ଲେଖା: ଦେଵ ତ୍ରିପାଠୀ
କଳା, ଭାସ୍କର୍ଯ୍ୟ, ସଂସ୍କୃତିରେ ଉର୍ବରା ଆମ ଓଡ଼ିଶାର ମାଟି । ନିପଟ ପଲ୍ଲୀର ନିରୀହ, ନିରନ୍ନ, ନିରକ୍ଷର ମଣିଷ ନିଜର ଅଭାବୀ ଦୁନିଆକୁ ଅଣଦେଖା କରି ଜୀବନ୍ୟାସ ଦିଏ ନିର୍ଜୀବ ପଥର, ନିର୍ବାକ ତାଳପତ୍ର, ପିଣ୍ଡୁଳାଏ ମାଟି, କମନୀୟ ରୂପାରେ ନିଜ କଳ୍ପନାର ସ୍ବପ୍ନମୟ ଦୃଶ୍ୟ ପଟ । କାଇଁ କେଉଁ ଅମପା ସମୟରୁ ଅଜଣା ଆକର୍ଷଣରୁ କୌଳିକ ବୃତ୍ତି ହୋଇ ଗଢି ଉଠିଛି କେତେ କଳାତ୍ମକ – ଇତିହାସ ମଧ୍ୟ ତା’ର ହିସାବ ରଖିନି । ହତାଦର, ଦାରିଦ୍ର୍ୟର ଚାବୁକମାଡ ସହି ନ ପାରି ମରି ହଜି ଗଲେଣି କେତେ କେତେ ଶିଳ୍ପକଳା । ପୃଷ୍ଠପୋଷକତା ଅଭାବ, ବିଦେଶୀ ସଂସ୍କୃତିର ନିର୍ଦ୍ଦୟ ଦଂଶନ ଓ ଯନ୍ତ୍ରସଭ୍ୟତାର ପ୍ରବଳ ପ୍ରତିଯୋଗିତା ସତ୍ତ୍ୱେ ସେଥିରୁ ବଞ୍ଚିବାର ଅପୂର୍ବ ପ୍ରେରଣା ପାଉଥିବା ଲୋକଟି ହିଁ ବଞ୍ଚାଇ ରଖିଛି ଏଇ କଳାକୁ ।
ସେଇ ଗୋଟିଏ ବୃତ୍ତିକୁ କେନ୍ଦ୍ର କରି ଗଢିଉଠିଛି ଗୋଟିଏ ଗାଁ, ଗାଁର ବାସିନ୍ଦାଙ୍କର ସେଇ ଗୋଟିଏ ଆତ୍ମନିଯୁକ୍ତି । କେଉଁଠି ପଥରରେ ଖୋଦେଇ ତ, କେଉଁଠି ମୁଖା ତିଆରି, କେଉଁଠି ପୁଣି ଗାଁ ଯାକର ଲୋକ ଘଣ୍ଟବଜାଳୀ । କେଉଁଠି ରୂପାରେ କମନୀୟ କୋଣାର୍କ ତିଆରିହୁଏ, କେଉଁଠି ମାଛଧରା ଡଙ୍ଗା ଓ ଜାଲ ତିଆରି ହୁଏ । ଆଉ କେଉଁ ଗାଁରେ ସଭିଏଁ ସାପ ଖେଳାଇ କୁଟୁମ୍ବ ପୋଷନ୍ତି, କେଉଁଠି ସୋଲରେ ମୁକୁଟ ତିଆରି ହୁଏ, ପୁଣି କେଉଁଠି ମାଟିରେ ଗଢାହୁଏ କେତେ କେତେ ଚିଜ ।
ସେଇମିତି ଆମ ପୁରୁଣା ବାଲେଶ୍ଵର ସମେତ ଜିଲ୍ଲାର ପାତ୍ରପଡ଼ା, ବଡ଼ଖୁଆ ଆଦି ଅଞ୍ଚଳର ଚଳମାନ ଚାରୁକଳା ଅନନ୍ୟ ଜଉ କଣ୍ଢେଇ !
ସାମ୍ପ୍ରତିକ ସମାଜର ମଣିଷମାନେ ଯେମିତି ଲୁହା, ଷ୍ଟିଲ, ପ୍ଲାଷ୍ଟିକ, ଆଲ୍ମୁନିୟମ, ଫାଇବର ସହିତ ପରିଚିତ ଜଉ ବା ଲାଖ ସହିତ ସେମିତି ପରିଚିତ ନୁହଁନ୍ତି । କାରଣ ଏବେ ଜଉ ବା ଲାଖର ପ୍ରଚଳନ ଆଦୌ ନାହିଁ କହିଲେ ଚଳେ ।
ମାତ୍ର ଏମିତି ବି ସମୟ ଥିଲା ! ଓଡ଼ିଶାରେ ଜଉର ପ୍ରଚଳନ ଥିଲା ! ଜଉକୁ ନେଇ ତିଆରି ବିଭିନ୍ନ ଚିଜର ଆଦର ଥିଲା । ଏଥିରେ ସ୍ତ୍ରୀଲୋକମାନେ ପିନ୍ଧୁଥିବା ଶଙ୍ଖା, ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି ହେବା ସହିତ ଏହା ଏକ ବିଶେଷ ପ୍ରଲେପ ଭାବରେ ବ୍ୟବହୃତ ହେଉଥିଲା । କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାର ଜଙ୍ଗଲରୁ ଜଉ ବହୁ ପରିମାଣରେ ମିଳୁଥିଲା । ବାଲେଶ୍ବର ଓ ଚାନ୍ଦବାଲି ବନ୍ଦର ଦେଇ ଅତୀତରେ ଏହି ଜଉ ବିଦେଶକୁ ରପ୍ତାନି ମଧ୍ୟ ହେଉଥିଲା ।
ଅତୀତରେ ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ ଓ କଟକ ଜିଲ୍ଲାରେ ଜଉକୁ ନେଇ ବିଭିନ୍ନ ସୁନ୍ଦର ହସ୍ତକାମର ପରମ୍ପରା ଥିଲେ ମଧ୍ୟ ବାଲେଶ୍ଵର ମାଟିରେ ଥିଲା ଜଉର ସ୍ଵତନ୍ତ୍ର ବ୍ୟବହାର – ବରକନିଆଁ ଜଉ କଣ୍ଢେଇ ରୁପେ !
ଦାମ୍ପତ୍ୟ ଜୀବନକୁ ସରଳ ଆଉ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ପବିତ୍ର ସାବିତ୍ରୀ ବ୍ରତର ଫରୁଆ ଭିତରେ ବରକନିଆଁ ଜଉ କଣ୍ଢେଇ ସହିତ ଜଉଚୁଡ଼ି ଦେବାର ବିଧି ଆଜିର ନୁହଁ, ବହୁଦିନର ! କେବଳ ସେତିକି ନୁହଁ ବାହାଘରବେଳେ କନିଆଁ ପକ୍ଷ ଏହି କଣ୍ଢେଇକୁ ଦୁଇଟିକୁ ଜଗତପେଡ଼ିରେ ସଜାଇ ନବଦମ୍ପତିଙ୍କ ହାତରେ ଟେକି ଦେଇ ବୈବାହିକ ଜୀବନର ସୁଖକାମନା କରିବାର ଏକ ନିଆରା ପରମ୍ପରା ଓଡ଼ିଶାରେ କେଉଁଠି ଥାଉନା କାହିଁକି ବାଲେଶ୍ବରର ଲୋକସଂସ୍କୃତି ଭାବେ ବିବେଚନା କରାଯାଇ ଆସୁଛି ।
ତେବେ ନବରଙ୍ଗପୁରରେ ମଧ୍ୟ ଜଉକଳାର ସ୍ବତନ୍ତ୍ର ପ୍ରଚଳନ ରହିଛି । ମୂର୍ତ୍ତି ବା କଣ୍ଢେଇ ତିଆରି ଅପେକ୍ଷା ବାଉଁଶ ବା ବେତରେ ତିଆରି ହୋଇଥିବା ପେଡ଼ି, ଟୋକେଇ ଉପରେ ଏହି ଜଉର ପ୍ରଲେପ ଦିଆଯାଇ ଚିତ୍ର ଅଙ୍କନ କରାଯାଇ, ସେ ପେଡ଼ି ବା ଟୋକେଇକୁ ବାହାଘର ବେଳେ ଯୌତୁକରେ ଦିଆଯାଇଥାଏ । ମାଣବସା ତଥା ଅନ୍ୟାନ୍ୟ ପର୍ବପର୍ବାଣିରେ ପୂଜାବେଳେ ଏପରି ପେଡ଼ି ବ୍ୟବହାର ସତରେ ସ୍ବତନ୍ତ୍ର । ବିଶେଷତଃ ଗୌନ୍ତିଆ (ଜମିଦାର) ପରିବାରରେ ଏହି ଜଉ-ପେଡ଼ିର ବିଶେଷ ପ୍ରଚଳନ ଥାଏ ।
ବାଲେଶ୍ବରରେ ଅତୀତରେ ଏହି ଜଉରେ ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି ହୋଇ ସେସବୁ ବିକ୍ରି ହେଉଥିବାର ଜଣାଯାଏ । ଏହାଛଡ଼ା ଜଉରେ ତିଆରି ହେଉଥିବା ବର-କନିଆ କଣ୍ଢେଇ ବାହାଘର ମଧ୍ୟ ଗ୍ରାମାଞ୍ଚଳରେ ପ୍ରଚଳିତ ଥିଲା । ଏଇ କଣ୍ଢେଇ ତିଆରିର ବାଲେଶ୍ବରୀ ଲୋକକଳାକୁ କୁଟୀରଶିଳ୍ପ ଭାବେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ Tourism General of India ବିଭାଗ ଦ୍ବାରା ୧୯୮୬ ମସିହାରେ ପ୍ରକାଶ ପାଇଥିବା ‘Orissa Tourism Map’ରେ ଜଉ କଣ୍ଢେଇ ବାଲେଶ୍ବରୀ ଲୋକକଳା ବୋଲି ଅଭିହିତ ହୋଇଥିଲା ।
ଅତୀତରେ ଜଉ ତିଆରି ବରକନିଆ କଣ୍ଢେଇ ବାହାଘର ଏକ ପର୍ବ ବା ଉତ୍ସବ ଭାବରେ ପାଳନ ହେଉଥିଲା । ବିଶେଷକରି ପୁରୁଣା ବାଲେଶ୍ଵର, ପାତ୍ରପଡ଼ା, ସୁନହଟ ଓ ବଡ଼ଖୁଆ ଅଞ୍ଚଳରେ ଏମିତି ଏକ ବାହାଘରର ପରମ୍ପରା ସୃଷ୍ଟି ହୋଇଥିଲା । ମାତ୍ର ଖୁଦୁରୁକୁଣି ଓଷା, ବାଟଓଷା ଓ ରାମସୀତା ବିବାହ ପରି ଏହି ବରକନିଆ କଣ୍ଢେଇ ବିବାହରେ କୌଣସି ଧର୍ମୀୟ କିମ୍ବା କିମ୍ବଦନ୍ତୀର ପ୍ରଭାବ ନ ଥିବାରୁ ଏହା କାଳକ୍ରମେ ଲୋପ ପାଇଯାଇଥିଲା । ଦେଶ ସ୍ଵାଧୀନ ପରେ ପରେ ଏହାର ଚଳଣି କମିଯିବା କାରଣରୁ ପାରମ୍ପରିକ କଣ୍ଢେଇ ଶିଳ୍ପୀଗଣ ଏଥିରୁ ଓହରି ଆସିଥିଲେ । ଆଉରି ମଧ୍ୟ ଉକ୍ତ କଳା-କାରିଗରୀ ପାଇଁ କୌଣସି ପ୍ରୋତ୍ସାହନ ନ ଥିବାରୁ ଏହା ମୁମୂର୍ଷୁ ହୋଇ ପଡ଼ିଲା । ସମୟ ସ୍ରୋତରେ ଏହି ସଂସ୍କୃତି ହୋଇଗଲା ଅନେକାଂଶରେ ଲୁପ୍ତ !
ତଥାପି, ଆଧୁନିକତାର ଦୌଡ଼ ଭିତରେ, ପାଶ୍ଚାତ୍ୟ ସଭ୍ୟତାର ଆଁ ଭିତରେ ନବରଙ୍ଗପୁର ଏବଂ ବାଲେଶ୍ୱରରର ଲୋକସଂସ୍କୃତି ହଜିଯିବାକୁ ବସିଥିବାବେଳେ ଜଉ କଣ୍ଢେଇର ଅତୁଟ ଆକର୍ଷଣକୁ ସାଉଁଟି ଆଣିବା ପାଇଁ ଗତ କେଇ ବର୍ଷ ତଳେ କିଛି ଉଦ୍ୟମୀ ବ୍ୟକ୍ତି ଏବଂ ସଂଗଠନ ଏ ଦିଗରେ ଅଣ୍ଟା ଭିଡ଼ିଛନ୍ତି ।
ଭାରତର ବିଭିନ୍ନ ଭାଗରେ ଜଉକଳାର ଆଦର ବଳବତ୍ତର ଥିବା ବେଳେ ବାଲେଶ୍ୱରର ଏହି ନିଆରା ପରମ୍ପରା କେବଳ କଣ୍ଢେଇ ମଧ୍ୟରେ ସୀମିତ ହୋଇ ରହି ନ ଥିଲା । ଆଜକୁ ୨୦୦ ବର୍ଷ କିମ୍ବା ଅଧିକ ଦିନରୁ ଏଠାକାର ଶଙ୍ଖାରୀ ପରିବାର ଜଉ କଣ୍ଢେଇ ତିଆରିର ପରମ୍ପରା ସୃଷ୍ଟି କରିଥିଲେ । ଏହାର ସରଳ ଓ ସୁନ୍ଦର ଗଠନାକୃତି ଆଦିମ ଆଦିବାସୀ ସମ୍ପ୍ରଦାୟର ବୋଲି ଗବେଷକ ମତ ଦିଅନ୍ତି ।
ଜଉ କଣ୍ଢେଇ ତିଆରି କରିବାକୁ ହେଲେ ପ୍ରଥମେ ମାଟିରେ ମୂର୍ତ୍ତି ତିଆରି କରାଯାଏ । ତା’ପରେ ତାକୁ ନିଆଁରେ ପୋଡ଼ି ସେଇ ପୋଡ଼ା ମୂର୍ତ୍ତି ଉପରେ ଜଉର ପ୍ରଲେପ ଦିଆଯାଏ ଏବଂ ତା’ ଉପରେ ଆବଶ୍ୟକ ଅନୁଯାୟୀ ରଙ୍ଗ ମଧ୍ୟ ଦିଆଯାଏ । ଜଉର ପ୍ରଲେପ ତେଲିଆ ଓ ଚିକ୍କଣ ହୋଇଥିବାରୁ ତା’ ଉପରେ ପାଣି ପଡ଼ିଲେ ମୂର୍ତ୍ତିର କୌଣସି କ୍ଷତି ହୁଏ ନାହିଁ । ଏହାଛଡ଼ା ମୂର୍ତ୍ତି ଉପରେ ଧୂଳି ମଇଳା ପଡ଼ିଲେ ପୋଛିଦେଇ ସଫା କରିହୁଏ । ଆଧୁନିକ ଯୁଗରେ ଏହି କଣ୍ଢେଇ ତିଆରି ଶିଳ୍ପବଜାର ପ୍ଲାଷ୍ଟିକ, ରବର, ଉଲ୍, ଫାଇଭର ନିର୍ମିତ କଣ୍ଢେଇ ଦ୍ଵାରା ପ୍ରଭାବିତ ହେବାବେଳକୁ ପୂର୍ବର କଣ୍ଢେଇ ତିଆରି ପଦ୍ଧତିର ଆଧୁନିକୀକରଣ ନ ହେବାରୁ ସେସବୁ କଣ୍ଢେଇ ମଧ୍ୟ ଆଉ ଗରାଖମାନଙ୍କୁ ଆକର୍ଷିତ କରିପାରିଲା ନାହିଁ ।
ସୁଖର କଥା, ବାଲେଶ୍ଵର ମାଟିରେ ଏପରି କିଛି କଳାକାର ଆଜି ବି ବିଦ୍ୟମାନ ଯେଉଁମାନେ ସମସ୍ତ ସଂଘର୍ଷ ଓ ଯାତନା ସତ୍ତ୍ବେ ପ୍ରତିପାଳିତ କରିଆସିଛନ୍ତି ତାଙ୍କର ସାଂସ୍କୃତିକ ସଉଦା । ସେମାନେ ଛାଡି ଦେଉନାହାନ୍ତି ତାଙ୍କର କୌଳିକ ବୃତ୍ତି, ବାପା-ଅଜାଙ୍କ କଳା-କୌଶଳର କାରୁକାର୍ଯ୍ୟ ଓ ସର୍ବୋପରି ସଂସ୍କୃତିକୁ ଜୀବନଠୁ ଅଧିକ ଭଲପାଇବା ଓ ଅଧିକ ମହିମାନ୍ବିତ କରିବା । ନିଛକ ଓଡ଼ିଆତ୍ବର ନିଖୁଣ ପରିଚୟ ଅନେକ ଲୋକକଳା ଓଡ଼ିଶା ମାଟିରେ ପ୍ରୋତ୍ସାହନ ଅଭାବରୁ ଲୁପ୍ତ ହୋଇଯାଇଛି ! ତେଣୁ ବାଲେଶ୍ଵରୀ ଜଉ କଣ୍ଢେଇ ଶିଳ୍ପକଳାକୁ ଯେଉଁ କେତେଜଣ ବଞ୍ଚାଇ ରଖୁଛନ୍ତି ସେଇ ନମସ୍ୟ ଶିଳ୍ପୀଗଣ ଯେମିତି ପ୍ରେରଣାର ପାତ୍ର, ଯେଉଁମାନେ ସେହି କଳା କାରିଗରୀର ପୁନରୁତ୍ଥାନ ପାଇଁ ଅଣ୍ଟା ଭିଡ଼ିଛନ୍ତି ସେମାନେ ସେପରି ପ୍ରଶଂସାର ପାତ୍ର ।
ଉଲ୍ଲେଖଯୋଗ୍ୟ ଯେ, ଜଉ କଣ୍ଢେଇକୁ ବାଲେଶ୍ଵର ମାଟିରୁ ନେଇ ବିଶ୍ୱସ୍ତରରେ ପହଞ୍ଚାଇ ପାରିଥିବା ମହାନ ଚିରନମସ୍ୟ ଶିଳ୍ପୀ ହେଉଛନ୍ତି କେଶୁ ଦାସ ମହୋଦୟ ।
ସାଂସାରିକ ଜୀବନରେ ଦାମ୍ପତ୍ୟ ଶୃଙ୍ଖଳାକୁ ନେଇ ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରେ କିଛି କଥା, କାହାଣୀ ଓ କଳାର ଆବିର୍ଭାବ ଘଟିଛି । ଧୀରେ ଧୀରେ ଆଞ୍ଚଳିକ ଭିଭିରେ ସେ ସବୁ କଥା ସଂସ୍କୃତି ବା ପରମ୍ପରାକୁ ରୂପାନ୍ତରିତ ହେବା କିଛି କମ୍ ସାଧନା ନୁହେଁ । ବିବାହ କାଳରେ କନିଆଁର ପେଡିରେ ପିତାମାତାଙ୍କ ଦ୍ଵାରା ଏହି ଜଉମୂର୍ତ୍ତି (ଦମ୍ପତି) ପ୍ରଦାନ କରିବାର ମହାନ ପରମ୍ପରା ନବବିବାହିତ ଦମ୍ପତିଙ୍କ ସୁଖୀ ସାଂସାରିକ ଜୀବନ ପାଇଁ ଥିଲା ଏକ ପ୍ରକାରର ପ୍ରତୀକ ପ୍ରାର୍ଥନା ! କିନ୍ତୁ ଆଜିର ସହରୀ ସଂସ୍କୃତି ଏ ସବୁ ବିଶ୍ଵାସକୁ ବିସ୍ମରିତ କରିଛି ଓ ତା’ ସହିତ ପ୍ରତିପାଳିତ ଏକ ସୁକୁମାର କଳା ବି ବିଲୁପ୍ତି ପଥରେ !
ତଥାପି ସେଇ ନିଷ୍ଠାପର ଶୀଳ୍ପୀଗଣଙ୍କ ତ୍ୟାଗର ମୂଲ୍ୟ ବୃଦ୍ଧି ହେଉ ! ଏଇ କଳା ପ୍ରତି ଜନତା ଓ ପ୍ରଶାସନର ସହଯୋଗ ବଢୁ ! କେବଳ ବାଲେଶ୍ଵର ନୁହେଁ, କଟକ, କେନ୍ଦ୍ରାପଡ଼ା, କଳାହାଣ୍ଡି, ବ୍ରହ୍ମପୁର ସବୁ ଜାଗାର ଶାଢ଼ୀ, ଉପହାର ଦୋକାନ ତଥା ମଲ୍ ଗୁଡ଼ିକରେ ଜଉ କଣ୍ଢେଇ ଉପଯୁକ୍ତ ସ୍ଥାନ ମଣ୍ଡନ କରୁ ! ଏଇ ଆଶା ହିଁ କରିବା !
ଆଧାର: ‘ସମାଜ’
ଚିତ୍ର: Abhilash Boitai, Deepak Kumar Dash, Subham Sai Mohapatra, Timeless Stories of Balasore FB Page and other Social Media
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…