ଲେଖା: ଅମୃତେଶ ଖଟୁଆ

~ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ~
ଅଧୁନାତନ ଓଡ଼ିଆ ସାହିତ୍ୟ ଜଗତରେ ମନୋରଞ୍ଜନ ଦାସ, ଭଞ୍ଜକିଶୋର ପଟ୍ଟନାୟକ ପ୍ରଭୃତି ଜନମାନ୍ୟ ନାଟ୍ୟକାରମାନଙ୍କ ମଧ୍ୟରେ କାର୍ତ୍ତିକ ଚନ୍ଦ୍ର ରଥ ଥିଲେ ଜଣେ ଅନନ୍ୟ ନାଟ୍ୟକାର । ସାମାଜିକ ଚରିତ୍ରମାନଙ୍କୁ ବାସ୍ତବିକ ଜଗତ ସମ୍ମୁଖରେ ଆଲୋଡନାତ୍ମକ ଢଙ୍ଗରେ ପରିବେଷିତ କରି ସେ ଖୁବ୍ ଲୋକପ୍ରିୟତା ଅର୍ଜନ କରିଥିଲେ।
କାର୍ତ୍ତିକ ଚନ୍ଦ୍ର ରଥ, ୧୯୪୯ ମସିହା ମାର୍ଚ୍ଚ ୨୧ ତାରିଖରେ ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍‌ସା କଲିଜିଏଟ ସ୍କୁଲରେ ନବମ ଶ୍ରେଣୀରେ ପଢୁଥିବା ବେଳେ, ସେ ନିଜର ପ୍ରଥମ ନାଟକ “ଏଇ ଦେଶ ଏଇ ମାଟି” ଲେଖିଥିଲେ । ନାଟକଟି ସ୍କୁଲ ଛାତ୍ରଛାତ୍ରୀଙ୍କଦ୍ୱାରା ମଞ୍ଚସ୍ଥ ହୋଇଥିଲା ଓ ରାଜ୍ୟସ୍ତରୀୟ ଶିଶୁ ନାଟକ ସମାରୋହରେ ପ୍ରଥମ ପୁରସ୍କାର ଲାଭ କରିଥିଲା । ସେହିପରେ ରେଭେନ୍ସା ମହାବିଦ୍ୟାଳୟରେ ସ୍ନାତକୋତ୍ତର ପଢୁଥିବା ବେଳେ, ସେ ଲେଖିଥିଲେ ନାଟକ “ଜୀବନଯଜ୍ଞ” । ନାଟକଟି ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହୋଇଥିଲା ।
୧୯୮୯ରେ କଟକ ସହରର ହଜାର ବର୍ଷ ପୂର୍ତ୍ତୀ ଅବସରରେ ସେ ଲେଖିଥିଲେ ନାଟକ “କଟକ ନଗର ବରଷ ହଜାର” । ନାଟକରେ ୩୦୦ ଚରିତ୍ର ଥିଲେ ଓ ବାରବାଟି ଷ୍ଟାଡିଅମରେ ୫ଟି ମୁକ୍ତାକାଶ ରଙ୍ଗମଞ୍ଚରେ ନାଟକ ପ୍ରଦର୍ଶିତ ହୋଇଥିଲା । ସେତିକିବେଳେ ବିଶ୍ୱ ନାଟ୍ୟ ମେଳାର ପରିକଳ୍ପନା ତାଙ୍କ ମନକୁ ଆସିଥିଲା । ୧୯୯୩ ମସିହାରୁ କଟକରେ ବିଶ୍ୱ ନାଟ୍ୟ ମେଳା (ଇଣ୍ଡିଆ ଥିଏଟର ଅଲମ୍ପିଆଡ଼)ର ଆୟୋଜନ କରିଆସୁଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀ, ବିହାର ଆର୍ଟ ଥିଏଟର୍ସ, ଉତ୍କଳ ସାହିତ୍ୟ ସମାଜ, ଗଞ୍ଜାମ କଳା ପରିଷଦ ପ୍ରଭୃତି ଏକାଧିକ ଅନୁଷ୍ଠାନ ତରଫରୁ ସେ ପୁରସ୍କୃତ ଓ ସମ୍ବର୍ଦ୍ଧିତ।
ନେତାଜୀ ସୁବାଷ ମେମୋରିଆଲ୍ ସିଟି କଲେଜରେ ଅର୍ଥନୀତିର କାର୍ତ୍ତିକ ଚନ୍ଦ୍ର ରଥ ଅଧ୍ୟାପକ ଥିଲେ। “ନବନାଟ୍ୟ ଆନ୍ଦୋଳନ”ର ଏକ ଅବିଶ୍ରାନ୍ତ ପ୍ରବାହରେ ପ୍ରଭାବିତ ହୋଇ ତାଙ୍କ ରଚନାଧାରାରେ ଯେଉଁ ନାଟକୀୟତା ପରିଲକ୍ଷିତ ହେଉଥାଏ, ତାହାର ବ୍ୟାପ୍ତି ଓ ଖ୍ୟାତି, ସାମାଜିକ ସମସ୍ୟାଠୁ ଆରମ୍ଭ କରି ଅନ୍ତର୍ଜାତୀୟ ବିଷୟବସ୍ତୁ ପର୍ଯ୍ୟନ୍ତ ପ୍ରଲମ୍ବିତ। ତାଙ୍କ ନାଟକର ସାବଲୀଳ ଶୈଳୀ ସର୍ବଭାରତୀୟ ସ୍ତରରେ ଚର୍ଚ୍ଚିତ। “ଏଇ ଦେଶ, ଏଇ ମାଟି”ରେ ୧୯୭୧ ମସିହାର ବଙ୍ଗଳାଦେଶ ଯୁଦ୍ଧକୁ ମହାଭାରତର ଯୁଦ୍ଧ ପରି ଏକ ଅନନ୍ୟ ଛୁଙ୍କ ଦେଇ ପାରିଛନ୍ତି। ଜନୈକ ପ୍ରତିଯୋଗିତା ପାଇଁ ସେ ଲେଖିଥିଲେ ଗୋଟିଏ ସୁନ୍ଦର ନାଟକ, “ମାଂସର ଫୁଲ”। ୨୧ ଟ୍ରଫିରୁ ତାଙ୍କର ଏହି ନାଟକକୁ ମିଳିଥିଲା ସତରଟି ଟ୍ରଫି।
ଓଡ଼ିଆ ଭାଷାକୁ ସର୍ବଭାରତୀୟ ସ୍ତରରେ ପହଞ୍ଚାଇବାରେ ଜଣେ ଅଭୂତପୂର୍ବ ନାଟ୍ୟକାର ଥିଲେ କାର୍ତ୍ତିକ ଚନ୍ଦ୍ର ରଥ। ବିହାର, ସିମଲା, ଆହ୍ଲାବାଦ ପ୍ରଭୃତି ଭାରତୀୟ ସହରମାନଙ୍କରେ ଗସ୍ତ କରି ନିଜର ନାଟ୍ୟକଳାର ଏକ ସଫଳ କୃତୀତ୍ଵ ବରଣ କରିଛନ୍ତି। ତାଙ୍କ ଦ୍ଵାରା ଆୟୋଜିତ, ବିଶ୍ଵ ନାଟ୍ୟ ମେଳାରେ ରୁଷ୍, ଇରାନ, ବ୍ରାଜିଲ୍ ପ୍ରଭୃତି ଦେଶ ବିଦେଶରୁ ୧୦୦ରୁ ଊର୍ଦ୍ଧ୍ଵ ଏମିତି କିଛି ନାଟ୍ୟସଂସ୍ଥା ଯୋଗଦାନ କରିଥାଆନ୍ତି। “ଭଗବାନ ଜଣେ ମଣିଷ” ନାଟକଟି ଆହ୍ଲାବାଦ ଚଳଚ୍ଚିତ୍ର ଉତ୍ସବ ଠାରେ ୧୯୮୦ ମସିହା ବେଳକୁ ପ୍ରଦର୍ଶିତ ତାଙ୍କ ନାଟ୍ୟ ଜୀବନକୁ ପ୍ରଥମ କରି ସର୍ବଭାରତୀୟ ସ୍ତରରେ ଲୋକପ୍ରିୟତା ଆଣେ। ‘କ୍ରୀତଦାସ’, ‘ବହ୍ନିମାନ’, ‘ଅସ୍ତସୂର୍ଯ୍ୟ ଶ୍ମଶାନ’, ‘ଆଗାମୀ ଅତୀତ’, ‘ଈଶ୍ୱର ଜଣେ ଯୁବକ’, ‘କଳା ଓ କଳଙ୍କ’ , ‘ଯାତ୍ରୀ’, ‘ସବୁଜ ସୂର୍ଯ୍ୟ’, ‘ରକ୍ତର ଫୁଲ’, ‘ଆହୁତି’, ‘ଯଉଘର’, ‘ସର୍ବନାମ’, ‘ସୀମିତ ସମ୍ପର୍କ’ ପ୍ରଭୃତି ଏକାଧିକ ନାଟକର ଜନପ୍ରିୟ ସ୍ରଷ୍ଟା ସେ । ହେଲେ, ଦୁଃଖଦ ଘଟଣା ଏହି କି ଯେ ସେ ଅସୁସ୍ଥତା କାରଣରୁ ଏପ୍ରିଲ ୧, ୨୦୧୯ ମସିହାରେ ତାଙ୍କର ପରଲୋକ ଘଟେ।
ଆଉ ନାଟ୍ୟ ଜୀବନକୁ ପ୍ରଶସ୍ତ କରାଇ ଏକ ନବରୂପ ଦେବା ପାଇଁ ଯୁବପିଢି ତାଙ୍କ ଶ୍ରମ ସାର୍ଥକ କଲେ ଓଡ଼ିଆ ଜାତି ନିଶ୍ଚିତ ରୂପେ, ସର୍ବକାଳରେ ଚିରଞ୍ଜୀବୀ ହେଇପାରିବ।
admin

Recent Posts

କପାଳୀ ମଠ

ଲେଖା: ଅମ୍ବିକା ପଟ୍ଟନାୟକ   ∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼ ଭୁବନେଶ୍ୱରର…

2 weeks ago

ଶ୍ରୀଧର ସ୍ୱାମୀ

ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…

2 weeks ago

ଜାତି ଐରାବତ

ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…

2 weeks ago

ଉତ୍ତରେଶ୍ଵର ମହାଦେବ ମନ୍ଦିର

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…

3 weeks ago

କୁମ୍ଭେଶ୍ୱର ମହାଦେବ ମନ୍ଦିର

କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ  ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…

3 weeks ago

ମାଣବସା ଗୁରୁବାର

ମାଣବସା ଗୁରୁବାର  ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…

3 weeks ago