~ ହଳଦୀ ~
ଲେଖା: ଡ. ଜୟଶ୍ରୀ ନନ୍ଦ
କାମଚୋର ହୋଇ ଆମେ ଭୁଲିଗଲେଣି ଏହାର ସୁଗନ୍ଧ। ହଳଦୀ ଗୁରୁଗୁରୁ କଞ୍ଚାହଳଦୀ । ପୂଜାରୁ ରୋଷେଇ ଯାଏ ଲାଗି ହେଉଥିବା ଶୁଦ୍ଧହଳଦୀ। ଟିକେ ସୁବିଧା ପାଇଁ ଅଧିକ ଅର୍ଥ ଦେଇ ସମସ୍ତେ କିଣୁଛେ ହଳଦୀଗୁଣ୍ଡ। ଶୁଣାଯାଏ କେତେ ପ୍ରକାରର ଭେଜାଲ ମିଶା ଯାଉଛି ହଳଦୀଗୁଣ୍ଡରେ। ପୂଜାପାର୍ବଣରେ ହଳଦୀ ପ୍ରଥମ ଦରକାର ହୁଏ। ବାହାଘର ବ୍ରତଘର ଗୁଆ ମଙ୍ଗୁଳା ସବୁଥିରେ ଦରକାର ।

ଏବେ ବଟାହଳଦୀ ଖୁବ୍ କମ୍ ଦେଖିବା ପାଇଁ ମିଳୁଛି। ରୋଗ ବ୍ୟାଧି ଯନ୍ତ୍ରଣା, ଦେହଦରଜ, ପୋକଯୋକ କାମୁଡିଦେଲେ ଆଗେ ଖୋଜାପଡେ। କେହି କଞ୍ଚାହଳଦୀ ଶିଳରେ ବାଟିଲେ ସେ ସୁବାସ ଚାରିଆଡେ ଖେଳିଯାଏ। ଏବେ ସେ ସୁଗନ୍ଧ କାହିଁ ଆମେ ସୁବିଧା ପାଇଁ ରୋଗ ବି କିଣୁଛୁ ଆଉ ଅଧିକ ପଇସା ବ୍ୟୟ କରି ରୋଗ ବି କିଣୁଛୁ ବଜାରରୁ ପ୍ୟାକେଟ ବାଲା ହଳଦୀଗୁଣ୍ଡ କିଣି ।
ବିଚାର କରନ୍ତୁ, ହଳଦୀପତ୍ର ଖୋଜାପଡେ ପ୍ରଥମାଷ୍ଟମୀରେ। ସେତେବେଳେ ହଳଦୀଚାଷ କଥା ମନେପଡେ। ଆମେ ନିଜ ବାଡିରେ ହଳଦୀ ଲଗାଇ ପତ୍ର ବି ବ୍ୟବହାର କରି ପାରିବା ଆଉ ଶୁଦ୍ଧ ବି। ହାଟ ବଜାରରୁ କାହିଁକି କିଣିବା ପ୍ୟାକେଟ ହଳଦୀଗୁଣ୍ଡ।

ଲୋକମାନେ ତିଅଣ ବା ତୁଣ ରାନ୍ଧିବା ପାଇଁ ଶିଳ ଶିଳପୁଆରେ ଜିରା ସୋରିଷ ଗୋଟା ଧଣିଆ, ହଳଦୀ, ଲଙ୍କା, ପୋସ୍ତ ଆଦି ବାଟୁ ଥିଲେ । ତେଣୁ ତାକୁ ବାଟଣ କହୁଥିଲେ। ଆମେ ତ ଆଜିକାଲି ବାଟଣ କହିଲେ ମଳିମୁଣ୍ଡିଆ ହୋଇଯିବା କାଳେ ସେ ପାଇଁ ମସଲା କହୁଛେ। ଆଜ୍ଞା ଠିକ୍ କହିଲି କି ନାହିଁ। କେବଳ ମା’ ଜେଜେମା ଅମଳର ଲୋକ ହିଁ ବାଟଣ କହୁଥିବେ ଆମେ ତ ଅତ୍ୟାଧୁନିକ ଯୁଗର ମସଲା କହୁଛେ।