~ ଓଡ଼ିଶାର ଚିତ୍ରକଳା ~
ଲେଖା: ଅମୃତେଶ ଖଟୁଆ
ସମଗ୍ର ସୃଷ୍ଟି ହିଁ ଗୋଟିଏ #ଚିତ୍ର#ସୂର୍ଯ୍ୟୋଦୟ, #ସୂର୍ଯ୍ୟାସ୍ତ, #ଉତ୍ତାଳ #ସମୁଦ୍ର, #ବେଗବାନ #ପବନ, #ସ୍ରୋତସ୍ବିନୀ ନଦୀଠୁ ଆରମ୍ଭ କରି ଫୁଲ ଓ ଫଳ ଯାଏଁ ଆଦୂର୍ବାଦ୍ରୁମ ଶ୍ୟାମାୟିତ ସବୁଜ ପୃଥିବୀ । ସବୁ କିଛି ହିଁ ସୃଷ୍ଟି-ନିହିତ ଅଭିବ୍ୟକ୍ତି ଶକ୍ତିର ଏକ ଏକ ସ୍ଫୁରଣ । ଦୃଶ୍ୟମାନ ହେଉଥିବା ଏହି ନିଖିଳ ବିଶ୍ଵର ରୂପରେଖ ନିଜେ ହିଁ ନିଜ ମଧ୍ୟରେ ପ୍ରଚ୍ଛନ୍ନ, ଛବିଳ ଚିତ୍ର ।
ଏବେ ଧରାଯାଉ ସରସ ଚିକ୍କଣ ପତ୍ରରେ ଗଛଲଟା ସହସା ଝିକିମିକି କରିବା ଆରମ୍ଭ କରେ । ଫୁଟନ୍ତା ଫୁଲର ହସରେ ଖେଳିବୁଲିବେ ଅଫୁରନ୍ତ ସୌରଭ । ଏହାକୁ ଆଘ୍ରାଣ କରୁଥିବା ସତ୍ତାର ଅନ୍ତର ପୁଲକରେ ଉତ୍ଫୁଲ୍ଲ ହୋଇଉଠେ । ସୃଷ୍ଟିର ପ୍ରାଣୀ ସେତେବେଳେ ଆପେ ଆପେ ଚମକି ଚାହେଁ, ବସନ୍ତ ଆସିଲା । କୌଣସି ଲେଖା ନାହିଁ, କୌଣସି ଲିପିବଦ୍ଧ ପ୍ରମାଣ ବା ବର୍ଣ୍ଣନା ନାହିଁ ।
ଅନୁରୂପ କୌଣସି ପ୍ରଭାତର ମୃଦୁ ମନ୍ଦ ହିଲ୍ଲୋଳ ପ୍ରଭାବରେ କେତେ ମାନବ ନିଜ ଶ୍ରାନ୍ତ ହୃଦୟରୁ ଅତୀତ ଜୀବନର ରାଶି ରାଶି ଦୁଃଖଙ୍କୁ ପାସୋରିଦିଅନ୍ତି । କ୍ଷୁବ୍ଧ ଯୌବନର ଅତୃପ୍ତ ବାସନାଚକ୍ର ଭିତରେ ଗତି କରନ୍ତି । ପରିବର୍ତ୍ତିତ ବିଶ୍ବ ମାର୍ଗରେ ନିଜର ଏକ ନୂତନ ମାର୍ଗ ଅନୁସରଣ କରନ୍ତି । କ୍ରମଶଃ ଅପଲକ ଦୃଷ୍ଟିରେ ସେ ଉପଲବ୍ଧି କରେ, ସମଗ୍ର ବସୁଧା ବର୍ତ୍ତମାନ ମହନୀୟ ସୌନ୍ଦର୍ଯ୍ୟର ଏକ କମନୀୟ କାନ୍ତି ଧାରଣ କରିଲାଣି । ସେଥିରେ ସେ ହୁଏ ମନ୍ତ୍ରମୁଗ୍ଧ, ବିହ୍ବଳିତ ଓ ଆତ୍ମବିସ୍ମୃତ । ପୂର୍ବ ଜୀବନ ଅପେକ୍ଷା ବର୍ତ୍ତମାନ ଏକ ଉନ୍ନତ ଜୀବନ ଅଭିମୁଖେ ଉତ୍ତୀର୍ଣ୍ଣ ହେବା ସହ ମନୁଷ୍ୟ ଆହରଣ କରେ ସରସ ବିଶ୍ବର ଅବାରିତ ଅମୃତ ।
ଏପରି ଅମାୟିକ ଉପଲବ୍ଧି ହିଁ ସୌନ୍ଦର୍ଯ୍ୟର ମହତ୍ ଅବଦାନ ବୋଲି ବିଜ୍ଞଜନଙ୍କ ବିବେଚନା । ମନୁଷ୍ୟ ମନେ ମନେ କେତେ କେତେ ଆଶାର ସ୍ବପ୍ନ ଦେଖେ । ଯୌବନର ଉନ୍ମାଦନାରେ ସେ କେତେ କୁହୁକିନୀ ଶକ୍ତି ଅନୁଭବ କରେ ‌। #କଳ୍ପନାର_ଗବାକ୍ଷ ଦେଇ ନିଜ ମନଶ୍ଚକ୍ଷୁ ସାହାଯ୍ୟରେ ଗଢ଼ି ପକାଏ #ସୁଖର_ସୌଧ ! କେତେ ଅସାମାନ୍ୟା ରୂପସୀ ପ୍ରତିମା ସୃଷ୍ଟି କରି ଅପରିସୀମ ଆନନ୍ଦ ପାଏ । ଦୁର୍ଦ୍ଦିନର ଝଞ୍ଜାକୁ ସମ୍ପୂର୍ଣ୍ଣ ରୂପେ ପାସୋରି ପକାଏ । ମନେ କରେ ସଂସାର ତା’ ପକ୍ଷରେ କଳ୍ପନାର ଏକ ବିରାଟ ବିଳାସ ଭବନ । ସମଗ୍ର ଜଗତ ତାହା ପାଇଁ ନାନା ଭାବରେ ପ୍ରତିପନ୍ନ ହୁଏ । ସେ ଦେଖେ – ରମଣୀର ମୁଖମଣ୍ଡଳରେ ଯେ ଉନ୍ମାଦନା ଅଛି, ପୁଷ୍ପର ଅନିନ୍ଦ୍ୟ ସୁରଭିର ଆଘ୍ରାଣରେ ତାହା ନାହିଁ ‌। ସମୀରଣର ମୃଦୁ ସ୍ପର୍ଶ ଓ ପ୍ରେମିକାର ଅଞ୍ଚଳ-ଭାର ଭିତରେ, ଜବାପୁଷ୍ପ ଓ ଯୁବତୀର ରକ୍ତିମ ଅଧର ଭିତରେ, ତରୁଣୀର ସରଳ ହାସ୍ୟ କିମ୍ବା ପ୍ରଭାତର ସଦ୍ୟ ଉନ୍ମୁକ୍ତ କଳିକା ମଧ୍ୟରେ ମୁକୁଳିତ ପାଖୁଡ଼ାର ପୁଲକ ଭିତରେ ରହିଛି ସେହିପରି କିଛି ସୂକ୍ଷ୍ମ ପାର୍ଥକ୍ୟ ।
ଏପରି ସ୍ଥଳେ ବିଭିନ୍ନ ବାହ୍ୟପ୍ରେରଣାର ଅଧୀନ ହୋଇ ସମସ୍ତଙ୍କୁ ନିଜ କୋମଳ ହୃଦୟରେ ସାଇତି ନେବାଲାଗି ଚେଷ୍ଟିତ ହୁଏ । କିନ୍ତୁ, ପ୍ରଶ୍ନ ଉଠିପାରେ, ଅମୂଲ୍ୟ ହୃଦୟର ଅପାର୍ଥିବ ସିଂହାସନରେ ବସାଇ ଏସବୁ ରୂପକୁ ଏକାବେଳକେ ପୂଜା କରାଯାଇପାରିବ କି ? ମନର ଗତି ଚଞ୍ଚଳ । ସେଥିରେ ପୁଣି ଭିନ୍ନ ଭିନ୍ନ ରୂପ ପ୍ରତି ଭିନ୍ନ ଭିନ୍ନ ଦିଗରୁ ଆକର୍ଷଣ ସୃଷ୍ଟି ହେବ । ସେତେବେଳେ ଏହି ପାର୍ଥିବ ଆକର୍ଷଣ ସମ୍ମୁଖରେ ବଳିପଡ଼େ ଅପାର୍ଥିବ ସୌନ୍ଦର୍ଯ୍ୟର ଉପାସନା ।
କିଛି କ୍ଷଣ ପରେ ଯଦି ସାମାନ୍ୟ ମାନସିକ ପରିବର୍ତ୍ତନ ଘଟେ, ତେବେ ସେହି ଆରାଧ୍ୟ ରୂପବାନ୍ ଦେବତାଙ୍କୁ ମନୁଷ୍ୟ ସହଜେ ଉପେକ୍ଷା କରି ଚାଲିଯିବ । ପୁଣି ସନ୍ଧାନ କରିବ ଆହୁରି ଉତ୍କୃଷ୍ଟ, ଆହୁରି ରୂପବାନ୍ ଅନ୍ୟ ଜଣଙ୍କୁ । କେହି ପୁଣି ପାର୍ଥିବ ବିଷୟର ବିନିମୟରେ ଅପାର୍ଥିବ ପ୍ରେମକୁ ପ୍ରତ୍ୟାଖାନ କରୁଛି । ଜାଗତିକ ଆକର୍ଷଣର କ୍ରୂର ଛୁରିକାଘାତ ଫଳରେ ନାରଖାର ହୋଇ ପଡ଼େ ନୈସର୍ଗିକ ହୃଦୟର କଳ୍ପନାରାଜ୍ୟ ।
ତେବେ ସହସ୍ର ଚଞ୍ଚକ ଘାତକତା ମଧ୍ୟରେ ସୁଦ୍ଧା ଅପାର୍ଥିବ ସୌନ୍ଦର୍ଯ୍ୟର ରକ୍ଷାସୂତ୍ର ହେଉଛି, ଆସକ୍ତିର ତୀକ୍ଷ୍ଣ ଛୁରିକାଧାରକୁ ନିର୍ମଳ ଭାବନାର ତୂଳୀରେ ପରିଣତ କରିବା । ଯେଉଁ ତୂଳୀର ଆଧାରରେ ନୈରାଶ୍ୟର ମରୁ ଦେହରୁ ଅଙ୍କାଯିବ ଆଶାମୟ ହୃଦୟର ନୀଳବେଣୀଘେରା ନିର୍ମଳ ସ୍ରୋତସ୍ବିନୀ । ଯେଉଁ ତୂଳୀର ପ୍ରଭାବରେ ବଉଦ-ଘେରା ଗଗନ ପାଲଟିଯିବ ଭାସମାନ ଅଳକାପୁରୀ ।
ଏପରି ଏକ ଅତୀନ୍ଦ୍ରିୟ ତୂଳୀ – ଯାହା ଅତୃପ୍ତ, ନିଷ୍ପ୍ରଭ ଓ ନିଷ୍ପ୍ରତିଭ ମଣିଷ ଭିତରେ ଘଟାଇପାରେ ଦେବତାର ଆତ୍ମପ୍ରକାଶ ! #ଚିତ୍ରକଳା ! କାବ୍ୟ ସର୍ଜନା ଭଳି ଏହାର ରହିଛି କଳ୍ପନାର ଗବାକ୍ଷ ‌। ରୂପବାନ୍ ଓ ଆକୃତିବନ୍ତ ରେଖାରାଜିର ସମାହାର । ଏହାର ଗୋଟିଏ ଗୋଟିଏ ରେଖା ହେଉଛି ବିଶ୍ବସ୍ତମ୍ଭ । ଏହି ସ୍ତମ୍ଭ ସୃଷ୍ଟିର କାରଣ, ପ୍ରତୀକ ଓ ପରିପ୍ରେକ୍ଷୀ ମଧ୍ୟ । ଏହି ସ୍ତମ୍ଭ ସୃଷ୍ଟି-ପୁରୁଷ, କାବ୍ୟପୁରୁଷ, ଚିତ୍ର-ପୁରୁଷ, କବି ବା ଚିତ୍ରକର ଯାହାର ସୃଷ୍ଟି ମାନସ ଅଗ୍ନି ଭଳି ଭୂମିରୁ ଆକାଶକୁ ଓ ଆକାଶରୁ ଶୂନ୍ୟକୁ ଊର୍ଦ୍ଧ୍ୱମୁଖୀ ଶିଖା ହୋଇ ଦେଦୀପ୍ୟମାନ ହୋଇ ଉଠିଥାଏ । ଏହା ହିଁ ଚିତ୍ର ଭାଷାର ପ୍ରକାଶ  ଯଥାର୍ଥତଃ ସଂସ୍କୃତର ‘କାବ୍ୟ-ମୀମାଂସା’ରେ ଉଲ୍ଲେଖ କରାଯାଇଛି,
ସ ଯତ୍ ସ୍ବଭାବଃ କବିସ୍ତଦନୁରୂପଂ କାବ୍ୟମ୍ ।
ଯାଦୃଶାକାରଃ ଚିତ୍ରକରସ୍ତାଦୃଶାକାରମସ୍ୟ ଚିତ୍ରମ୍ ।।
ଅର୍ଥାତ୍, କବି ଓ ଚିତ୍ରକର ଉଭୟ ଯେଉଁ ସ୍ଵଭାବର ହେବେ, ଯଥାକ୍ରମେ ତାଙ୍କ କାବ୍ୟ ଓ ଚିତ୍ର ମଧ୍ୟ ଅନୁରୂପ ପ୍ରକଟିତ ହେବ । ବସ୍ତୁ ଊର୍ଦ୍ଧ୍ବରେ ସୌନ୍ଦର୍ଯ୍ୟ ଚେତନା । କାରଣ ତା’ର ମଧ୍ୟ ରହିଛି ଗୋଟିଏ ରସମୟ, ରହସ୍ୟମୟ ଅତୀତର ଆୟତ୍ତ ସତ୍ୟ, ଆମ୍ଭମାନଙ୍କ ଅନ୍ତର ସହିତ ତା’ର ଅନିର୍ବଚନୀୟ ସମ୍ବନ୍ଧ । ଏହାରି ଫଳରେ ଆମ୍ଭମାନଙ୍କ ଚେତନା ମଧୁର, ଗଭୀର, ରସଘନ ଓ ଉଜ୍ଜ୍ବଳ ହୁଏ ।
ଆମ ଭିତରେ ମଣିଷ ବଢ଼ି ଥାଏ ‘ଶିଳ୍ପୀ’ ନାମରେ । ସେ ରଞ୍ଜିତ ହୋଇ ଉଠେ, ରସେଇ ଉଠେ । ଏଥି ସହ ପରିଣତ ଶିଳ୍ପୀର ମାନସପଟ୍ଟର ନଶ୍ଵର ସୃଷ୍ଟିରେ ଦୃଶ୍ୟମାନ ହୁଏ ଯେପରି ସବୁ କିଛି ନିତ୍ୟ, ନିହାତି ବ୍ୟାପକ ଓ ମହିମ୍ନ । ଏହି ନିତ୍ୟତା ହିଁ କଳାନୁରାଗର ଭଣ୍ଡାର ପରିପୂର୍ଣ୍ଣ କରେ, କଳା ଓ ଚିତ୍ରର ଧର୍ମ ଯେ ଏଇ ଗୋଟିକ । ନଶ୍ବରତା ଭିତରେ ଶାଶ୍ବତର ସନ୍ଧାନ ଓ ତା’ର ରୂପାୟନ ।
ଦେଶେ ଦେଶେ କାଳେ କାଳେ ମଣିଷର ଅନୁରକ୍ତିର ସମ୍ପଦ ରଚିତ ଓ ସଞ୍ଚିତ ହୋଇ ଉଠୁଥାଏ । ମନୋଭାବରେ ଅଭିବ୍ୟକ୍ତି ପାଇଁ ତେଣୁ, ଚିତ୍ର ହିଁ ସୃଷ୍ଟିର ଆଦ୍ୟ ପରିପ୍ରକାଶ । ଏଥିପାଇଁ ମନୁଷ୍ୟ ଯେତେ ପ୍ରକାର ମାଧ୍ୟମର ଆଶ୍ରୟ ଗ୍ରହଣ କରିଛି, ତନ୍ମଧ୍ୟରେ ଚିତ୍ରକଳା ହିଁ ସହଜତମ ଓ ସର୍ବପ୍ରଥମ । ଚିତ୍ରକଳା ହିଁ ପୁଣି ଆଦି-ମାନବର ସର୍ବପ୍ରଥମ ଶିକ୍ଷା ।
ପୁନଶ୍ଚ ଚିତ୍ର ଆଙ୍କି ରୂପସୃଷ୍ଟିର ଆବିଷ୍କାର ସୁଦ୍ଧା ମନୁଷ୍ୟର ଆଦିମ କଳା । ଖ୍ରୀଷ୍ଟପୂର୍ବ ୨୦,୦୦୦ ବର୍ଷ ପୂର୍ବରୁ ଆରମ୍ଭ କଲେ ଆମେ ସନ୍ଧାନ ପାଇଥାଉ ପ୍ରାଗୈତିହାସିକ ଯୁଗର ଗହ୍ଵର-ଚିତ୍ର । ନୀରନ୍ଧ୍ର ଗୁମ୍ଫା ଭିତରେ ଗାରେଇ ହେଇଥିବା ରେଖା ଓ ବର୍ଣ୍ଣର ସମଷ୍ଟି । ସେଥିରେ ଅଛନ୍ତି ଅଜ୍ଞାତ ନରନାରୀ, ପଶୁ ଓ ଅନ୍ୟ କିଛି ସଙ୍କେତ ଗୁଡ଼ିଏ । ତାହା ଆଦିମ ମାନବର ଦୈନନ୍ଦିନ ଘଟଣାର ସ୍ମାରକ ରୂପେ ଅଭିହିତ କରାଯାଏ ।
କାରୁଶିଳ୍ପ ପେଟକୁ ଅନ୍ନ ଯୋଗାଇ ଦେଇପାରେ । ସପ ମସିଣା, କାଇଁସ ପେଡ଼ି, ବେତ ଚଉକି, ମାଟିର ଚଉରାଠାରୁ ଆରମ୍ଭ କରି #ପିପିଲିର_ଚାନ୍ଦୁଆ, #ସମ୍ବଲପୁରୀ_ବାନ୍ଧ, #ମାଣିଆବନ୍ଧୀ_ପଣତ, #ବୋମକାଇ, #ଧଳାପଥୁରୀ ପ୍ରଭୃତି ଆମ କାରୁଶିଳ୍ପକୁ ଯେତିକି ସମୃଦ୍ଧ କରିଛନ୍ତି, ସେହିପରି ଅବଦାନ ଚିତ୍ରକଳା ର ଅବଦାନ ମଧ୍ୟ ରହିଛି । କାରୁ ଓ ଚିତ୍ରକଳା ସହିତ ସମତା ରକ୍ଷା କରି ସ୍ଥାପତ୍ୟ ଶିଳ୍ପୀ ବହୁ ମନ୍ଦିର, ପ୍ରାସାଦ ଓ ଶୈଳଗୁହା ସୃଷ୍ଟି କରିଛି ।
#ଓଡ଼ିଶାର #ମୂର୍ତ୍ତିକଳା ଜଗତ ପ୍ରସିଦ୍ଧ ‌। କୋଣାର୍କ କିମ୍ବା #ଭୁବନେଶ୍ବରର #ପ୍ରସ୍ତରକଳା କହିଲେ ବିଶ୍ବର ସମସ୍ତ ବିଜ୍ଞଜନ ଏହାକୁ ସମୀକ୍ଷା ନ କରି ନିଜ ମୋହ ସମ୍ବରଣ କରି ପାରିବେ ନାହିଁ । ଅଥଚ ଚିତ୍ରକଳା ସମ୍ପର୍କରେ ସେମାନଙ୍କ ଲେଖନୀ ଅନେକ କାଳ ଯାଏଁ ନୀରବ ରହି ଆସିଛି । ଓଡ଼ିଆ ପାଟିରେ ପଇଟିଲା ଭଳି ଯେମିତି ଏକ ସ୍ବତନ୍ତ୍ର ଭାଷା ଲୋକମୁଖର ମାତୃଭାଷା ରୂପେ ରହିଛି, ଆବହମାନ କାଳରୁ ଓଡ଼ିଆ ହାତକୁ ସୁହାଇଲା ଭଳି ସେମିତି ଏକ ଅଙ୍କନ ପଦ୍ଧତି ବି ସୃଷ୍ଟି ହୋଇପାରିଛି । ଉଭୟଙ୍କ ମଧ୍ୟରେ କେଉଁ ଗୋଟିକ ପ୍ରାଚୀନ, ଏକାବେଳକେ ତାହା ଠଉରେଇବା ନିଶ୍ଚୟ ସହଜ ନୁହେଁ ।
ସମଗ୍ର ଓଡ଼ିଶୀ ଚିତ୍ରକଳା ବା ଚିତ୍ରଶିଳ୍ପକୁ ଦୁଇଟି ବିଶିଷ୍ଟ ବିଭାଗରେ ଆଲୋଚନା କରାଯାଇପାରେ । ଗୋଟିଏ ହେଉଛି ପାରମ୍ପରିକ ଚିତ୍ର ଓ ଅପରଟି ଲୋକଚିତ୍ର । ଗାଁ ଗହଳିର ସରଳ, ସ୍ବଚ୍ଛନ୍ଦ ଏବଂ ନିରଳସ ଆବେଗ ଅନୁସରଣରେ ଯେଉଁ ଚିତା ଓ ଝୋଟିର ନିର୍ଝର ବାହାରି ଆସେ, ତାହା ଲୋକଚିତ୍ରର ଶୁଦ୍ଧ ରୂପ । ଅତୁଳନୀୟ ଅର୍ଥଗୌରବ ଏଇ ଝୋଟିଚିତାର । ଉପଭୋଗ୍ୟ ଏହାର ଅପୂର୍ବ ମାଧୁର୍ଯ୍ୟ । ଲୋକଚିତ୍ରର ପ୍ରଧାନତମ ଉପାଦାନ ଏଇ ହସ୍ତକଳା ଓଡ଼ିଆ ଜନଜୀବନରେ ସାତ୍ତ୍ୱିକତା ଓ ଆଧ୍ୟାତ୍ମିକତାର ପରିପୁଷ୍ଟ କରାଏ । ଝୋଟି ଚିତା ପକାଇବା ପୂର୍ବରୁ ଘରଦ୍ଵାର ଗାଈ ଗୋବରରେ ଲିପାପୋଛା କରି ପରିଷ୍କାର ପରିଚ୍ଛନ୍ନ କରାଯାଏ ।
ମାଟି ଘରର ମାଟିଆ ଚଟାଣ ଉପରେ ଏଇ ଧୋବଳା ରେଖା ରୂପା ପରି ଝଟକି ଉଠେ । ଘରର ଚଟାଣ କାନ୍ଥ ମାଟିରେ ହେଇଥିବା କାରଣରୁ ଚିତାର ଜଳୀୟ ଅଂଶ ସହଜରେ ଶୁଖିଯାଏ । କାନ୍ଥରେ ଓଡ଼ିଆ ଝିଅବୋହୂଏ ନାନା ପ୍ରକାର #ଧାନଶୀଷା ଓ ‘#ଧାନକୋଠିର ଚିତ୍ର ଆଙ୍କନ୍ତି । ପିଠଉକୁ ଡ଼ାହାଣ ଓ ବାଁ ଆଡ଼କୁ ଏପରି ଭାବେ ଛିଞ୍ଚନ୍ତି ଯେ ଚିତାଟି ଠିକ୍ ଫଳନ୍ତା ଧାନଗଛ ପରି ଦେଖାଯାଏ । ଏହା ଉପରେ ଡ଼ାହାଣ ହାତରେ ଆଙ୍ଗୁଠି ଠୋପା ଦେଇ ସେମାନେ ଚୂଳିଆ ପରି ସଜାଇ ଦିଅନ୍ତି । ସ୍ଵଳ୍ପ ପରିସର ମଧ୍ୟରେ ସୁବିସ୍ତୃତ ଓ ବ୍ୟାପକ ଭାବେ ପ୍ରକାଶ କରାଇ ପାରୁଥିବା ଏଇ ଝୋଟିଚିତା ମଧ୍ୟ ସାଜେ ନାରୀଶିକ୍ଷାର ମାଧ୍ୟମ :
‘କାନ୍ଥର ପିତୁଳି କାନ୍ଥେ ଲେଖିବି,
ବାପ ଚନ୍ଦ୍ରମୁଖ କେବେ ଦେଖିବି . . . !’
ଓଡ଼ିଆ ଘରେ ସବୁ ପର୍ବପର୍ବାଣି, ଜନ୍ମପାଳନ, ବାହା, ବ୍ରତ, ପୁଆଣି ଆଦିରେ ମୁରୁଜ, ଝୋଟି ଓ ଚିତା ପଡେ । ସେ ତେଣିକି #କାର୍ତ୍ତିକରେ ଚଉରା ମୂଳରେ ହେଉ ବା #ମାର୍ଗଶିର_ଗୁରୁବାର ପାଇଁ ମୂଳରୁ ଲିପା ପୋଛା ଯାଇ ପରିଷ୍କାର ଦାଣ୍ଡରୁ ବାରି ପର୍ଯ୍ୟନ୍ତ ହେଉ । ପୁଣି ଷଠୀ ଦୁଉଁଛେଇ ପୂଜା ପାଇଁ ହେଉ ବା ଶାମ୍ବ ଦଶମୀ ଭୋଗ ପାଇଁ ହେଉ । କାର୍ତ୍ତିକ ମାସକୁ ଛାଡ଼ିଦେଲେ ମୁଖ୍ୟତଃ ଓଡ଼ିଆ ଘରେ ଚିତା ପଡ଼ିବାର ପ୍ରଚଳନ । ଅରୁଆ ଚାଉଳକୁ ବତୁରାଇ ପର। କାଳକୁ ବାଟି ଦେଇ ଚିତା ପକାଇ ସଜାଯାଏ ଘରଦ୍ୱାର ଅଗଣା । ଶ୍ରାଦ୍ଧ, ଗୃହ ପ୍ରତିଷ୍ଠା, ହୋମ ପାଇଁ ମୁରୁଜ ପଡ଼େ ।
ଏହି ମୁରୁଜ ଓ ଝୋଟି ପାଇଁ ଧଳା ରଙ୍ଗ ହେତୁ ଚାଉଳ ଗୁଣ୍ଡ, ଖଡ଼ି ଗୁଣ୍ଡ ଅଣାଯାଏ । କଳା ପାଇଁ ନଡ଼ିଆ ଷଢ଼େଇକୁ ପୋଡ଼ିଦେଇ ତା’ର ଗୁଣ୍ଡ ସଂଗ୍ରହ କରାଯାଇଥାଏ । ସବୁଜ ରଙ୍ଗ ପାଇଁ ବିଭିନ୍ନ ପତ୍ରକୁ ଶୀତଳ ଛାଇରେ ଶୁଖାଇ ଦେଲେ ତା’ର ଗୁଣ୍ଡ, ପୁଣି ହଳଦିଆ ପାଇଁ ହଳଦୀ ଗୁଣ୍ଡ ବା ରାମରଜ । ନାଲି ପାଇଁ ନାଲି ଫୁଲର ଗୁଣ୍ଡ, ସିନ୍ଦୂର, ଢାଉଆ ଲେପ । ଭୂମି ଆର୍ଦ୍ର ଥିଲା ବେଳେ ରେଖାଙ୍କିତ ରୂପ ଉପରେ ରଙ୍ଗଲେପର ଏହି ପାରମ୍ପରିକ ପ୍ରଥା ଅତ୍ୟନ୍ତ ପ୍ରାଚୀନ । ଆଜିକାଲି କାଁ ଭାଁ ଏହିପରି ଭାବରେ ମୁରୁଜ କେହି ପ୍ରସ୍ତୁତ କରୁଥିବେ । କିନ୍ତୁ, ଆମର ପ୍ରାଗୈତିହାସିକ ଯୁଗର ଚିତ୍ରକଳା ଏଇଠାରୁ ଆରମ୍ଭ ଓ ପ୍ରବର୍ତ୍ତିତ ।
ବାହ୍ୟ ଶୁଚିତା ସହିତ ଅନ୍ତର୍ନିହିତ କଳାର ସୃଷ୍ଟି ଦିଗରେ ଏହା ପଟ୍ଟଭୂମି ସୃଷ୍ଟି କରେ । ସେଥିପାଇଁ ହିଁ ଭିତ୍ତିଚିତ୍ର ସବୁଠାରୁ ଉନ୍ନତତମ ଚିତ୍ରକଳାର ପରିଚୟ ପାଇଛି । ଶଲ୍ୟବିଦ୍ଧ, ଆହତ, ବୃଦ୍ଧ ସମୀର ସଞ୍ଚରଣ, ଜଳତରଙ୍ଗ, ପ୍ରଜ୍ଜ୍ବଳିତ ଅଗ୍ନିଶିଖା, ଗଗନାରୋହୀ ଧୂମ, ଶୂନ୍ୟରେ ବିସ୍ତାରିତ ଚିରାଳର ଗତିଭଙ୍ଗୀ, ଜୀବନ-ଚେତନାଯୁକ୍ତ ସୁପ୍ତ ମାନବଠାରୁ ଚେତନାହୀନ, ନିର୍ଜୀବ ଓ ଅଥର୍ବ ପଦାର୍ଥର ଉନ୍ନତି ଏବଂ ଅବନତିକୁ ପ୍ରତି ସୂକ୍ଷ୍ମ ସ୍ତରରେ ଦର୍ଶାଇବାରେ ଏପରି ଆଦିମ ଶିଳ୍ପୀମାନଙ୍କ ଅସାମାନ୍ୟ ଦକ୍ଷତା ଥିଲା । ପାଣି, ପବନ ଓ ମୃତ୍ତିକା ସହିତ ଅଧିକନ୍ତୁ, ସେମାନଙ୍କ ସ୍ଥାପନ ହେଉଥିଲା ନିବିଡ଼ ଏକ ସ୍ବତନ୍ତ୍ର ସମ୍ପର୍କ । ତେଣୁ, ରୂପକାରର ପାର୍ଥିବ ଚିନ୍ତନ ଭିତରେ ବିକ୍ଷିପ୍ତ ସୌନ୍ଦର୍ଯ୍ୟ ହିଁ ଅଙ୍କନକଳା ସୂତ୍ରରେ ପରିପ୍ରକଟିତ ହୋଇଛି । ହୃଦୟର ନିଭୃତ କନ୍ଦରରେ ଅହରହ ସଞ୍ଚରିତ ହୁଏ ତାହାର ଅସଂଯତ ସ୍ପନ୍ଦନ ! ଏହାର ପ୍ରଚ୍ଛନ୍ନ ପ୍ରେରଣା ସ୍ରୋତରେ ଅବଗାହୀ ପ୍ରତି ଶିଳ୍ପୀ ସୌନ୍ଦର୍ଯ୍ୟରେ ରୂପଦାନ କରନ୍ତି । ଏହା ମାନବ ଜୀବନର ଭିତ୍ତି ଉପରେ ଯେ ସତ୍ୟ ଓ ସୌନ୍ଦର୍ଯ୍ୟର ସମନ୍ବୟ ଜନିତ ଅବାଧ ଅମୃତ ପ୍ରବାହକୁ ମେଲି ଦିଏ ଓ ପୁଣି କେବେ ହେଁ ଶୁଖିଯାଏ ନାହିଁ ! ସେଥିପାଇଁ ତ, କୁଳ ଗୃହିଣୀଟିଏ ଦୀନ କୁଟୀର ବାସରେ ଆଙ୍କିଲା ବେଳେ ପ୍ରକାଶ କରେ ରାଜୈଶ୍ବର୍ଯ୍ୟର ଭ୍ରମ । ସୌନ୍ଦର୍ଯ୍ୟ ଯହିଁ ଲକ୍ଷ୍ମୀ ! ଗୃହ ଯହିଁ ବୈକୁଣ୍ଠ ! ଏବଂ ମନୁଷ୍ୟତ୍ବର ପରିଣତ ଦେବତ୍ବ ସେଠି ସ୍ରଷ୍ଟା !
ଗାଁରେ ଯେତେବେଳେ ବାହାଘର ହବ, ଘର ଗୋଟାକ ନୂଆ ଦିଶୁଥିବ ! ବର କନ୍ୟାଙ୍କ ମଙ୍ଗୁଳା ଘରେ ମଙ୍ଗଳକୃତ୍ୟ ଦିନ ବିବାହ ପାଇଁ କୋଠିଟିଏ ଗଢ଼ି ଦିଆଯିବ । ଚାରିକୋଣିଆ କୋଠି ଭିତରେ ବରକନ୍ୟା, ବେଦୀ, ପାଲିଙ୍କି, ମୁକୁଟ, କଜଳପାତି, ଯୋଡ଼ି ମାଛ, ଗୁଆକାତି । ଗେରୁମାଟିର ଢାଉ ଲେପରେ ଚହଟି ଦିଶୁଥିବ ଗୋଟା ଡିହତକ । କଥା ଏତିକିରେ ସରେନା ! ପୁଣି ବାହାରଘର ପରେ ସବାରୀରୁ ବୋହୂଟିଏ ଓହ୍ଲାଇ ଯାଇ ପିଣ୍ଡା ମାଡ଼ିଗଲା ପରେ ଶିଉଳି ଲିଖନ କରିବ । ବାପଘରୁ ସାଙ୍ଗରେ ଧରି ଆଣିଥିବା ‘ଆଣକଂସା’ ଦିହରେ ଆଣ ସାଉଁଟି ଚିତା ଆଙ୍କି ଆଙ୍କି ପିଣ୍ଡା ଯାଏଁ ଗଲା ପରେ ମୁଣ୍ଡିଆଟେ ମାରିବ । ଇଏ ଆମ ଓଡ଼ିଆ ଘରର କର୍ମ ନୁହେଁ କେବଳ, ବରଂ ମର୍ଯ୍ୟାଦାର ଅନନ୍ୟ ରସବୋଧ !
ଏଇ ଚିତା ଅଙ୍କନ ହିଁ ନବ-ଗୃହିଣୀର ଗୃହ ପ୍ରବେଶ ସମୟର ଗୋଟିଏ କୌଶଳ ପରୀକ୍ଷା । ନବବଧୂର କଳାଶକ୍ତି ବାରିବା ସହିତ ସଫଳ ଦାମ୍ପତ୍ୟର ଭୂୟସୀ ଆଶୀର୍ବାଦ କରନ୍ତି ଶାଶୁଘର ଲୋକେ । ଦିନ ଥିଲା ଆମ ଓଡ଼ିଆଣୀ ଘରର ବୋହୂମାନେ ମୁଚ କଛା ଓ ପାଣି କଛା ମାରି ମାଣିଆବନ୍ଧ ବେଢ଼ଣ ସହ ନାନା ଜାତି ଗହଣାକୁ ଚଉଁରୀଭୁଣ୍ଡି, ପାଟଫୁଲି, ଗୋଜିକାଠି, କଉଡ଼ିବସିବସଣି ଖୋସିଥିବେ । ସଅଳ ପାଦକୁ ଶୋଭାବନ୍ତ ବାଙ୍କିଆ, ଝୁଣ୍ଟିଆ ! ଦାଣ୍ଡର ଦୁଇପଟେ ଦିଶୁଥିଲା ଆଗରୁ ହାତ ଅଙ୍କା ଧାନକୋଠି ଚିତ୍ର ଇଏ ଆମ ଓଡ଼ିଆ ଘରର ସଣ୍ଠଣା ।
ରାଜନୀତିକ କିମ୍ବା ପ୍ରାକୃତିକ ଓଡ଼ିଶାରୁ ନିଜକୁ ମୁକ୍ତ ରଖି ଉତ୍କଳୀୟ ଚିତ୍ରଶିଳ୍ପ ପରମ୍ପରା କଥାଟିକୁ ଚର୍ଚ୍ଚା କଲେ, ମନେ ହୁଏ ଏହା ମହାଭାରତୀୟ ସ୍ରୋତ ବହନକାରୀ କୌଣସି ଏକ ବୃହତ୍ ନଦୀଟିଏ । କିନ୍ତୁ, ଆଜି ଓଡ଼ିଶାର ସମୃଦ୍ଧତମ କାରୁକାର୍ଯ୍ୟର ଦୁର୍ଗତି ସଙ୍ଗେ ସଙ୍ଗେ ଜନ ସାଧାରଣଙ୍କ ଅର୍ଥନୀତିକ ଦୁର୍ଗତିର ସୂତ୍ରପାତ ହେଲା । ତଥାପି, ଚିତ୍ରକର୍ମ କହିଲେ ଓଡ଼ିଆ ଜାତିର ରୁଚି, କଳ୍ପନା ଓ ରସବୋଧର ପରିଚୟ ଦିଏ । ଅସଂଖ୍ୟ ଭିତ୍ତିଚିତ୍ରର ପରିଧିରୁ ଆରମ୍ଭ କରି ଆଧୁନିକ କାରିଗରୀ ଯାଏଁ ଏହାର ବେଷ୍ଟନୀ ଏଯାବତ କୁଳବୃତ୍ତି ହୋଇ ରହିଛି । କିନ୍ତୁ, ଅନ୍ୟାନ୍ୟ ଭାରତୀୟ ଚିତ୍ରଶୈଳୀ ପରି ଉତ୍କଳୀୟ ଚିତ୍ରଶିଳ୍ପର ଗତାଗତ କେହି ଚିନ୍ତା କରିଛନ୍ତି କି ?
ବୋଧହୁଏ ଆମର ଧାରଣା ଏହି ଯେ ସଂସ୍କୃତି ଓ ପରମ୍ପରାର ଗତାନୁଗତିକ ପର୍ଯ୍ୟାଲୋଚନା ଛଳରେ ଆମେ ଗୁଡ଼ିଏ ଆଡ଼ମ୍ବରକୁ ମାତ୍ର ପ୍ରଶ୍ରୟ ଦେଇଛୁ । କିନ୍ତୁ, ସଂକୀର୍ଣ୍ଣ ଦୃଷ୍ଟିଛାୟା ତଳେ ଏପରି ସଘନ ବିଦ୍ୟାର ବିଦଗ୍ଧ ଆଲୋଚନା ଏପର୍ଯ୍ୟନ୍ତ କେଉଁଠି ସାଧିତ ହୋଇଛି କି ? ସବୁ ଉତ୍କଳୀୟ କୁଳବୃତ୍ତିର ମୂଳ ପରିଚିତି, ଚିତ୍ରକଳା ଓ ଶିଳ୍ପ ଅନୁରୂପ ନ୍ୟାୟ ଓ ପ୍ରତିଷ୍ଠା ଦାବି କରେ । ତେଣୁ, ଉତ୍କଳୀୟ ଚିତ୍ରକଳା ଇତିହାସ ଓ ବର୍ତ୍ତମାନ ପର୍ଯ୍ୟବସିତ ବିମର୍ଶ ପାଇଁ ଏଇଠୁ ଆରମ୍ଭ କରୁଛୁ ।
admin

Recent Posts

ଉଦବୋଧନ

~ ଉଦବୋଧନ ~ ଲେଖା: ଅମୃତେଶ ଖଟୁଆ ସ୍ଵଭାବକବି ଗଙ୍ଗାଧର ମେହେର ନିଜ ମଧ୍ୟରେ ଜଣେ ଐଶୀପ୍ରେରଣାର ସ୍ଵତଃ ନିଃସୃତ…

6 mins ago

ମୁଦ୍ଗଳ ମାଧବ

~ ସୋମେଶ୍ୱର ତୀର୍ଥ ଓ ମୁଦ୍ଗଳ ମାଧବ ~ ଲେଖା: ଅମୃତେଶ ଖଟୁଆ କାକଟପୁର-କୋଣାର୍କ ରାସ୍ତାରେ ଗଲା ବେଳକୁ ଦକ୍ଷିଣପୂର୍ବ…

1 hour ago

ଗୋପୀନାଥପୁର

~ ଗୋପୀନାଥପୁର ~ ଲେଖା: ଅମୃତେଶ ଖଟୁଆ ନାତିଦୂର ବିଜନତାରେ ସବୁଜ ପଲ୍ଲୀଭୂମି ଦେଇ ସେଦିନ ପହିଲି ଶ୍ରାବଣର ଆଗମନ…

5 hours ago

ହାତୀଘୋଡ଼ା ମିଠେଇ

~ ଦୀପାବଳୀରେ ଖେଳଣା ମିଠା: ହାତୀଘୋଡ଼ା ମିଠେଇ ~ ଲେଖା: ଅମୃତେଶ ଖଟୁଆ ଆମ ଓଡ଼ିଆଙ୍କ ଖାଇବା ଇ ନିଆରା…

1 day ago

ମୁଆଁ

~ ମୁଆଁ ~ ଲେଖା: ଅମୃତେଶ ଖଟୁଆ ଶ୍ରୀକ୍ଷେତ୍ର ପୁରୀରେ ଏକଦା ପହଞ୍ଚିଛନ୍ତି ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର । ନିଜ…

2 days ago

ଘଣ୍ଟପାଟୁଆ

ଘଣ୍ଟପାଟୁଆ ଲେଖା: ଅମୃତେଶ ଖଟୁଆ "ବରଗଛ ଘାଉଁ ଘାଉଁ, ଗାଉଣି ଭାଇକି ପଚାରୁ ଅଛି ଘଟ ଜନମିଲା କାହୁଁ ।…

2 days ago