ଲେଖା: ଶିଶିର ସାହୁ ମନୋଜ

ଆନୁମାନିକ ଖ୍ରୀଷ୍ଟଜନ୍ମର ଚାରିଶହ ଵର୍ଷ ପୂର୍ବେ ରଚିତ ଭରତମୁନୀଙ୍କ କର୍ତ୍ତୁକ ନାଟ୍ୟଶାସ୍ତ୍ରରେ ଉଡ୍ର ଵିଭାଷାର ଉଲ୍ଲେଖ ମିଳେ, ଯାହାକୁ ଓଡ଼ିଆ ଭାଷାର ପ୍ରାଚୀନରୂପ ବୋଲି ମାନାଯାଏ ।

ଭରତମୁନୀଙ୍କ ସମୟରେ ମୁଖ୍ୟତଃ ସାତୋଟି ଆଞ୍ଚଳିକ ଭାଷା ଥିଲା, ତେଣୁ ସେ ତାଙ୍କ ନାଟ୍ୟଶାସ୍ତ୍ରରେ ଲେଖିଛନ୍ତି,
“ମାଗଧ୍ୟାବନ୍ତିକା ପ୍ରାଚ୍ୟ ଶୌରସେନାର୍ଧମାଗଧୀ
ବାହ୍ଲିକା ଦାକ୍ଷିଣତ୍ୟାଚ ସପ୍ତଭାଷା ପ୍ରକୀର୍ତ୍ତିତା ।”

ଶ୍ଲୋକରେ ଵର୍ଣ୍ଣନା କରାଯାଇଥିବା ଭାଷାଗୁଡି଼କ ହେଲା
୧. ମାଗଧୀ
୨. ଅବନ୍ତିକା
୩. ପ୍ରାଚ୍ୟ
୪. ଶୌରସେନୀ
୫. ଅର୍ଦ୍ଧମାଗଧୀ
୬. ବାହ୍ଲିକ
୭. ଦାକ୍ଷିଣତ୍ୟ ଭାଷା (Proto Dravid )

ଏଠାରେ ମାଗଧୀ ଓ ଅର୍ଦ୍ଧମାଗଧୀକୁ ଭିନ୍ନ ଦର୍ଶେଇବା ପାଇଁ ଦୁଇଥର ଲେଖା ହେଇଚି । ସେହି ସମୟରେ ପ୍ରାଚୀନ ଓଡ଼ିଆ ଭାଷାକୁ ଅର୍ଦ୍ଧମାଗଧୀ କୁହାଯାଉଥିଲା । 


ମାଗଧୀ ସହିତ ପ୍ରାଚୀନ ଓଡ଼ିଆ ଵା ଅର୍ଦ୍ଧମାଗଧୀ ର ସାମଜସ୍ୟତା ଥିଲେ ହେଁ ସେ ଉଭୟ ଭାଷା ମଧ୍ୟରେ ଥିବା ଧ୍ଵନି ଓ ଗଠନ ଶୈଳୀରେ ଭିନ୍ନତା ଦୃଷ୍ଟିରୁ ଏଠାରେ ପୃଥକ ପୃଥକ ଲେଖା ହୋଇଛି । ପୁଣି କିଛି ଭାଷାବିତ୍ ମତ ଦିଅନ୍ତି ଉଡ୍ରମାଗଧୀକୁ ମୁଦ୍ରାପ୍ରସାଦରେ ଅର୍ଦ୍ଧମାଗଧୀ କୁହାଯାଇଛି । ଏଥିରୁ ଓଡ଼ିଆ ଭାଷାର ପ୍ରାଚୀନରୂପ ପ୍ରମାଣିତ ହୁଏ, ଓଡ଼ିଆ ଭାଷା ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ବେଳକୁ ଵିକଶିତ ହୋଇ ତତକାଳୀନ ଭାରତରେ ପ୍ରଚଳିତ ହୋଇ ସାରିଥିଲା । ଏତଦବ୍ୟତୀତ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ବେଳକୁ ଓଡ଼ିଶାର ଅଧିକାଂଶ ଅଞ୍ଚଳ ମଗଧର ନନ୍ଦଶାସକଙ୍କ ଦ୍ଵାରା ଶାସିତ ହେଉଥିଲା । ଏହି ହେତୁରୁ ମଧ୍ଯ ଏ ଉଭୟ ଭାଷାକୁ ଭିନ୍ନ କୁହାଯାଇ ଥାଇପାରେ ।

ତତ୍ ପରେ ମାଗଧୀ ଓ ଅର୍ଦ୍ଧମାଗଧୀ ମଧ୍ୟରେ ଭେଦ ଉପସ୍ଥାପନ କରିବାକୁ ଯାଇ ଭରତମୁନୀ କହିଛନ୍ତି,

ମାଗଧୀତୁ ନରେନ୍ଦ୍ରଣାମନ୍ତଃ ପୁର ସମାଶ୍ରୟା,
ଟେଚିନାଂ ରାଜପୁତ୍ରାଣାଂ ଶ୍ରେଷ୍ଠିନାଞ୍ଚର୍ଧମାଗଧୀ ।।

ଅର୍ଥାତ୍: ରାଜା, ରାଜପୁତ୍ର, ଅନ୍ତଃପୁର ରକ୍ଷକ ଓ ଟେଟୀମାନେ ମାଗଧୀ ତଥା ଶ୍ରେଷ୍ଠୀ ଵା ଓଡ଼ିଆ ସାଧଵ ଵଣିକମାନେ ଅର୍ଦ୍ଧମାଗଧୀ ଵ୍ୟଵହାର କରୁଥିଲେ ।

ଭରତ ମଧ୍ଯ ସ୍ଵରଚିତ ନାଟକରେ ଉଡ୍ରଜା ନାମକ ଏକ ଵିଭାଷାର ଉଲ୍ଲେଖ କରିଅଛନ୍ତି । ଵିଭାଷା ହେଲେ ହେଁ ଏହା ନାଟକରେ ଵ୍ୟଵହାର ହେଉଥିଲା ବୋଲି ସେ ଦର୍ଶାଇଛନ୍ତି ।

“ଶକରାଭୀର ଚାଣ୍ଡାଳ ଶଵର ଦ୍ରାଵିଡୋ଼ଡ୍ରଜାଃ ।
ହୀନାବନେଚରାଣାଂ ଚ ଵିଭାଷାଃ ସପ୍ତକୀର୍ତ୍ତିତାଃ” ।।
ଏଠାରେ ଭରତମୁନୀ ଶକ, ଶବର, ଅଭୀର, ଚାଣ୍ଡାଳ, ଦ୍ରାଵିଡ଼, ଉଡ୍ରଜା ଓ ବନାଚରୀ ଇତ୍ୟାଦି ସାତଗୋଟି ଵିଭାଷାର ଉଲ୍ଲେଖ କରିଅଛନ୍ତି । ଏଗୁଡି଼କ ଵିଭାଷା ହେଲେ ହେଁ ନାଟ୍ୟରେ ଵ୍ୟଵହୃତ ହେଉଥିଲେ । ଏହି ଶ୍ଲୋକ ଆଧାରରେ କେହି କେହି ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ବେଳକୁ ଓଡ଼ିଆ ଭାଷା ଏକ ଵିଭାଷା ଥିବା ମତ ଦିଅନ୍ତି । କିନ୍ତୁ ଭରତମୁନୀ ଉଡ୍ରଜା ଓ ଅର୍ଦ୍ଧମାଗଧୀକୁ ଦୁଇଟି ଭିନ୍ନ ଭାଷା ରୂପେ ଦର୍ଶାଇଛନ୍ତି । 

ଏହାକୁ ଭିତ୍ତିକରି କିଛି ଭାଷାବିତ୍ ମତ ଦିଅନ୍ତି ଯେ ତତ୍କାଳୀନ ସମାଜରେ ଅର୍ଦ୍ଧମାଗଧୀ ଵା ଅର୍ଧମାଗଧୀ ଉଚ୍ଚଶ୍ରେଣୀୟ ଓଡ଼ିଆଙ୍କ ଭାଷା ଥିଲା ବେଳେ ଅନ୍ୟ ଓଡ଼ିଆ ଲୋକେ ଉଡ୍ରଜା ଭାଷାରେ କଥୋପକଥନ କରୁଥିଲେ ।

ପୁନଶ୍ଚ ନାଟ୍ୟଶାସ୍ତ୍ରରେ ବିଭିନ୍ନ ପ୍ରବୃତ୍ତି ମଧ୍ୟରେ ମଧ୍ଯ ଓଡ଼ିଆ ଭାଷା ସ୍ଥାନ ପାଇଛି ଏବଂ ଓଡ଼ିଆ ଭାଷାର ପ୍ରାଚୀନରୂପ ଦର୍ଶାଉଛି ।
ଆଵନ୍ତୀ ଦାକ୍ଷିଣାତ୍ୟାଚ ତଥା ଚୈବୋଡ୍ରମାଗଧୀ ।
ପାଞ୍ଚାଳୀ ମଧ୍ଯମି ଚେତି ଵିଜ୍ଞେୟାସ୍ତୁ ପ୍ରବୃତ୍ତୟଃ ।।

ଉପରୋକ୍ତ ଶ୍ଲୋକରେ ତତକାଳୀନ ସମୟରେ ଚାରୋଟି ନାଟ୍ୟପ୍ରବୃତ୍ତି ଥିବା ଉଲ୍ଲେଖ ଅଛି,
୧. ଆବଧୀ
୨. ଦାକ୍ଷିଣତ୍ୟ
୩. ପାଞ୍ଚାଳି
୪. ଉଡ୍ରମାଗଧୀ

ପୁଣି କୁହାଯାଇଛି,
ଚର୍ତୁବିଧା ପ୍ରବୃତ୍ତିଶ୍ଚ ପ୍ରୋକ୍ତା ନାଟ୍ୟ ପ୍ରୟୋକ୍ତୃଭିଃ ।
ଆବନ୍ତି ଦାକ୍ଷିଣତ୍ୟାଚ ପାଞ୍ଚାଳି ଚୋଡ୍ର ମାଗଧୀ ।।
ଏଥିରୁ ଓଡ଼ିଆ ଭାଷାର ପ୍ରାଚୀନରୂପ ତଥା ଉଡ୍ର ନାଟ୍ୟକଳାର ପ୍ରାଚୀନତା ସୁସ୍ପଷ୍ଟ ହୁଏ । ଓଡ଼ିଆ ଭାଷା ଯେ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ବେଳକୁ ସୁଦୃଢ ସ୍ଥିତିରେ ଥିଲା ଏବଂ ଉତ୍ତରୋତ୍ତର ବିକାଶଲାଭ କରୁଥିଲା ଉପରୋକ୍ତ ତଥ୍ୟଗୁଡି଼କ ଦ୍ଵାରା ସ୍ପଷ୍ଟ ହୋଇଯାଉଛି ।

ଓଡ଼ିଆ ଭାଷାର ପ୍ରାଚୀନରୂପ ଦର୍ଶାଉଥିବା ତଥ୍ୟାବଳୀର ଅଭାବ ନାହିଁ ସତ, କିନ୍ତୁ ଏଇ ପ୍ରାଚୀନ ଓ ଶାସ୍ତ୍ରୀୟ ଭାଷାକୁ ନେଇ ଶିକ୍ଷିତ ଓଡ଼ିଆଙ୍କ ମଧ୍ୟରେ ଗର୍ବବୋଧ ପରିଲକ୍ଷିତ ନ ହେବା କ୍ଷୋଭର କଥା ନିଶ୍ଚୟ !

© ଶିଶିର ସାହୁ ମନୋଜ 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago