ଲେଖା: ଶିଶିର ସାହୁ ମନୋଜ
ଆମର ଓ ଜଗାର ଅଭିଧାନ ତଥା ଶବ୍ଦାଦି ମଧ୍ୟରେ କେତେକ ଭିନ୍ନତା ରହିଛି । ଆମେ ପ୍ରଜା ସେ ରଜା, ରଜାଙ୍କ ପରି ସହସ୍ରାଧିକ ଵର୍ଷକାଳ ଶଵର ଓ ଓଡ଼ିଆଙ୍କ ଦ୍ଵାରା ପୂଜିତ ହୋଇଆସୁଛି ସେଇ କଳାଵଦନ ନୀଳାଚଳିଆ ।
ରଜାଙ୍କ ଦୈନନ୍ଦିନ ଜୀଵନ, ରୀତିନୀତି, ଚଳଣି ଇତ୍ୟାଦିସାଧାରଣ ଜନତାଙ୍କଠାରୁ ଭିନ୍ନ ହେଉଥିଲା ତେଣୁ ଶବ୍ଦ ବି ଭିନ୍ନ ରହୁଥିଲା । ଜଗନ୍ନାଥ ମନ୍ଦିରରେ ଵ୍ଯଵହୃତ ଏଇଭଳି ଏକ ଶବ୍ଦ ହେଉଛି “ମଇଲମ ନୀତି” ।
ପ୍ରତ୍ଯହ ନିର୍ଦ୍ଧାରିତ ସମୟ ସକାଳ ଛଅଟାରେ ଶ୍ରୀଜିଉଙ୍କ ଏହି ନୀତି ପାଳିତ ହୋଇଥାଏ କିନ୍ତୁ ମଙ୍ଗଳ ଆରତି ଶେଷ ହେବା ପରେ ଏହି ନୀତି ହୁଏ । ଏହି ନୀତିରେ ଜଡ଼ିତ ସେଵକମାନେ ହେଲେ ପୃଷ୍ଠାଳକ (୩ଜଣ), ଖୁଣ୍ଟିଆ, ଚାଙ୍ଗଡ଼ା ମେକାପ ଓ ଧୋବା ।
ତିନି ଜଣ ପୃଷ୍ଠାଳକ ରତ୍ନସିଂହାସନ ଉପରକୁ ଉଠି ପୂର୍ଵରାତ୍ରରେ ଠାକୁରମାନଙ୍କ ଶ୍ରୀଅଙ୍ଗରେ ଥିବା ବେଶ ଫୁଲ, ତୁଳସୀ ଓ ଢ଼ସ୍ତ୍ରମାନ ମଇଲମ ଵା ବାହାର କରନ୍ତି । ଏଠାରେ ମଇଲମର ଅର୍ଥ ବାହାର କରିଵା ଵା କାଢି଼ଵା ଅଟେ ବୋଲି କେତେକ ପୁସ୍ତକାଦିରେ ଉଲ୍ଲେଖକରାଯାଇଛି ।
ଠାକୁରମାନଙ୍କ ଅବକାଶ ନୀତିପାଇଁ ତଡ଼ପ ଓ ଉତ୍ତରୀୟ ନାମକ ସୂତା ଗାମୁଛା ପରି ଵସ୍ତ୍ର ପୃଷ୍ଠାଳକମାନେ ପିନ୍ଧାନ୍ତି । ଏହି ଵସ୍ତ୍ର ପ୍ରତିଦିନ ଧୋବାସେଵକ ଧୋଇଵା ବିଧି ଅଛି । ଏହି ସେଵକ ପ୍ରକୃତରେ ଜାତିରେ ଧୋବା ନୁହେଁ; ସେ ବ୍ରାହ୍ମଣ କିନ୍ତୁ ଧୋଇଵା କ୍ରିୟାଟି କରୁଥିଵା ହେତୁ ତାଙ୍କୁ ଧୋଵାସେଵକ ଅଭିହିତ କରାଯାଇଛି ।
କିଛି ଲୋକ ଏ ଶବ୍ଦକୁ ଆରବୀ ଶବ୍ଦ “مَرْهَم” (marham)ର ଏକ ରୂପ ଭାଵେ ଅଭିହିତ କରୁଥିଲେ ହେଁ ଏହା ମୁଣ୍ଡା ସଉରା ଭାଷାପରିଵାର ସହ ସମ୍ବନ୍ଧିତ ଶବ୍ଦ ହୋଇଥିଵା ଅଧିକ ସମ୍ଭଵ ।
ଅଵଶ୍ୟ ମୁଣ୍ଡା ଭାଷାରେ କାଢି଼ଵାକୁ “ବାଲେ” କୁହାଯାଏ ଓ ବାହାରିଵାକୁ ଅଣ୍ଡଙ୍ଗା । ତେଵେ ଅନ୍ଯତମ ଆଷ୍ଟ୍ରୋଏସୀୟ ଭାଷା ଖଡି଼ଆ ଭାଷାରେ ବାହାରିଵାକୁ ମୁଃନା କୁହାଯାଏ ।
ଓଡ଼ିଆଭାଷାର ମଇଲମ ସହିତ ସବୁଠାରୁ ଅଧିକ ସାମଞ୍ଜସ୍ୟ ଥିଵା ଆଷ୍ଟ୍ରୋଏସୀୟ ଶବ୍ଦ ହେଉଛି “ମଅଳେନା” ଓ “ମାରିନା” ଏଵଂ ଏ ଶବ୍ଦଦ୍ଵୟ ଜୁଆଙ୍ଗ ଭାଷାରେ ଚଳୁଅଛି ।
ଜୁଆଙ୍ଗଭାଷାରେ ଓହ୍ଲେଇଵାକୁ “ମଅଳେନା” ଓ ବାହାରିଵାକୁ “ମାରିନା” କୁହାଯାଏ କୁହାଯାଏ ପୁଣି କାଢି଼ଵା ଅର୍ଥରେ ଏ ଭାଷାରେ “ଆବିରାଏ” ଶବ୍ଦ ବି ରହିଛି । ଆମେ କାଢି଼ଵା ଅର୍ଥରେ ଓହ୍ଲେଇଵା ଶବ୍ଦ ଵ୍ଯଵହାର କରିଥାଉ ଯଥା “ଵସ୍ତ୍ର ଓହ୍ଲେଇଵା” ।
ଆଶ୍ଚର୍ଯ୍ୟଜନକ ଭାଵେ ଏକ କଳିଙ୍ଗଦେଶୀୟ ଦ୍ରାଵିଡ଼ ଭାଷାରେ ମଧ୍ୟ କାଢି଼ଵା ଅର୍ଥରେ ମଇଲମ ସହ ସାମଞ୍ଜସ୍ୟ ଥିଵା ଶବ୍ଦ ଚଳୁଅଛି, ତାହା ହେଲା ମଲ୍’ହା । କିସାନ୍ ଵା କୁଣାହଁ ଭାଷାରେ କାଢି଼ଵାକୁ ମଲ୍’ହା କୁହାଯାଏ ତେବେ ଓରାଓଁରେ କୁହାଯାଏ ନତାଗ୍’ନା । ଏ ଉଭୟ ଭାଷା ଦ୍ରାଵିଡ ଭାଷାପରିଵାରର ଅଟନ୍ତି ।
ସେଇଭଳି କୁଭିରେ ଓହ୍ଲାଇଵା ଓ ଓଟାରିଵା ପାଇଁ ରେନା ଶବ୍ଦ ରହିଛି । ସଉରାଭାଷାରେ କାଢି଼ଵାକୁ ଆତାବ୍’ଵା କୁହାଯାଏ ଏଵଂ କୁଈରେ ସଡ଼୍ଃପା ଶବ୍ଦ ରହିଛି ବାହାରିଵା ଅର୍ଥରେ । କୋୟାରେ ବାହାର କରିଵା ପାଇଁ ରହିଛି ପେପ୍ପାନାଦ୍ ଶବ୍ଦ ।
ମଇଲମ ଶବ୍ଦ ମୁଣ୍ଡା ଶଵର ଭାଷା ପରିଵାରର ଶବ୍ଦ ହୋଇଥିଵା ଅଧିକ ସମ୍ଭଵପର କାରଣ ଶ୍ରୀଜଗନ୍ନାଥଙ୍କର ଏ ଜାତିଟି ଆଦ୍ଯ ପୂଜକ । ଓଡ଼ିଶାରେ କିସାନ୍ ଭାଷାର ମଲ୍’ହା ଶବ୍ଦ ସହ ମଇଲମ ଶବ୍ଦର ସାମଞ୍ଜସ୍ୟ ଥିଲେ ହେଁ ତାମିଲ ଇତ୍ୟାଦି ଭାଷାରେ ଏଭଳି କୌଣସି ଶବ୍ଦ ମିଳେନାହିଁ ।
ଏଠାରେ ଧ୍ଯାନ ଦେଵାଭଳି ଆଉ ଏକ କଥା ହେଲା ଏ ନୀତି ସହିତ ଚନ୍ଦନଲାଗି ଵିଧି ଅଙ୍ଗାଙ୍ଗୀଭାଵେ ଜଡ଼ିତ ରହିଛି । ଠାକୁରମାନଙ୍କର ବେଶ ମଇଲମ ହୋଇ ଶାଢି, ଖଣ୍ଡୁଆ ପିନ୍ଧାଯାଏ ତତ୍ପରେ ପୁଷ୍ପାଳକମାନେ ଠାକୁରମାନଙ୍କୁ ଚନ୍ଦନ ଲାଗି କରନ୍ତି । ଚନ୍ଦନ ସହିତ କର୍ପୂର, କେଶର, କସ୍ତୁରୀ ଘୋରା ହୋଇଥାଏ ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମଇଲମ ଶବ୍ଦର ଦ୍ଵିତୀୟ ଅର୍ଥ ଏଠାରେ ପ୍ରକଟିତ ହେଉଅଛି କାରଣ “ଦେଵତାଙ୍କ ଅଙ୍ଗରେ ଚୁଆ ଚନ୍ଦନ ବୋଳିଵା ନୀତି ଵିଶେଷ”କୁ ମଧ୍ୟ ମଇଲମ କୁହାଯାଏ ଏଵଂ ଠାକୁରମାନଙ୍କ ଏଇ ନୀତିରେ ବି ଚନ୍ଦନଲାଗି ଵିଧି ରହିଛି ।
ଚନ୍ଦନକୁ ମଳୟଜ ଓ ମଳୟୋଦ୍ଭବ କୁହାଯାଏ । ଘୋରା ଚନ୍ଦନକୁ ବି ମଳୟଜ କୁହନ୍ତି । ମଳୟଗଛକୁ ମଳୟଦ୍ରୁମ ଓ ମଳୟରୁହ କୁହାଯାଉଥିଵାଵେଳେ ଚନ୍ଦନକାଠକୁ “ମାଳୟ” କୁହାଯାଏ ।
ଯେହେତୁ ଏ ନୀତିରେ ଚନ୍ଦନ ଲାଗି ଵିଧି ରହିଛି ଏଵଂ ଚନ୍ଦନ ସମ୍ଵନ୍ଧୀୟ ମଳୟଜ, ମଳୟୋଦ୍ଭଵ, ମଳୟଦ୍ରୁମ, ମଳୟରୁହ ଓ ମାଳୟ ଇତ୍ୟାଦି ଅନେକ ଶବ୍ଦର ଓଡ଼ିଆ ମଇଲମ ସହିତ ସାମଞ୍ଜସ୍ୟ ରହିଥିଵାରୁ ଵିଶ୍ଵାସ କରାଯାଏ ଯେ ଏ ଶବ୍ଦଟିର ଚନ୍ଦନ ଲାଗି ନୀତି ସହିତ ସମ୍ପର୍କ ରହିଛି ।
ଯେଉଁ ମନ୍ଦିରରେ ବିଲାତି ଆଳୁ, କୋବି, ବିଲାତି ବାଇଗଣ ଓ ଲଙ୍କାମରିଚ ଭଳି ଵୈଦେଶିକ ପରିଵା’ର ଵ୍ଯଵହାର ଵର୍ଜିତ ସେଠାରେ ଏକ ଦେଵ ନୀତିର ନାମ ଵୈଦେଶିକ ଆରବୀ ଭାଷାର “مَرْهَم” (marham)ରୁ ସୃଷ୍ଟ ମଲମ ଶବ୍ଦୁ ହୋଇଥିଵ କି ?
ନା ! ଶ୍ରୀଜଗନ୍ନାଥଙ୍କୁ ପ୍ରାଚୀନକାଳରେ ପୂଜା କରୁଥିଵା ମୁଣ୍ଡା ଶଵର ଜାତିର ମୁଃନା(ଖଡି଼ଆ), “ମଅଳେନା” ଓ “ମାରିନା(ଜୁଆଙ୍ଗ) ଇତ୍ୟାଦି ଶବ୍ଦ ସହିତ ମଇଲମ ଶବ୍ଦ ସମ୍ଵନ୍ଧିତ ?
ମଳୟଗିରିରେ ଜାତ ହୋଇଥିଵା ଚନ୍ଦନକାଠକୁ ମାଳୟ ଓ ଚନ୍ଦନଗଛକୁ ମଳୟଦ୍ରୁମ କୁହାଯାଏ । ମଇଲମ ନୀତିରେ ଚନ୍ଦନଲାଗି ଅନ୍ଯତମ ଵିଧି ହୋଇଥିଵା ହେତୁ ମଳୟ ଵା ମାଳୟରୁ ଏହି ମଇଳମ ଶବ୍ଦ ସୃଷ୍ଟି ହୋଇ ଅଛି କି ?
© ଶିଶିର ସାହୁ ମନୋଜ
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…