ହାତୀଘୋଡ଼ା ମିଠେଇ

~ ଦୀପାବଳୀରେ ଖେଳଣା ମିଠା: ହାତୀଘୋଡ଼ା ମିଠେଇ ~

ଲେଖା: ଅମୃତେଶ ଖଟୁଆ

ଆମ ଓଡ଼ିଆଙ୍କ ଖାଇବା ଇ ନିଆରା ! 

ମହାପ୍ରସାଦ ହେଉ ଅବା ରେଷ୍ଟୁରାଣ୍ଟର ଭୋଜନ ହେଉ ଓଡ଼ିଆ ଖାଇବା ଶେଷକୁ ଲୋଡ଼େ ମିଠା ଟିକିଏ ! ମିଠା ନ ଥିଲେ ଓଡ଼ିଆର ରଜାଘର ଖାନା ମୋଟେ ରୁଚିବନି ବୋଲି ଜାଣ ! ସେଥିପାଇଁ ପରା ମଧୁରେଣ ସମାପୟେତ୍ ! ସେତିକି ନୁହେଁ, ନିମିତ୍ତ ପରବ ଭୋଜି ହେଉ କି ସମ୍ଭ୍ରାନ୍ତ ସହରୀ ପାର୍ଟି ହେଉ, ହେଉ ଅବା ଝୁଅ ବାହାଘର ଭାର, ମିଠା ନ ହେଲେ କି ଚଳେ ! ଆମ ଠାକୁର ବି ଏଇ ମିଠା ରୁଚିଠାରୁ ଦୂରେଇପାରେ ନାହାନ୍ତି ନିଜକୁ !

ଭାରତ ଭୂଖଣ୍ଡରେ ଏଭଳି ଭଳିକି ଭଳିକି ଭଳି ମିଠା ତିଆରି କରି ନିଜର ଖାଦ୍ୟପ୍ରିୟ ଗୁଣ ସହିତ ସର୍ଜନଶୀଳତାର ପରିଚୟ ଦେଇଥିବା ଏଇ ଓଡ଼ିଆ ଜାତି ଆଜି ତିଷ୍ଠିରହିଛି ନିଜ ଜୀବନଶୈଳୀର ସର୍ବୋତ୍କୃଷ୍ଟ ସାଧନ ପାଇଁ । ନ ହେବ ବା କିପରି ? ଏସବୁ ମିଠା ତିଆରି ପଛରେ ରହିଛି ଓଡ଼ିଆ ଜାତିର ମୌଳିକ ପ୍ରେରଣା, ନିଷ୍ଠା ଓ ସଚ୍ଚୋଟପଣିଆ !
କେତେ କେତେ ପରୀକ୍ଷଣ ପର୍ଯ୍ୟବେକ୍ଷଣର ମହାର୍ଘ ସଫଳତା ଏଇ ଓଡ଼ିଆ ଜାତିର ନିରଙ୍କୁଶ ହସ୍ତଗତ ହୁଏ ! ଖାଦ୍ୟ ! ପୁନଶ୍ଚ ଭିନ୍ନ ଓ ସ୍ବାଦିଷ୍ଟ ! କାହାର ବା ଲୋଭ ନ ହେବ ! ଯେଉଁଠି ଖାଦ୍ୟ ସ୍ବାଦିଷ୍ଟ, ସେଇଠି ତୃପ୍ତି ଓ ଆନନ୍ଦ । ସହଜେ ତ ଆମେ ଓଡ଼ିଆଏ ଖାଦ୍ୟପ୍ରିୟ ! ଆମ ବଡ଼ଠାକୁରଙ୍କ ପରି . . .
ଆମେ ସବୁବେଳେ ଖୋଜୁ ଖାଇବାକୁ ନୂଆ ସୁଆଦ, ନୂଆ ଖାଦ୍ୟ । ସେ କେନ୍ଦ୍ରାପଡ଼ା #ରସାବଳି ହେଉ କି କଳାହାଣ୍ଡିର #କଳାକନ୍ଦ, ଢେଙ୍କାନାଳ #ବରା ହେଉ କି ଭଦ୍ରକର #ପାଳୁଅଲଡୁ, ନୟାଗଡ଼ #ଛେନାପୋଡ଼ କି କଟକର #ଦହିବରା, ସମ୍ବଲପୁର #ସରସତିଆ, ବାରିପଦା #ମୁଢ଼ିମାଂସ କି ପୁରୀର #ରାବିଡ଼ି – ସଭିଙ୍କ ନିଆରା ସୁଆଦ । ଆମେ ଯେ ଦେଶକୁ ଯାଉ, ସେ ଫଳ ଖାଉ ।
ଆଲୋକର ପର୍ବ ଦୀପାବଳୀ । ଆମର ପିମ୍ପେଇ ଅମେଇସିଆ ବା #ପୟାଶ୍ରାଦ୍ଧ ତିଥି ବୋଲି କହିଲେ ଲୋକେ ଊଣାଧିକେ ନିହାତି ବୁଝିଯିବେ । ସକାଳୁ ଶୁଦ୍ଧପୂତ ହୋଇ ପିତୃପୁରୁଷଙ୍କ ସ୍ମୃତିରେ ମୁହଁ ସଞ୍ଜ ବେଳକୁ ବଡବଡୁଆ ଡାକ ଦେବୁ । ପୟା ଡାକ । ଗତାୟୁ ପୂର୍ବସୂରୀଙ୍କ ନିଶ୍ଚଳ ଓ ଅପାର୍ଥିବ ଆଦର୍ଶ ପ୍ରତି ସମ୍ମାନର ସମ୍ବୋଧନ। ଆଜିକାଲି ଲୋକେ ଅବଶ୍ୟ ଏହାକୁ ପାସୋରି କେତେକାଂଶରେ ଅନ୍ୟ ଉପାୟ ଆବୋରିଛନ୍ତି ।
ବାଣ ଜାଳି ପରସ୍ପର ବନ୍ଧୁବାନ୍ଧବ ଓ ସମବୟସ୍କ ସଖା ସହୋଦରଙ୍କ ସହିତ ମିଠା ଖାଇ ଦୀପାବଳି ପାଳିଥାଆନ୍ତି ସମସ୍ତେ । ତେବେ ଦୀପାବଳୀରେ ବର୍ତ୍ତମାନ ସୁଦ୍ଧା ବଞ୍ଚିରହିଛି ଖେଳଣା ମିଠେଇର ପରମ୍ପରା ! କଟକର ସ୍ବତନ୍ତ୍ର  ହାତୀଘୋଡ଼ା ମିଠେଇ ! ହାତୀ ଓ ଘୋଡ଼ା ଆଦି ବିଭିନ୍ନ ଆକୃତିର ଏହି ଚିନି ତିଆରି ମିଠେଇର ଚାହିଦା ବେଶ୍ ପୁରୁଣା । ରଙ୍ଗାତିରଙ୍ଗ ହୋଇ ଚିନିର ଗୂଢ଼ ପାଗ ଦେବା ପରେ ସାମାନ୍ୟ ମାନବେତର ଦେଖାଯାଉଥିବା ଏହି ମିଠାର ନାଁ ‘ଖେଳଣା ମିଠେଇ’ । ହାତୀ, ଘୋଡ଼ା ସହ ପଶୁପକ୍ଷୀ ଆଦି ବିଭିନ୍ନ ଆକୃତିର ଏହି ମିଠାର ବୈଶିଷ୍ଟ୍ୟ, ଏହା କେବଳ ଚିନିରେ ତିଆରି ହୋଇଥାଏ ।
କଟକର #ବାଲୁବଜାରରେ ଏହା ବିପୁଳ ପରିମାଣରେ ଏଯାବତ ମିଳୁଛି । ବିଭିନ୍ନ ପ୍ରକାର ପଶୁପକ୍ଷୀଙ୍କୁ ନେଇ ହାତୀଘୋଡ଼ା ମିଠେଇ ଖେଳଣା ତିଆରି କରାଯାଏ । ଏଥିପାଇଁ ସ୍ଥାନୀୟ କାରିଗରମାନେ ଆସନ୍ତି ପ୍ରଥମେ ଚିନିର ପାଗ ସୃଷ୍ଟି କରିବାକୁ । ସ୍ବାଦଲେହ୍ୟ ଏହି ମିଷ୍ଟାନ୍ନକୁ ପାଗ ଦେବା ପୂର୍ବରୁ ନିର୍ଦ୍ଦିଷ୍ଟ ଛାଞ୍ଚରେ ଏହାକୁ ପକାଯାଇ ତିଆରି କରନ୍ତି ଗୁଡ଼ିଆ ଘର । ଅତୀତର ରୋମନ୍ଥନ କଲେ ପୂର୍ବେ ଏହା ବେଶ୍ ଭଲ ବିକ୍ରି ହେଇଥିଲା ଏବଂ ପ୍ରତ୍ୟେକ ବର୍ଷ ଥରେ ହିଁ ମାତ୍ର ବିକ୍ରି ହୋଇଥାଏ । ଦୀପାବଳୀର ପ୍ରାୟ ୮ ଦିନ ପୂର୍ବରୁ ଏଥିପାଇଁ #ଗୁଡ଼ିଆ ଘର ଏଥିପାଇଁ ଚିନି ସଂଗ୍ରହ କରି ରଖନ୍ତି ।
ତେବେ କଟକ #ଖାନନଗର ଅଞ୍ଚଳରେ ଏହି ହାତୀଘୋଡ଼ା ମିଠେଇ ତିଆରି କାରଖାନା ରହିଛି । ପିଢ଼ି ପରେ ପିଢ଼ି କିଛି ଗୁଡିଆ କାରିଗର ଏହାକୁ କେବଳ ଦୀପାବଳୀ ସମୟରେ ପ୍ରସ୍ତୁତ କରିଥାନ୍ତି । ପାରମ୍ପରିକ ରୀତିରେ ସେମାନେ ପ୍ରସ୍ତୁତ କରୁଥିବା ସ୍ଥଳେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ବ୍ୟବସାୟୀମାନେ ଏଇଠାରୁ ଖେଳଣା ମିଠା ରାଜ୍ୟର ବିଭିନ୍ନ ସ୍ଥାନକୁ ନେଇ ବିକ୍ରି କରିଥାନ୍ତି । ପ୍ରଥମେ ଚିନିକୁ ରନ୍ଧାଯାଇ ପାଗ ହେଲା ପରେ ଏଥିରେ ଖାଦ୍ୟ ଉଦ୍ଦିଷ୍ଟ ଭଳିକି ଭଳି ରଙ୍ଗ ଦିଆଯାଇଥାଏ । ଏଥିପାଇଁ କଟକ ଉପକଣ୍ଠର ପଦ୍ମପୁର ଲୋକ ଆସନ୍ତି ।
ଛାଞ୍ଚ ଦେହରେ ଜୀବନ୍ତ ଆକୃତି ପାଇସାରି ଥଣ୍ଡା ହେଇଯିବା ପରେ ଛାଞ୍ଚରୁ ବାହାରିଥାଏ ମନଲୋଭା ଏହି ହାତୀଘୋଡ଼ା ମିଠେଇ ! ଯଥେଷ୍ଟ କୌତୂହଳପ୍ରଦ ଦେଖିବା ଲାଗି । ବିଲାତି ମିଠେଇ ଅପେକ୍ଷା ଯଥେଷ୍ଟ ସ୍ବାଦୁ ଓ ରସାଳ ! ରସିକ ବେପାରୀକୁ ରସିକ ଗ୍ରାହକମାନଙ୍କ ନିମିତ୍ତ ସୁମିଷ୍ଟ ସଂଯୋଗର ସୂତ୍ରପାତ କରେ । ଅନଭ୍ୟସ୍ତ ତୁଣ୍ଡକୁ ସୁଦ୍ଧା ଲହଲହ କଉତୁକରେ ଆପ୍ୟାୟିତ କରିଦେବ । ପିଲାଏ ତ ଆହୁରି କୌତୁକିଆ ।
ହାତୀଘୋଡ଼ା ମିଠେଇ କିଣି ତୁଣ୍ଡରେ ନେବେ କ’ଣ, କେହି କେହି ତ ସୁଠାମ ଆକାର ଦେଖି ତାକୁ ସତ ମାନିନିଅନ୍ତି । ସେ ମିଠେଇର ମୋହ ଗୋଟିଏ ପ୍ରକାର ଶିଶୁର ଅକପଟ ଲାଳସା ଉପରେ ସାଜେ ନିରୀହ ଦାଉ । ପିଲାଟି ତେଣେ କ’ଣ କରନ୍ତି, ମିଠେଇ ସବୁ ଆଣି ତାକୁ ବେଳେ ବେଳେ ଖେଳେଇ ବୁଲାନ୍ତି, ପୁଣି କେତେ ଜଣ ପିଲା ଏଡ଼େ ଚଞ୍ଚଳ, #ଘୋଡ଼ାମିଠେଇ, #ଛେଳିମିଠେଇ, #ମେଣ୍ଢାମିଠେଇ ଦେଖି ତା’ ଗଳାରେ ପଘା ଭିଡ଼ି ସନ୍ତର୍ପଣରେ ଦିନା କେତେ ସାଙ୍ଗରେ ରଖନ୍ତି ।
ଆଜକୁ କୋଡ଼ିଏ ତିରିଶି ବର୍ଷ ତଳ କଥା । ଖାନନଗର ଆଡ଼େ ଏହି ଦୁର୍ଲ୍ଲଭ ମିଠେଇ ଦୀପାବଳୀ ଦିନଠାରୁ ବଡ଼ ଓଷା ପର୍ଯ୍ୟନ୍ତ ଲୋକେ କିଣିକି ନେଉଥିବେ । ଜରିଏ ଜରି ସୁଦ୍ଧା ନେଇକି ଗଲେ ଘରର ପୁଅ ଝୁଅ, ଯେତେ ଛୁଆ ପିଲା ଏହାକୁ ଖାଇବା ଲାଗି ଟାକି ବସିଥିବେ । ଦୀପାବଳୀ ବେଳେ ହେଉଥିବା ବଡ଼ବଡୁଆ ପୂଜାରେ ଏହି ମିଠା ଭୋଗ ଲାଗିଥାଏ । ତେବେ କିଛି ମିଠା କାରିଗର ଏହାକୁ ବିକ୍ରି କରନ୍ତି ସତ । ମାତ୍ର ସମୟର ଦୁଃସହ ଲାଞ୍ଛନା ଓ ତାଡ଼ନା ସାଜିଛି ବେଉସାର ବାଧକ !
ମର୍ଯ୍ୟାଦାହୀନ ଭାବରେ ଅଧିକ ପରିଶ୍ରମ ହେଉଥିବାରୁ ଅନେକ କାରିଗର ମିଠା ତିଆରି ବନ୍ଦ ମଧ୍ୟ କରିସାରିଲେଣି । କେବଳ କୌଳିକ ବୃତ୍ତିକୁ ଧରି ରଖିବା ପାଇଁ ଏହି ମିଠା ତିଆରି କରାଯାଉଛି । ଏହା କହିଛନ୍ତି ଅଙ୍ଗୁଳିମେୟ ମିଠା କାରିଗର । ପୂର୍ବରୁ ଏହି ମିଠାର ଦର କିଲୋ ପିଛା ୨୦ରୁ ୩୦/- ଟଙ୍କା ଥିଲା । ହେଲେ ଉତ୍ପାଦନର ହାର ହ୍ରାସ ପାଇବା ସଙ୍ଗେ ସଙ୍ଗେ କାଳକ୍ରମେ ଏହା ୧୪୦ ଟଙ୍କାରେ ପହଞ୍ଚିଲାଣି । ତେବେ, ଦର ବଢ଼ିଗଲା ବୋଲି ଲୋକଙ୍କ ଅଣ୍ଟି ଶୂନ୍ୟ ହେଇଯିବାର ଆଶଙ୍କା ଅଛି କି ?
ଏଇନେ ଅଳକା ରାଜ୍ୟର ସ୍ବପ୍ନ ନେଇ ଉଧେଇ ଉଧେଇ ଆସୁଥିବା ସରସ ବିଶ୍ବର ଜଟିଳ ଚାହିଦା ସମ୍ମୁଖରେ ଯେପରି ଏଇ ଟିକିଟିକି ମିଠେଇର ବାସନା ପରାହତ । ଆମର ମନେ ପଡ଼େ ସାନ ଗାଙ୍ଗୁରାମ ବା ଗୁଡ଼ିଆ ଘର ଆଗରେ ରହଣି ସେତେବେଳେ ଥିଲା ଏକ ଅଜ୍ଞାତ ରହସ୍ୟ । ଅଣଓସାରିଆ ଗୋଟିଏ ସହରର ଲେଉଟାଣି ଗଳି ଦେଇ ଆସିଲେ ଯେଉଁ ମଳିମୁଣ୍ଡିଆ ଦାଣ୍ଡ ପଡ଼େ, ସେଇଠାରୁ ସେମାନଙ୍କ ବସା ଯାକେ ଯିବା ବେଳର ଅଭିଜାତ ଚାହିଦା ସହଜେ ବାରିପାରିବେନି । ସେଠି ଥରେ ସଞ୍ଜ କିମ୍ବା ସକାଳକୁ ଦଣ୍ଡେ ରହି ଅନାୟାସରେ ଦେଖନ୍ତେ ।‌ ତାଙ୍କ ନର୍ମ ହାତରେ ସେ ଖେଳଣାର ମୁରୁକି ହସ । ସେ ହସ ଭିତରେ ଉକୁଟା ବାସନା । ଏହି ସରସ ବାସନା ଛଳରେ କେତେ କେତେ ବିଦଗ୍ଧ ହୃଦୟ ସେ ଏକାଠି କରେ ।
ଏଣେ ଏଇ ଟିକି ମିଷ୍ଟାନ୍ନ ହାତୀଘୋଡ଼ା ମିଠେଇର ଗତି ଆଜି ଖୋଜେ କଟକର ରୂପସୀ ଅଳିନ୍ଦରେ ନିଜ ଭବିଷ୍ୟତର ଆଲୋକ, ଆଲୋକର ପର୍ବ ଦୀପାବଳୀରେ . . .

Leave a Comment

Your email address will not be published. Required fields are marked *

Scroll to Top