ଔପନ୍ୟାସିକ ଗୋପୀନାଥ ମହାନ୍ତି ! ଓଡ଼ିଆ ସାହିତ୍ଯର ଜଣେ ଦିଗ୍ଗଜ ସ୍ରଷ୍ଟା। ମାଟିର ଅବାରିତ ବାସ୍ନାକୁ ସୁରଭିତ କରିଛନ୍ତି ନିଜ ଉପନ୍ୟାସ ମାଧ୍ୟମରେ।
“କେବଳ ଭାଗ୍ୟବାଦୀ ନଗଣ୍ୟ ମଣିଷ, ମୂଷା ପରି ମଣିଷ, ବିଲୁଆ ପରି ମଣିଷ। ସେ ଆଶାର ଲଙ୍ଗର ଉଠେଇ ନେଇ ପ୍ରକୃତିର ତୋଡ଼ରେ ଭାସି ଚାଲିଯାଏ, ଉଡି ଚାଲିଯାଏ, କପାଳରେ ଯାହା ଥାଉ। ସେ ଆପଣାର ବଡେଇ କରି ଶିଖି ନାହିଁ, ବାଦବୁଦିଆ ପରି ଗୋଟିଗୋଟିକିଆ ହୋଇ ବଢି ଶିଖି ନାହିଁ, ଅଲଗା ହୋଇ ଯୁଦ୍ଧ କରି ଶିଖି ନାହିଁ, ମୂଲ ଦେଇ ଶିଖିନାହିଁ। କେବଳ ଘୁଷୁରିପଲ ପରି ଗୋଠରେ ଜୀବନ ତାଙ୍କର, ଗୋଠରେ ଚାଲି ଗୋଠରେ ଚଳି ପରସ୍ପରର ନିଃଶ୍ଵାସର ତାତିରେ ଉଷୁମ୍ ହୋଇ ବର୍ଷା ଆଉ ଶୀତକୁ ପାରି କରିବାର ଚଳନ, ଗୋଠ ଭିତି ଧନୀ ଦରିଦ୍ରର ଭେଦ ନାହିଁ, ବଳୁଆ ଭେଦ ନାହିଁ, ସମସ୍ତେ ସମାନ ।” (‘ଅମୃତର ସନ୍ତାନ’)
ପଟ୍ଟଭୂମି କନ୍ଧଭୂଇଁ । ବର୍ତ୍ତମାନ କୋରାପୁଟ ତାଲୁକର ନିବିଡ଼ ମାଳ ଅଞ୍ଚଳ ‘କନ୍ଧିଆଭୂଇଁ’ର ପରିବୃତ୍ତ ମଧ୍ୟରେ ମିଣିୟାପାୟୁ, ବଳିକାର ଓ ମିଝିଂ ଆଦିକୁ ବୈବାହିକ ସୂତ୍ରରେ ସଂଯୋଗ କରି ଶହେ ଏକ ଅଧ୍ୟାୟର ବିନ୍ୟସ୍ତ କଥା ବସ୍ତୁ ରଚିତ। ସେହି କନ୍ଧଭୂଇଁ ସହ ସମାଜର ମୂଳସ୍ରୋତ ସମକକ୍ଷ ମଣିଷର ଗଣ୍ୟ କରିପାରିବାରେ ତାଙ୍କ ଶିଳ୍ପର ତନ୍ମୟତା ଜନ୍ମେ। ଏହି ଔପନ୍ୟାସିକଙ୍କୁ ପ୍ରଶଂସା କରି ଜଣେ କହିଥିଲେ, “In Mohanty’s hands the social is lifted to the metaphysics !
୧୯୧୪ ମସିହା ଏପ୍ରିଲ ୨୦ । ବୈଶାଖ କୃଷ୍ଣପକ୍ଷ ଏକାଦଶୀ, ସୋମବାର ଦିନ। କଟକରୁ ବାହାରି ପଡି କାଠଯୋଡ଼ି ନଈ ପୋଲ ଟପି ନଦୀ ବନ୍ଧେ ବନ୍ଧେ ବାଁ ହାତି ସାତ ମାଇଲ୍ ଗଲେ ଗାଁ ନାମ ନାଗବାଲି। ପିତା ସୂର୍ଯ୍ୟମଣି ମହାନ୍ତି ଓ ମାତା ଦୁର୍ଗାଦେବୀଙ୍କ କୋଳମଣ୍ଡନ କରିଛନ୍ତି ଗୋପୀନାଥ। ଡିବିରି ଆଲୁଅରେ ହଲୁଥିବା ଅନ୍ଧାର ଦେଇ ଅନ୍ତୁଡିଶାଳରେ ତାଙ୍କ ଜନ୍ମ ! ପିତା ସୋନପୁର ଠାରେ ଓଭରସିଅର ଚାକିରି କରୁଥାଆନ୍ତି। ତେଲେଙ୍ଗାପେଣ୍ଠ ଜମିଦାରି ତାଙ୍କର କେବଳ ଥାଏ। ସେତେବେଳେ ତାଙ୍କ ଭାଇ କାହ୍ନୁଚରଣ ମଧ୍ୟ ଜନ୍ମ ନେଇ ସାରିଥାଆନ୍ତି। ସେତେବେଳେ ମହାଯୁଦ୍ଧର ଆରମ୍ଭ, ସ୍ଵୟଂ ଗୋପୀନାଥ ଲେଖିଛନ୍ତି – “କେତେ କଣ ଧ୍ଵଂସ ହେଲା – ପଦାର୍ଥ କି ମଣିଷର ବିଶ୍ଵାସ; ତା’ର ଦେଖିବା ଭାବିବା ଚଳିବାର ଯୁଗ ଯୁଗର ବାଗ ତା’ର କଳନା ନାହିଁ, ଆସି ପହଞ୍ଚିଲା ବେଗ, ଉଦ୍-ବେଗ, ବିପ୍ଳବ, ପରିବର୍ତ୍ତନ ଓ ନୂଆ ନୂଆ ସୃଷ୍ଟିର ନୂଆ ଯୁଗ !”
ତାଙ୍କ ପିତା ଓଭରସିଅର ଭାବରେ ସୋନପୁର ଠାରେ ମହାନଦୀ ପଥରବନ୍ଧ, ତେଲନଦୀର ପଥରବନ୍ଧ, ଏକାଧିକ ଜଳସେଚନ ଯୋଜନା ଆରମ୍ଭ କରାଇଥିଲେ, ଯାହାର ସ୍ମୃତି ଆଜି ବି ଦେଖିବାକୁ ମିଳେ। ତାଙ୍କ ମାତା ଦୁର୍ଗାଦେବୀ ଥିଲେ ଅତ୍ୟନ୍ତ ଧର୍ମପରାୟଣା ଓ ନୀତିନିଷ୍ଠା। ଗୋପୀନାଥଙ୍କୁ ଛୋଟ ବେଳେ ‘ବିଚିତ୍ର ରାମାୟଣ’ର ପ୍ରତିଟି ଛାନ୍ଦ ଶିଖେଇଥିଲେ। ଏତଦ୍ ବ୍ୟତୀତ ଜଣେ ଅଧ୍ୟବସାୟୀ ସୁଗୃହିଣୀ ଭାବରେ ତାଙ୍କ ଦକ୍ଷତା ଥିଲା ଅପରିସୀମ।
୧୯୧୮ ସେପ୍ଟେମ୍ଵର ମାସରୁ ତାଙ୍କ ବିଦ୍ୟାରମ୍ଭ। ୧୯୨୦ରେ ପାଟନା ଯାଇ ତାଙ୍କ ସହ ସାତବର୍ଷ ବିଭିନ୍ନ ସ୍ଥାନ ପରିଭ୍ରମଣ କରି ଦେଖିଛନ୍ତି। ହେଲେ ଦୁର୍ଭାଗ୍ୟ ହେଲା, ଯେତେବେଳେ ବାରବର୍ଷର ଗୋପୀନାଥ ପିତାଙ୍କୁ ହରେଇ ବସିଲେ। ଗାଁର ମାଟିବଂଶ ଅବଧାନଙ୍କ ପାଖରେ ପଢିଲା ପରେ ପିତାଙ୍କ ସ୍ଥାପିତ ଗୋଟିଏ ଚାହାଳିରେ ଗୋପୀନାଥ ପାଠ ପଢିଲେ। ଏହା ପରେ ୧୯୨୩ ମସିହାରୁ ସୋନପୁର ମହାରାଜା ଇଂରାଜୀ ହାଇସ୍କୁଲରେ ଷଷ୍ଠ ଶ୍ରେଣୀରୁ ସ୍କୁଲ ଜୀବନ ଆରମ୍ଭ କରିଲେ।
ସେତେବେଳେ ଆଠ କ୍ଲାସ୍ ଟପିଲେ ସମ୍ଵଲପୁରରେ ମାଟ୍ରିକ୍ୟୁଲେସନ ଦେବା ପାଇଁ ଯିବାକୁ ହୁଏ। ୧୯୩୦ ମସିହାରେ ମାଟ୍ରିକ୍ୟୁଲେସନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ରେଭେନ୍ସା କଲେଜରେ ନାଁ ଲେଖାଇଲେ। ବହି ପଢିବାରେ ବଡ଼ ଭାବପ୍ରବଣ ଥିଲେ ଗୋପୀନାଥ। ଆଉ ବାର୍ଷିକ ପରୀକ୍ଷାରେ ପ୍ରଥମ ସ୍ଥାନ ମଧ୍ୟ ପାଇଥିଲେ। ୧୯୩୫ ମସିହାରେ ରେଭେନ୍ସାରେ ଇଂରାଜୀରେ ଏମ୍.ଏ. ପଢିସାରିଲା ଅନ୍ତେ ୧୯୪୦ ମସିହାରେ ତାଙ୍କର ଆଦରମଣି ଦେବୀଙ୍କ ସହ ବିଭା ସାରି କୋରାପୁଟରେ ରହିଲେ। ୧୯୩୮ ମସିହାରେ ସେ ଓଡିଶା ପ୍ରାଶାସନିକ ସେବାର ଯୋଗଦାନ କରି କଟକରେ ଅବସ୍ଥାନ କରିଲେ।
କ୍ରମାଗତ ଭାବରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଦାୟିତ୍ୱରେ ରହି ପ୍ରଥମ ଶ୍ରେଣୀ ପାହ୍ୟାର ପଦସ୍ଥ ଅଧିକାରୀ ଭାବେ ୧୯୬୯ ମସିହା ମାର୍ଚ୍ଚ ମାସରେ ଅବସର ଗ୍ରହଣ କରନ୍ତି। ଆଉ ନିଜ ପ୍ରାଶାସନିକ ସେବା କାଳରେ ହିଁ ‘ଅମୃତର ସନ୍ତାନ’, ‘ଲୟ ବିଲୟ’ ଭଳି ଉପନ୍ୟାସ ଲେଖିବାର ଆରମ୍ଭ କରିଦେଇଥିଲେ।
ଆନନ୍ଦର ଅନୁଭବ ପାଇଁ ଜୀବନ ଓ ଜୀବନକୁ ଅନୁଭବିବା ପାଇଁ ବିଭୋର ଆତ୍ମୀୟତାରୁ ଚହଟି ଆସୁଥିବା ନିବିଡ଼ ଚିରନ୍ତନତା ସହ ନାନ୍ଦନିକତା ତାଙ୍କର ଅସ୍ଥିମଜ୍ଜାଗତ ହୋଇଛି। ତାଙ୍କର ସାଢେ ଏକତିରିଶ ବର୍ଷ ସରକାରୀ ଜୀବନ ଓ ତେ’ସ୍ତରି ବର୍ଷ ଆୟୁଷ୍କାଳ ଅସୁମାରୀ ସ୍ପର୍ଶକାତର ଅନୁଭୂତିରେ ପରିପୁଷ୍ଟ। ୧୯୪୦ ମସିହା ମଇ ମାସରୁ ୧୯୪୪ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ କୋରାପୁଟରେ ମାଜିଷ୍ଟ୍ରେଟ ତଥା ଏଜେନ୍ସି ମୁନ୍ସୀ ଭାବରେ ଥିଲା ବେଳେ ସେ ରଚନା କରିଥିଲେ ଅନବଦ୍ୟ ଉପନ୍ଯାସ ‘ଦାଦିବୁଢା’ (୧୯୪୪), ‘ପରଜା’ (୧୯୪୫), ‘ଅମୃତର ସନ୍ତାନ’ (୧୯୪୯), ‘କୁଂଭିକନ୍ଧ ଭାଷାତତ୍ତ୍ଵ’, ‘ଗଦବା ଭାଷା ପରିଚୟ’।
ଫକୀରମୋହନଙ୍କ ପରେ, ମୁଖ୍ୟତଃ, କଥାଶିଳ୍ପୀ ଭାବରେ ମଣିଷ ମନଗହୀରର ନୀରବ ଗୁଞ୍ଜରଣ ଏବଂ ଅତିଚେତନ ଓ ଅବଚେତନର ସକଳ ବ୍ୟଞ୍ଜନାକୁ ଜୀବନ୍ତ ଓଡ଼ିଆ ତୁଣ୍ଡଭାଷାରେ ପ୍ରକାଶ କରିବାର ନିଟୋଳ ଦକ୍ଷତା ତାଙ୍କର ଥିଲା। ଆକାଶରେ ଲହରି ଖେଳୁଥିବା କଥାକୁହା ବଉଦ, ଢେଉଢେଉକା ବିସ୍ମୟ ପାହାଡ଼ ଶ୍ରେଣୀ, ନିଧୁମ୍ ଗୋଟିଏ କୋରାପୁଟ ଜଙ୍ଗଲର ତନ୍ମୟ ଗୀତି, ହାଉଜାଉ ମଣିଷ, ଅରଣ୍ୟାନି ଓ ଜନପଦ ଭିତର ନୀରବ ସଂଳାପକୁ ସେ ଦେଇଛନ୍ତି । ସମଗ୍ର କୃତୀତ୍ଵ ମଧ୍ୟରେ ଓଡିଶାର କନ୍ଧ ପରଜା ସମ୍ପ୍ରଦାୟର ଚାଲିଚଳଣି, ପରିବର୍ତ୍ତିତ ଏକ ପରିସ୍ଥିତି ମଧ୍ୟରେ ସଂସ୍କୃତିର ସଂଘାତ – ସବୁ ଚଳନ୍ତି ପ୍ରତିମା। ୧୯୪୦ରୁ ୧୯୯୩ ମସିହା ପର୍ଯ୍ୟନ୍ତ ଔପନ୍ୟାସିକ ଗୋପୀନାଥ ମହାନ୍ତି ପଚିଶ ଗୋଟି ଉପନ୍ୟାସ, ଏଗାରଟି ଗଳ୍ପ ସଙ୍କଳନ, ଦୁଇଟି ଜୀବନୀ ଗ୍ରନ୍ଥ (ଗୋପବନ୍ଧୁ ଚୌଧୁରୀଙ୍କ ଜୀବନକୁ ଆଧାର କରି ‘ଧୂଳିମାଟିର ସନ୍ଥ’, ‘ଦୀପଂ ଜ୍ୟୋତି’ ତଥା ଗୋପବନ୍ଧୁ ଦାସଙ୍କ ଜୀବନକୁ ଆଧାର କରି ‘ଉତ୍କଳମଣି’), ଛଅଟି ଅନୁବାଦ ଗ୍ରନ୍ଥ, ଆଦିବାସୀ ଭାଷା ଓ ସାହିତ୍ୟ ଉପରେ ପାଞ୍ଚଟି ଗବେଷଣାଧର୍ମୀ ଗ୍ରନ୍ଥ, ଚାରୋଟି ନାଟକ ସହ ନିଜର ଆତ୍ମଜୀବନୀ ‘ସ୍ରୋତସ୍ଵତୀ’ ପ୍ରଥିତଯଶା। ଏମ୍.ଏ. ପଢୁଥିବା ସମୟରେ ପାଶ୍ଚାତ୍ୟ ସାହିତ୍ୟର ଷୋହଳଟି ପାରିଭାଷିକ ସାହିତ୍ୟ ତତ୍ତ୍ଵକୁ ନିତିଦିନିଆ ଜୀବନର ଉପଲକ୍ଷ ଦେଇ ‘କଳାଶକ୍ତି’ ଶୀର୍ଷକ ପୁସ୍ତକ ପ୍ରକାଶ କରିଛନ୍ତି। ତାଙ୍କର ଉପନ୍ୟାସ ମଧ୍ୟରେ ‘ମାଟି ମଟାଳ’ (୧୯୬୪) ‘ଶିବଭାଇ’ (୧୯୫୫), ‘ଅପହଞ୍ଚ’ (୧୯୬୧), ‘ବଘେଇ’ (୧୯୭୬) ଓ ‘ଅନାମ’ (୧୯୯୩) ଆଦିବାସୀ ଜୀବନକୁ ନିଖୁଣେଇ ଦର୍ଶାଏ। ଏକ କାବ୍ୟୋପମ ଉପନ୍ୟାସ ‘ଶିବଭାଇ’ କୋରାପୁଟର ମେଲକାବାଡି, ରାୟଗଡ଼ା ପାଖ ଡୁମ୍ରିଗୁଡା, ଗଦରଗୁଡି ଓ ଲେଡେଂ ଗ୍ରାମର ଅଧିବାସୀ ଏବଂ ଜୀବନଜୀଉଁଣାକୁ ନେଇ ଲିଖିତ। ବିନୋବାଜୀଙ୍କ ଓଡିଶା ପଦଯାତ୍ରା ସମୟରେ ସର୍ବୋଦୟ ବାର୍ତ୍ତା କୋରାପୁଟ ଜିଲ୍ଲାରେ ଯେଉଁ ଅଭୂତପର୍ବ ଉନ୍ମାଦ ସୃଷ୍ଟି କରେ ଓ ଶିବକନ୍ଧ ଭଳି କନ୍ଧ ନିଆରା ଜୀବନର ସ୍ଵାଦ ଚାଖୁ ଚାଖୁ ନିର୍ମମ ଜୀବନର ସମ୍ମୁଖୀନ ହୁଏ, ତାହାର ଉପଜୀବ୍ୟ ଏହି ‘ଶିବଭାଇ’।
୧୯୭୦ ମସିହାରେ ଔପନ୍ୟାସିକ ଗୋପୀନାଥ ମହାନ୍ତି ମାକ୍ସିମ୍ ଗର୍କିଙ୍କ ଲେଖାର ଅନୁବାଦ କରି ସୋଭିଏଟ୍ ଦେଶ ନେହେରୁ ପୁରସ୍କାର ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ। ଏଥି ସହ ନେହେରୁଙ୍କ ‘ଇଣ୍ଡିଆ ଟୁଡେ ଆଣ୍ଡ୍ ଟୁମରୋ’ର ସାର୍ଥକ ଅନୁବାଦ ‘ଭାରତ ଆଜି ଓ କାଲି’ (୧୯୬୦), ରବୀନ୍ଦ୍ରନାଥଙ୍କ ‘ଯୋଗାଯୋଗ’ (୧୯୬୬), ‘କଥା ଭାରତୀ’ (୧୯୭୩) ତଥା ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କ ପୁସ୍ତକ ଗୁଡିକର ସଫଳ ଅନୁବାଦ କରି ପ୍ରତିଷ୍ଠା ଲାଭ ମଧ୍ୟ କରିଥିଲେ। ଆଉ କେତେକ ଅନୂଦିତ ଗଳ୍ପ, ବାଇବେଲ୍ ଓ କୋରାନର ଅନୁବାଦ, ସାରସ୍ଵତ ମୂଲ୍ୟ ବହନ କରୁଥିବା ଚିଠିପତ୍ର, ସ୍ମୃତିଲିପି ଓ ଦସ୍ତାବିଜ୍ ପ୍ରାୟ ଅପ୍ରକାଶିତ।
ତାଙ୍କର ଅନ୍ୟତମ କୃତି ‘ଦାଦିବୁଢା’ (୧୯୪୪)। କୋରାପୁଟର ଲୁଲୁଗାଁରେ ଆଦିବାସୀମାନେ ପାହାଡମୁଣ୍ଡିରେ ଥିବା ଗୋଟିଏ ବୁଢା ଖଜୁରୀ ଗଛକୁ ସାତବେଣ୍ଟିଆ କରି ଏକୋଇଶ ଥର ଚୋଟମାରି ଓ ସବୁ ଖଣ୍ଡିଆ ଜାଗାରେ ଧଳା, ନାଲି ଓ କଳା ରଙ୍ଗ ବୋଲି ତାକୁ କରିଲେ ‘ଦାଦିବୁଢା’ ଦେବତା। ହେଲେ ଧୀରେ ଧୀରେ ଗାଁରେ ସାମାଜିକତାର ସ୍ଖଳନ ସହ ବାଘ ଓ ଦେବତାର ମଣିଷ ଶିକାର ହେବା ପରେ କିପରି ଗାଁ ଲୋକେ ଦାଦିବୁଢା ଠାରୁ ବିଶ୍ଵାସ ପ୍ରତ୍ୟାହାର କରି ଗାଦିପାବ୍ଲି ଡଙ୍ଗରକୁ ଚାଲିଯାଆନ୍ତି ଓ ଏ ଦାଦିବୁଢା ଦେବତା ସେହିପରି ଏକ ପରିତ୍ୟକ୍ତ ଓ ଅଭିଶପ୍ତ ସତ୍ତା ରୂପେ ସେହି ନିଃସଙ୍ଗ ଅଞ୍ଚଳରେ।
ସର୍ବୋତ୍କୃଷ୍ଟ କୃତି ରୂପରେ ବିଦ୍ୟମାନ ‘ପରଜା’, ‘ଅମୃତର ସନ୍ତାନ’ ତଥା “ମାଟି ମଟାଳ’। ପ୍ରଶାସନିକ ଜୀବନରେ ଗୋପୀନାଥ ଅନେକତ୍ର ବସା ବାନ୍ଧିଛନ୍ତି – କେତେବେଳେ ସମୁଦ୍ରକୂଳ କେଉଟ ଗାଁ ଇସ୍କୁଲ ପିଣ୍ଡାରେ, ଚିଲିକା ଭିତର କେଉଁ ମେଲା ଘରେ, କେଉଁ ନିପଟ ମଫସଲର ବରଗଛ ମୂଳେ, କେଉଁ ପିଣ୍ଡା ପହଣ୍ଡରେ ତ କେତେ ବେଳେ କେଉଁ ହରିଜନ ବା ଅଗନାଗ୍ନି ମାଳ ଅଞ୍ଚଳର ଆଦିବାସୀଙ୍କ କୁଡିଆରେ।
କାହ୍ନୁଚରଣ ମହାନ୍ତିଙ୍କ ସର୍ଜନାକାଳର ଅୟମାରମ୍ଭ ସହ ଔପନ୍ୟାସିକ ଗୋପୀନାଥ ମହାନ୍ତି ଆରମ୍ଭ କରିଛନ୍ତି ଗଳ୍ପଲିଖନ। “ଡଁ”, “ଅତସୀ”, “ଉପାସୀ”, “ପାଟପାଣି”, “ପୋଡାକପାଳ”। ଆଉ ସେହି ସମୟରେ ଯାଜପୁରରେ ଥାଇ ସେ ଲେଖିଥିଲେ ନିଜର ପ୍ରଥମ ଉପନ୍ୟାସ – “ମନ ଗହୀରର ଚାଷ’। ତାଙ୍କର ସବୁଠାରୁ ବଡ଼ ଉପନ୍ୟାସ ଥିଲା ‘ମାଟି ମଟାଳ’ । ନିଜ ପ୍ରଶାସନିକ ଜୀବନ ସେ ଓଡିଶାର ନାନା ଅଞ୍ଚଳ ଓ ନାନା ଜାତି ସହ ଭେଟିଛନ୍ତି।
‘ପରଜା’ ଉପନ୍ୟାସ ତତ୍କାଳୀନ ସାହୁକାର, ଠିକାଦାର, ଜଙ୍ଗଲ ଜମାନ ଓ ଅବକାରୀ ଅଧିକାରୀମାନଙ୍କର କୁତ୍ସିତ ଲାଳସା, ଉତ୍ପୀଡ଼ନ, ନିର୍ମମ ଗୋତିପ୍ରଥା ଭଳି ଅନେକ କରୁଣ କାହାଣୀମାନଙ୍କୁ ନେଇ ଏହାର ଗଢଣ। ଆଉ ତାଙ୍କର ‘ହରିଜନ’ ଉପନ୍ୟାସର ବିଷୟକୁ ଅବଗାହନ କରିଲେ ଜଣାଯାଏ ଯେ ଜୀବନର ଶାଶ୍ଵତ ଓ ଚିରନ୍ତନ ନାନ୍ଦନିକତା ଉପରେ ବିଶ୍ଵାସ ଥାପିଥିବା ସନ୍ତତି ହେଉଛନ୍ତି ଏହି ନିରୀହ ପ୍ରକୃତିର କୋମଳ କୋଳରେ ବଢି ଉଠିଥିବା ଆଦିବାସୀ। ଆଦିବାସୀ ଜୀବନ ଜଡିତ ଅନେକ ବିଷୟକୁ ଏକ ବାସ୍ତବତାର ସହ ମର୍ମସ୍ପର୍ଶୀ କରାଇବାରେ ତାଙ୍କର ସର୍ଜନା-ସାଫଲ୍ୟ ।
ଆଦିବାସୀ ଜୀବନଭିତ୍ତିକ ଏକ ବିରାଟ କାବ୍ୟୋପମ ଉପନ୍ୟାସ ଥିଲା ‘ଅମୃତର ସନ୍ତାନ’। ଏହି ଉପନ୍ୟାସ ୧୯୫୫ ମସିହାରେ ପ୍ରଥମ ଥର ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛି, ଯାହାକି ଓଡ଼ିଆ ସାହିତ୍ୟ ପାଇଁ ଥିଲା ସର୍ବପ୍ରଥମ। ତାଙ୍କର ‘ଅନାମ’ ଉପନ୍ୟାସରେ କନ୍ଧଭୂଇଁରେ ଗଣତାନ୍ତ୍ରିକ ପଦ୍ଧତିର ଶାସନ କିପରି କଳାହାଣ୍ଡିର କାନକଟା ଡମ ଦ୍ଵାରା ନଷ୍ଟ ହୁଏ, ‘ଅପହଞ୍ଚ’ରେ କିପରି ଡୁମ୍ରିଗୁଡା ଗାଁର କେ.ଟିମାୟା ପାଠପଢି ରାଜନୀତିରେ ପ୍ରବେଶ କରି ନିଜ ସମ୍ପ୍ରଦାୟ ପ୍ରତି ଘୃଣାଭାବ ସୃଷ୍ଟି କରିଲା ଅନ୍ତେ ସମ୍ଭ୍ରାନ୍ତ ଗୋଷ୍ଠୀ ଦ୍ଵାରା ପରିତ୍ୟକ୍ତ ହୋଇ ନିଜ ଜାତି ଭାଇଙ୍କ ପାଖକୁ ଫେରିବାର ବର୍ଣ୍ଣିତ।
ତାଙ୍କ ଉପନ୍ୟାସମାନଙ୍କରେ ‘ରାହୁର ଛାୟା’, ‘ଲୟ ବିଲୟ’, ‘ମନର ନିଆଁ’, ‘କିଛି କହିବାକୁ ଚାହେଁ’, ବେଶ୍ ମନବିଶ୍ଳେଷଣାତ୍ମକ। ସବୁଥିରେ ସନ୍ନିହିତ କରୁଣ ବିଷୟ ପଛରେ ଔପନ୍ୟାସିକଙ୍କ ସ୍ଵୀୟ ଧାରଣା ଓ ପ୍ରଚ୍ଛନ୍ନ ଅନୁଭୂତି ସ୍ଵତଃ ଅବଗାହନ କରିହୁଏ। ତତ୍କାଳୀନ ମାର୍କ୍ସ ମତବାଦ ଆଧାରିତ ‘ସପନ ମାଟି’ ଏବଂ ସର୍ବୋଦୟ ତଥା ଭୂଦାନ ଆନ୍ଦୋଳନର ବାର୍ତ୍ତା ବହନ କରୁଥିବା ‘ଦୁଇପତ୍ର’ ତତ୍କାଳୀନ ସମାଜଚିନ୍ତନର ଏକ ନିଖୁଣ ବର୍ଣ୍ଣନା। ସ୍ଵାଧୀନୋତ୍ତର ଜୀବନରେ ସ୍ଵାଧୀନତାର ଅଭିଳାଷ ଆଗରେ ସ୍ଵପ୍ନାହତ ହୋଇଥିବା ଚରିତ୍ରର ମର୍ମଧାରା ଓ ନେତୃବର୍ଗଙ୍କ ଛଳନା ବେଶ୍ ସ୍ପଷ୍ଟ।
ତାଙ୍କର ମହାକାବ୍ୟୋପମ ଉପନ୍ୟାସ ‘ମାଟି ମଟାଳ’ ପାଇଛି ଭାରତୀୟ ଜ୍ଞାନପୀଠ ପୁରସ୍କାର। ଆପଣାର ମାନବବାଦୀ ଦର୍ଶନ ସହ ଗ୍ରାମ୍ୟଜୀବନ, ଶ୍ରମମର୍ଯ୍ୟାଦା ତଥା ସାମାଜିକ ନ୍ୟାୟ ପ୍ରତି ଗଭୀର ଚିନ୍ତନ ପ୍ରକଟ କରିଛନ୍ତି। ବନ୍ଧମୂଳ ଗାଁର ବଟ ମହାନ୍ତିଙ୍କ ଶିକ୍ଷିତ ପୁତ୍ର ରବି ଏବଂ ରବିର ଗାଁଠାରୁ ତିନିକୋଶ ଦୂରରେ ଥିବା ପାଟେଳି ଗାଁର ସିନ୍ଧୁ ଚୌଧୁରୀଙ୍କ କନ୍ୟା ଛବି ବଡ଼ କର୍ଣ୍ଣଧାର ସାଜି ବନ୍ୟା ବିଭୀଷିକା ଭଳି ସାମାଜିକ କଲ୍ୟାଣରେ ଅଭିପ୍ରେତ। ତାଙ୍କ ‘ବୁନ୍ଦାଏ ପାଣି’ ଓ ‘ଦାନାପାଣି’ ଉପନ୍ୟାସ ସେହିପରି ସ୍ଵାଧୀନୋତ୍ତର ଜୀବନୀର ଏକ ନିପୁଣ ବର୍ଣ୍ଣନା।
ଭାରତ-ଚୀନ ଯୁଦ୍ଧକୁ ଆଧାର କରି ‘ତନ୍ତ୍ରିକାର’ ଉପନ୍ୟାସ, ପାକିସ୍ତାନର ବାଂଲାଦେଶ ଆକ୍ରମଣ ଉପରେ ପର୍ଯ୍ୟବେସିତ ‘ପାହାନ୍ତା’, କ୍ଷମତାପେପ୍ସୁ ବିଶ୍ଵଶକ୍ତିଙ୍କର ଇଂଲଣ୍ଡ, ଭିଏତନାମ ଓ ଜାପାନ ଉପରେ ଆକ୍ରମଣକୁ ନେଇ ‘ଆକାଶ ସୁନ୍ଦରୀ’ ତତ୍କାଳୀନ ସାମାଜିକ ପରିବେଶକୁ ଉପଜୀବ୍ୟ କରୁଛି, ତହିଁ ଉତ୍ତାରୁ ‘ଅନଳନଳ’ (୧୯୭୩) ଏବଂ ‘ଦିଗଦିହୁଡି’ (୧୯୭୯) ନିଚ୍ଛକ ଗ୍ରାମୀଣ ଜୀବନ ଉପରେ ପର୍ଯ୍ୟବେସିତ। ଏକ ବିରାମହୀନ ଶୈଳୀକଳ୍ପରେ ଏବଂ ଅତୀନ୍ଦ୍ରିୟ ଅନୁଭୂତିରୁ ଲିଖିତ ଉପନ୍ୟାସ ମାଧ୍ୟମରେ କ୍ରାନ୍ତିଦର୍ଶୀ ହୋଇଛନ୍ତି।
ତାଙ୍କ ଗଳ୍ପ ସଙ୍କଳନ ମଧ୍ୟରେ ‘ଘାସର ଫୁଲ’ (୧୯୫୧), ‘ପୋଡା କପାଳ’ (୧୯୫୨), ‘ଛାଇ ଆଲୁଅ’ (୧୯୫୬), ‘ଋଣ ଧନ୍ଦୋଳ’ (୧୯୬୩), ‘ଗୁପ୍ତଗଙ୍ଗା’ (୧୯୬୭), ‘ନା : ମନେ ନାହିଁ’ (୧୯୬୮), ‘ଉଡ଼ନ୍ତା ଖଇ’ (୧୯୭୧), ‘ମନର ନିଆଁ’, ‘ସାତ ପାଞ୍ଚ’ ପ୍ରଧାନ । ୧୯୭୫ ମସିହାରେ ସମ୍ଵଲପୁର ବିଶ୍ଵବିଦ୍ୟାଳୟରୁ ଡି.ଲିଟ୍ ଉପାଧି, ୧୯୭୯ ମସିହାରେ ୟୁ.ଜି.ସି. ଫେଲୋସିପ୍ ସହ ୧୯୮୧ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଭୂଷଣ ଉପାଧି ପାଇଛନ୍ତି ।
ଶେଷ ଜୀବନ ଅତିବାହିତ ହୋଇଛି କାଲିଫର୍ଣ୍ଣିଆରେ। ଡାଏରୀ ଓ ଟିପାଖାତାରେ ନିଜ ଆତ୍ମଜୀବନୀ ‘ସ୍ରୋତସ୍ଵତୀ’ ଅନେକ ଭାଗ ଔପନ୍ୟାସିକ ଗୋପୀନାଥ ମହାନ୍ତି ସଞ୍ଚୟ କରି ରଖିଥିଲେ। ହେଲେ ୧୯୯୧ ମସିହା ଅଗଷ୍ଟ ୨୦ ତାରିଖରେ ଏହି ବଦାନ୍ୟ ସାହିତ୍ୟିକଙ୍କ ଦେହାବସାନ ଘଟିଛି ଆଉ ଓଡ଼ିଆ ସାହିତ୍ୟରେ ସୃଷ୍ଟି ହୋଇଛି ଜଣେ କ୍ରାନ୍ତିଦର୍ଶୀଙ୍କ ଅପୂରଣୀୟ ସ୍ଥାନ।