କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

ଲେଖା: ଦେଵ ତ୍ରିପାଠୀ
~ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ~
ଭଦ୍ରକ । ଜିଲ୍ଲା ସମ୍ମିଳନୀ । ତତ୍କାଳୀନ ନବଜାଗ୍ରତ ଉତ୍କଳର ଅପ୍ରତିଦ୍ଵନ୍ଦୀ ନେତା ସନ୍ଥମହାତ୍ମା ଭାରତମଣି ଗୋପବନ୍ଧୁ ସେ ସଭାରେ ଉପସ୍ଥିତ । ସଭାର ପ୍ରାରମ୍ଭରେ ଗାନ ହେଲା ଆବାହନୀ ସଙ୍ଗୀତ:
“ଉଡାଇ ନିଶାଣ, ବଜାଇ ଭେରୀ
ଜଗାଇ ବିପୁଳ ପୁଲକ କମ୍ପ,
ମନ୍ତ୍ରପୂତ ଅନଳ ଭେଦି,
ଏ ଜାତି ଯେଦିନ ଦେଲାରେ ଲମ୍ଫ,
ଉଠିଲା ଗର୍ଜି ଦୀପ୍ତ ଅଶନି,
ସଘନେ ଗଗନ ବକ୍ଷେ,
ସୌରଜଗତ ଗମ୍ଭୀର ହୋଇ
ଚାହିଁଲା ମୁଗ୍ଧ ଚକ୍ଷେ II”
ଏ ସଙ୍ଗୀତର ଯାଦୁରେ ଶିହରିଗଲା ଶ୍ରୋତାଙ୍କ ତନୁମନ, ଚିତ୍ତରେ ଜାଗ୍ରତ ହେଲା ଜାଗରଣର ଗଭୀର ମନ୍ତ୍ର । ସ୍ବୟଂ ଦାସେ ଆପଣେଙ୍କ ଆଖି ଛଳ ଛଳ ହୋଇଗଲା ଭାବର ଆତିଶଯ୍ୟରେ । ଆବାହନୀ ସଙ୍ଗୀତର ରଚୟିତାଙ୍କୁ କୁଣ୍ଢାଇ ପକାଇ ଗଦଗଦ କଣ୍ଠରେ ସେ କହିପକାଇଲେ “କି ଗୀତ ଲେଖିଛୁରେ ଲକ୍ଷ୍ମୀକାନ୍ତ ! ! !”
ସେହି ଯୁବକ ଲକ୍ଷ୍ମୀକାନ୍ତ ଥିଲେ କବି, ସଙ୍ଗୀତକାର, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ପ୍ରାବନ୍ଧିକ, ଶିଶୁ ସାହିତ୍ୟିକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ବିଭିନ୍ନ ଫସଲରେ ସୁଶୋଭିତ ଥିଲା ତାଙ୍କ ଜୀବନ କେଦାର ।
କଳାସାହିତ୍ୟର ମହାତୀର୍ଥ କଟକ ମାଟିରେ ୧୮୮୮ ସାଲ ଡିସେମ୍ବର ୯ ତାରିଖରେ ଭୂମିଷ୍ଠ ହୋଇଥିବା ଲକ୍ଷ୍ମୀକାନ୍ତଙ୍କ ପ୍ରଚୁର ଅଧ୍ୟୟନ ଓ ଅଧ୍ୟବସାୟ ସହିତ ବିଧିଦତ୍ତ ପ୍ରତିଭାର ଅପୂର୍ବ ସ୍ଫୁରଣ ହିଁ ତାଙ୍କୁ କାଳଜୟୀ ଯଶ ପ୍ରଦାନ କରିଥିଲା । ପ୍ରେରଣାଦାତା କଥାସମ୍ରାଟ ଫକୀରମୋହନ ତାଙ୍କ କବିତାର ଯଥାର୍ଥ ମର୍ମ ଉପଲବ୍ଧି କରି କହିଥିଲେ- “ଲେଖିଯା, ସୁନା ରହିଯିବ, ଖାଦସବୁ ପୋଡିଜଳି ପାଉଁଶ ହୋଇଯିବ କାଳାଗ୍ନିରେ ।”
ମହାନ ଜାତୀୟତାବାଦୀ 
ବିଗତ ଶତାବ୍ଦୀର ପ୍ରଥମାର୍ଦ୍ଧ । ଏକ ସ୍ଵର୍ଣ୍ଣଗର୍ଭା ଅଦୂର ଅତୀତ । ଜୀବନର ଯଜ୍ଞକୁଣ୍ଡରେ ସୁଖସମ୍ଭୋଗର ଯୂପକାଠକୁ ଅର୍ପଣ କରି ନିଜେ ଜଳି ଅନ୍ୟମାନଙ୍କୁ ଆଲୋକ ଦେଖାଇବାର ସଙ୍କଳ୍ପ କରିନେଇ ଥିଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ସାଧନାର ଯଜ୍ଞବେଦୀରେ ଅଭିଷିକ୍ତ କରାଇଥିଲେ ନିଜ ପରିବାର । ପିତା ଭଗବତ ପ୍ରସାଦ, ଭଉଣୀ କୋକିଳା ଦେବୀ, ଜାହ୍ନବୀ ଦେବୀ, ସାନଭାଇ କମଳାକାନ୍ତ ୧୯୩୦ ଲବଣ ସତ୍ୟାଗ୍ରହରେ ଯୋଗଦାନ ପୂର୍ବକ ଭୋଗିଥିଲେ କାରାଦଣ୍ଡ । ଉତ୍କଳସାହିତ୍ୟ ପତ୍ରିକାରେ “ଅସହଯୋଗର ଆତ୍ମକଥା” ପର୍ଯ୍ୟାୟରେ ତାଙ୍କ ରଚନାରୁ ରାଜନୀତିକ ଓ ଜାତୀୟ ଚେତନା ସ୍ପଷ୍ଟ । ମନ ଓ ପ୍ରାଣରେ ସେହି ଅସହଯୋଗ ଓ ଜାତୀୟ ଚେତନାକୁ ଛନ୍ଦବଦ୍ଧ ସଙ୍ଗୀତ ଗୁଡ଼ିକରେ ପ୍ରକାଶ କରି ଓଡ଼ିଆ ଜାତୀୟ ଜୀବନରେ ଖେଳାଇ ଦେଇଥିଲେ ଅହେତୁକ ଉନ୍ମାଦନା ।
ନିଜର ବହୁମୁଖୀ ସାହିତ୍ୟ ପ୍ରତିଭା କାନ୍ତକବି ଲକ୍ଷ୍ମୀକାନ୍ତଙ୍କୁ ଓଡ଼ିଆ ସାହିତ୍ୟ ଜଗତରେ ସୁପ୍ରତିଷ୍ଠିତ କରିଥିଲେ ମଧ୍ୟ ତାଙ୍କ ଆତ୍ମାର ଆତ୍ମିକ ଉଦବୋଧନ ଉତ୍କଳର ଜନପ୍ରିୟ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ! ଚାରୁ ହାସ୍ୟମୟୀ, ଚାରୁ ଭାଷମୟୀ, ଜନନୀ, ଜନନୀ, ଜନନୀ !” ତାଙ୍କୁ ବିଶ୍ୱଦରବାରରେ କରାଇଛି ପରିଚିତ । ମାତୃଭୂମିର ମହତ୍ତ୍ଵ, ଐତିହ୍ୟ ଓ ଐଶ୍ୱର୍ଯ୍ୟର ବନ୍ଦନା ସହିତ ସୁପ୍ତଜାତିକୁ ଅଧିକ କର୍ମମୁଖର ତଥା ଜାଗ୍ରତ କରିବା ନିମନ୍ତେ ଏ ସଙ୍ଗୀତ ଅଭିପ୍ରେତ । ତୀବ୍ର ଦେଶାତ୍ମବୋଧ ଓ ଜାତୀୟତାବୋଧ ହିଁ ଏ ସଙ୍ଗୀତର ଅନ୍ତଃସ୍ବର ।
ଉଦ୍ଦାମତାର ଅଗ୍ନିସ୍ଫୁଲିଙ୍ଗ 
କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ରଚିତ ସଙ୍ଗୀତରେ ଝଟକୁଥାଏ ଉଦ୍ଦାମତାର ଅଗ୍ନିସ୍ଫୁଲିଙ୍ଗ ଆଉ ପ୍ରାଣକୁ ଉତ୍ତେଜିତ କରାଏ ଦୁରନ୍ତ ଆବେଗରେ । ମନେହୁଏ ତା’ର ଶବ୍ଦସବୁ ବିଦ୍ୟୁତମେଖଳା ପିନ୍ଧି ଏକ ପ୍ରବଳ ଉନ୍ମାଦନାର ଅଭିସାର ରଚନା କରୁଛନ୍ତି । ଅସୁମାରୀ ବାଧାବିଘ୍ନକୁ ତିଳେ ମାତ୍ର ଭୃକ୍ଷେପ ନ କରି ଝଡମଥିତ ସମୁଦ୍ର ବୁକୁରେ ନାଆ ମେଲିଦେବା ପାଇଁ ତୁହାଇ ତୁହାଇ ଆହ୍ୱାନ ଦିଅନ୍ତି ସେଇ ଅମର ସଙ୍ଗୀତସବୁ ।
କାନ୍ତକବିଙ୍କ ସଙ୍ଗୀତସବୁର ପ୍ରଭାବ ଥିଲା ଅତୁଳନୀୟ । ସେ ମହାନ ଜାତୀୟ ସଙ୍ଗୀତର ଭାବପ୍ରବଣତା ଦେଶବାସୀଙ୍କ ମନରେ ସୃଷ୍ଟି କରିଥିଲା ଏକ ଉଦ୍ଦାମ ଦେଶପ୍ରୀତିର ପ୍ରଖର ପ୍ରବାହ, ସେମାନଙ୍କ ଚିନ୍ତା ଓ ଚେତନାରେ ଖେଳାଇଥିଲା ଉନ୍ମାଦନା ଓ ଉତ୍ତେଜନାର ତରଙ୍ଗ । ଦେଶ ପାଇଁ, ଦେଶର ହିତ, ଉନ୍ନତି ଓ ଅଭିବୃଦ୍ଧି ପାଇଁ ଆତ୍ମତ୍ୟାଗ କରିବାକୁ ଏହା ଦେଶବାସୀଙ୍କୁ କଲା ଅନୁପ୍ରାଣିତ, ଉଦବୁଦ୍ଧ, ଅଧୀର । ଦେଶାତ୍ମବୋଧର ପୁଣ୍ୟ ଉତ୍ସାହ ଓ ଉଦ୍ଦୀପନାରେ ଆବିଷ୍ଟ ହୋଇ ଦେଶକୁ ସଙ୍କଟମୁକ୍ତ କରିବା ଉଦ୍ଦେଶ୍ୟରେ ନିଜର ସର୍ବସ୍ବ ତ୍ୟାଗକରି ସଂଗ୍ରାମରେ ଝାସ ଦେଇଥିଲେ କେତେ କେତେ ଦେଶଭକ୍ତ ।
ଦରଦୀ ଜୀବନଶିଳ୍ପୀ 
ପଣ୍ଡିତ ଗୋପବନ୍ଧୁଙ୍କ ପରି କାନ୍ତକବି ଲକ୍ଷ୍ମୀକାନ୍ତଙ୍କ କବିତାରେ ମଧ୍ୟ ମିଳେ ଏକ ପ୍ରାଣଭରା ସ୍ପର୍ଶ, ଭାବପ୍ରବଣତା ସେ କବିତାର ପ୍ରାଣବାଣୀ, ପୁନଶ୍ଚ ସମଗ୍ର ସତ୍ୟବାଦୀ ସାହିତ୍ୟରେ ଯେପରି ଉତ୍କଳୀୟ ତଥା ସର୍ବଭାରତୀୟ ଚେତନାର ଉତ୍ସ ପ୍ରକାଶପାଇଛି, କାନ୍ତକବିଙ୍କ କବିତାରେ ଏହା ଅବିକଳ ପ୍ରତିଫଳିତ ।
ହାସ୍ୟରସର ସୁଯୋଗ୍ୟ ସ୍ରଷ୍ଟା 
ହାସ୍ୟରସିକତା ଯେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ କବିତାକୁ ପରେ ଏକ ନୂତନ ଦିଗନ୍ତ ଦେଇଛି ଓ ଓଡ଼ିଆ ସାହିତ୍ୟରେ ରଙ୍ଗରସର ଅଫୁରନ୍ତ ଉତ୍ସ ମେଲି ଦେଇଛି, ଏହା ଅନସ୍ବୀକାର୍ଯ୍ୟ । ଜଟିଳ ବ୍ୟାଧି, ବିଷାଦ, ବ୍ୟର୍ଥତା ଓ ନିଃସଙ୍ଗତା ତାଙ୍କ ଜୀବନର ଚିରସାଥୀ ଥାଇ ମଧ୍ୟ କବିପ୍ରାଣରେ ଥିଲା ହାସ୍ୟରସର ସ୍ବତଃସ୍ଫୁର୍ତ୍ତ ଉତ୍ସ । ‘ପଞ୍ଚାମୃତ’, ‘ହନୁମନ୍ତ ବସ୍ତ୍ରହରଣ’, ‘ସୁଇସାଇଡ୍’, ‘ଅଫିମ ଲୀଳା’ ପରି ବ୍ୟଙ୍ଗନାଟିକା ତଥା ‘ଚଟକ ଚନ୍ଦ୍ରହାସ ଚମ୍ପୁ’, ‘ଫୁର୍ତ୍ତିବାଜ’, ଓଲଟା ବୁଝିଲେ ରାମ’, ପହିଲି କେସ’ ଇତ୍ୟାଦି ଗଳ୍ପ ଏବଂ ଏକମାତ୍ର ଉପନ୍ୟାସ କଣାମାମୁଁରେ ନିହିତ ହାସ୍ୟରସର ବିପୁଳ ଉଲ୍ଲାସ ପାଠକଙ୍କ ପାଇଁ ଅସରନ୍ତି ହାସରସର ପସରା ମେଲାଇ ଆମୋଦିତ କରାଏ ।
ଗବେଷକମାନେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ସାହିତ୍ୟର ରସପଣ ପାଇଁ ତାଙ୍କୁ ବ୍ୟାସକବି ଫକୀରମୋହନ, କବି ଯଦୁମଣିରାୟବାହାଦୁର ଗୋପାଳ ପ୍ରହରାଜଙ୍କ ସହ ତୁଳନା କଲାବେଳେ ଦରଦୀପଣ ପାଇଁ ମହାତ୍ମା ଗୋପବନ୍ଧୁ ତଥା ଇଂରାଜୀ ସାହିତ୍ୟର ପ୍ରଚଣ୍ଡ ପ୍ରଥିତଯଶା କବି ତଥା ବିଦ୍ୱାନ Cowper, Charles Dickens, Woodhouse, Mark Twain ଇତ୍ୟାଦିଙ୍କ ସହ ତୁଳନା କରିବାକୁ ପଛାଇ ନାହାଁନ୍ତି । 
ଆଧ୍ୟାତ୍ମବାଦୀ କାନ୍ତକବି 
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ଚିର ଆଧ୍ୟାତ୍ମବାଦୀ, ଚିର ଆନନ୍ଦସନ୍ଧାନୀ । ତାଙ୍କ ଅନ୍ତରରେ ଥିଲା ଅସରନ୍ତି ସନ୍ଧାନର ଫଲ୍ଗୁ, ନ ଥିଲା କିନ୍ତୁ ଅବିଶ୍ବାସର ଅପ୍ରତ୍ୟୟ । ଏହି ଆଶା ଓ ବିଶ୍ବାସ ହିଁ ବଞ୍ଚିବାର ଏକ କଳା ଭାବେ କବିଙ୍କ ଅନ୍ତରକୁ ସଂଦୀପ୍ତ କରିଛି । କବିଙ୍କ କବିତାଗୁଡ଼ିକରେ ଏହି ଭରସା ଓ ପ୍ରତ୍ୟୟର ବାଣୀ ସୁସ୍ପଷ୍ଟ । ଭକ୍ତକବି ମଧୁସୂଦନଙ୍କ ପରି ତାଙ୍କର ଅନେକ କବିତାରେ ଶିଶୁସୁଲଭ ସରଳତା ଓ ଈଶ୍ୱର ବିଶ୍ୱାସ ପ୍ରକଟିତ । ପରମବୈଷ୍ଣବ ଲକ୍ଷ୍ମୀକାନ୍ତଙ୍କ ରଚିତ ‘ଶରତହାସ’, ‘ବସନ୍ତବିଳାସ’, ‘କାଳୀୟଦଳନ’, ‘ବ୍ରଜବର୍ଜନ’, ‘ବଂଶୀଶିକ୍ଷା’, ‘ଗୌରସନ୍ନ୍ୟାସ’ ପରି କାଳଜୟୀ ନାଟକନାଟିକା ଏବଂ ‘କର୍ଣ୍ଣ’, ‘କଳାପାହାଡ଼’, ‘ଲକ୍ଷ୍ମୀ ଚଣ୍ଡାଳୁଣୀ’, ‘ଚନ୍ଦ୍ରହାସ’ ପରି ଐତିହାସିକ ଓ ପୌରାଣିକ ନାଟକଗୁଡିକରେ ଭକ୍ତିଭାବର ଅପରୂପ ମହିମା ଓ ଲାବଣ୍ୟ ଲାଳିତ୍ୟ ମାଧୁରୀ ପ୍ରକଟିତ । ତାଙ୍କ ମହନୀୟ କବିତାଗ୍ରନ୍ଥ “ଜୀବନ ସଙ୍ଗୀତ” କବି ଜୀବନର ଏକ ମନୋଜ୍ଞ ଆଲେଖ୍ୟ ।
କାଳଜୟୀ କାନ୍ତକବି 
ଦୁଃଖ ଓ ଯନ୍ତ୍ରଣାର ଅନ୍ଧକାର ମଧ୍ୟରୁ କାରୁଣ୍ୟମୟ କାବ୍ୟର ଝଙ୍କାର ତୋଳିଥିବା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ନିଜ ସୃଷ୍ଟିରେ କରିଛନ୍ତି ମୃତ୍ୟୁକୁ ସ୍ବାଗତ । ଚିର ଆକାଂକ୍ଷିତ ମୃତ୍ୟୁ ଏକ ନୂତନ ଜଗତର ବାର୍ତ୍ତା ବହନ କରି ତାଙ୍କ ଜୀବନ ପାଇଁ ଆସିବାର କାମନା କରିଥିଲେ କାନ୍ତକବି । ସମାଜରୁ ଅନ୍ଧବିଶ୍ୱାସ କୁସଂସ୍କାର ଦୂରୀକରଣ, ନାରୀ ଜାଗରଣ, କୃଷି ଓ କୁଟୀରଶିଳ୍ପର ବିକାଶ, ସମାଜର ଅର୍ଥନୈତିକ ଅଭିବୃଦ୍ଧି ଆଦି ସକଳ କଲ୍ୟାଣର ଦିଗପ୍ରତି ସଚଳ ଥିବା ତାଙ୍କର ଅମୋଘ ଲେଖନୀଟି ୧୯୫୩ ସାଲ ଫେବୃଆରୀ ୨୪ ତାରିଖରେ ଚିରଦିନ ପାଇଁ ଅଚଳ ହୋଇ ଯାଇଥିଲା, ଲକ୍ଷ ଲକ୍ଷ ଭାବାବେଗୀ ସ୍ତାବକଙ୍କୁ ଶୋକସାଗରରେ ଭସାଇ । ବିୟୋଗବ୍ୟଥିତ ସମାଲୋଚକ ସୁଧାଂଶୁ ମୋହନ ରାଉତରାୟଙ୍କ ଭାଷାରେ:
“କୋଟିକଣ୍ଠରେ କାନ୍ତକବି ହେ
ତର୍ପଣ ଘେନ ବାରେ,
ଅଭାବ ତୁମର ଅନୁଭଵ କରୁ
ଜନତାର ଦରବାରେ ହେ ।
ଜୀବନ ସଳିତା ଲିଭିଗଲା ସିନା
ମୃତ୍ୟୁ ତୁମର କାହିଁ ହେ ?
ତମ ପରି ଜଣେ ହାସ୍ୟରସିକ
ଓଡ଼ିଆ ସମାଜେ ନାହିଁ ହେ !”
ଜୟ ଭାଷାଜନନୀ I
ବନ୍ଦେ କଳିଙ୍ଗ ମାତା II

Leave a Comment

Your email address will not be published. Required fields are marked *

Scroll to Top