ଲେଖା: ଓମ୍ ପ୍ରକାଶ ବିଶ୍ୱାଳ
ଓଡ଼ିଶାର ଖାଦ୍ୟ ଯେତେ ସୁନ୍ଦର ଖାଦ୍ୟକୁ ନେଇ ଥିବା ଲୋକ କଥା ଓ କାହାଣୀ ଗୁଡା ବି ଆହୁରି ସୁନ୍ଦର। ଆଜି ଆପଣମାନଙ୍କୁ ଶୁଣେଇବି ଚକୁଳି ପିଠାକୁ ନେଇ ଏକ ବହୁତ ମଜାଦାର ଲୋକ କାହାଣୀ…
ମୂଳ କାହାଣୀକୁ ମୁଁ ମୋ ଢଙ୍ଗରେ ପୁନର୍କଥନ କରିଛି…
“ସାତ ଚକୁଳି ଚଉଦ ଚେଁ, ଶାଶୁ ବୁଝିଲେ ଜ୍ୱାଇଁ ସର୍ବଜ୍ଞେ ….”
ଉପକୂଳ ଓଡିଶାର ଗାଁ ଗହଳିରେ ଏମିତି ଏକ ଢ଼ଗ ଚାଲେ। ଗାଁ ଲୋକେ କଥାବାର୍ତ୍ତା ହେଲା ବେଳେ କି ଗାଁ ମାଇପିଏ ଝଗଡାଝାଟି କଲା ବେଳେ ପରସ୍ପରକୁ ଛିଗୁଲେଇ ଏଇ ଢଗ ବୋଲନ୍ତି। କଣ ଏ ଢଗର ମାନେ..? କଣ ୟା ପଛର କାହାଣୀ..?
ଆସନ୍ତୁ ଜାଣିବା . .
କାହିଁ କେଁ ଦିନ ତଳର କଥା। ଓଡ଼ିଶାର କେଉଁ ଏକ୍ ଗାଉଁଲି ମୁଲକରେ ଏକ୍ ଯେ ଥିଲା ବିଧବା ବୁଢ଼ୀ। ବୁଢ଼ୀର ସଂସାର ବୋଇଲେ ଝିଅଟିଏ। ଝିଅ ବଡ଼ ହେଲା, ପିନ୍ଧା ବାସ ଛୋଟ ହେଲା। ଝିଅ ଦେହକୁ ଯଉବନ ଛୁଇଁଲା। ବୁଢ଼ୀ ମୁଣ୍ଡରେ ଚଡକ, କଥାରେ ଅଛି ଝିଅ – ଘିଅ, ବେଶୀଦିନ ରଖିବା କଥା ନୁହଁ। ସେଇଠୁ ଆରମ୍ଭ ହେଲା ଝିଅ ପାଇଁ ପାତ୍ର ଖୋଜା। ଡ଼କରା ପଡିଲା ହରି ମାହାନ୍ତିଙ୍କୁ।
ମାହାନ୍ତିଏ ଖଣ୍ଡମଣ୍ଡଳର ନାଁ କରା ଘଟକ, ବୁଢ଼ୀ ଭାଷାରେ କହିଲେ ମଧ୍ୟସ୍ଥି। ବହୁ ଖୋଜାଖୋଜି ପରେ ମାହାନ୍ତିଏ ଚଉକସ ପ୍ରସ୍ତାବଟିଏ ଆଣିଲେ। ପାତ୍ର ଆମର ଭେଣ୍ଡିଆ ଟୋକା, ନିଜ ଜମିରେ ହିଡ ଦେଇ ସୁନା ଫଳଉଛି। ଘରର ରହଣି ସହଣୀ ଭଲ।
ତା’ ପରେ ପୁଅ ଆସିଲା ଝିଅ ଦେଖିବାକୁ। ପାତ୍ରକୁ ଦେଖୁଦେଖୁ ବୁଢ଼ୀ ମନ ଖଟା, କଥା କଣ କି ପାତ୍ରଟି ଆମର ଗୋଟେ ଆଖିରେ ଟେରା। ଯାହାକୁ କୁହନ୍ତି ଚନ୍ଦ୍ର ଟେରା। ହରି ମାହାନ୍ତିଙ୍କୁ ଆଡୁଆକୁ ଡାକିନେଇ ବୁଢ଼ୀ ପଚାରିଲା ‘ହଇହେ ମାହାନ୍ତି ପୁଅ! ଇଏ କଣ ? ଏ ଟୋକା କଣ ଟେରା? କାହିଁ କହୁ ନ ଥିଲତ ମୋତେ।’ ମାହାନ୍ତି ଉତ୍ତର ଦେଲେ, ‘ଆରେ ଟେରା ହେଲେ କଣ ହେଲା, ଭାରି ପାରିବାର ପିଲା। ଭାରି ବୁଦ୍ଧିଆ। ମାଟିକୁ ସୁନା କରିଦେବ ଏ ଟୋକା।’
ସେଇଠୁ ଝିଅ ଦେଖା ହେଲା। ଝିଅ ବଡ଼ ପସନ୍ଦ ଆସିଲା ପାତ୍ରକୁ। ବୁଢ଼ୀ ବୋଇଲା ‘ହଉ ବସ ମୁଁ ଚକୁଳି ଦୁଇଟା ପକେଇ ଦିଏ ଖାଇଦେଵ।’ ବୁଢ଼ୀ ଚକୁଳି କରି ବାଢ଼ିଦେଲା। ବର ପାତ୍ର ଓ ମାହାନ୍ତିଏ ଦୁଇ ଦୁଇଟି ଲେଖାଏଁ ପିଠା ଖାଇସାରିବା ପରେ ବୁଢ଼ୀ କଅଁଳେଇକି ବରପାତ୍ରକୁ ପଚାରିଲା ‘ବାପରେ! ଆଉ ଖଣ୍ଡେ ପିଠା ଦେବିକି ?’ ଏ ପାତ୍ର ଆମର ସଂଗେ ସଂଗେ ଜବାବ ଦେଲା ‘ନାଇଁ ମା! ଥାଉ, ସବୁ ୭ ଟା ପିଠା କରିଛନ୍ତି । ଆମେ ତ ଦୁଇ ଦୁଇଟା କରି ୪ ଟା ଖାଇସାରିଲୁଣି। ଆଉ ଦିଅନି ।’ ଏ କଥା ଶୁଣି ବୁଢ଼ୀ କାବା।