ଲେଖା: ଅକ୍ଷୟ ଓଝା

ସକାଳ ଆଠଟା ବାଜିଲେ ଗାଈଆଳ ଗାଁ ଦାଣ୍ଡରେ ଆବଜ ଲଗାଏ ଗାଈପାଳି ଦିଅ । ବାସ୍ ! ଖୁଣ୍ଟରେ ବନ୍ଧା ହୋଇଥିବା ଗାଈ ମାନେ ଉଠି ଛିଡ଼ା ହେଇପଡ଼ନ୍ତି । ହମ୍ବାରଡ଼ି ଛାଡ଼ନ୍ତି । ସମସ୍ତେ ନିଜ ନିଜ ଗାଈ ଖୋଲି ଦିଅନ୍ତି । ଏକ ଝୁଣ୍ଡରେ ଗାଈ ମାନେ ବାହାରି ପଡନ୍ତି ଗାଁ ମୁଣ୍ଡ ଗୋଚର ଆଡ଼େ । ଗାଈବାଛୁରୀ ବଳଦ ସବୁ ଏକତ୍ରିତ ହେଇ ଯାନ୍ତି ବିଲପଡ଼ିଆ ପାଖ ଗୋଚର ଭୂଇଁରେ । ପୁରା ଗାଁ ଗୋଟାକର ଗାଈମାନେ । ଗାଈଆଳ ବାଡ଼ିଖଣ୍ଡେ ଧରି ଗାଈ ମାନଙ୍କୁ ଏକାଠି କରି ବସିଯାଏ ବରଗଛ ମୂଳେ । ଗାଈମାନେ ଖୁବ୍ ମନଭରି ଘାସ ଚରନ୍ତି ସନ୍ଧ୍ୟା ଚାରିଟା ଯାଏ ।

କେତେବେଳେ ଗାଈପାଳିରୁ ବଇଁଶୀ ସ୍ଵନ ଭାସି ଆସେ ତ ବେଳେବେଳେ ଗାଈଆଳ କଣ୍ଠରେ ବେସୁରା ସ୍ଵରରେ ଗୀତଟିଏ ହାଲୁକା ପବନରେ ଗାଁ ଆଡ଼େ ଭାସିଆସେ । ଲାଗେ ଯେମିତି ମଥୁରାର କୃଷ୍ଣ ବଂଶୀବାଦନ କରୁଛନ୍ତି । ପୌରାଣିକ ଯୁଗର କିଛି ଭାରତୀୟ ହିନ୍ଦୁ ସଂସ୍କୃତିର ପରମ୍ପରା ଦୋହରାଇ ହେଇଯାଏ ଘଡ଼ିଏ । ଧାର୍ମିକ ଭାବଧାରାର ପ୍ରଭାବ ଛୁଟିଯାଏ ।

ପ୍ରତ୍ୟେକ ଓଡ଼ିଆ ଘରେ ଗାଈଟିଏ ରଖିବା ଏକ ଧାର୍ମିକ ଧାରଣା ଓ ଶୁଭ ବୋଲି ମାନିଥାଏ । କୁହାଯାଏ, କେହି ଯଦି ବିଭାଘର ପ୍ରସ୍ତାବ ନେଇ ବନ୍ଧୁ ବାନ୍ଧିବାକୁ ଆସେ ପ୍ରଥମେ ହଲୁଆ ତାଗଡ଼ା ବଳଦ ଦେଖି ବନ୍ଧୁ ବାନ୍ଧିଥାଏ । ବଡ଼ ବଡ଼ ବଳଦ । ଚାଷୀ ଘର। ଚଳାଚଳ ଭଲ । ଗାଈଗୋଠ ଦେଖି ଘର ଚଳାଚଳ ଜାଣୁଥିଲେ ସେ ସମୟରେ ।

ସକାଳୁ ଉଠି କୃଷକ ଭାଇ ଯୋଡ଼ିବଳଦ ଧରି କ୍ଷେତକୁ ବାହାରି ଯାଏ । ଦି ଘଡ଼ି କ୍ଷେତ ଚଷି ଘରକୁ ଫେରନ୍ତି । କୁଣ୍ଡାତୋରାଣି ଖାଇ ଆରାମ କରନ୍ତି ଗୁହାଳରେ। ସେତେବେଳେ ଘର ସାଙ୍ଗକୁ ଗୁହାଳ ବାଧ୍ୟତାମୂଳକ ହେଉଥିଲା । ଗୁହାଳରେ କୁଣ୍ଡା ତୋରାଣି ଭରା ମାଟିମାଣ୍ଡିଆ, ଖୁଣ୍ଟ, ପଘା ସବୁ ସରଞାମ ହେଉଥିଲା । ଭାରି ଯତ୍ନ ନିଆ ଯାଉଥିଲା ଗାଈବଳଦଙ୍କର । ପରିବାରର ସଦସ୍ୟ ଭଳି ସେମାନେ ଥିଲେ । ଗାଈବଳଦଙ୍କର ଦେହପା ହେଲେ ଡ଼ାକ୍ତର ଆସୁଥିଲେ ।

ବେଳେବେଳେ ଗାଈମାନେ କାହାରି ବାରିଘରେ ପଶି ଫସଲ ନଷ୍ଟ କରୁଥିଲେ । ସେ କଥା ନେଇ ଝଗଡ଼ା ହେଉଥିଲା ନିଜ ନିଜ ଭିତରେ । ସେପାଇଁ ପଞ୍ଚାୟତ ତରଫରୁ “କଞ୍ଜିଆହୁଦା” (ଗାଈ ମାନଙ୍କ ପାଇଁ ଜେଲଖାନା) ତିଆରି କରାଯାଇ ଥିଲା । ଯାହାର ଗାଈ ଅନ୍ୟର ଫସଲ ନଷ୍ଟ କରୁଥିଲା ତାକୁ ଧରି ଏଇ ଠାରେ ବନ୍ଦ କରାଯାଉଥିଲା । ଗାଈମାଲିକ ଜୋରିମାନା ଦେଇ ଗାଈ ଫେରେଇ ଆଣୁଥିଲା । ତେଣୁ ଗାଈ ମାଲିକେ ନିଜ ଗାଈକୁ ସାବଧାନରେ ରଖୁଥିଲେ ।

ସେତେବେଳ ଏହି ଗାଈବଳଦଙ୍କ ପ୍ରତି ଏକ ଶ୍ରଦ୍ଧା ଓ ଆଦର ଥିଲା । ଖୁଣ୍ଟରେ ଥରେ ବନ୍ଧା ହେଇଥିବା ଜୀବନ କାଳ ଭିତରେ ବିକନ୍ତିନି । ସେଇ ଘରେ ସେ ତା ଜୀବନକାଳ ପୁରା କରେ କିନ୍ତୁ କେହି କେହି ଦଶ ଖୁଣ୍ଟ ଦଶ ଗୁହାଳ କରେଇ ଶେଷରେ କଂସେଇକୁ ବିକନ୍ତି । ଗୋମାତା କହି ପୂଜା କରୁଥିବା ଏହି ଗାଈ କ୍ଷୀର, ଛେନା, ଦହି, ଘିଅ, ଗୋବରଖତ ଦେଇ ମଣିଷକୁ ତାର ମୂଲ୍ୟ ପ୍ରଦାନ କରେ । ଗହ୍ମାପୂର୍ଣ୍ଣମୀରେ ଗୋପୂଜା କରାଯାଏ । ଘରେ ଘରେ ଗାଈପୂଜା ପାଆନ୍ତି ।

ସମୟ କ୍ରମେ ଘରେ ଘରେ ଗାଈପାଳନ ଓ ହଳବଳଦ ବନ୍ଦ ହେଇ ଆସିଲାଣି । ଗାଈମାନଙ୍କ ପ୍ରତି ଆଉ ଆଦର ଶ୍ରଦ୍ଧା ସମ୍ମାନ ନାହିଁ । ଗାଆଁରେ ଗାଈ ପାଳି ପରମ୍ପରା ସରି ଗଲାଣି । ନା ଗାଈ ଗୋଠ କି ଗାଈଆଳ ଗୀତ ଶୁଣିବାକୁ ମିଳୁନି । କଂସେଇ ଗାଁ ଗାଁ ବୁଲି ଗାଈ କିଣୁଛନ୍ତି । ଛଡା ବଳଦଙ୍କୁ କଉଡ଼ି ଭାଉରେ ବିକି ଦେଉଛନ୍ତି । ପ୍ରତ୍ୟେକ ଦିନ ବେଆଇନ ଗୋଚାଲାଣ ଏକ ଦୁଃଖଦ ଖବର ହିନ୍ଦୁ ସମାଜ କାନରେ ପଡୁଛି । ଗାଈଙ୍କୁ ଅତି ନିର୍ଦ୍ଦୟ ଅବସ୍ଥାରେ ଗାଈ ଉପରେ ଗାଈ ଲଦି ଅତି ନିର୍ଦ୍ଦୟ ଭାବରେ ସହର ଚାଲାଣ କରାଯାଉଛି । କଂସେଇ ଖାନାକୁ ଯିବା ପୂର୍ବରୁ ଶହେ ଥର ମରୁଛି ।

ଏବେ ଆଉ ଗୋଠ, ଗୋଧୂଳି ସନ୍ଧ୍ୟା ନାହିଁ ! ଆଉ ସେ ଭଳି ପଶୁ ଶ୍ରଦ୍ଧା ନାହିଁ । ଅଧିକାଂଶ ଘରେ ଆଉ ଗାଈ ନାହାନ୍ତି ! ଯେଉଁମାନଙ୍କ ପାଖରେ ଅଛି ସେମାନେ କେବଳ ଗାଈ ବିକ୍ରି କରି ପେଟ ପାଳୁଛନ୍ତି । ଗାଁରେ ଗାଈଟିଏ ନାମମାତ୍ର କେଇଜଣ ଓଡ଼ିଆଙ୍କ ଘରେ ବନ୍ଧା ହେଇଛି । ତୋରାଣି ପିଉଛି । ଛ ମାସର ହେଉ ହେଉ କଂସେଇ ଆସି ମୁଲଚାଲ କରୁଛି । ପଇସା ପାଇ ମାଲିକ ପଘା ଖୋଲି ଦେଉଛି । ଇଙ୍ଗିତରେ ଗାଈ ବିକ୍ରି ହେଲା ବେଳେ କହିଯାଉଛି ମାଲିକକୁ,
“ଅନାମ ବୋଉ ତୋ ଗାଈ କାନ୍ଦୁଛି
ନିଜ କରମକୁ ନିଜେ ନିନ୍ଦୁଛି,
କ୍ଷୀର ଦହି ଘିଅ କରିଲା ଦାନ
ଋଣ ସୁଝି ଆଜି ଦେଲା ଜୀବନ ।” 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago