ଲେଖା: ଦେଵ ତ୍ରିପାଠୀ

~ ଆମ ଲୋକସାହିତ୍ୟ ~

“ସାଧୁସନ୍ଥ ଜନଙ୍କର ପରମ କାରଣ
ଦୁଷ୍ଟ ଜନଙ୍କର ଗର୍ବର ଗଞ୍ଜନ,
ସନ୍ଥ ପ୍ରାଣୀଙ୍କର ଆରତ ତରୁଥିବ
ରାମ ରାମ ବାଇଲେ କି ଛାଡିଯିବ ପାପ
ଏ ଘଟରୁ ମୁକ୍ତ କର ହେ ପ୍ରଭୁ ରାମ
ସଦା ତୁଣ୍ଡେ ନେଉ ଅଛି ତୁମ୍ଭରି ହେ ନାମ ।”
——————————————-
“ରାଜାକୂଳ ବଡ଼ ସୁଖ ଲୋ ଜନନୀ,
ଯୋଗୀକୂଳ ବଡ଼ ଦୁଃଖ !
ନ ଜାଣନ୍ତି ଯୋଗୀ ଖରା କି ବରଷା
ମାଗି ବୁଲୁଥା’ନ୍ତି ଭିକ !”
#ମାଣବସା, #ସୁଦଶାବ୍ରତ, #ବାଟଓଷା ଭଳି ବ୍ରତ ଉପବାସ ଅନ୍ତରାଳେ ଯେପରି ଧାର୍ମିକ ଆଚରଣ ଯୋଡ଼ି ହୋଇ ରହିଥାଏ; #ରଜପର୍ବ, #ପ୍ରଥମାଷ୍ଟମୀ, #ଖୁଦୁରୁକୁଣୀ ସହିତ ରହିଥାଏ ଅଧିକତର ପ୍ରାଣସ୍ଫୂର୍ତ୍ତିମୟ ଏକ ଉଲ୍ଲାସ । ଜୀବନ ଭୂଗୋଳକୁ ଅଧିକ ଅନୁଭୂତି ସର୍ବସ୍ବ, ବ୍ୟାପକ ଓ ସଦିଚ୍ଛାମୟ କରିବାରେ ଏହା ଆଙ୍କେ ଅନେକ ସଚିତ୍ର ନକ୍ସା । ଅଷ୍ଟପ୍ରହରୀ ଭଳି ନିରୁତା ବୈଷ୍ଣବୀୟ ଉଦଣ୍ଡ କୀର୍ତ୍ତନ କି #ହୋଲି ପରି ଏକ ରଙ୍ଗରସମୟ ପର୍ବର ଇତିହାସ ଆମ ପରମ୍ପରାର ପେଡ଼ି ଭିତରେ ସାଇତା ନୂଆ ବଉଳଫୁଲିଆ ପାଟ ଖଣ୍ଡେ । କିନ୍ତୁ ଆଜି କିଛି ପର୍ବପର୍ବାଣୀର ପାଟଶାଢ଼ୀ ରୁଖିଆ କଟା ହୋଇ ସେମିତି ପଡି ରହିଥାନ୍ତି – ନା ତା’କୁ ପିନ୍ଧି ହୁଏ ନା ଫିଙ୍ଗି ହୁଏ । କିନ୍ତୁ ପରମ୍ପରାର ମହାଦ୍ରୁମ ଶିଖରରେ ସଦା କଅଁଳୁଥାଏ ନୂଆପତ୍ର ଏବଂ ସେହି ଅନୁପାତରେ ଚେର ବି ମାଟିତଳକୁ ସେତିକି ବିସ୍ତାର ଲାଭ କରିଚାଲେ ।
ସେମିତି ଏକ ଗଭୀର ଚେର ଲଟେଇଥିବା ପ୍ରାଚୀନ ପରମ୍ପରା – ଜାନୁଘଣ୍ଟ । ଇଏ ସତ୍ଯଯୁଗରୁ ଏ ଯାଏଁ ପ୍ରଚଳିତ ଏକ ଧାରା – ଜଣେ ବ୍ୟକ୍ତି ବିଶେଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ପଦାଙ୍କ ଅନୁସରଣର ଏକ ପ୍ରଚେଷ୍ଟା ।
କିମ୍ବଦନ୍ତୀ କହେ, ସତ୍ୟଯୁଗରେ ରାଜତ୍ଵ କରିଥିବା ନୃପତି ମାନଙ୍କ ମଧ୍ୟରୁ ଛଅଜଣ ଥିଲେ ରାଜଚକ୍ରବର୍ତ୍ତୀ – ବଳି, ବେଣ, ମାନ୍ଧାତା, #ପୁରୁରବା, #ଜାନୁଘଣ୍ଟ#ପର୍ଶୁରାମ । ଏମାନଙ୍କ ମଧ୍ୟରୁ ବଳି ଓ ପର୍ଶୁରାମ ବିଶେଷ ଭାବରେ ଖ୍ୟାତ । ମାନ୍ଧାତା ଓ ପୁରୁରବା ମଧ୍ୟ ଅପରିଚିତ ନୁହଁନ୍ତି । ଅତି ପ୍ରାଚୀନ କାଳକୁ ସୂଚାଇବାକୁ ଯାଇ ‘ମାନ୍ଧାତା ବେଳର କଥା’ ବୋଲି ଆମେ କହିଥାଉ । ଏହି ଷଡଚକ୍ରବର୍ତ୍ତୀ ଥିଲେ ଦାନ, ଧର୍ମ, ଦୟା ଓ ନ୍ୟାୟର ଦୁର୍ଲଭ ଦୃଷ୍ଟାନ୍ତ ଏବଂ ଭାରତର କୌଣସି ନା କୌଣସି ପ୍ରାନ୍ତରେ ସେମାନଙ୍କୁ ସ୍ମରଣ ପୂର୍ବକ କିଛି ଉତ୍ସବ ପାଳନ କରାଯାଏ, ମାତ୍ର ଏମାନେ ଇତିହାସର ସୀମା ସରହଦ ସେପାରିରେ ରହିଯାଇଛନ୍ତି । #ମାଦଳାପାଞ୍ଜିରେ ଉଲ୍ଲେଖ ରହିଛି ‘ଜାନୁଘଣ୍ଟ’ଙ୍କ ନାମ । କିଛି ସଂସ୍କୃତଗ୍ରନ୍ଥରେ ‘ଜାନୁଘଣ୍ଟ’ ପରିବର୍ତ୍ତେ ‘ଧୁନ୍ଦୁମାର’ ଏବଂ ‘ପର୍ଶୁରାମ’ଙ୍କ ବଦଳରେ ‘କୀର୍ତ୍ତବୀର୍ଯ୍ୟ’ଙ୍କ ନାମ ଉଲ୍ଲେଖ ରହିଛି ।
ତେବେ ଆମ ଓଡ଼ିଶାରେ ଏକ ବିଶେଷ ସମ୍ପ୍ରଦାୟ ନିଜକୁ ଜାନୁଘଣ୍ଟଙ୍କ ଅନୁଗାମୀ ରୂପେ ପରିଚୟ ଦିଅନ୍ତି ଏବଂ ପର୍ଶୁରାମଙ୍କ ଭକ୍ତ ବୋଲି କହନ୍ତି । ରାଜା ଜାନୁଘଣ୍ଟଙ୍କ ପରି ଏମାନେ ନିଜ ଜଙ୍ଘରେ ଏକ ଡୋରରେ ଘଣ୍ଟି ବାନ୍ଧି ଝୁଲାଇଥାନ୍ତି । ବେକରେ ଥାଏ ତୁଳସୀ ମାଳା, ଦେହ ଚନ୍ଦନଚର୍ଚ୍ଚିତ ଓ ମୁକ୍ତ, ଆଣ୍ଠୁ ଉପରକୁ ଖଣ୍ଡେ ଗେରୁଆ ବସ୍ତ୍ର, କାନ୍ଧରେ ଫାର୍ସା, କର୍ଣ୍ଣରେ କୁଣ୍ଡଳ, ହାତରେ ମାଟିକୁମ୍ଭ ଧରି #ପଞ୍ଚମୁଖୀ ଶଙ୍ଖଧ୍ୱନି କରି ଏମାନେ ଭିକ୍ଷା କରନ୍ତି; ମାତ୍ର ବ୍ରାହ୍ମଣୋଚିତ ସ୍ବାଭିମାନ ପାଇଁ କାହାର ଦ୍ଵାରସ୍ଥ ହୁଅନ୍ତି ନାହିଁ । ଶଙ୍ଖଧ୍ୱନି ଶୁଣି ଯେଉଁ ଗୃହିଣୀ ସ୍ବେଛାକୃତ ଭାବେ ଯାହା କିଛି ଅର୍ପଣ କରେ ସେମାନେ ଗ୍ରହଣ କରନ୍ତି । ସୂର୍ଯ୍ୟାସ୍ତ ପରେ ସେମାନେ ଭିକ୍ଷା ଗ୍ରହଣ କରନ୍ତି ନାହିଁ ଏବଂ ଜାନୁଦେଶରୁ ଘଣ୍ଟିଟିକୁ ଖୋଲି ଦିଅନ୍ତି । ଘଣ୍ଟି ଖୋଲିଲା ପରେ ସେମାନେ ମୌନ ଅବଲମ୍ବନ କରିଥାନ୍ତି ।
ପଥପ୍ରାନ୍ତରେ ବୁଲିବା ସମୟରେ ସେମାନେ ବିଭିନ୍ନ ଭକ୍ତିଭାବପୂର୍ଣ୍ଣ ଗୀତ ଗାଇ ଚାଲନ୍ତି ଜାନୁଘଣ୍ଟମାନେ । ସେ ଗୀତ କେବଳ ଭକ୍ତିରସରେ ଭରା ଥାଏ, ନିହିତ ଥାଏ ଧର୍ମର କଥା, ଦାନପୁଣ୍ୟର କଥା, ଆଦର୍ଶର କଥା, ଜୀବନର କଥା ! ଇଏ ଆମ ଲୋକସାହିତ୍ୟ ! ଯେଉଁଠି ଆମ ଲୋକସଂସ୍କୃତି ସେଇଠି ସେସବୁକୁ ପରିପୁଷ୍ଟ କରିବା ନିମିତ୍ତ ଅଛି ଆମ ଲୋକସାହିତ୍ୟ ! ସଂସ୍କୃତି ଆଉ ସାହିତ୍ୟ ! ଗୋଟିକ ବିନା ଆରଟି ଅଧୁରା !
ଗଞ୍ଜାମ, ଅବିଭକ୍ତ କଟକ ଓ ପୁରୀ ଜିଲ୍ଲାଗୁଡ଼ିକରେ ଜାନୁଘଣ୍ଟିଆମାନେ ଅପେକ୍ଷାକୃତ ଅଧିକ ସଂଖ୍ୟାରେ ଦୃଶ୍ୟମାନ ହେଉଥିଲେ । କଥିତ ଅଛି ପର୍ଶୁରାମ ପୃଥିବୀରୁ ଏକବିଂଶବାର କ୍ଷତ୍ରିୟଙ୍କୁ ନିପାତ କରିବା ସମୟରେ ଜାନୁରେ ଘଣ୍ଟି ବାନ୍ଧିଥିଲେ । ସେହି ଘଣ୍ଟିର ନିନାଦରେ ଶତ୍ରୁମାନେ ଭୟରେ ଶିହରୀ ଉଠୁଥିଲେ । ତେଣୁ ତାଙ୍କୁ #ଜାନୁଘଣ୍ଟ_ପର୍ଶୁରାମ କୁହାଯାଉଥିଲା । ଜାନୁଘଣ୍ଟିଆମାନେ ନିଜକୁ ପର୍ଶୁରାମଙ୍କ ବଂଶଜ ବୋଲି କହିଥାନ୍ତି ।
ଏମିତି ବି ହୁଏ କିଛି କିଛି ଅଞ୍ଚଳରେ ! ରାମ ଓ ପର୍ଶୁରାମ ବେଶ ହୋଇ ପଡ଼ା ମଧ୍ୟକୁ ଦୁଇଜଣ ବ୍ରାହ୍ମଣ ଏକାଠି ଆସନ୍ତି । ରାମଙ୍କ ହାତରେ ଥାଏ ଧନୁଶର ଓ ପର୍ଶୁରାମଙ୍କ ହାତରେ ଥାଏ ପର୍ଶୁକୁଠାର । ଗ୍ରାମର ବା ସାହିର ଦୁଇମୁଣ୍ଡରୁ ଦୁଇଜଣ ପ୍ରବେଶ କରନ୍ତି । ଯେଉଁଠାରେ ଭେଟହୁଏ ସେଠାରେ ଯୁଦ୍ଧର ଆହ୍ୱାନ ଭଳି ଅଭିନୟ କରନ୍ତି । ଦୁଇଜଣଙ୍କ ମଧ୍ୟରେ ବାକ୍’ଯୁଦ୍ଧ ଚାଲେ । ସେ ଯୁଦ୍ଧ ଗୀତରେ ହିଁ ହୁଏ ! ସେସବୁ ଆମ ଲୋକସାହିତ୍ୟର ଅଂଶ ! ଆଜକୁ ସେସବୁ ଆଧୁନିକତାର ଛାୟାରେ ବିବାକ ମଳିନ ! ଶେଷରେ ପର୍ଶୁରାମ ବେଶଧାରୀ ଭିକ୍ଷୁ ହାରିଯାଇ ଶ୍ରୀରାମ ବେଶଧାରୀ ଭିକ୍ଷୁଙ୍କ ନିକଟରେ ଶରଣ ପଶନ୍ତି । ଏହି ଦୃଶ୍ୟ ଦେଖିବାକୁ ବହୁଲୋକ ରୁଣ୍ଡ ହୁଅନ୍ତି । ସେମାନେ ରାମ ଓ ପର୍ଶୁରାମ ବେଶଧାରୀ ବ୍ରାହ୍ମଣଙ୍କୁ ଭିକ୍ଷା ଦିଅନ୍ତି ।
ଦିନ ଥିଲା, ଜାନୁଘଣ୍ଟ ଏକ ଚାରଣ ସମ୍ପ୍ରଦାୟର ଥିଲେ । ସମ୍ପ୍ରତି କେତେକ ସ୍ଥାନରେ ସେମାନେ ସ୍ଥାୟୀ ଭାବେ ବସବାସ କରିଲେଣି । ବିଭିନ୍ନ ବ୍ୟାଧିରୁ ମୁକ୍ତିଲାଭ ପାଇଁ ସେମାନେ ଚେରମୂଳି ଦେବା ଏବଂ ବିଶେଷ ଭାବରେ ନିଃସନ୍ତାନ ନାରୀମାନଙ୍କୁ ଏକ ପ୍ରକାର ଚରୁଅନ୍ନ ପ୍ରଦାନ କରି ସନ୍ତାନ ସମ୍ଭବା କରାଇବା ସେମାନଙ୍କର ଅନ୍ୟତମ ବୃତ୍ତି । ସେମାନଙ୍କର ଗୁରୁଶିଷ୍ୟ ପରମ୍ପରା ମଧ୍ୟ ଥିଲା ।
ଜାନୁଘଣ୍ଟଙ୍କ ପରି ପୁଣି ଅଛନ୍ତି ଆମ ସ୍ଫର୍ଦ୍ଧିତ ପରମ୍ପରାର ଅନ୍ୟତମ ଗାଥାକାର, ସତ୍ୟଧର୍ମ ଓ ଭଗବତପ୍ରେମର ବାର୍ତ୍ତାବହ – #କେନ୍ଦେରା #ଯୋଗୀ ! ହାତରେ ତାଙ୍କର କେନ୍ଦେରା ବାଦ୍ୟ, ବେକରେ ରୁଦ୍ରାକ୍ଷ, କାନ୍ଧରେ ଉପବୀତ, ଚିତାଚୈତନ୍ୟ ସମନ୍ୱିତ, କାନ୍ଧରେ ବୁଜୁଳା ଓ ଲାଉତୁମ୍ବା । ଏକଦା ନିର୍ଦ୍ଦିଷ୍ଟ କିଛି ଜନଜାତିବହୁଳ ଅଞ୍ଚଳକୁ ଛାଡ଼ି ଉପକୂଳ ଓ ପଶ୍ଚିମାଞ୍ଚଳ ରାଇଜର ପ୍ରାୟତଃ ସବୁ ଅଞ୍ଚଳରେ ଗାଁ ମାଟିରେ ଏମାନେ ତୋଳୁଥିଲେ କରୁଣ ରାଗିଣୀ ! #ଟୀକା_ଗୋବିନ୍ଦଚନ୍ଦ୍ର ଉପାଖ୍ୟାନର ବାଣୀ !
“ଭଜୁକି ନା ରାମନାମରେ କୁମର
ଜପୁକି ନା ରାମନାମ,
ଭଜି ନ ପାରିଲେ କୁଳଚନ୍ଦ୍ରମାରେ
ବାନ୍ଧିନେବ କାଳଯମ II”
ଧୁ ଧୁ ଖରାବେଳର ନିରବତାକୁ ଚ୍ଛିନ୍ନ କରି ସେମାନେ ଗାଉଥାନ୍ତି #ଚୋଖି, #ଛାନ୍ଦ, #ତ୍ରିପଟା, #ହାଖବନ୍ଦା, #କଣ୍ଡିଦାନୀ, #ଶୈବ୍ୟାରାଣୀ ଶୋକ, #ମାଳିକାବଚନ ଅବା ମହାଭାରତର କଥାବସ୍ତୁ ! #ଯୋଗୀଗୀତର ଅସୁମାରୀ ସମ୍ଭାର ! ଆମ ଲୋକସାହିତ୍ୟ ! ଆମ ଲୋକସଂସ୍କୃତିର #କମନୀୟ #ସଙ୍ଗୀତ !
କେତେ ମହନୀୟ ଥିଲା ଏସବୁ ଯୋଗୀଗୀତ ! ସମାଜ ସେସବୁ ଲୋକଗୀତକୁ #ଯୋଗୀଗୀତାର ଆଖ୍ୟା ଦେଇଥିଲା ! କେଉଁ ସ୍ମରଣାତୀତ କାଳରୁ ଚାଲିଆସୁଥିଲା ସେସବୁ ଗୀତ, ଆମ ସମାଜରେ ! କିଛି ଗୀତ ପରବର୍ତ୍ତୀ କାଳୀନ କବିମାନଙ୍କ ଦ୍ଵାରା ରଚିତ ! ଯେମିତି ବିଶିକେଶନ ଗୀତ, ପଣ୍ଡିତ #ବଳରାମ_ଦାସ ଙ୍କ #ବଉଳାଗାଈ ଗୀତ ଆଦି !
ସମଗ୍ର ପରିବେଶ ଯେତେବେଳେ ସ୍ତବ୍ଧ, ସେ ନିର୍ଘୋଷ କରନ୍ତି ଚେତାବନୀ । ବୈଶାଖର ଝାଞ୍ଜି ଭିତରେ ସେ ବର୍ଷା କରନ୍ତି ସମାଜ-ମଙ୍ଗଳର ଗାଥା, ଏଇ ଯୋଗୀଗୀତ ଗାଇ ଗାଇ ! ଦାରିଦ୍ର୍ୟକୁ ଶଙ୍କା ନ କରି, ଦାନକୁ ଲୋଭ ନ କରି ! ସେ ଉଦାତ୍ତ କଣ୍ଠସ୍ୱର ସହ ଝୀନ #କେନ୍ଦେରାର ସୁର ଶୁଭେ ବହୁଦୂରରୁ, ପଲ୍ଲୀର ନିଘଞ୍ଚ ନିରବତାକୁ ବିଦୀର୍ଣ୍ଣ କରି, ବନ୍ଦ ହୋଇଯାଇଥିବା ଯାଉଁଳି କବାଟକୁ ଭେଦ କରି ମଧ୍ୟାହ୍ନର ଅଳସତନ୍ଦ୍ରାକୁ ଅପସାରି ଆସେ ଶବ୍ଦ । କୂଳବଧୂମାନେ ହୋଇଉଠନ୍ତି ସଚେତନ। #କେନ୍ଦେରା_ଯୋଗୀ ଦ୍ଵାରମୁହଁରୁ ଫେରିଯିବା ଶୁଭ ଲକ୍ଷଣ ନୁହେଁ । ଯୋଗୀଙ୍କୁ ଶ୍ରଦ୍ଧାରେ ଟେକିଦେଇ ପରିପୂର୍ଣ୍ଣ କରିବ ଭିକ୍ଷାପାତ୍ର, କଲ୍ୟାଣ ନେବ । ସେଥିପାଇଁ କେନ୍ଦେରା ଯୋଗୀ କାହାରି ଘରେ ଭିକ୍ଷା ପାଇଁ କଟାଳ କରନ୍ତି ନାହିଁ, ମୁହଁ ଖୋଲି ମାଗନ୍ତି ନାହିଁ, କୌଣସି ଦ୍ଵାରରେ ଦଣ୍ଡେ ଅଟକି ରହନ୍ତି ନାହିଁ !
ସମୟକ୍ରମେ ଆଗ କାଳର ଅନେକ କଥା ଆଜି ବଦଳିଯାଇଛି, ଏବେ ନରମି ଯାଇଛି କେନ୍ଦେରାର ସ୍ବର । ତଥାପି ଏବେ ମଧ୍ୟ #ବାଙ୍କୀ ଉପଖଣ୍ଡର କେନ୍ଦେରା ଯୋଗୀ ବଞ୍ଚାଇ ରଖିଛନ୍ତି ଏଇ ମହାନ ପରମ୍ପରାକୁ, ସମାଜର ଦାନ ଗ୍ରହଣ କରି ସମାଜକୁ ପୂଣ୍ୟଧର୍ମର ବାର୍ତ୍ତା ଚାରଣଗୀତିକା ମାଧ୍ୟମରେ କରିଚାଲିଛନ୍ତି ପ୍ରଚାର, ଆଉ ଲଭିଆସୁଛନ୍ତି ଭଗବାନଙ୍କ ନିକଟତର ହେବାର ଆତ୍ମସନ୍ତୋଷ II
ସୁକୁ ସୁକୁ ହେଉଥିବା ଏଇ ଲୋକସଂସ୍କୃତିରେ ଆଧୁନିକତା ନାମରେ ମିଶିଯାଇଛି ନୂତନ ପରିବର୍ତ୍ତିତ ଗୀତମାନ ! ଆଉ ତା ସହିତ ଲିଭି ଲିଭି ଯାଉଛି ଆମ ଲୋକସାହିତ୍ୟର ଦୀପଶିଖା !
ମୂଳଚିତ୍ର: ‘ସମାଜ’
ଆଧାର: ‘ଓଡ଼ିଆ ସାହିତ୍ୟର ଇତିହାସ’, ଡ. ସୁରେନ୍ଦ୍ର କୁମାର ମହାରଣା; ‘ସମାଜ’ ଓ ‘ସଚିତ୍ର ବିଜୟା’
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago