୫
ଶୁଭସ୍ତମ୍ଭ ବୈତରଣୀ ତଟେ
ଦେଖ ହେ ନୟନ ବିସ୍ଫାରି;
ବିରାଜିତ ତୁଙ୍ଗେ ବ୍ୟୋମପଟେ
ଉତ୍ସାହ ଅଭୟ ସଞ୍ଚାରି ।
୬
ନିରେଖ ହେ ମହୋଦଧି ତୀରେ
ନୀଳାଚଳ ଧାମେ ଶ୍ରୀକ୍ଷେତ୍ରେ
ହିନ୍ଦୁହୃଦ ଆକୁଳ ଅଧୀରେ
ଦେଖିବାକୁ ଯେ ଧାମ ନେତ୍ରେ ।
୭
ସ୍ମର ବାରେ ହେ ଉତ୍କଳବାସୀ
କୋଣାର୍କ ଶିଳା ଶିଳ୍ପ ରତ୍ନେ
ଆହା କି ମୋହନ ରୂପ ରାଶି
ଉନ୍ମାଳିତ ଶିଳ୍ପୀର ଯତ୍ନେ ।
୮
ଏହି ସେହି ଉତ୍କଳ ଧରିତ୍ରୀ
ଯହିଁ ଧୌଳୀ, ଜୌଗଡ଼ ରାଜେ
ଶିଳାକ୍ଷରେ ଯହିଁ ଜୀବେମୈତ୍ରୀ
ଘୋଷିତ ଅଶୋକ ସାମ୍ରାଜ୍ୟେ
୯
ଏହି ସେହି ଉତ୍କଳ-ଧରଣୀ
ଯହିଁ ହରିନାମ ପ୍ରଚାରି,
ଦେଖାଇଲେ ଭକତି-ସରଣୀ
ଶ୍ରୀ ଚୈତନ୍ୟ ପ୍ରେମ ଭିଖାରୀ ।
୧୦
ମହାନଦୀ-ବ୍ରାହ୍ମଣୀ-ସେବିତ ।
ସୁବର୍ଣ୍ଣରେଖା-ଋଷିକୂଲ୍ୟା
ବୈତରଣୀ-ପ୍ରବାହ ପ୍ଲାବିତ
ଉତ୍କଳା-ସୁଷମା-ଅତୁଲ୍ୟା ।
୧୧
ମହୋଦଧି ଦିଗନ୍ତ ବିସ୍ତାରି
ଚିଲିକା ହ୍ରଦ ଜଳରାଶି
ଅଟବୀ-ଅଚଳ-ବ୍ରଜଧାରୀ
ଉତ୍କଳ ଚିତ୍ତ ଉଲ୍ଲାସୀ ।
୧୨
ଶିଳାବନ୍ଧବେଷ୍ଟିତ କଟକେ
ଭଗ୍ନ ବାରବାଟୀ ଅଦୂରେ
ସ୍ମର ବାରେ କଳ୍ପନା-ଛଟକେ
ପୂରୁବ ଯଶୋଧନ ଶୂରେ ।
୧୩
ପୂରୁବ ଉନ୍ନତ ପଦଭ୍ରଷ୍ଟ
ହେ ଉତ୍କଳ ନବ୍ୟ ସମାଜ !
ଉତ୍କଳ ର କି ଦୁର୍ଗତି କଷ୍ଟ
ଉତ୍କଳୀୟେ ଦେଖ ହେ ଆଜ ।
୧୪
ଆଜି ଝାଡ଼ଖଣ୍ଡ ଜନପଦ
ଭଞ୍ଜ ଭୂମି ଆଦି ବିରାଜେ,
ପୁରାତନ ଗୌରବ ସମ୍ପଦ
ଚିତ୍ରମାତ୍ର ଓଡ୍ରସମାଜେ ।
୧୫
ଏବେ ଦେଖ ବ୍ରିଟିଶ ସୁରାଷ୍ଟ୍ରେ
ଧୀରେ ଲଭି ନବ ଚେତନା
ପଞ୍ଜାବରେ ବଙ୍ଗେ ମହାରାଷ୍ଟ୍ରେ
ଲାଗିଛି କର୍ମର ସାଧନା ।
୧୬
ଅଳସ ନିଶ୍ଚେଷ୍ଟ ମ୍ରିୟମାଣ
ଉତ୍କଳୀୟେ ନରୁହ ଆଉ,
କର୍ମର ସାଧନେ ଦିଅ ଦିଅ ପ୍ରାଣ,
ଲାଜ ହୀନତା ଚାଲିଯାଉ ।
୧୭
ଅରଜ ହେ କର୍ମର ସମ୍ପଦ,
‛କର୍ମ ହିଁ ଧର୍ମ’ ମନ୍ତ୍ର ଜପି
ହୁଅ ସତ୍ୟଜ୍ଞାନ-ବିଶାରଦ
ବଳ ବୁଦ୍ଧି ସର୍ବ ଅରପି ।
୧୮
ଜ୍ଞାନ-କର୍ମ-ତପସ୍ୟାର ବଳେ
ଏ ଭାରତ-ମହୀ-ମଣ୍ଡଳେ
ଜିଣି ସିଦ୍ଧି ଭବରଙ୍ଗ ତଳେ
ଉଜ୍ଵଳ କର ହେ ଉତ୍କଳେ ।
ଉପସ୍ଥାପନା: ଶିଶିର ସାହୁ ମନୋଜ
~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ…
~ ଚଢେୟା ନାଟ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ…
~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ…
~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ…
~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି…
~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ…