳରେ ଅନେକ ଗୁଡ଼ିଏ ଶୈବ, ଶାକ୍ତ ଓ ବୈଷ୍ଣବ ମନ୍ଦିର ଓ କୀର୍ତ୍ତିରାଜି ଆଦି ନିର୍ମାଣ ହୋଇଥିଲା l ସେ ସମୟର ନିର୍ମାଣ ଆଦିରେ ସ୍ଥୁଳ ନିର୍ମାଣ ସହିତ ସୁକ୍ଷ୍ମ କାରୁକାର୍ଯ୍ୟମାନ ମଧ୍ୟ ଦେଖିବାକୁ ମିଳେ l
ଭୌମକର ଶାସନ ସମୟରେ ନିର୍ମାଣ ହୋଇଥିବା କେତେକ ପ୍ରାଚୀନ ମନ୍ଦିର, ଯେପରିକି କଟକ ଆଠଗଡ଼ର କନ୍ଦରପୁର ନିକଟରେ ନଦୀ ଗର୍ଭରେ ଥିବା ଅମଙ୍ଗେଇକୁଦର ପଶ୍ଚିମେଶ୍ୱର ମନ୍ଦିର, ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଶୁକ୍ଳେଶ୍ୱର ଗ୍ରାମର ମାଣିକେଶ୍ବର ମନ୍ଦିର, ଭଦ୍ରେଶ୍ୱର ଗ୍ରାମର ବୀରଭଦ୍ରେଶ୍ୱର ମନ୍ଦିର, ଢେଙ୍କାନାଳ ଶଙ୍କରପୁର ନିକଟରେ ଥିବା ବହୁ ପ୍ରାଚୀନ ସୋମନାଥ ଓ ସିଦ୍ଧେଶ୍ୱର ମନ୍ଦିର ଓ ଅନୁଗୁଳ ଜିଲ୍ଲା ବଜ୍ରକୋଟର ଭ୍ରିଙ୍ଗେଶ୍ୱର ମନ୍ଦିର ଓ ସେଇ ନିକଟରେ ଥିବା ଅନ୍ୟ ଏକ ଭଗ୍ନ ମନ୍ଦିର ଆଦିର ନିର୍ମାଣ ଶୈଳୀ ଓ କାରୁକାର୍ଯ୍ୟରେ ଥିବା ଅନେକ ସାମଞ୍ଜସ୍ୟ ଯେ କେହି ଦେଖି ପାରିବେ l
କୁଆଲୋ ଅଷ୍ଟଶମ୍ଭୁ ମନ୍ଦିର ସମୂହ ହେଉଛି ଭୌମକର ତଥା ଶୁଳ୍କୀ ଶାସକଙ୍କ ସମୟର ସର୍ବ ଶ୍ରେଷ୍ଠ ନିର୍ମାଣ l ପୂର୍ବମୁଖ ମୂଳ ମନ୍ଦିର, କନକେଶ୍ୱର ଦେଉଳ ଗର୍ଭଗୃହରେ ବିରାଟ ଏକ ଶିବଲିଙ୍ଗ ପୂଜା ପାଉଥିବା ବେଳେ ଚତୁଃପାର୍ଶ୍ୱରେ ଥିବା ଅନ୍ୟ ଆଉ ସାତ ଗୋଟି ଛୋଟ ବଡ଼ ମନ୍ଦିର ଓ ଅର୍ଦ୍ଧ ନିର୍ମିତ ମନ୍ଦିରରେ ଆଉ ସାତୋଟି ଶିବଲିଙ୍ଗ ପ୍ରାଣ ପ୍ରତିଷ୍ଠିତ ହୋଇଛନ୍ତି l ସେମାନେ ହେଲେ କନକେଶ୍ୱରଙ୍କ ସହିତ ସ୍ୱପ୍ନେଶ୍ୱର, ବାଲୁଙ୍କେଶ୍ୱର, ବୈଦନାଥେଶ୍ୱର, କପିଳେଶ୍ଵର, ପଶ୍ଚିମେଶ୍ୱର, ବାଣେଶ୍ୱରସିଦ୍ଧେଶ୍ୱର l
ଖୁବ୍ ବିରାଟ ଏହି ମନ୍ଦିର ପରିସରରେ, କନକେଶ୍ୱର ମହାଦେବଙ୍କ ପୂର୍ବରେ ଦେବୀ ଦୁର୍ଗାଙ୍କ ଏକ ପ୍ରତିମା ପୂଜା ପାଉଛନ୍ତି, ଯାହାଙ୍କୁ କନକେଶ୍ବରୀ ବୋଲି କୁହନ୍ତି l ସେହିପରି ନିକଟରେ ଥିବା ଏକ ମଣ୍ଡପ ଉପରେ ଗଣେଶଙ୍କ ବିଗ୍ରହ ଦେଖିବାକୁ ମିଳେ l ଦ୍ବିପହର ସମୟ ହୋଇଥିବାରୁ ସେଦିନ ମାଆ କନକେଶ୍ବରୀଙ୍କ ଦର୍ଶନ ଆଉ ହୋଇ ପାରିନଥିଲା l ପାର୍ଶ୍ଵଦେବଦେବୀଙ୍କ ପ୍ରତିମା ପ୍ରାୟ ଅର୍ଦ୍ଧଭଗ୍ନ ଅବସ୍ଥାରେ ରହିଛନ୍ତି l ମୂଳ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ଶ୍ରୀ ଗଣେଶଙ୍କ ବିଗ୍ରହ ଥିବାବେଳେ ଅନ୍ୟ ପାର୍ଶ୍ୱରେ ଅର୍ଦ୍ଧନାରୀଶ୍ୱରଙ୍କ ଏକ ପ୍ରତିମା ମନ୍ଦିର ଗାତ୍ରରେ ଦେଖିବାକୁ ମିଳେ l
(ପ୍ରଣାମ ସେହି କାଳଜୟୀ ସ୍ରଷ୍ଠା ଓ ନିର୍ମାତା,
ପ୍ରଣାମ ସେହି ଶିଳ୍ପୀକୂଳ ବିନ୍ଧାଣୀଙ୍କୁ ଆଉ ତାଙ୍କ ଅନବଦ୍ୟ ସୃଷ୍ଟିକୁ)
ଭାରତୀୟ ପତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଏହି କୁଆଲୋ ଅଷ୍ଟଶମ୍ଭୁ ମନ୍ଦିର ପରିସରରେ ମନ୍ଦିରର ଭଗ୍ନାବଶେଷ ଓ କାରୁକାର୍ଯ୍ୟପୂର୍ଣ୍ଣ ଶିଳାଖଣ୍ଡ ଗୁଡ଼ିକୁ ଯତ୍ନ ସହକାରେ ରଖା ଯାଇଛି l ମୁଖ୍ୟ ମନ୍ଦିରର ଉଚ୍ଚତା ପ୍ରାୟ ପଚାଶ ଫୁଟ ହେବା ଅନୁମାନ l କେବଳ ଭଗ୍ନ ଓ ଜର୍ଜରିତ ବିମାନ ବ୍ୟତୀତ ମନ୍ଦିରର ଜଗମୋହନ, ଭୋଗମଣ୍ଡପ ଓ ନାଟମଣ୍ଡପ ଆଦି ନାହିଁ l
(ଶାନ୍ତ ଏକ ପରିବେଶରେ ଏକାନ୍ତ ଭାବେ ଦଣ୍ଡାୟମାନ
ଶୈବପୀଠ ଶ୍ରୀ ଅଷ୍ଟଶମ୍ଭୁ ମନ୍ଦିର ସମୂହ)
ପୁରୀ ଶ୍ରୀମନ୍ଦିର ଓ କୋଣାର୍କର ସୂର୍ଯ୍ୟ ମନ୍ଦିର ଠାରୁ ବି ପ୍ରାଚୀନ ଏହି ଦେଉଳ ବିମାନର ଉପରିଭାଗର ପ୍ରାୟ ଅଶି ଭାଗ ଭାଙ୍ଗିରୁଜି ନଷ୍ଟ ହୋଇ ଗଲାଣି l ମନ୍ଦିର ଚୂଡ଼ାରେ ଧ୍ବଜା ସହିତ ତ୍ରିଶୂଳ ବଦଳରେ ନୀଳଚକ୍ର ସଦୃଶ ଏକ ଚକ୍ର ଶୋଭା ପାଉଛି l ଯାହା ଜଣାଯାଏ, ଜରାଜୀର୍ଣ୍ଣ ଏହି ମନ୍ଦିର ଶୀର୍ଷକୁ ଯାଇ ନିୟମିତଭାବେ ଧ୍ବଜା ବାନ୍ଧିବା ନିହାତି ପକ୍ଷେ ଏକ କଷ୍ଟକର ବ୍ୟାପାର ହୋଇଥିବ l
ଗ୍ରାମ୍ୟ ଜନବସତୀଠାରୁ ଦୂରରେ ଥିବା ଏହି କୁଆଲୋ ଅଷ୍ଟଶମ୍ଭୁ ମନ୍ଦିର ପରିସରଟି ଖୁବ୍ ବିଶାଳ l ତାଳଚେରରୁ ସରାଙ୍ଗ ଓ ସରାଙ୍ଗ ଠାରୁ ପ୍ରାୟ ଆଠ କିଲୋମିଟର ଦୂରରେ ଏହି ମନ୍ଦିରଟି ରହିଛି l ଏହି ଭବ୍ୟ ମନ୍ଦିରରେ ସେ କାଳର ଜନଜୀବନର ଆଗମନକୁ ପ୍ରତ୍ୟକ୍ଷ ଭାବରେ ଅନୁଭବ କରି ନ ହେଲେ ବି ଚକ୍ଷୁ ମୁଦ୍ରିତ କରି ବୈଦିକ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ରୁଦ୍ର ଆରାଧନାରତ ଜନସମୁଦ୍ରକୁ ଦେଖି ପାରିଥିଲୁ l
କୁଆଲୋ ଅଷ୍ଟଶମ୍ଭୁ ମନ୍ଦିର ପରିସରରେ ସେଦିନ କିଛି ସମୟ ଅତିବାହିତ କରି, ନିଜ ଅତୀତ ଓ ହୃତ ଗୌରବମୟ ଇତିହାସକୁ ପାଖରୁ ନିରୀକ୍ଷଣ କରି, ସେଇ ପବିତ୍ର ମାଟିକୁ ମଥାପାତି ପ୍ରଣାମ ଜଣାଇ ଆମେ ଫେରି ଆସିଥିଲୁ l
#ଅଷ୍ଟଶମ୍ଭୁ _ମନ୍ଦିର_ସମୂହ
ଗ୍ରାମ କୁଆଲୋ, ଜିଲ୍ଲା ଢେଙ୍କାନାଳ, ଓଡ଼ିଶା
© Trilochan Swain
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

4 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago