ସୌରଭିତ ସୃଷ୍ଟି: ଜାତୀୟଗୌରବ ଶତାବ୍ଦୀର ସୂର୍ଯ୍ୟ କୁଳବୃଦ୍ଧ ମଧୁସୁଦନ ଦାସ

ଉତ୍କଳୀୟ ଜନଜାଗରଣ କ୍ଷେତ୍ରରେ ମଧୁବାବୁ ଥିଲେ ମନ୍ତ୍ରଦାତା, ଉତ୍କଳୀୟ ଜାତୀୟତାର ବ୍ୟାଖ୍ୟାକାର, ତାଙ୍କର ଲେଖା ଓ ଭାଷଣରେ ଥିଲା ମନ୍ତ୍ରର ଉଦାତ୍ତ ଉଚ୍ଚାରଣ ପରି ବିଖଣ୍ଡିତ ଓଡ଼ିଆ ଜାତିର ଏକତ୍ରୀକରଣ ପାଇଁ ପ୍ରବଳ ଉଦ୍ଦୀପନାର ବାଣୀ, ଯାହାକୁ ଆଧାର କରି ସେ ଆରମ୍ଭ କରିଥିଲେ ଓଡ଼ିଆ ଜାତିର ମୁକ୍ତିର ଦୁର୍ବାର ସଂଗ୍ରାମ । ତାଙ୍କ ଅମର କବିତା ଉତ୍କଳ ସନ୍ତାନ . . 

ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ତୁହି ଭୀରୁ,
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ ?

ତୋ ପୂର୍ବପୁରୁଷେ ବୀର ପଣିଆରେ
ଲଭିଥିଲେ କେତେ ଖ୍ୟାତି,
ହାକିମ ନିକଟେ ଦୁଃଖ କହିବାକୁ
କିମ୍ପା ଥରେ ତୋର ଛାତି ?

ତୋ ପୂର୍ବପୁରୁଷେ ଜୟ କରିଥିଲେ
ଗଙ୍ଗା ଠାରୁ ଗୋଦାବରୀ,
ତାଙ୍କର ଔରସେ ଜନ୍ମହୋଇ ତୁହି
କେଉଁଗୁଣେ ତାଙ୍କୁ ସରି ?

ତୁ ମନେ ଭାବିଛୁ ତୋଷାମଦ କରି
ବଢାଇବୁ ଜାତି ମାନ,
ତୋଷାମଦିଆର କୁକୁର ପ୍ରକୃତି
ଅଇଁଠା ପତରେ ଧ୍ୟାନ ।

ତୋଷାମଦକାରୀ କ୍ଷିପ୍ତ ଶ୍ୱାନ ପରି
ସହଜେ ଚିହ୍ନା ନ ଯାଏ,
ଭୃତ୍ୟଭାବ ଧରି ଗୋଡ ଚାଟୁ ଚାଟୁ
ବିଷ ଲେପି ଦେଇଥାଏ ।

ତୋଷାମଦ ଅଟେ ଅନ୍ଧାର ଗୋହିରି
ସ୍ୱାର୍ଥ ତହିଁ ଲୁଚି ବସେ,
ସରଳ ପଥିକ ବାଟରେ ଭେଟିଲେ
ଅକାତରେ ତାକୁ ନାଶେ ।

ଜାତିର ଉନ୍ନତି ହେବ କିରେ ଭାଇ
ସ୍ୱାର୍ଥକୁ ଜଗତ ମଣି ?
ଗୋଦର ଗୋଡରେ ମାଉଁସ ଲାଗିଲେ
ଦେହର କି ଶୁଭ ଗଣି ?

ଜାତିର ଉନ୍ନତି ସେ କାହୁଁ କରିବ
ସ୍ୱାର୍ଥେ ଯାର ବ୍ୟସ୍ତ ମନ,
ଶାଗୁଣା ବିଲୁଆ ଚିକିତ୍ସକ ହେଲେ
ଶବ କି ପାଇବ ପ୍ରାଣ ?

ଜାତି ନନ୍ଦିଘୋଷ ଚଳିବ କି ଭାଇ
ସ୍ୱାର୍ଥକୁ ସାରଥୀ କଲେ,
ଟାଣେ କିରେ ଗାଡି ଦାନାର ତୋବଡା
ଘୋଡା ମୁହେଁ ବନ୍ଧା ଥିଲେ ?

ସ୍ୱାର୍ଥର ବନିତା ଅଟେ ତୋଷାମଦ
ଭୟ ମିଥ୍ୟା ତାଙ୍କ ପୁତ୍ର
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର ।

ଉଠରେ ଉଠରେ ଉତ୍କଳ ସନ୍ତାନ
ଉଠିବୁ ତୁ କେତେ ଦିନେ
ପୂରୁବ ଗୌରବ ପୂରୁବ ସାହସ
ପଡିବ କି କେବେ ମନେ ?

ତୋହରି ଜନନୀ ବୀର ପ୍ରସବିନୀ
ଧୂଳିରେ ପଡିଛି ଦେଖ,
ଏହି ସମାଜରେ ଏ ମହୀ ମଧ୍ୟରେ
କିପରି ଦେଖାଉ ମୁଖ ?

ତୋ ପୂର୍ବ ପୁରୁଷ ସ୍ୱର୍ଗଧାମେ ଥାଇ
ଭୋଗୁଛନ୍ତି ମନସ୍ତାପ,
ତାଙ୍କରି ଜୀବନ କରି ବିସ୍ମରଣ
କରୁଛୁ ତୁ ମନସ୍ତାପ…!!!

ଉପସ୍ଥାପନା: ଦେଵ ତ୍ରିପାଠୀ

#ଧ୍ୱନିପ୍ରତିଧ୍ୱନି

#ମଧୁବାବୁ

Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago